Unknown

 

 

 

 

 

 

 

 

 

 

 

ସଂଳାପ ନିର୍ଜନତାର

ଅବନୀ କୁମାର ବରାଳ

 

ସଂଳାପ ନିର୍ଜନତା’ର

 

(ସମସ୍ତ ଜାଗତିକ କୋଳାହଳ ମଧ୍ୟରେ ମଣିଷ ମନର ଏକାନ୍ତ ନିଃସହାୟ ନିର୍ଜନତାହିଁ ସତ୍ୟ ! ନିଜ ଭିତରେ ସେ ପୂରାପୂରି ଏକା !)

 

 

 

 

 

 

 

 

 

 

 

ଅନେକ ଭିତରେ ମଣିଷର ଏକକ ସତ୍ତା ଅବିଚଳିତ ଥାଏ–ପୁଣି ଏକକ ମଣିଷ, ଅନେକ ହୋଇଯାଏ–ଖଣ୍ଡବିଖଣ୍ଡିତ ସତ୍ତା ହୋଇ ଏକ ହୁଏ ।

 

ସଂଳାପ : ନିର୍ଜନତା’ର

 

ଲେଖିସାରିଲା ପରେ, ଏଇ ମୁହୂର୍ତ୍ତରେ

ମୋର ଆଉ କାହାର ନାଁ ମନେ ପଡ଼ୁ ନାହିଁ–

ଇଚ୍ଛାବି ହେଉ ନାହିଁ, ଯାହା ନାଁ

ମନେ ପଡ଼ୁଛି, ତାଙ୍କୁ ଦେବାକୁ ।

ସେଥିପାଇଁ, ଅନ୍ୟ କାହାକୁ

ନ ଦେଇ, ବୁଲୀ ଓ ସୁଧାଂଶୁ,

ତମ ଦୁଇ ବାନ୍ଧବୀଙ୍କୁ

ଉତ୍ସର୍ଗ କରୁଛି ।

 

ଅବନୀ ବରାଳ

 

ଆଉ ଟିକେ ଆଗରୁ ସିଏ ଚାଲିଗଲେ– ।

 

ବର୍ତ୍ତମାନ ସୁଦ୍ଧା ଆଉ କେହି ଏ ଘରକୁ ଆସି ନାହାନ୍ତି । ତୁନି ହୋଇ ବସି ବସି ଘଡ଼ିର ଟିକ୍‌ ଟିକ୍‌ ଶବ୍ଦ ଏବଂ ଦମକା ଦମକା ପବନରେ ପରଦାଗୁଡ଼ାକର ଫଡ଼୍‍ଫଡ଼୍ ଶବ୍ଦ ଛଡ଼ା ଆଉ କିଛି ଶୁଣି ନାହିଁ ।

 

ସବୁ କେମିତି ନୀରବ, ନିଶ୍ଚଳ, ନିସ୍ପନ୍ଦ ହୋଇଯାଇଛି । ଜୀବନର ଗତି ଯେମିତି ଥମିଯାଇଛି... । ଘୋଷାରି ଘୋଷାରି ହୋଇବି ଆଗକୁ ଚାଲୁ ନାହିଁ । କିଛିକ୍ଷଣ ପୂର୍ବରୁ ଟପ୍‌ଟପ୍‌ ହୋଇ ବର୍ଷା ପଡ଼ି ଆସୁଥିଲା । ବଡ଼ ଆକସ୍ମିକ ଏ ଦିନରେ ବର୍ଷା–ତଥାପି ପଡ଼ୁଥିଲା । ଝରୁଥିଲା । ଆଉ ପଡ଼ୁ ନାହିଁ । ବର୍ଷାବି ଥମିଯାଇଛି । ଆକାଶଟା ମୁହଁ ଫୁଲେଇ ରହିଛି । ବାହାରକୁ ଗଲେ, ଆକାଶର ସେ ମୁହଁଫୁଲା ଥମ ଥମ ଭାବଟା ଦେଖାଯାଆନ୍ତା–ଦେଖିପାରନ୍ତି !

 

ନା, ବାହାରକୁ ଯାଇ ଲାଭ ନାହିଁ । ଯିବାକୁବି ଇଚ୍ଛା ହେଉ ନାହିଁ ।

 

ଏଇଠି ଏମିତି ଶୋଇ ଶୋଇ, ଆକାଶର ଯେଉଁ ଚେନାକ, ଝରକା ବାଟେ ଦେଖାଯାଉଛି, ସେତକରେବି ସେଇ ଥମ ଥମ ଭାବ ।

 

ଆକାଶଟାସାରା ଆଉ ଟିକେ ଆଗରୁ, ସେମିତି ଛେନା ଛିଡ଼ି ଯାଇଥିଲା । ଏବେ କଳା ପଡ଼ି ଆସିଲାଣି । ଖଣ୍ଡେ ମେଘ ଢାଙ୍କିଛି । କିଛି ସମୟ ପରେ ମେଘକନ୍ୟାର କେରି କେରି କୁନ୍ତଳ ଝରିପଡ଼ିବ ଆକାଶରୁ–ମେଘକନ୍ୟା ମୁଣ୍ଡ ଶୁଖାଇବ । ଅଥଚ ଏଇଟା ମାର୍ଚ୍ଚ । ମାର୍ଚ୍ଚ ମାସରେ କୁଆଡ଼େ ପ୍ରଚଣ୍ଡ ଖରା ପଡ଼େ । ପାଣି ଶୁଖିଯାଏ ।

 

ବେଳେବେଳେ ବସନ୍ତବି ଆସେ !

 

ବସନ୍ତ ଆସୁଥିଲା ହୁଏତ । ଧକା ଖାଇ କେଉଁଠି ରହିଯାଇଛି । ଲୁଚିଛପି ଯାଇଛି ପଥପ୍ରାନ୍ତର ଧାରରେ–ଆଉ ସେ ଆସିବ ନାହିଁ । ଆସିବ ନାହିଁ ନୁହେଁ, ଆସିପାରିବ ନାହିଁ । କେଜାଣି ଅବା ବାଟ ଭାଙ୍ଗି ଯଦି ଆଉ କେଉଁଠିକି ଚାଲିଯାଇଥିବ ! ଅପସରି ଯାଇଥିବ ! ତଥାପି....ବସନ୍ତ ଆଉ ଆସୁ ନାହିଁ । ସେସବୁ ଫୁଲ ଆଉ ଫୁଟୁ ନାହିଁ ।

 

ଏଇଠି ଝରକା କଡ଼ରେ ଶୋଇ ଶୋଇ, ମୁଁ ଆକାଶଟାକୁ ଚାହିଁ ରହିଛି । ଅକାରଣରେ...ଅଯଥାରେ ।

 

ଦେହସାରା ଗତ ରାତିର ଆଳସ୍ୟ, କ୍ଳାନ୍ତ ବୋଳି ହୋଇଯାଇଛି । ଧମନୀଗୁଡ଼ାକରେ ରକ୍ତର ଧାର ସବୁବି ବୋଧହୁଏ ଅଳସେଇ ଯାଇଛନ୍ତି । ଶୋଇଯାଇଛନ୍ତି...

 

ଆଉ....ସନ୍ଧ୍ୟାକୁ କାମନା କରୁଛି । ହୁଏତ ରାତିକୁବି ।

 

ରାତି ଆସିବାକୁ ଅନେକ ଡେରି...ଅନେକ...ଅନେକ... । କାହିଁକି ନା, ଏଇତ ମାତ୍ର ସକାଳ ହେଲା ।

 

ଏଇଟା ସକାଳ ।

 

ଆଉ...ମାର୍ଚ୍ଚ ମାସର ସକାଳ । କର୍ମପ୍ରବଣ ସକାଳ । ଆଶ୍ଚର୍ଯ୍ୟ ! ସକାଳଟା କିନ୍ତୁ ସନ୍ଧ୍ୟା ଭଳି ଲାଗୁଛି । ଆଲୋକ ଧୀରେ ଧୀରେ ଧୀରେ କମି ଆସୁଛି । ସୂର୍ଯ୍ୟାଲୋକ ତ ନାହିଁ । ମେଞ୍ଚାଏ ଆଲୁଅ କେବଳ ଜଣାଇ ଦେଉଛି ଯେ, ଏଇଟା ଦିନ । ସେଇଥିପାଇଁ ଆକାଶଟାରେବି ଫରଚା ଲାଖିରହିଛି ।

 

ଘର ଭିତରଟାରେ; କିନ୍ତୁ ମୁହଁସଞ୍ଜ ।

 

କେହି ନାହାନ୍ତି ଆଉ... । ବିଲେଇ ଛୁଆଟାବି ନାହିଁ ।

 

ମୁଁ ଶୋଇ ଶୋଇ, ନୀରବତାକୁ ଉପଭୋଗ କରି କରି, ଗତ ରାତିର ସ୍ଵପ୍ନଗୁଡ଼ାକୁ ଆଉଡ଼େଇ ଦେଇଯାଉଛି । ଆଉଥରେ...ଆଉଥରେ..

 

ସ୍ଵପ୍ନର ବାକି ରହିଯାଇଥିବା ଅଂଶର କାହାଣୀ ସବୁକୁ, ମନକୁମନ ଫାନ୍ଦି ଦେଇ ଯୋଡ଼ି ଦେଇଯାଉଛି । ସ୍ଵୟଂସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରୁଛି ସେ ସ୍ଵପ୍ନ ସବୁକୁ ।

 

ବେଳେବେଳେ ଏମିତି ମୁଲାଏମ ଭାବରେ ବସି ପୁରୁଣା ପୁରୁଣା ସ୍ଵପ୍ନସବୁକୁ ପୁଣିଥରେ ଭାବିନେବାକୁ ଭଲ ଲାଗେ । ସେଗୁଡ଼ାକ ଆଉ ତ ଦେଖି ହେବ ନାହିଁ ଚେଷ୍ଟା କଲେ ସୁଦ୍ଧା ! ମୁହଁ ସବୁ ହଜିଯାଆନ୍ତି–କାହାଣୀର ସୂତାଖିଅ ଛିଡ଼ିଯାଏ–ରାସ୍ତାଘାଟ, ପରିବେଶ ସବୁ ଆତି ଚିହ୍ନା ଜଣାଯାଉଥିଲେବି ଓଲଟପାଲଟ ହୋଇଯାଏ । ହାୟ ! ସ୍ଵପ୍ନ କ’ଣ ଆଉ ସତରେ ଫେରାଯାଇପାରେ ?

 

କିନ୍ତୁ...ଭାବିବାକୁ ଆନନ୍ଦ ଲାଗେ ।

 

ପୁରୁଣା ବହୁକାଳର ଚିଠି, ଖାତାପତ୍ରରେ ଲେଖା, ଜୀବନର ଊଣେଇଶଠାରୁ ପଚିଶ ବରଷ ସମୟର ସେ ରୋମାଣ୍ଟିକ୍ ଦିନଗୁଡ଼ାକର ଲେଖା । ଛୋଟ ଛୋଟ କବିତା’ର ଖିଅ–ସବୁ ଆଖି ଆଗରେ ହଠାତ ପଡ଼ିଗଲେ, ଯେମିତି ଭଲ ଲାଗେ–ମନଟା ଫେରି ଫେରି ଯାଏଁ ପଛକୁ...ପଛକୁ । ଭାରି ମଜା ଲାଗେ । ଖୁସି ଲାଗେ । ପୁରୁଣା କାହାଣୀ ସବୁ ମନେ ପଡ଼େ । ଭୁଲି ଯାଇଥିବା ମୁହଁ, ଜାଗା ସବୁ ମନେ ପଡ଼ିଯାଆନ୍ତି । ବସି ବସି କଳନା କରିବାକୁ ଇଚ୍ଛା ହୁଏ, ଛୋଟ ଛୋଟ ସେ ମୁହଁସବୁ ଏବେ କେମିତି ହୋଇଯିବଣି–ସେ ରାସ୍ତାଘାଟ, ଜାଗା ସବୁ ଏବେ କିମିତି ବଦଳି ଯାଇସାରିବଣି !

 

ସମୁଦ୍ରକୂଳରେ ଛିଡ଼ା ହୋଇ ପାଣିକି କିଛି ଫୋପାଡ଼ିଲେ, ଲହଡ଼ିର ତୋଡ଼ରେ ସେ ସବୁ ପୁଣି ଫେରିଆସେ କୂଳକୁ । ସମୁଦ୍ର ଏତେ ବିରାଟ୍; ହେଲେ ଆବୋରି ନେଇପାରେନା କି ନିଏ ନା–

 

ଜୀବନ ଉପକୂଳରୁ ମନଟା ସେମିତି ଫୋପାଡ଼ି ହୋଇଯାଏ ବର୍ତ୍ତମାନରେ । ଫେରିଆସେ, ବାରମ୍ବାର ଧକା ଖାଇ । କୂଳରେ ଆସି ପଡ଼େ । କୂଳର ଜିନିଷ ହୋଇଯାଏ ପୁଣି ଘଡ଼ିକ ଭିତରେ ।

 

ଛାଡ଼... । ଏଇ, ଏବେ ଚିକିମିକିଆ ଖରା ମେଞ୍ଚାଏ ଆସି ପଡ଼ିଲାଣି । ଦିନଟା ଆହୁରି ସ୍ପଷ୍ଟତର ହେଉଛି । ଆଲୋକ ବଢ଼ି ବଢ଼ି ଯାଉଛି ।

 

ଏଥର ମଧ୍ୟାହ୍ନର ମୁଣ୍ଡି ମରିବ । ଉପର ପାହାଚ ଯାଏଁ ଚଢ଼ି ଚଢ଼ି ତଳକୁ ପୁଣି ଓହ୍ଲାଇବ-। ଏଠି କିନ୍ତୁ କିଛି ନାହିଁ । ଆରପଟର ସେ ଭଙ୍ଗା ଟିଣ ଘରେ, ଅସନା ଡାଆଣୀ ବୁଢ଼ୀ, ପିକା ଖାଇ ଖକ୍‌ଖକ୍‌ କାଶୁଛି । ମନକୁମନ ବିଡ଼୍‍ବିଡ଼୍ କରି କ’ଣ ଗୁଡ଼ାଏ କହିଯାଉଛି । କାହାକୁ ଗାଳି ଦେଉଛି କି କ’ଣ !

 

ଟିଣ ଉପରେ ଝରଝର ହୋଇ ଝରୁଛି ଶୁଖିଲା ଫଳ, ପତର । ପାଖରେ ତା’ର ବଡ଼ ଗଛଟାଏ ।

 

ବୁଢ଼ୀର ବୁଲା କୁତ୍ତୀ ଦୁଇଟାଯାକ, ଏବେ ବାଡ଼ପାଖରେ ଶୋଇ ଶୋଇ ଧକଉଥିବେ । ଜିଭ ଲହ ଲହ କରି ପଡ଼ିଥିବେ ହୁଏତ । ତା’ପରେ ଆସି ବୁଢ଼ୀ ପାଖରେ କତରାରେ ଶୋଇବେ ଗୁଞ୍ଜିଗାଞ୍ଜି ହୋଇ । ବୁଢ଼ୀ ଗୋଇଠା ମାରିଲେବି ଯିବେ ନାହିଁ ।

 

ସମସ୍ତେ ଅଫିସକୁ ଗଲେଣି ଚାଲି ବୋଧହୁଏ । ମଝିରେ ମଝିରେ ଘର ଭିତରୁ ସ୍ତ୍ରୀଲୋକମାନଙ୍କର ମଧ୍ୟାହ୍ନର କଳଗୁଞ୍ଜନ ବ୍ୟତୀତ ଆଉ କିଛି ଶୁଭୁ ନାହିଁ । ସିଏବି କିଛି ସମୟପାଇଁ... ।

 

ପରେ ପରେ ସେମାନେବି ଶୋଇପଡ଼ିବେ ।

 

ବିଶ୍ରମ୍ଭ, ବିଳମ୍ବିତ ଦ୍ଵିପ୍ରହର ମାଡ଼ି ଆସିବ ।

 

ଦୂର ନଈପଠାରୁ, ଏତିକିବେଳେ କପୋତ ବାହୁନା ଶୁଭେ । ପିଲାବେଳେ ନଈପଠାର କାଶତଣ୍ଡି ଚଉଁରୀକୁ ଚାହିଁ ଚାହିଁ, ଆଉ କପୋତ, କପୋତୀର ଡାକ ଶୁଣି ଶୁଣି... । ଏଇ ସମୟଟାରେ ଅସୁର ପୁରୀରେ ବନ୍ଦିନୀ ରାଜଜେମାର କରୁଣ ବାହୁନା ସୁର । କଳନା କରିବାକୁ ଭଲ ଲାଗୁଥିଲା ।

 

ଆହା ! ବିଚାରୀ ସାତଭାଇରେ ଭଉଣୀଟିଏ । ଅଲିଅଳ ରାଜଜେମା । ଅସୁର ଘରେ ବନ୍ଦିନୀ ହୋଇ, ବାହୁନି ବାହୁନି ବିତାଉଛି ! କୁଆଡ଼େ ଗଲେ ସେ ରାଜଜେମା ! କାହିଁ ବା ତା’ର ସେ ବିଳାପ ରାଗିଣୀ ?

 

ତା’ର ନାଲି ଗୁଲୁଗୁଲୁ ହାତପାଦ, କଅଁଳିଆ ଛନଛନିଆ ମୁହଁ ତ ଆଉ ମନେ ପଡ଼ୁ ନାହିଁ କାହିଁ ?

 

ସେ ବୁଢ଼ା ଅସୁରବି ଏବେ ମରିଗଲାଣି ।

 

ତା’ର ବନ୍ଦିଶାଳ, ତା’ର ରାଜପ୍ରାସାଦ ସବୁ ଧୂଳିରେ ମିଶିଗଲାଣି । ମୁଁ ତଥାପି ଏଇଠି, ଏମିତି ଶୋଇଛି ।

 

ସିଏ କେତେବେଳୁ ଗଲେଣି ଚାଲି ! ବର୍ଷା ଆସି ଛାଡ଼ିଯାଇଛି । ସକାଳ ଯାଇ ମଧ୍ୟାହ୍ନରେ ପହଞ୍ଚିବାକୁ ବସିଲାଣି । ଖରା ପଡ଼ୁଚି । ପୁଣି ଉଭାନ ହୋଇଯାଉଛି ।

 

ମୁଁ କିନ୍ତୁ ଶୋଇ ଶୋଇ ରହିଛି ।

 

ଦେହରେ, ମନରେ, ଓଠରେ, ଆଖିପତାରେ, ତାଙ୍କରି ସ୍ଵାଦ ! ସେଇ ସ୍ଵାଦର ଅବଶତା ଟିକକ ଧରି ରଖିବାପାଇଁ ମୁଁ ଏଠି ଶୋଇ ଶୋଇ ଖୋଲା ଝରକା ବାଟେ ଆକାଶକୁ ଅନାଇଛି ।

 

ଆଃ, ଏ ଅନୁଭୂତି, ଏ ସ୍ଵାଦ ଆହୁରି ବିଳମ୍ବିତ ହୁଅନ୍ତା କି ! ଆହୁରି ଅନେକ...ଅନେକ ସମୟ ଧରି ଯଦି ଲମ୍ବିଯାଇ ପାରନ୍ତା ! ଲୋମକୂପର ପ୍ରତ୍ୟେକ କନ୍ଦିବିକନ୍ଦିରେ–ଶିରାରେ, ପ୍ରଶିରାରେ–ସବୁଠି ସେଇ ସ୍ଵାଦ, ସେଇ ଅନୁଭୂତି, ସେଇ ପ୍ରଲେପ !

 

ଯାହା ଏ ମାର୍ଚ୍ଚ ସକାଳଟାରେ; ମୋତେ ବିବଶ, ଅବଶ କରୁଛି !

 

ଭାରି ମାନ୍ଦା ଲାଗୁଛି !

 

ବିଛଣାଟା କେତେବେଳୁ ହେମାଳ ହୋଇଯାଇଥିଲା । ଏବେ ବରଂ, ଦିନର ନିଜସ୍ଵ ଉଷ୍ମତା ଲାଗିଲାଣି । ତଥାପି...ସେଥିରେ ଦେହ ଘଷି, ମୁହଁ ଘଷି, ଉଦ୍‌ବୃତ୍ତ, ବାକି ସେଇ କେଉଁ ଟିକେ ଉଷ୍ମତାକୁ ଧରି ରଖିବାକୁ ମନ ହେଉଛି । ତକିଆଟାରେ, ବିଛଣା ଚାଦରଟାରେ, ଗୋଟାଏ ଗନ୍ଧ ! ମନମତାଣିଆ କି କ’ଣ କେଜାଣି ! ସେଥିରେ ମୁହଁପୋତି, ସେଇ ଗନ୍ଧ ପେଟଭରି, ଶୋଷି ନେବାକୁ ଇଚ୍ଛା ହେଉଛି ।

 

ଇଚ୍ଛା ହେଉଛି...ଭାରି ଜୋର୍‌ରେ–

 

କିନ୍ତୁ କଥାଟା କି ପିଲାଳିଆ !

 

ସେ ଗନ୍ଧ, ସେ ସ୍ଵାଦ, ସେ ଉପଲବ୍‌ଧି କି ଅନୁଭୂତି କ’ଣ, ଲାଖି ରହିବ କେବେ ? ଏତେ ଦିନ, ଏତେ ମାସ କି ଏତେ ବର୍ଷ ପରେବି ହୁଏତ ରହି ନାହିଁ ! ମନଟା କିନ୍ତୁ ବେଳେବେଳେ ଏମିତି ବାଜେ ବାଜେ କଥା କହିବାକୁ ବଳାଏ । କ’ଣ କ’ଣ କରି ପକାଇବାକୁ ସବୁ ଇଚ୍ଛା ହୁଏ । ତା’ପରେ...ସବୁ ଭୁଲି ହୋଇଯାଏ !

 

ଏତେ ପିଲାଳିଆ ଯେ, ବୟସ୍କ ସେ କବିତା’ର, ପିଲାଳିଆ କ’ଣ ଗୋଟାଏ କବିତା ଭଳି–ସେଠି ଫୁଲ ଫୁଟୁଚି କି ନାହିଁ... ? ସେଠି ଆଉ ସବୁ ଛେନାଗୁଡ଼ କ’ଣ କ’ଣ ହଉଚି... ? କବିତାଟା ଏମିତି ସବୁ ଆଜେବାଜେ କଥା ଥିଲା ।

 

ତାକୁ କହିବାକୁ ଇଚ୍ଛା ହେଉଛି–ଏଠି କିଛି ହେଉ ନାହିଁ–ହେଉଛି ତୋ ଗଣ୍ଡି–ତୋ ମୁଣ୍ଡ । ଏତେ ଟ୍ରାସ୍‌ ସବୁ କେମିତି ଲେଖନ୍ତି କେଜାଣି ? କେଉଁ ପିଲାକାଳେ ପଢ଼ା କବିତାଟା !

 

କବି ଜଣକ ସେଇ ଊଣେଇଶରୁ ପଚିଶବର୍ଷ ବୟସରେ ସ୍ଥିର ହୋଇ ରହି ଯାଇଛନ୍ତି କି କ’ଣ !

 

ଏ ପବନଟା ବଡ଼ ଅଶ୍ଳୀଳ ! ଅସଭ୍ୟ ।

 

ସବୁ ଉଷ୍ମତାକୁ କାଢ଼ିନେବାକୁ, ଦମକା ଦମକା ହୋଇ ପଶି ଆସୁଛି ।

 

ନାଃ–ଏ ଝରକାଟାକୁ ବନ୍ଦ କରିଦେବାକୁ ହେବ । ଯେଉଁ ଟିକକ ଆଲୋକ ଆସୁଥିଲା, ସେତକବି ଏଥର ବନ୍ଦ ହୋଇଗଲା । ଏଥର ବୋଉ ମନେପଡ଼ିବ । ପିଲାଦିନର ସେ ବୋଉ । ବୋଉର ମୁହଁ, ପେଟ, ପିଠି, ଛାତି ସବୁ ଅଲଗା ଅଲଗା ହୋଇ ବିଚ୍ଛିନ୍ନ ହୋଇ ମନେପଡ଼ୁଚି । ପୂରା ବୋଉର ଚିତ୍ର ଆଖି ଆଗରେ ଭାସି ଉଠୁ ନାହିଁ ।

 

ସବୁଠୁ ବେଶି ମନେପଡ଼ୁଚି ବୋଉର ପିନ୍ଧା ଶାଢ଼ିର ନାଲି ଧଡ଼ି । ନାଲି ଗୁଲୁଗୁଲୁ । ସାଧବବୋହୂ ପୋକ ଭଳି । ଶାଢ଼ିଟାକୁ ବୋଉ ମୁଣ୍ଡ ଉପର ଦେଇ ବୁଲାଇ ଆଣିଥାଏ ଓଢ଼ଣା ଟାଣିବ ବୋଲି । ଫଳରେ, ମୁଣ୍ଡ ଚାରିପଟେ ତା’ର ନାଲିଫିତା ଯେମିତି ଗୁଡ଼େଇ ହୋଇଯାଏ ।

 

ଆଉ...ତା’ଠାରୁ ବେଶି ମନେପଡ଼ୁଛି, ଯେତେବେଳେ ବୋଉ ରାଗିକରି ବସିଥାଏ ମୁହଁ ବୁଲେଇ, କାହା ସାଙ୍ଗେ ଆଜିଠାରୁ ଜମା କଥା ନ କରିବ ବୋଲି ଅଟଳ ପ୍ରତିଜ୍ଞା କରି ।

 

ଥରେ...ଦୁଇ ଥର...ତିନି ଥର ଯାଏଁ ନୀରବ ରହେ । ମୁହଁ ବୁଲାଇ ନିଏ । ଫୁଲା ମୁହଁକୁ ଆହୁରି ଫୁଲେଇଦିଏ । ତା’ପରେ ତା’ ପେଟରେ, ଛାତିରେ ମୁହଁ ଗୁଞ୍ଜି, ଦୁଇ ତିନି ଥର ଗେଲ ହୋଇଗଲେ ସବୁ ରାଗ, ରୋଷ, ମୁହଁଫୁଲା ଫସର-ଫାଟିଯାଏ । ମିଳାଇଯାଏ, ପାଣିଫୋଟକା ଭଳି । ପେଲିଦିଏ ଛଳନାର ରାଗ ରଖି । ତା’ପରେ...ଫିକକିନା ହସିବ ।

 

ସେଇ ନାଲି ଧଡ଼ି ଆଉ ସେଇ ଯେଉଁ ହସ ଖିଅକ କେବଳ ମନେ ପଡ଼ୁଚି । ଆଃ...ଯେତେ ଚେଷ୍ଟା କଲେବି, ପୂରା ବୋଉଟା ମନକୁ ଆସୁ ନାହିଁ । ପିଲାଦିନେ ଭୂଗୋଳ ସାର୍‌ କହିଥିଲେ–ଆଖି ବୁଜି ଦେଇ ଯେତେବେଳେ ମନ ଭିତରେ ସବୁ ଦେଶର ମାନଚିତ୍ର ପୂରାପୂରି ମନେ ପକେଇ ପାରିବ, ସେତେବେଳେ ଯାଇ ଭୂଗୋଳ ପଢ଼ା ଠିକ୍‌ହେଲା ଜାଣିବ–

 

କିନ୍ତୁ ଯେତେ ଚେଷ୍ଟା କଲେ ସୁଦ୍ଧା କୌଣସି ଦେଶର କି ମହାଦେଶର ସୀମାରେଖା ପୂରା ମନେ ପଡ଼େ ନାହିଁ...ଆଖି ବୁଜିଲେ । ଏପରିକି ଭାରତର କି ଓଡ଼ିଶାରବି ନୁହେଁ । ଭାରତ ମାନଚିତ୍ର ଭାବୁ ଭାବୁ, କଚ୍ଛ ପାଖରୁ କଟିଯାଏ ତ ହିମାଳୟର ଟୋପିଟା ଖସିଯାଏ–ଗାଈ ପହ୍ନା ଭଳି ଦନ୍ତୁରିତ ଉପକୂଳଗୁଡ଼ାକ ସମାନ ହୋଇଯାଆନ୍ତି । ଓଡ଼ିଶାର ସେମିତି ଏପଟସେପଟ ହୋଇଯାଏ ।

 

ଗୋଲଗାଲ, ବେଶି ବଙ୍କାଟଙ୍କା ନାହିଁ ବୋଲି ଅଫ୍ରିକା ମହାଦେଶଟା ଟିକେ ସ୍ପଷ୍ଟ ଦେଖାଯାଇ ମିଳାଇଯାଏ ମନ ଭିତରୁ । ଦଣ୍ଡେ ଦିଶିଯାଏ–ଲିଭିଯାଏ ।

 

ସେମିତି କିଏ ସିନା ଭଗବାନ୍ କି ବ୍ରହ୍ମ କ’ଣ ସବୁ କୁହନ୍ତି, ତାଙ୍କୁ ଦେଖେ ! ମାନଚିତ୍ର ଦେଖିବି କେମିତି ।

 

ଥରେ କହିଥିଲି ଯେ, ଭୂଗୋଳ ସାର୍ ହେଡ଼ମିଷ୍ଟ୍ରେସଙ୍କୁ କହି ଦଣ୍ଡ ଦିଆଇଥିଲେ । ଝିଅପିଲାମାନଙ୍କୁ ହାତ ଦେଇ ମାରନ୍ତି ନାହିଁ ।

 

ସେମିତି, ବୋଉର ମୁହଁଟା ଆଦୌ ପୂରା ମନେ ପଡ଼ୁ ନାହିଁ । ଭୁଲି ଭୁଲି ଯାଉଚି ଯେମିତି ଧୀରେ ଧୀରେ ।

 

ଆଃ...ବିଚାରୀ ବୋଉ ଥାଆନ୍ତା କି ! ତା’ କୋଳରେ ମୁହଁ ଗୁଞ୍ଜି, ପୁଷିବିଲେଇ ଭଳି ଯାକିଯୁକି ହୋଇ ନସରପସର ହୋଇ ପଶି ସବୁ ଭୁଲି ହୋଇଯାଆନ୍ତା–କେତେ ସମସ୍ୟା, କେତେ ବିଚାର, ଅବିଚାର, ସବୁ ତ–ଦିନମାନଙ୍କରେ ବୋଉ କୋଳରେ ମୁହଁ ଗୁଞ୍ଜି ପାସୋର ଯାଇଛି–

 

ଜଣ ଜଣଙ୍କୁ ସବୁ ସମସ୍ୟାଗୁଡ଼ାକ ଟେକିଦେଇ ହୁଏ, ତାଙ୍କରି ଉଦ୍ଦେଶ୍ୟରେ । ସବୁ ଉତ୍ସର୍ଗ କରିଦେଇ, ମନ ହାଲୁକା କରିଦେଇ ହୁଏ ।

 

ଆହା ! ଅତୀତର ସେ ସୁନ୍ଦର, ମନୋରମ ଦିନଗୁଡ଼ିକ !

 

ସେ ଦିନମାନଙ୍କର ସମସ୍ୟା ବଡ଼ ମଧୁର–ବଡ଼ ମଞ୍ଜୁଳ । ମନ ନେଇ ନୁହେଁ କି ଜୀବନ ନେଇ ନୁହେଁ ।

 

...ବୋଉ, ମୋ ପେନ୍‌ସିଲଟା ଛଡ଼େଇନେଲା ଜଣେ । ବୋଉ, ଟୁନା ମୋ ଚକୋଲେଟ୍‌ ଖାଇଦେଲା । ବୋଉ, ବାପାଙ୍କୁ କହ, ପ୍ୟାରେଡ଼୍‍ପାଇଁ ମୋର ନାଭି ବ୍ଳୁ କନା ଆଉ ଧଳାଲୁଗା ଦରକାର । ...ଏ...ଏ ବୋଉ...ଦେଖିଲୁ...ଦେଖିଲୁ, କେମିତି ମୋର ସବୁ ତରକାରୀତକ ଜବରଦସ୍ତି ଖାଇଦେଉଛି ଏଇଟା– ! ବୋଉଲୋ...ବୋଉ...ଏ ଫିଲ୍ମଟା କାଳେ ଭାରି ବଢ଼ିଆ ହୋଇଛି । ତୁ ଯିବୁ ନାହିଁ ? ତୁ ଯା ମ, ଆମେ ଘରେ ରହିବୁ ! (ବୋଉ ଗଲେ ତ ବଳେ ନେବ)

 

ଏମିତି ସବୁ ସମସ୍ୟା, ଲକ୍ଷ କୋଟି ହୋଇ । ଗୁରେଇତୁରେଇ ଫେରି ଆସନ୍ତା କି ?

 

କି ମୁଲାଏମ, କି ଚପଳ ଏ ସମସ୍ୟାଗୁଡ଼ାକ ! ମନ ଉତ୍‌ଫୁଲ ହୋଇ ଉଠୁନି ଏମିତି ଅନେକ ସମସ୍ୟା ଗାଇବାପାଇଁ । ବୋଉର ମୁଣ୍ଡ ଆଉଁଶା ଭିତରେ, ଟିକେ ହସ ଭିତରେ ସବୁ ଭୁଲିଯିବା ପାଇଁ ।

 

—ଅନ୍ଧାର ଗୁଡ଼ୁଗୁଡ଼ି–ଜକାଜକି ହୋଇ ବଡ଼ ମଶାରି ଭିତରେ, ଭାଇଭଉଣୀମାନେ ଶୋଇପଡ଼ିବେ ! କାହା ଦେହରେ କାହା ଗୋଡ଼ ବାଜିଗଲେ, ଚେଇଁଥିବାଯାକେ ଗୋଇଠା...ଚିତ୍କାର...ବୋଉକୁ ଡକା । ଶୋଇପଡ଼ିଲେ ଆଉ କିଛି ନାହିଁ । ସମସ୍ତଙ୍କ ଗୋଡ଼ହାତ ସମସ୍ତଙ୍କ ଉପରେ ଲଦା । ତା’ ଉପରେ...ତା’ ଉପରେ ଅଖାପଟ ଭଳି । ସେଥିରେ ପୁଣି ରାତିରେ ଓଦା ଇ...ସ...ଏଇଟା ମୂତି ଦେଲାଣି ।

 

କଳା...କଳା...ଅନ୍ଧାର ରାତି । ରାତିର ଭୟ–ସଇତାନ ! ...ଭୂତ...ଅନ୍ଧାର ଗୁଡ଼ୁଗୁଡ଼ି...ବେଙ୍ଗର ଅଁ...ଆଁ

 

...ଡାକ । ଶିରି ଶିରି ପବନ । ଗମ୍‌...ଗମ୍‌ ଗରମ ।

 

ସବୁ ବଡ଼ ମନୋରମ, ଈପ୍ସିତ । ସେସବୁ କିନ୍ତୁ ଫେରି ଆସିବାର ନୁହେଁ । ବୋଉର ଉଷୁମ କୋଳବି ଫେରି ଆସିବାର ନୁହେଁ । କାହିଁକି ନା, ବୋଉ...ମୋ ବୋଉ...ମୋତେ ଯିଏ ଦଶ ମାସ ଗର୍ଭରେ ଧରି ଜନ୍ମ ଦେଇଥିଲା, ସିଏ ମୋର ଶତ ସମସ୍ୟାର ଜଞ୍ଜାଳରୁ ନିଜକୁ ଅପସରେଇ ନେଇ, ଅନେକ...ଅନେକ ଦିନୁ ନାହିଁ ।

 

ତା’ ହାଡ଼ଖଣ୍ଡେ ଥିଲା–ସେଇଟାବି କେଉଁଠି ନେଇ, କେଉଁ ପବିତ୍ର ନଈର ପାଣିରେ ପକେଇ ଦିଆଯାଇଛି ।

 

ନାଲିଧଡ଼ି ଲୁଗା, ପୋଡ଼ିପାଡ଼ି ପାଉଁଶ ହୋଇଯାଇଛି । ସିଏ, କେବେକାର କଥା ହେଲାଣି !

ଭାରି ସହଜରେ କାନ୍ଦ ଅସୁଥିଲା–ଆଉ...ମନଖୋଲି, ପାଟି କରି, ଚିତ୍କାର କରି କାନ୍ଦିବି ହେଉଥିଲା ।

ବେଳେବେଳେ ପାଟି କରି, ବଡ଼ପାଟିରେ କାନ୍ଦୁ କାନ୍ଦୁ ଅନ୍ୟକୁ ସେ କାନ୍ଦର ଲହରୀ ଶୁଣାଇ ଆକର୍ଷିତ କରିବାର ମୋହ ଏତେ ପ୍ରବଳ ହୋଇ ଉଠେ ଯେ, କାହିଁକି କାନ୍ଦୁଥିଲି ଭୁଲି ହୋଇଯାଏ ।

କାନ୍ଦିଲେ, କାଳେ ସବୁ କଥା ଭୁଲି ହୋଇଯାଏ । ମନ ପ୍ରଫୁଲ୍ଲ, ନିର୍ମଳ ହୋଇଯାଏ । ଗ୍ଳାନି ସବୁ ମନରୁ ଧୋଇ ହୋଇଯାଏ, ଲୁହର ତୋଡ଼ରେ ।

ବଡ଼ ହୋଇଗଲା ପରେ, ତେର ଦିନ ହେଲା କାନ୍ଦି ନାହିଁ । କାନ୍ଦ ଆସୁ ନାହିଁ ବୋଲି ନୁହେଁ । କାନ୍ଦିବାପାଇଁ ଆଗ୍ରହ ନାହିଁ ବୋଲି, ଆଉ କାଳେ କିଏ ଦେଖି ହସିଦେବ ବୋଲି । ଶୁଣିଦେବ ବୋଲି ।

ବଡ଼ ହୋଇଗଲା ପରେ, ମନଖୋଲି କାନ୍ଦିବି ହୁଏନା । କେବଳ, ଅଭିନୟ କଲାଭଳି, ଅତି କଅଁଳ ଭାବରେ ଆଖିପତା ଦୁଇଟାକୁ ଭିଜେଇ ଦେଇ ହୁଏ ସଜଳ କରିହୁଏ । ତା’ପରେ ଛୋଟ ରୁମାଲ କାଢ଼ି, ଅତ୍ୟନ୍ତ ଯତ୍ନସହକାରେ ଆଖିରେ ଚାପି ଦେବାକୁ ପଡ଼େ ।

କାରଣ...କାନ୍ଦିବାଟା ଅପରାଧ ନ ହୋଇପାରେ–ଅଶାଳୀନତା–ଅସୌଜନ୍ୟତା । ମୁଁ କାନ୍ଦି ପାରନ୍ତି କି ? ବେଳେବେଳେ ମନକୁମନ ପାଟିକରି, ଡକା ପକାଇ କାନ୍ଦିବାକୁ ପୁଣି ଜୋର୍‌ରେ ଜୋର୍‌ରେ କାନ୍ଦିବାକୁ ଭାରି ଇଚ୍ଛା ହୁଏ ।

 

ସମସ୍ତେ ଶୁଣନ୍ତେ–ମୁଁ କାନ୍ଦୁଛି ! ମନଖୋଲି; ପାଟି କରି କାନ୍ଦୁଛି ! ଆଉ ଲକ୍ଷ ଇଚ୍ଛା ଭଳି ଏ ଇଚ୍ଛା କି ନିରର୍ଥକ–ଅର୍ଥହୀନ ! ଇଚ୍ଛା କ’ଣ ସବୁ ସଫଳ ହୁଏ ? ସବୁ ଇଚ୍ଛା କ’ଣ ସାର୍ଥକ ହୁଏ ? ତଥାପି, ନାନା ଇଚ୍ଛା କରିବାକୁ ମନ ବଳେ । ଇଚ୍ଛାଗୁଡ଼ାକ ମିଳାଇଯାଏ ।

 

ଏଇ ଯେମିତି ମୁଁ । ଇଚ୍ଛା ନ କରିବି ବିବାହ କଲି । କାହାର ବାଧ୍ୟବାଧକତାରେ ନୁହେଁ । ବୋଉ, ବାପାଙ୍କର ଇଚ୍ଛାରେବି ନୁହେଁ । କାହା ଚାପରେବି ନୁହେଁ । ତଥାପି...ମୋରବି ଇଚ୍ଛା ନଥିଲା- । କାହିଁକି କେଜାଣି, ଆଉ ଶହେ ଘଟନା ଭଳି ବିବାହ ମାଡ଼ିଲା । ଭଲ ପାଇବାର ଅଭିନୟ କରିବାପାଇଁବି ମାଡ଼ିଲା ।

 

ଶହକରେ ପଞ୍ଚାନବେଙ୍କୁ ତ ଏଇଆ ଲାଗେ ବୋଧହୁଏ ?

 

ଆଉ, ସେଇଥିପାଇଁ ଏ ନିରୀହ, ଶାନ୍ତ, ମେଣ୍ଢା ଛୁଆଟିକୁ ମୁଁ ବିବାହ କଲି । ଜାଣିଶୁଣି । ଇଚ୍ଛା ବିରୁଦ୍ଧରେ । ଟିକେବି ଇଚ୍ଛା ନଥିଲେ ସୁଦ୍ଧା ।

 

ସେମିତି ଇଚ୍ଛା ବିରୁଦ୍ଧରେ ଅନୁଗତ ପତ୍ନୀ, ସହନଶୀଳା ବୋହୂ; କର୍ମପ୍ରବଣା ଗୃହକର୍ତ୍ତ୍ରୀ; ଏମିତି ଅନେକ ଚରିତ୍ରରେ; ଅନେକ ରୂପରେ ଅଭିନୟବି ଅତି ସହଜରେ କରିଗଲି । ଅଭିନୟବି ସଫଳ ଭାବରେ କଲି ବୋଧହୁଏ । କାରଣ, କାହିଁ କେହି ତ ଜାଣିପାରୁ ନାହାନ୍ତି । ବୁଝିପାରୁ ନାହାନ୍ତି । ଏ ମେଣ୍ଢା ଶାବକଟିକୁ ବାଛିଲି ଏଇଥିପାଇଁ ଯେ, ସମ୍ଭବତଃ ଆଉ କେହି ଏଥିପାଇଁ ସମ୍ମତି ଦେବେ ନାହିଁ ।

 

ନା...ନା ଆଉ କୌଣସି କାରଣରୁ ନୁହେଁ ।

 

ମୁଁ ଅପାଣ୍ଡୀ ନୁହେଁ, ଅସୁନ୍ଦରୀ ନୁହେଁ । ଚରିତ୍ର ବୋଲି ଲୋକେ ଯାହାକୁ କହନ୍ତି, ସେସବୁ ମୋର ଯାହିତାହି ଥିଲା ମଧ୍ୟ । ଅନ୍ତତଃ ଏମିତି ସହଜ ଭାବରେ ମୋତେ ଚରିତ୍ରହୀନା, ବାଜେ ଝିଅ କେହି କହିବାର ଶୁଣି ନାହିଁ, କି କେହି ସାହସ ମଧ୍ୟ କରିବେ ନାହିଁ ବୋଧହୁଏ ।

 

ଥରେ ଦୁଇଥର ବିଭିନ୍ନ ଲେଖାଯୋଖା ଭାଇ, ଯେଉଁମାନେ ସବୁ ମୋର କୈଶୋର ସମୟରେ ଘରକୁ ଆସନ୍ତି ଆଉ କଲେଜରେ ପଢ଼ିବାବେଳେ, ଟୋକା ଅଧ୍ୟାପକ ଯେଉଁମାନେ ପାଠ ପଢ଼ାଇବା ଅପେକ୍ଷା, ଆମେମାନେ ଅର୍ଥାତ୍‌ ଝିଅପିଲାମାନେ ବସିଥିବା ସିଟ୍‌କୁ ବେଶି ଅନାଇ ରହନ୍ତି, ତାଙ୍କରିଠାରୁ ଚୁମା ଖାଇବା ଛଡ଼ା ଆଉ ବେଶି ବାଟ ଯାଏଁ ଚରିତ୍ର ଖସାଇ ନାହିଁ ।

 

ଏଗୁଡ଼ାକ ଯେ ବିଶେଷ ଜ୍ଞାନ ଥାଇ କରିଛି, ତା’ ମଧ୍ୟ ନୁହ । ଘରକୁ ସେମାନେ ଆସନ୍ତି, ବସନ୍ତି, ଖାଆନ୍ତି । ଲେଖାଯୋଖାରେ ବନ୍ଧୁବାନ୍ଧବ ବୋଲି ଅବାରିତ ଦ୍ଵାର । କେହି କିଛି କହିବାର ସାଧ୍ୟ ମଧ୍ୟ ନାହିଁ ।

 

ସେମାନେ ଯେ ଏବେ ଉପନ୍ୟାସ ସବୁ ପଢ଼ି କି ସିନେମା ଦେଖି ଆସୁଚନ୍ତି, ମୁଁ କେମିତି ଜାଣିବି ସେ କଥା ?

 

ଉପନ୍ୟାସରେ ପଢ଼ିଥିବା କି ସିନେମାରେ ଦେଖିଥିବା ନାୟକମାନେ ଯେମିତି ଠିଆ ହୁଅନ୍ତି, ଯେମିତି ସିଗାରେଟ ଖାଆନ୍ତି, ଯେମିତି ଯେମିତି ରାସ୍ତା ଦେଇ ସବୁ ଆଗାନ୍ତି, ସେମାନେ ସବୁ ଯେ ଗୋଟାକ ପରେ ଗୋଟାଏ ଧାପ ଜ୍ୟାମିତିକ ପ୍ରମାଣ କି ବିଜ୍ଞାନାଗାରର ଏକ୍‌ସପେରିମେଣ୍ଟ କଲା ଭଳି ଆଗଉଛନ୍ତି, କେମିତି ଜାଣିବି ? ମନେ ମନେ ସେମାନେ ସମସ୍ତେ ହିରୋ ପାଲଟିଯାଆନ୍ତି ! ଆହା ! ମୋ କୈଶୋରର ହିରୋମାନେ !

 

ବହୁତ ଦିନ ହେଲାଣି ଜଣକୁ ଦେଖିଥିଲି ରାଜଧାନୀର ରାଜପଥରେ । ଫୁଟନ୍ତ କୃଷ୍ଣଚୂଡ଼ା ଗଛର ଛାଇରେ ଛାଇରେ । ଗୋଟିଏ ପିଲା କାଖେଇ କ୍ଳାନ୍ତ ଦେହରେ ଯାଉଥିଲା ।

 

ହୋମିଓପାଥି ଡାକ୍ତରଖାନାକୁ ହୁଏତ ।

 

ବିଚରାର ମୋତେ ଦେଖିବାକୁ ଅବସର ସୁଦ୍ଧା ମିଳିଲା ନାହିଁ । ପିଲାଟି ପେଟ ବେମାରୀରେ ବୋଧହୁଏ ଭୋଗୁଛି । ତା’ର ଜାମା ଖରାପ କରିଦେଲା ।

 

ସେ ଜାଣିପାରି ନାହିଁ ମୁଁ ହସି ପକାଇଲି । ବହେ ହସିଚି । କାହିଁକି କେଜାଣି ଜଣକର ଦୁର୍ଭାଗ୍ୟରେ, ତା’ର ସନ୍ତାନର ଏଭଳି ରୋଗରେ, ତା’ର ଏପରି ଅସହାୟରେ ସୁଦ୍ଧା ମୁଁ ହସି ପକାଇଲି । କାହିଁକି ଯେ ହସ ମାଡ଼ୁଥିଲା ଆଜିଯାଏଁ ଜାଣିପାରି ନାହିଁ । ପ୍ରୌଢ଼ି ଦେଖାଇବା ପାଇଁ ହୁଏତ । ଅବା ଆଉ କ’ଣ ହୋଇପାରେ । ମନୋବିଜ୍ଞାନୀ କହିପାରନ୍ତି !

 

ସେଇ ନିଃସହାୟ ନାୟକ ଦିନେ ଛାତଟା ଉପରେ ଛିଡ଼ା ହୋଇ ମୋତେ ଅନାଇ ଅନାଇ ବ୍ଳେଡ଼୍‍ଟାରେ ନିଜ ହାତକୁ ପଚ୍‌ କରି କାଟି ପକାଇଲା–ମୁଁ ହାଁ ହାଁ କହୁ କହୁ । ରକ୍ତଗୁଡ଼ାକ ଝରୁଥାଏ ।

 

ତା’ର ହାତ ଧରିପକାଇ ସାହାଯ୍ୟ କରିବା ସ୍ଵାଭାବିକ । ମୁଁ ତାହାହିଁ କରିଲି । ରକ୍ତ ସିନା ବହିଯାଉଛି, ସେ ମୋ ହାତଟା ଧରିପକାଇ, ଏକାବେଳେକେ ମୁଗ୍ଧ ! ମୋ ମୁହଁକୁ ଚାହିଁ ବୁହେ ପିଇଗଲା ।

 

ଏ କଥା ସବୁ ପରେ ମୁଁ ବୁଝିଲି । ସେତେବେଳେ ତ ହତାଶ ହୋଇ ତା’ର ରକ୍ତାକ୍ତ ହାତକୁ ଧରି ଛିଡ଼ା ହୋଇଥିଲି ! ମୁଁ କ’ଣ ଜାଣିଥିଲି, ଇଏବି ଏକ କସରତ୍‌ ବୋଲି ? ସେ ଜାଣିଶୁଣି ହାତଟାକୁ କାଟିଛି ବୋଲି ! ଭାବିଥିଲି, ଅନ୍ୟମନସ୍କ ଭାବରେ କାଟି ପକାଇଲା ହାତଟା ।

 

ପରେ ମନେହେଲା, ସିଏ ତ ସେଠି ପେନସିଲ୍‌ କି ଆଉ କିଛି କାଟୁ ନଥିଲା ! ବ୍ଳେଡ଼୍‍ଟା ଆସିଲା କେଉଁଠୁ ? ଫିଟିଲା କେମିତି ? ଆଉ ହାତଟା ବା କାଟିଲା କେମିତି ପକେଟରେ ଖଣ୍ଡେ ନୂଆ ବ୍ଳେଡ଼୍ କିଣି କିମ୍ବା ବାପା କି ବଡ଼ଭାଇଙ୍କର ପୁରୁଣା ଖିଅର ହୋଇଥିବା ବ୍ଳେଡ଼୍‍ଟାଏ ନେଇ ଆସିଥିଲା ସେ ପୂରାପୂରି ପ୍ରସ୍ତୁତ ହୋଇ ।

 

କାରଣ ସେଯାଏଁ ତା’ର ନିଶ ଗଜରୁଥିଲା ସିନା । ଖିଅର ହେଲା ଭଳି କିଛି ହୋଇ ନଥିଲା । ନାବାଳକଟାଏ ଏକାବେଳେକେ ! ହଠାତ ସେ ରକ୍ତାକ୍ତ ହାତର ଆଙ୍ଗୁଠିଟାକୁ ଆଣି, ମୋ ମୁଣ୍ଡର ସୁନ୍ଥାରେ ରକ୍ତଗୁଡ଼ାକ ବୋଳିଦେଲା । ଆଉ–ମୁଁ କିଛି ଜାଣିବା ଆଗରୁ ମୋତେ କୋଳକୁ ଆଉଜାଇ ନେଇ ଚୁମା ଦେଇଦେଲା ।

 

ନିଜେବି ଏତେ ଭାବପ୍ରବଣ ହୋଇଗଲା ଯେ, ପାଟି ତା’ର ଖନି ବାଜିଗଲା । ଅନେକ ସମୟ ପର୍ଯ୍ୟନ୍ତ କିଛି କଥା କହିପାରିଲା ନାହିଁ । ତା’ପରେ କାନ୍ଦି ପକାଇଲା । ମୋତେବି ସେତେବେଳେ ଯେ ଭଲ ଲାଗୁଥିଲା, ଏଥିରେ ସନ୍ଦେହ ନାହିଁ । କାରଣ ମୁଁ କିଛି କହି ନାହିଁ । ଦେହଟା କେମିତି ଝିମେଇ ଝିମେଇ ଯାଉଥିଲା–ଧୀରେ... ଧୀରେ...ଧୀରେ... । ଅବଶ ହୋଇ ଆସୁଥିଲା । ଛାତିଟା ମୋର ଚାପି ହୋଇ ଯାଇଥିଲା ତା’ର ଛାତିରେ ।

 

ନିଜକୁ ମୁକ୍ତ କରି ଆଣିବା ଆଗରୁ ଠିକ୍‌ ଭାବୁଥିଲି, ଏଇଟା ଆହୁରି ବେଶି ସମୟ ଧରି ହୁଅନ୍ତା କି ! ଇସ, କି ଅବୋଧ ବାଳକ !

 

ନାୟକଟି ସେଇ ଯେଉଁ ରକ୍ତ ମେଞ୍ଚାକ ମୋ ସୁନ୍ଥାରେ ବୋଳି ଦେଇଥିଲେ; ଆଉ ମୁହଁ ଧୋଇବା ସାଙ୍ଗେ ସାଙ୍ଗେ ଯେଉଁତକ ମୁଁ ପୋଛିଦେବା ମୋର ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ବୋଲି ଭାବୁଥିଲି- । ସେଇଥିପାଇଁ କିଛିଦିନ ପର୍ଯ୍ୟନ୍ତ ଖୁବ୍‌ ହସି ହସି ମୋ ସାଙ୍ଗେ ସ୍ଵାମୀସ୍ତ୍ରୀ ଭଳି ବ୍ୟବହାର କଲା-

 

ତା’ପରେ ଆଉ ତାକୁ ଦେଖି ନାହିଁ । ଏଇ ସେଦିନ ଦେଖିଲି ସେ ଦୁଃସ୍ଥ ଅବସ୍ଥାରେ ।

 

ଭାବୁଥିଲି (ହସରୋଧ କରିସାରିଲା ପରେ ଅବଶ୍ୟ) ଯାଇ ଦେଖାକରି ବସା ଠିକଣା ପଚାରିବି । ନୂଆବୋଉଟିକୁ ମୋର ଦେଖିଆସିବି । ଆଉ ଦେଖିଆସିବି ତା’ ମୁଣ୍ଡରେ ସେ ରକ୍ତର ଦାଗ ଅଛି ନା ନାହିଁ ! (ଲେଖାଯୋଖା ଭାଇ ତ ଯେତେହେଲେ)

 

ଧାରଣା ହେଲା ସିଏ ମଧ୍ୟ ମୋତେ ଦେଖିଥିଲେବି ଏଡ଼ାଇ ଯିବାକୁ, ଚିହ୍ନା ନ ଦେବାକୁ ଚାହିଁ ଥାଇପାରେ ହୁଏତ ! ରିକ୍‌ସାଟା ଅନେକ ବାଟ ଆଗେଇ ଆସିଥିଲା ସେତେବେଳକୁ । ସିଏ ଲୁଚି ଯାଇଥିଲା ।

 

ଜୀବନର ଦୁର୍ବହ ଭାରରେ ବିଚରା ଅବଦମିତ । ନଇଁ ପଡ଼ିଛି । ଆଉ କ’ଣ ମନେଥିବ ସେ ପିଲାଦିନର, ପିଲାଳିଆ ରୋମାଞ୍ଚକର ଅନୁଭୂତି ! ଛୁଆର ଦୁଧ, ଅଫିସ ବଡ଼ବାବୁଙ୍କ ନାଲିଆଖି, ମାଆର ପ୍ରସୂତି ରୋଗ, ଛୋଟ ଛୁଆର ଗ୍ରହଣୀ, ପଇସା ଅଭାବ, ଧାର ପରେ ଧାର । ଏମିତି ଅନେକ ସମସ୍ୟା ତା’ର ଥିବ ହୁଏତ ।

 

ସେ ମାଗି ଆଣିଥିବା ବ୍ଳେଡ଼୍ ଧାରରେ କଟା ଦାଗ ମିଶିଯିବଣି ! ମୋ ମୁହଁବି ଭୁଲିଯିବଣି-

 

ପାରିବାରିକ ସମ୍ପର୍କ ତ ଅନେକ ଦିନୁ ନାହିଁ । ଏ ଲେଖାଯୋଖା ଭାଇଙ୍କ କଥା ମନେରଖିବାର ଅବକାଶ ବା ଅବସର ବା ଆଉ କାହିଁ ଜୀବନରେ ? ସମସ୍ତେ ପେନ୍‌ସିଲଗାର ରବରରେ ଲିଭାଇଲା ଭଳି କୁଆଡ଼େ ଲିଭେଇ ହୋଇଯାଇଛନ୍ତି ।

 

ଆଉ ଜଣେବି ସେମିତି......

 

ତା’ରବି ସେଇ ଥରି ଥରି ହାତଧରା ଆଉ ଚୁମାରେ ଶେଷ । ସେଇ ମାପିଚୁପି ଅଗ୍ରଗତି-! ପାଠପଢ଼ା ଟେବୁଲରେ ବସି ପଢ଼ୁ ପଢ଼ୁ ଆଗ ଅଜାଣତରେ ହାତ ବାଜିଯିବ–ତା’ପରେ ଗୋଡ଼ଟା ।

 

କିନ୍ତୁ କି ବୋକା ! ଏଥିପାଇଁ ଏତେ ସଂତର୍ପଣ ହେବାର କ’ଣ ଦରକାର ଥିଲା ? ସିଧାସଳଖ ଭାବରେ ମୋ ହାତଟା ଧରିଥିଲେବି ମୁଁ ହୁଏତ କିଛି ଭାବି ନ ଥା’ନ୍ତି ସେତେବେଳେ । କାରଣ ଅନେକେ ମୋ ହାତ ସେତେବେଳେ ଧରୁଥିଲେ । ଆବଶ୍ୟକ–ଅନାବଶ୍ୟକ, ଅନେକ କାରଣରୁ ।

 

ଆଉ–କାରଣ, ମୋ ହାତ ଧରିଲେ ସେତେବେଳେ ମୋତେ ବା ଆଉ କାହାକୁ କମ୍ପ ଆସୁ ନଥିଲା । ଆସିବାର ନଥିଲା ।

 

ହାତର ସ୍ପର୍ଶ ଯାହାକୁ କହନ୍ତି, ସିଏ ଆସେ ଅନେକ ପରେ । ଚାଲିଯାଏ ବା କିଛିଦିନ ପରେ ପରେ ।

 

ସେତେବେଳେ ହାତର ଯେମିତି ଦାମ୍‌ ବଢ଼ିଯାଏ ଝିଅଗୁଡ଼ାଙ୍କର । ହାତକୁ ବଡ଼ ସାବଧାନତା’ର ସହିତ ଜଗି ରଖନ୍ତି, କାଳେ କିଏ ଧରି ପକେଇ ସେ ସ୍ପର୍ଶ, ସେ କମ୍ପନ ପାଇଯିବ !

 

ବୋଧହୁଏ ଜଣକପାଇଁ ସଂରକ୍ଷଣ କରି ରଖନ୍ତି !

 

ଏଣୁ ମୋ ହାତଟା ସେ ଧରିଥିଲେ ଭାବନ୍ତି ବା କାହିଁକି କ’ଣ ? ତୁନି କରି ବଢ଼େଇ ଦେଇଥାଆନ୍ତି । ସେ ଚାଟୁ, କାମୁଡ଼ୁ ଆଉ ଯାହା କରିଥାଆନ୍ତା କରୁ !

 

ତା’ ଛାତି କିନ୍ତୁ ଧକ୍‌ଧକ୍‌ ପଡ଼ୁଥିଲା–ଉଠୁଥିଲା । ତା’ପରେ ଧୀରେ ତା’ ପାଦର ଚାପ ମୋ ପାଦ ଉପରେ ପଡ଼ିଲା । ବେଶ୍‌ ଭଲ ଲାଗୁଥିଲା । କହିବାକୁ ଲାଜ ନାହିଁ । ମୁଁ ବି ମୋର ଆର ପାଦ ତା’ ପାଦ ଉପରେ ରଖିଲି । ସେ ବହିକୁ ତ ଚାହୁଁ ନଥିଲା–ପାଠ ବା ପଢ଼ିବ କ’ଣ ?

 

ମୋ ମୁହଁକୁ ଥରେ ଅନାଏଁ–ଥରେ ବହିକୁ । ଯେତେବେଳେ ତାକୁ ମୁଁ ଚାହେଁ, ସେ ମୋତେ ଅନାଇ ବସିଥାଏ । ମୁଁ କିଛି ନ ପଚାରି ତଳକୁ ମୁହଁ କରିଦିଏ ।

 

କ’ଣ ସେ ଭାବେ କେଜାଣି... ?

 

ଦିନେ ଦୁଇଦିନ ପାଦ ଉପରେ ପାଦ ରଖି ଏମିତି ବସିବା ହୁଏତ ଅଭ୍ୟାସ ହୋଇଗଲା-

 

ତା’ପରେ ହାତରେ ହାତ । ମୁଁ ହସିଦେଲି । ହସିବା ଛଡ଼ା କ’ଣ ବା କରିଥାଆନ୍ତି ଆଉ ? ଚଟପଟ ଉଠିପଡ଼ି ମୋତେ ଚୁମା ଦେଲା ସେ ।

 

ଆଖି ବୁଜି ପୁଷିବିଲେଇ ଭଳି ଚୁମା ନେଲି ମୁଁ । ଥରେ ନୁହ, ବାରମ୍ବାର ।

 

ସେ ଘରଟାକୁ ସେଦିନ ଆଉ କେହି ନ ଆସିଥିଲେ, ବୋଧହୁଏ ମୋ ଗାଲଟାକୁ ସିଏ ଛିଡ଼ାଇ ନେଇଥାଆନ୍ତା !

 

ତା’ପରେ ସାଧାରଣ ଘଟନା ! ପରୀକ୍ଷାରେ ନାୟକ ଫେଲ୍‌ । ପାଠରେ ଡୋରି, ଆଉ ତାକୁ ଦେଖିନାହିଁ ଏ ପର୍ଯ୍ୟନ୍ତ !

 

ତିନି ଚାରିବର୍ଷ ତଳେ ଶୁଣିଥିଲି, ସିଏ ଗାଁ ସ୍କୁଲରେ ମାଷ୍ଟର ଅଛି । ଗ୍ରାମ ସଙ୍ଗଠନ କ’ଣ ସବୁ କରୁଛି । ନେତା ହୋଇଯାଇପାରେ । ଏମ୍‌. ଏଲ୍‌. ଏ. ହୋଇଗଲେବି ଆଶ୍ଚର୍ଯ୍ୟ ହେବ ନାହିଁ । ଏବେ ଏଇମାନେ ତ ସମସ୍ତେ ଏସବୁ ହେଉଛନ୍ତି । ଗୋଟାଏ ପେଶା ହେଲାଣି ରାଜନୀତି । ଚାକିରି କଲା ଭଳି ଦଳେ ଲୋକ ଏହାହିଁ କରୁଛନ୍ତି !

 

–କଲେଜରେ ପିଲାମାନେ ତ ସହଜେ ଗୋଡ଼ାନ୍ତି ! ନୋଟ୍‌ଖାତାରୁ ପ୍ରେମ ଆରମ୍ଭ ହୁଏ-। ନୋଟ୍‌ଖାତା ମଗାମଗି । ତା’ ଭିତରେ ଚିଠି । ତା’ପରେ ସିନେମା ସୋ ଗୋଟାଏ ଦିଇଟା-। ତା’ପରେ ତ ହାବୁଡ଼ୁବୁ !

 

ନୋଟ୍‌ଖାତା ମଗାମଗି ଆଉ ଖାତା ନେଲା ଦେଲାବେଳେ ହାତଟା ଜାଣିଶୁଣି ଛୁଇଁ ଦେବାରେ ଅପାର ଆନନ୍ଦ ପାଇଛନ୍ତି ଅନେକେ !

 

ସେଗୁଡ଼ାକ ଶହକରୁ ଶହଙ୍କ ଜୀବନରେ ତ ଘଟେ । ସେମିତି ଜଣେ ଦୁଇଜଣ ଅଧ୍ୟାପକ-

 

ଜଣେ ତ ଇମୋସନ ଟେଷ୍ଟ କରିବା ନାଁରେ ହାତରେ ଘଣ୍ଟା ଧରି, ଗମ୍ଭୀର ହୋଇ, ଲାବୋରେଟୋରୀର କବାଟ ବନ୍ଦ କରିଦେଇ ମୋତେ ଗୁଲୁଗୁଲୁ ଆଖିରେ ଚାହିଁ ରହିଲେ ।

 

ତାଙ୍କ ମତଲବ ବୁଝିବା ଭଳି ବୟସ ମୋର ହୋଇଥିଲା ଅନେକ ଦିନୁ ।

 

ତା’ପରେ କାନ୍ଥରେ ଗୋଟାଏ ଦାଗ ଦେଇ (ଆଗରୁବି ଥାଇପାରେ) କହିଲେ–ଏଇଠି ଟିପଟାଏ ଦିଅ । ମୁଁ ତାହାହିଁ କଲି ।

 

ଆଉ ଅନେକ ଅକାର୍ଯ୍ୟ କରିବାକୁ କହୁଥିଲେ, (ବ୍ଲାଉଜ୍‍ଟା ଖୋଲିଦିଅ–ଆକାଡ଼େମକ କଥା ଏଥିରେ ଲାଜ ସରମ କ’ଣ ?) ଏମିତି ସବୁ ମୁଁ କଲି ନାହିଁ, ‘ଅବାଧ୍ୟ’ ବୋଲି ଗେହ୍ଲା । ବିଶେଷଣ ଶୁଣିଲେ ମଧ୍ୟ ।

 

ତା’ପରେ ସିଧାସଳଖ ଭାବରେ ମୋ (ଛାତି ମଝିରେ) ପହିଲେ ତାଙ୍କର ଗୋଟିଏ ଆଙ୍ଗୁଠିର ଟିପ ରହିଲା–ଚାପ ଦେଲା । ତା’ପରେ ଧୀରେ ଧୀରେ ତାଙ୍କର ପୂରା ହାତପାପୁଲିଟା ବୁଲି ଆସିଲା ଗୋଟିଏ ନରହନ୍ତାର ଥରଥର ପାପୁଲି ଭଳି ।

 

ଆଉ ଅଗ୍ରଗତି କରିବା ଆଗରୁ ମୁଁ ବାହାରି ଆସିଲି–ଏକରକମ୍ ପ୍ରାୟ ଦଉଡ଼ି ଦଉଡ଼ି । ଲକ୍ଷ୍ୟ କରିଛି ତାଙ୍କ ମୁହଁ ଲାଲ ହୋଇ ଆସିଥିଲା । ପଶୁଟାଏ ଭଳି, ବିଲୁଆଟାଏ ମଡ଼ା ଓଟାରି ଖାଇଲା ଭଳି ।

 

ଆହୁରି ମଜା କଥା !

 

କମନରୁମ୍‌ରେ ଆସି ଏ ବର୍ଣ୍ଣନା ନ ଦେଇ, କେବଳ ସେ ଟେଷ୍ଟ କଥା କହୁ କହୁ ଅଧିକାଂଶଙ୍କର ମୁହଁ ନାଲି ପଡ଼ିଗଲା ବା ସେମାନେ ମୁରୁକି ମୁରୁକି ହସିଲେ ।

 

ସମସ୍ତେ ଭୁକ୍ତଭୋଗୀ । କିଏ କାହାକୁ ବାରିବ ?

 

ବିଷୟ ବଦଳାଇ ନେଲା; ଅବଶ୍ୟ ଏସବୁ ଉଲ୍ଲେଖ ନ କରି ।

 

ଝିଅ ଚରିତ୍ର କୁଆଡ଼େ କାଚରା, ଟିକେ ଆଘାତରେ ଭାଙ୍ଗିଯାଏ । କାହା ଆଗରେ କହିହୁଏନି, ବୋଉ ଆଗରେବି ନୁହେଁ; ନିଜର ନିକଟତମ ବାନ୍ଧବୀ ଆଗରେ ମଧ୍ୟ ନୁହେଁ !

 

ପୁଅପିଲାମାନେ ତାଙ୍କର ପ୍ରତ୍ୟେକ କାହାଣୀ କେତୋଟି ଝିଅଙ୍କୁ ପ୍ରେମ କଲେ ଏ କଥା ସମସ୍ତଙ୍କ ଆଗରେ ବଖାଣି ଗର୍ବ ପାଆନ୍ତି । ଏଇଟା କାଳେ ତାଙ୍କର ପୌରୁଷ ବଢ଼ାଏ । ଏଇ ଚୁମା ଦେଇ ଦେଇ ସବୁ ନେଲି । ସିଏ ମୋତେ କେତେ ଭଲପାଏ ବୋଲି କହି ବୁଲନ୍ତି । ସତେ ଯେମିତି ଗୋଟାଏ ଗୋଟାଏ ମହାବୀର–ଗଡ଼ଟାମାନ ଜିତିଛନ୍ତି !

 

କିନ୍ତୁ, ଝିଅଟିଏ ? କାହା ଆଗରେ କହିବ ସେ ? ସବୁ କଲେବି କିଛି କହିପାରିବ ନାହିଁ । କିଛିଟିକେବି କହିଲେ ସେ କଥା ସବୁକିଛି ସର୍ବସ୍ଵ ଏମିତି ସବୁରେ ପରିଣତ ହୋଇଯିବ !

 

ଏପରିକି ଅତି ଆପଣାର ବାନ୍ଧବୀ ଆଗରେ ମଧ୍ୟ ! ନିଜର ଲୋକ ଆଗରେ ସୁଦ୍ଧା !

 

ମୁଁ ଏଇ ଟିକକ ମଧ୍ୟ କ’ଣ କାହା ଆଗରେ କହିଛି ?

 

ଅତ୍ୟନ୍ତ ଗୋପନୀୟ, ଏକାନ୍ତ ଗୋପନୀୟ ସତ୍ୟ ଇଏ ପରା ! ସବୁ ପୁରୁଷ ପୁଣି ବିଶ୍ଵାସ କରନ୍ତି ଯେ, ତାଙ୍କରି ସ୍ତ୍ରୀଟି କି ନାୟିକାଟିର ଜୀବନରେ ଏ ଧରଣର କୌଣସି ଘଟନା ଘଟି ନାହିଁ !

 

ଯଦିଓ ସେମାନେ ସବୁ କରିଛନ୍ତି ! ସବୁ ଝିଅ, ଶତକଡ଼ା ଶହେ କହନ୍ତି–ସେମାନେ ଭୁଲ୍‍ରେ ସୁଦ୍ଧା ଆଉ କୌଣସି ପୁରୁଷକୁ ଦେଖିବି ନାହାନ୍ତି ! ସ୍ପର୍ଶ ପାଇବେ କ’ଣ ? ସିଏ ତ ରୀତିମତ ପାପ । ଏପରିକି ବସ୍‌ ଟ୍ରେନ୍‌ରେ ସୁଦ୍ଧା ଯେମିତି କାହା ଦେହରେ ଧକା ହୋଇଯାଇ ନାହିଁ ଅବା ବାପା କି ଭାଇ କେବେ କୋଳେଇକାଖେଇ ଚୁମା ଦେଇନାହାନ୍ତି !

 

ଯେତେ ସବୁ ଟ୍ରାସ୍‌ ! ବାଜେ କଥା !

 

ଚରିତ୍ର ତେଣୁ ଯେ ମୋର ଭଲ ଥିଲା, ଏଥିରେ ସନ୍ଦେହ ନାହିଁ । ସେ ଦୃଷ୍ଟିରୁ ଯେ କୌଣସି ପୁରୁଷ ପାଖରେ ସଫେଇ ମୁଁ ଦେଇପାରନ୍ତି । ଏଇ ଗୋଟାଏ ଦିଇଟା ଚୁମା ଯେ ଚରିତ୍ର ନୁହେଁ, ଏ କଥା ମୋର ବହୁଦିନର ସଞ୍ଚିତ ବଦ୍ଧମୂଳ ଧାରଣା ।

 

ରୂପ ମୋର ସାଧାରଣଙ୍କ ଅପେକ୍ଷା ଭଲ ଥିଲା । ଗୁଣ ମଧ୍ୟ ଖରାପ ଥିବାର କାରଣ କିଛି ନଥିଲା । ପୁଣି ୟାଙ୍କୁ କିଛିଦିନ ପ୍ରେମ କରିଥିଲି । ତଥାପି, ଇଚ୍ଛା ବିରୁଦ୍ଧରେ ବିବାହ କରିଛି । ଅନ୍ତତଃ ଏଇଟା ନ ହୋଇଥିଲେ ହୁଏତ ଭଲ ହୋଇଥାଆନ୍ତା !

 

ଭଲ ପାଇଲେ ମଧ୍ୟ, ଭଲ ପାଇବାଟା କ’ଣ ତା’ର ସ୍ଵାଦ, ମୁଁ ଉପଲବ୍‍ଧି କରି ନଥିଲି । ସମସ୍ତେ ଭଲ ପାଆନ୍ତି ବୋଲି ପାଉଥିଲି ହୁଏତ । ସେମିତି ସମସ୍ତେ ଭଲ ପାଇ ବିବାହ କରିଛନ୍ତି ବା କରନ୍ତି ବୋଲି କଲି । କରିଚି । ଅଥଚ ଆଶ୍ଚର୍ଯ୍ୟ, ୟାଙ୍କ ବିରୁଦ୍ଧରେ ମୋର କୌଣସି ଅଭିଯୋଗ ନାହିଁ ।

 

ମୁଁ ତାଙ୍କୁ ଶ୍ରଦ୍ଧା କରେ, ଭକ୍ତିବି କରେ, ସମ୍ମାନ କରେ । କିନ୍ତୁ ଶ୍ରଦ୍ଧା, ଭକ୍ତି, ସମ୍ମାନ ବା ସ୍ନେହ କ’ଣ ଭଲ ପାଇବା ?

 

ଏ ସବୁ କ’ଣ ପ୍ରେମ ? କେଜାଣି ?

ମୋତେ କେବେ ଇଏ ଅତୀତ ଜୀବନ କଥା ପଚାରି ବିବ୍ରତ କରି ନାହାନ୍ତି । ପଚାରିଥିଲେ ହୁଏତ ଏଇ ଦିଇଟା ଗୋଟାଏ କଥା କହିବାପାଇଁ ମୋତେ ଦଶ ଥର ଛେପ ଢୋକି, ମୁହଁ ଶୁଖାଇ, ତାଙ୍କୁ ମୋ ମୁଣ୍ଡ ଛୁଆଁଇ କିଛି ଭାବିବ ନାହିଁ ବୋଲି ଶପଥ କରାଇ ଏଥିରୁ ଅନେକ କଥା ବାଦ ଦେଇ, ନୂଆ କିଛି ମିଶାଇ ମିଛ କହିଥାଆନ୍ତି ।

ମିଛ କହିବାର ଗ୍ଳାନିରେ କିଛିଦିନ ଭୋଗିଥାଆନ୍ତି ।

ମିଛ ପୁଣି ଏମିତି କହିଥାଆନ୍ତି, ଯେମିତି ହିମାଳୟର ମୂଷିକ ପ୍ରସବ !

କାରଣ ଏଇ ସତ୍ୟ ଟିକକ ଯେ ମୋ ଚରିତ୍ର ନୁହେଁ । ଏପରିକି ରାତି ରାତି ଧରି ୟାଙ୍କ ପାଖେ ଶୋଇ ଶୋଇବି ମୋ ଚରିତ୍ର ଯାଉ ନାହିଁ ବୋଲି । ମୁଁ ଭାବୁଚି, ଏ କଥା ମୁଁ କିପରି ୟାଙ୍କ ଆଗରେ ବୁଝାଇ ବସନ୍ତି ? ଚରିତ୍ର କାଚକଣ୍ଢେଇ ନୁହ ।

ଏସବୁ କହି ହୁଏନା ।

କହିଥିଲେବି ଇଏ କିଛି ଭାବନ୍ତେ ନାହିଁ । ତଥାପି କହି ହୁଅନ୍ତା ନାହିଁ । କେବେ କିଛି ପଚାରନ୍ତି ନାହିଁ, ପଚାରି ନାହାନ୍ତି । ସେଥିପାଇଁ ତାଙ୍କୁ ସମ୍ମାନ କରିଚି, ପ୍ରଣାମ କରିଛି ।

ଇଏ କହିଚନ୍ତି, ତମ ଅତୀତ ଜୀବନ ତମର ନିଜସ୍ୱ ! ମୋତେ କହିବ କାହିଁକି ? ତମର ତ ପୁଣି ନିଜସ୍ଵ କିଛି ଅଛି ? ସର୍ବସ୍ଵ ଦାନରେ ମୁଁ ବିଶ୍ଵାସୀ ନୁହ । ତାଙ୍କର ଉଦାରତା, ମହାନୁଭବତା ପାଇଁ ତାଙ୍କୁ ଅସୀମ, ଗଭୀର ଶ୍ରଦ୍ଧା କରିଛି । ପ୍ରତ୍ୟେକଙ୍କ ଆଗରେ ବଖାଣିଛି ଏ ମହାନୁଭବତା’ର କାହାଣୀ ।

ଲୋକଟାକୁ ପ୍ରତା’ରଣା କରୁଚି କି ବୋଲି ନିଜେ ଅନ୍ତର୍ଦାହରେ ଜଳିଛି । ଯଦିଓ ପ୍ରତା’ରଣା କରି ଆଉ କାହାକୁ ଭଲ ପାଇଥିଲି ମୁଁ । ଭଲ ପାଇବା କେମିତି ଜାଣି ନଥିଲି । କିନ୍ତୁ ହାୟ ! ବହୁ ଚେଷ୍ଟା କରି ସୁଦ୍ଧା ତାଙ୍କୁ ଭଲ ପାଇପାରି ନାହିଁ ! ଭଲ ପାଇ ନାହିଁ । ଏଇଟାହିଁ ସବୁଠାରୁ ବଡ଼ ସତ୍ୟ !

ଆରେ ! ସକାଳଟା ବିତିଯିବାକୁ ବସିଲାଣି କେତେବେଳୁ !

ମଣିଷ ଯଦି ଭାବନା ଖାଇ ବଞ୍ଚି ପାରନ୍ତା ! ଭାବନା, ଭଲ ପାଇବା, ପ୍ରେମ, ଭାବପ୍ରବଣତା ଏ ସବୁକୁ ଖାଇ ମଣିଷ ବଞ୍ଚେନା । ନ ଖାଇଲେ ତ ଏସବୁ କିଛି ରହିବ ନାହିଁ ! ଏଣୁ ଅଗତ୍ୟା ମୋତେ ଉଠିବାକୁହିଁ ହେଲା ! ଅବଶ, କ୍ଳାନ୍ତ ଦେହ ମନକୁ ଟାଣିଓଟାରି ସଜାଡ଼ି ନେବାକୁ ପଡ଼ିବ । କାରଣ, ଜୀବନଠାରୁ ବଳି ବଡ଼ ସତ୍ୟ ଆଉ କିଛି ନାହିଁ । ଅନ୍ଧାର, ବର୍ଷଣମୁଖର ସକାଳ, ଉଦାସୀ ସୂର୍ଯ୍ୟ, ଖୋଲା ଝରକା, ପବନ ସବୁ ନିଷ୍ପ୍ରଭ, ଅର୍ଥହୀନ ଲାଗୁଚି ।

ବୋଧହୁଏ ଖରାତେଜରେ, ରୋମାଣ୍ଟିସିଜିମ୍‌ ମ୍ଳାନ ହୋଇଯାଉଛି !

ଆଉ ଟିକକ ପରେ ମଧ୍ୟାହ୍ନ । ଖରାର ବର୍ଣ୍ଣ ମଉଳି ଆସିବ । ଲାଲିମା ଛାଇଯିବ ତା’ପରେ । ସୂର୍ଯ୍ୟ ହେମାଳ ହୋଇଆସିବ ।

ଯେମିତି ଥିଲା । ସୂର୍ଯ୍ୟ ନଇଁଗଲାଣି ।

 

ମଝିରେ କିଛି ସମୟପାଇଁ ଉଠିଥିଲା ସେଇ ମଧ୍ୟାହ୍ନରେ ।

 

ଆୟୁଷ ତା’ର ଆଉ ଅଳ୍ପ ସମୟ ବାକି ଅଛି । ଢଳିପଡ଼ିବ, ଲୁଚିଯିବ । ଦେଖାଯାଉଛି, ଯେମିତି ଗୋଟାଏ ଲାଲ ଗୋଲାକାର ପିଣ୍ଡ ! ତାତି ନାହିଁ, ଉଜ୍ଜ୍ୱଳତା ନାହିଁ, ତିକ୍ତତା କି ପ୍ରଖରତା ନାହିଁ । ପଳ ପଳ କରି ମୁହୂର୍ତ୍ତ ମୁହୂର୍ତ୍ତ ଭିତରେ ନିଃଶେଷ ହୋଇଯାଉଛି ।

 

ଫୁଲଗଛଗୁଡ଼ାକ ପବନରେ ଦୋହଲୁଛନ୍ତି । ନାନା ଜାତି ଫୁଲର ମହକ ଭାସି ବୁଲୁଚି ।

 

ଶେଷ ସୂର୍ଯ୍ୟର କିରଣ ଟିକକ ପଡ଼ି, ରଙ୍ଗବେରଙ୍ଗୀ ଫୁଲର ସମାରୋହ ଆହୁରି ବଢ଼ିଯାଇଛି । ଜିନିଆ, ଡାହାଲିଆଗୁଡ଼ାକ ହସୁଛନ୍ତି ।

 

ଶୁଖିଲା ଗୋଲାପରୁ, ଫୁଟନ୍ତ ଫୁଲରୁ ପାଖୁଡ଼ା ଝଡ଼ିପଡ଼ୁଛି । ଏବେବି ସେଇ ନୀରବତା-

 

ମଝିରେ ମଝିରେ କ’ଣ ଗୋଟାଏ ଗୋଟାଏ ଶବ୍ଦ ଶୁଭିଯାଉଛି, ପୁଣି ହଜିଯାଉଛି । ଦୂରରେ ଯାଉଥିବା ମଟରକାରର ଘର୍ଘର ଶବ୍ଦ–ରିକ୍‌ସାର ଘଣ୍ଟି ବେଳେବେଳେ ଶୁଭିଯାଉଛି, ବିଲୀନ ହୋଇଯାଉଛି ।

 

ସହର ଭିତରେ ଏବେ କୋଳାହଳ କ୍ରମଶଃ ବଢ଼ୁଥିବ ।

 

ସନ୍ଧ୍ୟା ପରେ ପରେ କୋଳାହଳ ଆହୁରି ବଢ଼ିବ । ଉନ୍ମାଦ ଭଳି ପଂଝାକୁ ପଂଝା ବାହାରକୁ ବାହାରି ଆସିବେ ।

 

ବର୍ଷା ଆଗରୁ ଠିକ୍‌ ପିମ୍ପୁଡ଼ିଗୁଡ଼ାକ ଯେମିତି ବାହାରି ପଡ଼ନ୍ତି ।

 

ରାତି ବଢ଼ିବା ସଙ୍ଗେ ସଙ୍ଗେ ସେ କୋଳାହଳ ଥମିଯିବ । ପବନ ଜୋର୍‍ରେ ବହୁଛି । ପୁଣି ଟପ୍‌ଟପ୍‌ ଦି’ଟୋପା ବର୍ଷା ପଡ଼ି ରହିଗଲା ।

 

ଆଜିପାଇଁ ହୁଏତ ଏତିକିରେ ଶେଷ । ପୁଣି ରାତିରେ ହୋଇପାରେ । କାରଣ ଆକାଶ ବେଶ୍‌ ସଫା ହୋଇଗଲାଣି । କେବଳ ଗୋଟିଏ କୋଣରେ ସୂର୍ଯ୍ୟଟା ଝୁଲୁଥିଲା ନିଃସହାୟ ହୋଇ । ଅନେକ ବେଳ ହେଲା ।

 

ସେଇଟାବି ଲୁଚିଗଲାଣି ।

 

ତା’ର ବର୍ଣ୍ଣାଳି କେବଳ ଆକାଶର ଶେଷ ମୁଣ୍ଡରେ କିଛି ଅଂଶରେ ରହିଯାଇଛି !

 

ସେତକବି ସରିଯିବ । ଏଇ ଜାଗାଟା ସହରଠାରୁ ଅନେକ ଦୂରରେ । ସହର ଭିତରେ ବୋଲି ଲୋକେ କୁହନ୍ତି । ହେଲେ ସହର ଏଠି ନାହିଁ ।

 

ସହର ଏ ଜାଗାରୁ ଅପସରି ଯାଇଛି, ଅବା ଏ ଜାଗାଟା ସହରଠାରୁ ଛାଡ଼ପତ୍ର ନେଇ ନିଜେ ନିଜେ ଘୁଞ୍ଚି ଆସିଛି । କୃଷ୍ଣଚୂଡ଼ା ଗଛଟାରେ ଏବେ ଅଜସ୍ର ଫୁଲର ଭିଡ଼ ।

 

ପାଖ ଅଶ୍ଵତ୍‌ଥ ଗଛଟାର ପତ୍ରଗୁଡ଼ାକ ପବନରେ ଚରକି ଖାଉଛନ୍ତି । ଡାଆଣୀ ବୁଢ଼ୀ ପୁଣି ଖକ୍‌ଖକ୍‌ କାଶିବାକୁ ଆରମ୍ଭ କଲାଣି । ସନ୍ଧ୍ୟା ପରଠାରୁ ସାରା ରାତି ସେ ସେମିତି କାଶି ଚାଲିଚି ଅନବରତ–ଆଉ ତା’ର ସେ କୁତ୍ତୀ ଦୁଇଟାଯାକ ବେଙ୍ଗଟାଏ ଦେଖିଲେବି ରଡ଼ି ଛାଡ଼ିବେ ।

 

ସେ ପାଗଳଟା ଏଇ ସମୟରେ ନିତି ନିତି ଇଆଡ଼କୁ ଆସେ । ପାଖ ପୋଖରୀଟାରେ ଗାଧାଏ । ବୁଢ଼ୀ ଆଡ଼କୁ ଅନାଇ ଅନାଇ କ’ଣ ବିଡ଼୍‍ବିଡ଼୍ କରି କୁହେ । ଅବଶ୍ୟ ସଦାବେଳେ ସେ ତା’ ମନକୁମନ କ’ଣ ଗପୁଥାଏ । ହସିଦିଏ, ପୁଣି ଛାଁ କୁ ଛାଁ ରାଗିଯାଏ–

 

ପାଗଳ କି ନୁହେଁ ସିଏ କେଜାଣି ? ବେଳେବେଳେ ତ ଧରଣା ହୁଏ ପାଗଳାମିଟା ତା’ର ଗୋଟାଏ ମୁଖା–ଛଳନା । କାରଣ ଯେ କୌଣସି ଲୋକକୁ ଦେଖିଲେ ସେ ତା’ ବିଷୟରେ ଟିପ୍ପଣୀ ଦିଏ । ବଡ଼ପାଟିରେ ହେଉ ବା ସେମିତି ଗୁଣୁଗୁଣୁ କରି ହେଉ । ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା, ସମସ୍ତଙ୍କର ଏଇ ସବୁ ଗୁମର କଥା ସେ ଜାଣେ । କେମିତି ଜାଣେ କେଜାଣି ? ସେଇସବୁ କାଳେ ଗପି ଗପି କୁହେ ।

 

ବେଳେବେଳେ ତ ଲୋକେ ତାକୁ ରୀତିମତ ଡରନ୍ତି ! ଅଘଟଣ ଘଟିଯାଏ !

 

ଓଃ, ହସି ହସି ପେଟ ଫାଟିଯାଉଛି ! ସିଏ ଏକ ଅଜବ ବ୍ୟକ୍ତିତ୍ଵ । ଘଟନାଟା ସିନା ଦେଖି ନାହିଁ । ଶୁଣିଲେବି ହସ ମାଡ଼ୁଚି । ମୋଟାସୋଟା ହୋଇ ସେ ବାବୁଟି ! ଚେହେରା ବାଗେଇ, ସ୍ନୋ, ପାଉଡ଼ର, ଅତର, କଡ଼ା ଇସ୍ତ୍ରୀଜାମା ପିନ୍ଧି ବୁଲନ୍ତି । କ’ଣ ଚାକିରିଟାଏ କରନ୍ତି ଯେ, ସେଥିରେ ଉପୁରି ଦରମାଠାରୁ ଦୁଇଗୁଣ ।

 

ସିଏ କାଳେ ଝିଅପିଲାଙ୍କୁ ଦେଖିଲେ କେମିତି କେମିତି ହୁଅନ୍ତି । ପିଲାପିଲି ଥିଲାବାଲା ଅବଶ୍ୟ ସେ ।

 

ପାଗଳ ସେ କଥା କେମିତି ତା’ର ଜାଣିଚି । ସେଇ କଥା କହି ଉଘେଈବାକୁ ଆରମ୍ଭ କଲା ରାସ୍ତାରେ ଘାଟରେ–

 

ଓଃ, ସେ ଏକ ଅଜବ କାଣ୍ଡ ! ବାବୁ ଜଣକ କାଳେ ହଠାତ ଦିନେ ସହି ନ ପାରି ତା’ ଉପରକୁ ଖପ୍‌ କରି ଡେଇଁ ପଡ଼ିଲେ । ବିଚ୍‌ ବଜାରଟା ଉପରେ ଗଡ଼ାଗଡ଼ି ହେଲେ । ପାଗଳ ୟାଙ୍କର ଜାମା ଚିରିଦେଲା, ଚଶମା ଭାଙ୍ଗିଦେଲା–ଲହୁଲୁହାଣ କରିଦେଲା–ଲୋକେ ଠିଆ ହୋଇ ଦେଖୁଥାଆନ୍ତି ଏ ଦୃଶ୍ୟ । ହାତତାଳି ଦେଇ ନାହାନ୍ତି କେମିତି, ଏ ମେଣ୍ଢା ଲଢ଼େଇ ଦେଖି !

 

କିଏ ପାଗଳ କେଜାଣି ?

 

ଝିଅମାନଙ୍କ ଉପରେ ପୁଣି ତା’ର ଅସୀମ ଶ୍ରଦ୍ଧା ଆଉ ଭକ୍ତି ।

 

ମୋତେ ଦେଖିଲେ ତ ତୁଚ୍ଛାରେ ନମସ୍କାର ପକାଏ, ମୁଣ୍ଡିଆ ମାରେ । ଶୁଣିଛି ତ କାଳେ କୌଣସି ସ୍ତ୍ରୀଲୋକ ଅସୁବିଧାରେ ପଡ଼ିଥିଲେ, ଅଜ୍ଞାତ ଭାବରେ ସାହାଯ୍ୟ କରେ ପାଗଳ ।

 

ସତ କି ମିଛ ହୋଇଥିବ, ଜାଣେନା–

 

ଏଇନେ ମୁଁ ବାହାରେ ବସିଛି ଆସି–ପବନ ସୁ ସୁ ବହୁଛି । ଖୋଲା ଆକାଶର ମୁକ୍ତ ରୂପ ଅତି ସ୍ପଷ୍ଟ ଭାବରେ ଦେଖାଯାଉଛି । ସାରା ଆକାଶଟା ଯେମିତି ଗୋଟିଏ ସମୁଦ୍ର, ଆଉ ମେଘଗୁଡ଼ାକ ତା’ କୂଳର ବାଲିଚରା–ଅବା ନଈ ପଠାଟାଏ !

 

ଫାଙ୍କା ମନ, ହାଲୁକା ଦେହରେ ଖୋଲା ଆକାଶକୁ ଚାହିଁ ବସିବାକୁ ଭାରି ଭଲ ଲାଗେ ସତେ !

 

ଏଇଠି ବସିବି ମୁଁ ଦେଖିପାରୁଛି, ଦୂରରେ ପାଗଳଟା ଗଲା । ମନକୁମନ ସେ ହାତ ହଲାଉଛି । କ’ଣ କ’ଣ ସବୁ କହିଯାଉଛି । ଟିକେ ପରେ ସେ ଏପଟ ବୁଲି ଆସିବ । ଡାଆଣୀ ବୁଢ଼ୀକୁ ଅନାଇ ରହିବ ଦଣ୍ଡେ–ହୁଏତ ସମବେଦନାରେ ବା ଘୃଣାରେ–

 

ତା’ପରେ ଗୋଟିଏ ଗୋଟିଏ ହୋଇ ଚାଲିଯିବ ସହରର କୋଳାହଳମୟ ରାଜରାସ୍ତା ଉପରକୁ । ମନଖୁସିରେ ଘୂରିବୁଲିବ । ଆଗରେ ମୋର ଷ୍ଟୋଭ ଗର୍ଜୁଛି । କେଟଲିରେ ଚା’ ବସାଇଛି- । ନିଜେହିଁ ପିଇବି, କପେ ନୁହେଁ–ଏକାଧିକ କପ୍‌ । ଦେବାକୁ ଆଉ କେହି ନାହାନ୍ତି–କେହି ମଧ୍ୟ ଆସିବେ ନାହିଁ । ଏଣୁ ମୋତେ ଏକାକୀହିଁ ଏ ସବୁତକ ପିଇଦେବାକୁ ହେବ ।

 

ଭଲ– । ଥରଥର କରି କପେ କପେ ଚା’ ପିଉ ପିଉ ସଞ୍ଜ ଆସିଯିବ । ଆକାଶସାରା ତାରାରେ ତାରାରେ ଛାଇଯିବ । ଅଗଣନ ତାରା ଫୁଲର ମଉଛବରେ ଆକାଶଟା ଝୁଲିପଡ଼ିବ ଗୋଟିଏ କଳା ମଚମଚ ଚାନ୍ଦୁଆ ଭଳି–ଆକାଶ, ଚାନ୍ଦ, ତାରା ଫୁଲ, ଝରଣା, ଚଇତାଳି । ଆଉ ଏମିତି ସବୁ ଆଜେବାଜେ କଥା ଅଛି । ଏସବୁଗୁଡ଼ିକ ଉପରେ କୁଆଡ଼େ ପ୍ରଚୁର ପ୍ରାଣସ୍ପନ୍ଦନ ଆଉ ରୋମାଣ୍ଟିସିଜିମ୍‌ ଅଛି ।

 

ଝିଅମାନେ ଏସବୁକୁ ଭଲପାଆନ୍ତି । ଆଉ, ମୁଁ ମଧ୍ୟ ଏ ସବୁକୁ ପ୍ରବଳ ଭାବରେ ଭଲପାଏ । ପ୍ରାଣଭରି ଭଲପାଏ । ଯେମିତି ଭଲପାଏ ମୋ ଜୀବନକୁ, ମୋ ନିଜକୁ । କିନ୍ତୁ ଏଇ ଭଲ ପାଇବା କଥାଟା ସତେ ବଡ଼ ବିଚିତ୍ର ! ନୁହେଁ ?

 

କେଉଁଠି ପଢ଼ିଥିଲି ମନେ ନାହିଁ–ତେବେ କଥାଟା ଅତି ସ୍ପଷ୍ଟଭାବରେ ମନେ ଅଛି–

 

ସହଜ ସରଳ ଦେହର ମିଳନ, ସମ୍ଭବ ହୁଏ ଭଲପାଇବା ଯୋଗୁଁ–ପୁଣି ଭଲ ପାଇବାର ଗନ୍ଧ ନ ଥାଇ, କେବଳ ଦେହ ଥିଲେ ତାହା ହୁଏ ପାଶବିକତା । କଥାଟା ଯେମିତି ଲେଖା ହୋଇଥିଲା, ଠିକ୍‌ ସେମିତି ମୁଁ ହୁଏତ କହିପାରୁ ନାହିଁ । ଓଲଟପାଲଟ ହୋଇଯାଉଛି, ଭାଷାରେ ଦଖଲ କମ୍ ଥିବାରୁ । ମାତ୍ର ତା’ର ଅର୍ଥଟା ଏଇଆ–

 

କିନ୍ତୁ କି ଆଶ୍ଚର୍ଯ୍ୟ ! ମଣିଷ ଜୀବନରେ ଭଲ ପାଇବାର ଗନ୍ଧ ସୁଦ୍ଧା ନ ଥାଇବି ତ ଦେହର ମିଳନ ସମ୍ଭବ ହୁଏ–ତା’ ପୁଣି ଅତି ସହଜ ଭାବରେ ? ଅନ୍ତତଃ ମୋ ପାଖରେ ତ ତାହା ସମ୍ଭବ ହୋଇଛି ! କେବଳ ମୋ ପାଖେ କାହିଁକି ? ବୋଧହୁଏ, ଶତକଡ଼ା ଅନେଶୋତ ଝିଅ, ଯେଉଁମାନେ ଭଲ ନ ପାଇ ବିବାହ କରିଛନ୍ତି, ତାଙ୍କ ପକ୍ଷରେ ଏହାହିଁ ସତ୍ୟ ।

 

ଅବଶ୍ୟ, ସେମାନେ ସତ କହିବେ ନାହିଁ ! କିନ୍ତୁ ସତ କହିଲେ ସେମାନେ ଏଇଆହିଁ କହନ୍ତେ । ଯାହାକୁ ସମ୍ମାନ କରାଯାଏ, ତାକୁ ମଣିଷ ଭଲ ପାଇବ ଭଲା କିମିତି ? ୟାଙ୍କରି କଥା ମୁଁ କହୁଛି ।

 

ଏବେବି ମୋର ମନେ ଅଛି, ଆମର ମଧୁଚନ୍ଦ୍ରିକାର କଥା । ନାରୀ ଜୀବନର ବଡ଼ ଈପ୍ସିତତମ ଦିନ ଇଏ । ସେଇ ଦିନଟିପାଇଁ ତ ଶୁଣିଛି, ଅନେକ ଝିଅ ହୃଦୟର ବହୁ ସଯତ୍ନ ସଞ୍ଚିତ ଆବେଗ, ଅନୁରାଗ ଦେଇ ନିଜକୁ ସଜାଇ ରଖିଥାଆନ୍ତି ।

କେବଳ ସେଇ ଦିନଟିପାଇଁ ! ଯାହା ଜୀବନରେ (ତାଙ୍କ ଭାଷାରେ କହୁଛି) ଥରେ ଆସେ (ଯଦିଓ ଅନେକ ଆଗରୁ, ଅନେକ ଥର ଆସିଥାଏ ଏଇଟା) ।

ଏଇଥିପାଇଁ କେତେ ମାନସିକ ପ୍ରସ୍ତୁତି, କେତେ ରୂପସମ୍ଭାର, ଗଭାମଣ୍ଡନ, ଅଙ୍ଗରାଗ–କେତେ କ’ଣ ! ମୋର ବେଶ୍‌ ସ୍ପଷ୍ଟ ମନେ ଅଛି ! ମନେ ଅଛି ଏଇଟା ମୋର ସେଇ ଯତ୍ନପୋଷିତ ମାନସଦିନ ବୋଲି ନୁହେଁ–ଦେହରେ ବେପଥୁ କମ୍ପନ; ଏସବୁ ଆସିବାର ଦିନ ବୋଲି ନୁହେଁ–ସତରେ ପ୍ରଥମ କରି ଜଣେ ପୁରୁଷ (ବାପା, ଭାଇ ଭିନ୍ନ) ସହିତ ନିଜସ୍ଵ ଭାବରେ ଏକାନ୍ତ ଗୋପନୀୟ ଏକ ରାତ୍ରି ବିତାଇବା ପାଇଁ ସେଦିନ ମୋର ମାନସିକ ପ୍ରସ୍ତୁତି ହୋଇଥିଲା ବୋଲି ।

ଜଣକର ଶଯ୍ୟାସଙ୍ଗିନୀ ହେବି ବୋଲି ! ଅବା କାହାକୁ ନିଜର ଶଯ୍ୟାସଙ୍ଗିନୀ କରିବି ବୋଲି ।

ଆଗ କଥାଟା ଆଧୁନିକ ନୁହେଁ–ବହୁ ପ୍ରାଚୀନ, ଆଉ କେମିତି ‘ସତୀନାରୀ’, ‘ସାଧ୍ଵୀ’, ‘ପତିବ୍ରତା’ ଭଳି ଅତ୍ୟନ୍ତ ରକ୍ଷଣଶୀଳ ଶୁଭେ । ଯେଉଁସବୁର ସଂଜ୍ଞା ଆମପାଇଁ ଅର୍ଥହୀନ ମୂଲ୍ୟହୀନ-!

ମନେ ହେଉଛି, ସାବିତ୍ରୀଟି ନୁହନ୍ତି, ଦ୍ରୌପଦୀହିଁ ଆମର ଆଦର୍ଶ ହୋଇପାରନ୍ତି ।

ଭଲ ପାଇବା କହିଲେ ଆମେ ଯାହା ବୁଝୁଚୁ ବା ବୁଝିଚୁ, ତାହା କିଛି ଅଂଶରେ ଦ୍ରୌପଦୀ ନାମ୍ନୀ ଭଦ୍ରମହିଳାଙ୍କ ବୁଝିବା ସତ୍ୟର ନିକଟବର୍ତ୍ତୀ ନ ହେଲେ ମଧ୍ୟ ଦୂରବର୍ତ୍ତୀ ନୁହେଁ !

ବହୁଧା ବିଭକ୍ତ, ବହୁ ବର୍ଣ୍ଣରେ ରଞ୍ଜିତ ମନର ଦିଗ୍‌ବଳୟ ତାଙ୍କର । ନା–ସେ କାହା ପ୍ରତି ଅସତ୍ୟ ନୁହନ୍ତି । କାହା ପ୍ରତି ମଧ୍ୟ ସମଧିକ ଆସକ୍ତି ନାହିଁ । ଭଲ ପାଇବା ତାଙ୍କର କ୍ଳୁପ୍ତ, ସଂକ୍ଷିପ୍ତ, ସୀମିତ ନୁହେଁ । ପାଞ୍ଚଜଣ ନାୟକଙ୍କୁ ଭଲ ପାଇ ମଧ୍ୟ ଭଲ ପାଇବା ତାଙ୍କର ବ୍ୟର୍ଥ ନୁହ–ଅସତ୍ୟ ନୁହ । ସତରେ ସେ ଭଲପାଆନ୍ତି, ଆଉ ସେ ଭଲପାଇବାର ମହନୀୟତା ଦୟିତ ପୁରୁଷମାନଙ୍କ ମନରେ ଈର୍ଷା ଆଣେନା–ଆଣେ ମହନୀୟତା !

ତଥାପି ତାଙ୍କର ଭଲ ପାଇବାର ସେ ଅଫୁରନ୍ତ ଭଣ୍ଡାରର କ୍ଷୟ ଘଟି ନାହିଁ । ମହାବୀର କର୍ଣ୍ଣଙ୍କର ପୌରୁଷ, ଅସାମାନ୍ୟ ବ୍ୟକ୍ତିତ୍ଵ, ବୀରତ୍ଵ ତାଙ୍କୁ ମୁଗ୍ଧ କରିଛି । କାମନା କରିଛନ୍ତି ତାଙ୍କୁ–

ପ୍ରେମ ଅକ୍ଷୟ, ଭଲପାଇବା ଜଣକ ନିକଟରେ ସରେନା–ସରିପାରେନା । ଆଉ ଭଲ ପାଇସାରିଲା ପରେ ଦେହର ମୂଲ୍ୟ ଅତି ଗୌଣ ହୋଇଉଠେ ।

ମୁଁ କିନ୍ତୁ ଦ୍ରୌପଦୀ ନୁହେଁ ।

ସାବିତ୍ରୀ ମଧ୍ୟ ହୋଇପାରିଲି ନାହିଁ । ସାବିତ୍ରୀ ହୋଇପାରିବାର ସମସ୍ତ ପାରିପାର୍ଶ୍ଵିକ ପରିବେଶ ଥିବା ସତ୍ତ୍ଵେ । ମନେପଡ଼ୁଚି ମୋର ସେ ପ୍ରଥମ ରାତିଟିର କଥା ! ଭୁଲ୍ କରିଛି କି ଠିକ୍‌ କରିଛି ଜାଣିପାରି ନଥିଲି–ମାତ୍ର ଏତିକି ଜାଣୁଥିଲି ତାଙ୍କ କଡ଼ରେ ଶୋଇ ଶୋଇ । ପୂରା ଗୋଟାଏ ବଡ଼ମଣିଷର, ପୁରୁଷର ସମସ୍ତ ଉଷ୍ମତା ନେଇ ନେଇ ଯେ, ଏ ଭଦ୍ରଲୋକଙ୍କୁ ଭଲ ପାଇହେବ ନାହିଁ-!

 

ଏ ଅବସ୍ଥାରେ ମଧ୍ୟ ମୁଁ ତାଙ୍କୁ ଭଲ ପାଇଲା ଭଳି ଲାଗୁ ନାହିଁ ବୋଲି । ବନ୍ଧୁବାନ୍ଧବ ଦେଇଥିବା ଅନେକ ଉପହାର ଭିତରେ ବହୁ ଭଲ ଭଲ ଜିନିଷ ଛଡ଼ା ଅନେକ ବହି ମଧ୍ୟ ଥିଲା–

 

‘ଶୁଭ ବାସରରେ’–‘ଶୁଭବିବାହ ଉପଲକ୍ଷେ’, ଏମିତି ସବୁ ଅନେକ ସୁନ୍ଦର ସୁନ୍ଦର ଭାଷାରେ ଲେଖାଥିଲା ସେଥିରେ । ଘରଟା ଭିତରେ ପଶି ପ୍ରଥମେ ସେ ବହିଗୁଡ଼ାକ ଘାଣ୍ଟି ଦେଖିଲେ–ଆଉ ସବୁଠାରୁ ମଜାକଥା, ସେଇ ଅଧ୍ୟାପକ ଦେଇଥିବା ବହି ପ୍ୟାକେଟ୍‌ଟି ଖୋଲିଲେ–କାରଣ ତାଙ୍କର ବହିଗୁଡ଼ିକର ବାଛିବାରେ ରୁଚିବୋଧ ଅନ୍ୟମାନଙ୍କ ଅପେକ୍ଷା ତ ନିଶ୍ଚୟ ଉନ୍ନତ–

 

ସେଥିରେ ପୁଣି ଅଭଦ୍ରଟା ଲେଖିଥିଲା ‘ଗଭୀର ପ୍ରେମ ଓ ଶ୍ରଦ୍ଧାର ସହିତ.... ।

 

ଅତି ମୁଲାଏମ ଭାବରେ ହସି ସେଇଖଣ୍ଡକ ନେଇଆସିଲେ ସେ । ଅକାରଣରେ ଛାତିଟା ଦକ୍‌ଦକ୍‌ ହେଉଥିଲା–

 

କ’ଣ ପଚାରିବେ କି ? ନଭେଲ ପଢ଼ା ମନ ତ !

 

ହାୟ, ସେ ଭଲ କାହିଁକି କ’ଣ ପଚାରନ୍ତେ ?

 

କେବଳ କହିଲେ, ତମକୁ ବୋଧେ ଭାରି ଭଲ ପାଉଥିଲେ ? ଯାହା କୁହ, ଅଧ୍ୟାପକ ଜଣକ ଭୟଙ୍କର ପ୍ରଜ୍ଞାବାନ୍‌–ତାଙ୍କର ଜ୍ଞାନ ପ୍ରତି ମୋର ଗଭୀର ଶ୍ରଦ୍ଧା ଅଛି ।

 

ତା’ପରେ ବହି ପଢ଼ିବାକୁ ଆରମ୍ଭ କଲେ । ମଝିରେ କେବଳ ଟିକେ ଶବ୍ଦ କରି ହସିଦେଇ କହିଲେ, ଯାହାହେଉ ପ୍ରେମ କରୁଥିଲେ ବୋଲି ତ ଏଡ଼େ ସୁନ୍ଦର ବହିଖଣ୍ଡେ ମିଳିଲା । ବହିଟା ସତେ ମୋର ଭାରି ଦରକାର ଥିଲା । ମନେ ମନେ ଖୋଜୁଥିଲି । ତମକୁ ଅଶେଷ ଧନ୍ୟବାଦ ।

 

କଥାଗୁଡ଼ାକ ଶ୍ଳେଷରେ ପରିହାସ କରି କହୁଛନ୍ତି କି କ’ଣ ବୋଲି ମୁଁ ତାଙ୍କ ମୁହଁକୁ ନିରିଖି ନିରିଖି ଚାହୁଁଥିଲି । ସେଇ ଈର୍ଷା, ଅଧ୍ୟାପକଟା ପ୍ରତି ଘୃଣା ତାଙ୍କ ଆଖିରେ ଦେଖିଥିଲେ ବୋଧହୁଏ ଭଲ ହୋଇଥାଆନ୍ତା–ଭଲ ହୋଇଥାନ୍ତା ଯଦି ସେ ମୋତେ ଆଉ ଲକ୍ଷେ ସ୍ଵାମୀ ଯେମିତି ତାଙ୍କ ସ୍ତ୍ରୀଙ୍କୁ ପଚାରନ୍ତି, ତମେ ମୋତେ ଭଲପାଅ କି ନାହିଁ ବୋଲି–ଭାରି ଖୁସି ହୋଇଥାଆନ୍ତି ମୁଁ ଯଦି ଅଭିମାନରେ ସେ ଉଠି ଯାଇଥାଆନ୍ତେ ! କାରଣ ତାଙ୍କୁ ପ୍ରଣାମ କରିବାକୁ ମୁଁ ମନେ ମନେ ନିଜକୁ ତିଆରି କରି ସାରିଥିଲି ।

 

ତାହାହେଲେ ବୋଧହୁଏ, ଏ ନିଃସଙ୍ଗ ଅପରାହ୍ନରେ ମୁଁ ଏକାକୀ ବସି କପ୍‌ ପରେ କପ୍‌ ଚା’ ପିଉ ନ ଥାନ୍ତି !

 

ନା, ସେସବୁ ସେ କିଛି କଲେ ନାହିଁ !

 

ତାଙ୍କର ଏ ଧରଣର ପ୍ରଶ୍ନପାଇଁ ମୋର ସମସ୍ତ ପ୍ରତୀକ୍ଷା, ମୋର ସମସ୍ତ ଉଦ୍‌ବେଗ, ସନ୍ଦେହ, ଆକୁଳତାକୁ ଉପେକ୍ଷା କରି ଅତି ସହଜ, ନିର୍ଲିପ୍ତ ଭାବରେ କଡ଼ ଲେଉଟାଇ ସିଗାରେଟ୍‌ଟିଏ ଲଗାଇଲେ–

 

ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଲେ । ଅନେକ ସମୟ ଧରି ଚାହିଁ ଦେଖିଛି–ସତେ ପଢ଼ୁଚନ୍ତି ନା ମୋଠୁ ଆଉ କିଛି ଚାହୁଁଛନ୍ତି ବୋଲି !

 

ସେ ସତରେ ପଢ଼ୁଥିଲେ ଗଭୀର ମନଯୋଗିତା ସହକାରେ–ପରୀକ୍ଷାବେଳେବି ମୁଁ ଏତେ ମନଯୋଗୀ ହୋଇପାରେନା–ପୂରାପୂରି ଗୋଟାଏ ଉଦ୍‌ଭିନ୍ନ ଯୌବନା ଯୁବତିର ସମସ୍ତ ଉତ୍ତପ୍ତତା ନିଜ ଦେହରେ ମାରି କେହି କେବେ ଏମିତି ବହି ପଢ଼ିପାରେ ?

 

ଏକା ଶଯ୍ୟାରେ ! ଫୁଲଶଯ୍ୟାରେ !

 

ମୁଁ ବିସ୍ମିତ ହେଲି, ମୁଗ୍ଧ ହେଲି, ଦୁଃଖିତା ହେଲି । ଆଉ ମୋର ମିଛ କହି ଲାଭ ନାହିଁ । ନାରୀତ୍ଵର ଆତ୍ମମ୍ଭରିମା ଉପରେ ଦାରୁଣ ଆଘାତ ଲାଗିଲେ । ଅପମାନିତା ହେଲି ମୁଁ । ଯାହା ପ୍ରକାଶ କଲି ନାହିଁ ଅବଶ୍ୟ ।

 

ଅନେକ ସମୟ ବିତିଗଲା । ଗଭାରେ ଯତ୍ନରେ ମଣ୍ଡିଥିବା ଫୁଲ ମୋର ମଉଳି ଆସୁଥାଏ । ହଠାତ ବୁଲିପଡ଼ି ମୋତେ ଚାହିଁଲେ । ମୋ ଆଖି ସାଙ୍ଗେ ତାଙ୍କ ଆଖି ମିଳିଗଲା । ପୁଣି ଟିକେ ହସିଦେଲେ । ମୋତେ କୋଳରେ ଚାପିନେଇ ଚୁମା ଦେଲେ । ଓଠରେ, ଆଖିପତାରେ, ଗଣ୍ଡରେ ।

 

ମୋ ମୁହଁକୁ ପୁଣିଥରେ ଆଖି ପୂରାଇ ଚାହିଁଲେ । କହିଲେ, ସତରେ ପ୍ରେମ ଭାରି ସୁନ୍ଦର । ମୁଁ ଭାରି ଭାଗ୍ୟବାନ୍‌ । ମୁଁ ଲାଜେଇ ହସିଲି । ତାଙ୍କ ଦେହରେ ଜଡ଼ି ଯାଉଥିଲି । ପୁଣିଥରେ ଚୁମା ଦେଇ କହିଲେ, ଆଉ ଟିକେ ରୁହ, ସୁନାଟା ପରା । ଆଉ ଅଳ୍ପ କେଇଟା ପୃଷ୍ଠା ଅଛି । ସାରିଦିଏ କି... ! ଶିହରଣ ଆସୁଥିଲା–ଦେହ ମୋର ଉଲୁସି ଉଠିଥିଲା–ଉଠୁଥିଲା ।

 

ହଠାତ ଦମ୍‌ କରି ବନ୍ଦ ହୋଇଗଲା । ଶ୍ଵାସରୋଧ ହୋଇଗଲା ମୋର । ବେପଥୁ,...ଯୌନ ଦୁର୍ବଳତା ଲୋକେ ଯାହାକୁ କହନ୍ତି, ଆସିବା ଆଗରୁ ତା’ର ଗଳା ରୁଦ୍ଧ ହୋଇଗଲା ।

 

ଅଥଚ, ଲୋକଟା ନପୁଂସକ ନୁହେଁ । ଶାରୀରିକ କୌଣସି ଅସ୍ଵଚ୍ଛନ୍ଦତା ତାଙ୍କଠାରେ ନାହିଁ । ସାଦାସିଧା ସାଧାରଣ ପୁରୁଷଟିଏ ! ଆଉ ପୁରୁଷମାନଙ୍କ ଭଳି ।

 

ସତେ ଯେମିତି ଏଇ ଗୋଟିଏ ଘଟନାକୁ ମୁଁ ଅପେକ୍ଷା କରି ରହିଛି । ଆଖିରେ ଆଖିଏ ନିଦ ପୂରାଇ ଚେଇଁ ରହିଛି, ଅନାଇ ରହିଛି କେବଳ ଏଇଥିପାଇଁ ! ହଁ...ଆଉ ଟିକେ ରୁହ, ସାରିଦିଏ... ! ସାରିଦିଏ ଏଇ କେଇଟି ପୃଷ୍ଠା...

 

ବିରକ୍ତି ଆଉ ବିଶ୍ଵାଦରେ ମନଟା ତିକ୍ତ ହୋଇଗଲା । କିନ୍ତୁ ମୁଁ ଶୋଇପାରିଲି ନାହିଁ–ଚେଷ୍ଟା କରି ମଧ୍ୟ ।

 

ତା’ପରେ ଅବଶ୍ୟ ସେ ଘଟନା ଘଟିଲା । ମାମୁଲି...କାୟ ମନୋବାକ୍ୟରେ ମୁଁ ବି ଭାବୁଥିଲି ସେତେବେଳେ ଯେ ଏଇଟା ଘଟିବାର ଅଛି–ଘଟେ–ଅତି ସାଧାରଣ–ମାମୁଲି କଥାଟାଏ ତେଣୁ ଘଟ...ଯାଏଁ ଆସେନା କିଛି !

 

ସେତେବେଳେ ଅନେକ କଥା କହିଛନ୍ତି ସେ । ବହୁପ୍ରକାରର ଦଶନ, ଚାଟୁ । ଫୁସ୍‌ଫୁସ୍‌ କରି କାନ ପାଖରେ ମୋର କେତେ କଥା–ଓମରଖାୟାମଙ୍କର ସେ ବହୁ ଉଦ୍ଧୃତ ପଂକ୍ତିଟା– । ରୁଟି, ଖଣ୍ଡକବିତା ବହି, ଯା’ରେ ମଦ ଆଉ ତମେ ପାଖରେ ଥିଲେ, ମୋପାଇଁ ନିବିଡ଼ ଜଙ୍ଗଲବି ସ୍ଵର୍ଗ ହୋଇଉଠିବ !

 

ଏମିତି ସବୁ ଅନେକ...ଅନେକ କଥା । ମୁଁ କିନ୍ତୁ କିଛି ଶୁଣୁ ନଥିଲି–କିଛି ବୁଝୁ ନଥିଲି । ହୁଏତ ଶୁଣୁଥିଲି, କାରଣ କାନ ମୋର ତ ଖରାପ ନଥିଲା । କଥାଗୁଡ଼ାକ କିନ୍ତୁ ନ ବୁଝିବାପାଇଁ, ନ ଶୁଣିବାପାଇଁ ଚେଷ୍ଟାହିଁ କରୁଥିଲି ହୁଏତ–

 

କ୍ଳାନ୍ତ, ଶ୍ରାନ୍ତ ହୋଇ ସେ ଶୋଇପଡ଼ିଲେ । ରାତି ସେତେବେଳକୁ ସରି ସରି ଆସୁଥାଏ ।

 

ବହିଟା ବେଶ୍‌ ଅନେକ ପୃଷ୍ଠାର ।

 

ସକାଳୁ ଉଠିଲା ବେଳକୁ ଆମେ ପରସ୍ପରକୁ ଜଡ଼ାଇ ଧରି ଶୋଇଚୁ । ପରସ୍ପରର ଅତି ନିବିଡ଼ ଆଶ୍ଳେଷ ଭିତରେ ଅଛୁ ଆମେ । ହୁଏତ ନିଜ ନିଜର ଅଜାଣତରେ । ଅର୍ନାତରେ । ଅଲକ୍ଷ୍ୟରେ ।

 

ଶିଶୁ ଦୁଇଟିଙ୍କୁ ଏକାଠି ଶୁଆଇଦେଲେ ଯେମିତି ପରସ୍ପର ଉପରେ, ଗୋଡ଼ ଲଦାଲଦି ହୋଇ ଶୋଇଥାଆନ୍ତି । ଚେତା ନ ଥାଏ । ଜାଣନ୍ତି ନାହିଁ ଯେ, ଅନ୍ୟଟିବି ସେମିତି ତା’ରି ଭଳି ମଣିଷ ଛୁଆଟିଏ ! ଉଚିତ ଅନୁଚିତ ନ ବୁଝି, ନିଃସହାୟ, ଅସହାୟର ସହାୟ ଲୋଡ଼େ ।

 

ଅନେକଟା ସେମିତି ।

 

ଭାବୁଥିଲି । ଅନେକ ସମୟ ଧରି ଭାବିଛି ତା’ ପରଦିନ–ତା’ ପରଦିନ–ତା’ ପରଦିନ । ଏମିତି ବହୁଦିନ ଧରି ।

 

ଆଜିବି, ଏଇତ ଭାବୁଛି ବସି । ଏ ଆସନ୍ନ ସନ୍ଧ୍ୟାର ପ୍ରାୟାନ୍ଧକାର ମୁହୂର୍ତ୍ତଗୁଡ଼ିକରେ– ! ଶେଷ ନାହିଁ ଏ ଭାବନାର, ଏ କଳନାର, ଏ ଅନୁଧ୍ୟାନର । ଲୋକଟି ଶିଶୁ ଭଳି ସରଳ । ପୁଣି ପଶୁ ଭଳି ନିରଙ୍କୁଶ ।

 

ତା’ପରେ ଅନେକ ଦିନ, ଅନେକ ବର୍ଷ ବିତିଯାଇଛି । ବିତାଇଲିଣି ତାଙ୍କ ସହିତ । ସେଇ ଧାରଣା ମୋର ପରିବର୍ତ୍ତିତ ହୋଇ ନାହିଁ । ଶ୍ରଦ୍ଧା କିନ୍ତୁ ବଢ଼ିଛି, ସ୍ନେହ ବଢ଼ିଛି । କାରଣ, ଏକାଠି ଏକା ଘରେ ରହିଲେ କୁକୁର ଛୁଆଙ୍କରବି ବନ୍ଧୁତ୍ଵ ହେବ ! ସେମାନେବି ପରସ୍ପରର ଭଲମନ୍ଦ ବୁଝିବେ ।

 

ସିଏ କିନ୍ତୁ ସତରେ ଅଧିକ ବୁଝନ୍ତି । ବହୁତ ବେଶି ତତ୍ତ୍ଵ ନିଅନ୍ତି । ଏତେ ବେଶି ଯେ, ଅନେକ ସମୟରେ ଅତିଷ୍ଠ କଲାଭଳି ଅବସ୍ଥା ପହଞ୍ଚେ । ରାଗିବାପାଇଁ ତାଙ୍କ ଉପରେ ଅନେକ ଚେଷ୍ଟା କରିଛି । ଘୃଣା କରିବାପାଇଁ ଚେଷ୍ଟା କରିଚି ମଧ୍ୟ ଅନେକ; ଯଦି ଅବଶ୍ୟ ଘୃଣା ଭଲ ପାଇବାର ବିପରୀତ ନ ହୋଇଥାଏ । କାରଣ, ଭଲ ପାଇବାପାଇଁବି ତ ଚେଷ୍ଟାବି କରିଛି ! ନା, ଏଥିରୁ କୌଣସିଟିରେ ସଫଳ ହୋଇ ନାହିଁ । ନା ଘୃଣା, ନା ରାଗ, ନା ଭଲ ପାଇବା । କେବଳ ସହନଶୀଳତାହିଁ ବଢ଼ିଛି । ତାଙ୍କୁ ମୁଁ ସହି ନେଇଛି, ଆଉ ଶ୍ରଦ୍ଧା କରିଚି ।

 

ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ତାଙ୍କର ଏମିତି ବ୍ୟବହାର ଦେଖିହିଁ ତାଙ୍କ ସହିତ ଭଲ ପାଇବା ଖେଳ ଆରମ୍ଭ କରିଥିଲି ମୁଁ । ତାଙ୍କର ଏମିତି ବ୍ୟବହାର ମୋତେ ହୁଏତ ପହିଲୁ ଜଣା ଥିଲା ।

 

ଆଉ, ତାଙ୍କୁ ନୁହେଁ । ତାଙ୍କର ଏ ଖାମ୍‍ଖିଥାଲି ଭାବ, କୌଣସି କଥା ପ୍ରତି ଅଧିକ ଧ୍ୟାନ ନ ଦେବା–ନିର୍ଲିପ୍ତ ନିର୍ଲିପ୍ତ ଭାବ; ଏଇସବୁକୁହିଁ ମୁଁ ଭଲ ପାଉଥିଲି । ମାନେ, ପୂରା ମଣିଷଟାକୁ ନୁହେଁ, ତାଙ୍କର କେତେଟା ଗୁଣ ମୋତେ ଭଲ ଲାଗୁଥିଲା । ତା’ ଛଡ଼ା କାହାକୁ ଜଣକୁ ତ ବିବାହ କରିବାକୁହିଁ ହେବ ।

 

ଜୀବନକୁ ଏ ଦେଶରେ ଅନ୍ତତଃ ଜଣେ ଝିଅ ଏତେ ବଙ୍କା ଭାବରେ ବିତେଇ ଦେଇପାରିବ ନାହିଁ । ପାରେନା ବୋଧହୁଏ । ଏବଂ ସେ ଦୃଷ୍ଟିରୁ ଇଏ ଅତି ଚମତ୍କାର ହେବେ ।

 

ଆଜି କିନ୍ତୁ ଭାବୁଚି, କି ବିଡ଼ମ୍ବନା ସତେ ଇଏ ! ମଣିଷର ମନ ପୁଣି ଏତେ ବିଚିତ୍ର ହୋଇପାରେ ?

 

ଆଶ୍ଚର୍ଯ୍ୟ, ବିସ୍ମୟକର, ଅଭୂତପୂର୍ବ ଆଉ ବିଚିତ୍ର ଏ ମଣିଷର ମନ ! ମୁହୂର୍ତ୍ତରେ ଲକ୍ଷଯୋଜନ ସମ୍ପ୍ରସାରିତ ହୋଇପାରେ ! ପୁଣି ପରକ୍ଷଣରେ ସଂକ୍ଷିପ୍ତ ହୋଇ, ସଂକୁଚିତ ହୋଇ ମୂଷାଛୁଆଙ୍କ ଭଳି ନିଜ ଗାତ ଭିତରେ ପଶିଯାଇପାରେ ! ମଣିଷ ଅସାଧ୍ୟମାନ କରୁଛି–ଗ୍ରହ ଗ୍ରହାନ୍ତର ଜୟ କରୁଛି–ସମୁଦ୍ରର ଗଭୀରତା କଳ୍ପନା କରୁଛି–ସବୁ କରୁଛି ! ହେଲେ, ତା’ରି ଦେହ ଭିତରେ କେଉଁ କୋଣରେ ଛପି ରହିଥିବା ତା’ର କୁନି ମନଟା ତା’ ନିକଟରେ ସବୁଠାରୁ ଅଜ୍ଞେୟ, ଦୁର୍ଜ୍ଞେୟ ହୋଇ ରହିଯାଉଛି, ରହିଯାଇଛି । ନ ହେଲେ ସାଧାରଣ ଭାବରେ ବୁଦ୍ଧିମତୀ ମୁଁ–ଶିକ୍ଷିତା ମଧ୍ୟ । କେହି ମୋତେ କୁରୁପା ବୋଲି କେବେ କହି ନାହାନ୍ତି ।

 

ଅଥଚ, ଏପରି ଏକ ସିଦ୍ଧାନ୍ତ କରିବସିଲି ମୁଁ କେମିତି ? ଦିନେ ଦିନେ ରାତିରେ ହଠାତ ସେ ମାଛ ବିଷୟରେ ଗପିବାକୁ ଆରମ୍ଭ କରନ୍ତି । ପୃଥିବୀରେ କେତେ ପ୍ରକାରର ମାଛ ଅଛନ୍ତି । କି କି ରଙ୍ଗର ସବୁ ! କେଉଁ ଦେଶରେ ମାଛ କେମିତି । ଏମିତି ଅନେକ ଅନେକ କଥା ମାଛ ବିଷୟରେ-

 

ପୁଣି ଦିନେ ଦିନେ ଗପି ବସନ୍ତି, ପୃଥିବୀରେ ଆମେରିକା ଯୁଦ୍ଧ ଲଗାଇବା ପାଇଁ ବ୍ୟାକୁଳ କାହିଁକି, ରଣସଜ୍ଜାରେ ତା’ର ବ୍ୟୟ କେତେ, ପୁଞ୍ଜିବାଦୀ ଦେଶ କ’ଣ କ’ଣ କରନ୍ତି ?

 

ମୁଁ କିଛି ବୁଝେ–ଅନେକ ବୁଝେନା । ବୁଝିବା ଉଚିତ ବା ଆବଶ୍ୟକ ବୋଲି ମଣେନା । ବୋକାଙ୍କ ଭଳି ତାଙ୍କ ମୁହଁକୁ ଚାହିଁ ରହି, ଲୋକଟାର ଅସୀମ ଜ୍ଞାନ ଆଉ ଜ୍ଞାନପିପାସାର ତାରିଫ କରେ । ମନେ ମନେ ଇଚ୍ଛା ହୁଏ–ମୁଁ ଏମିତି ହୋଇପାରନ୍ତି କି ?

 

ପୁଣି ବେଳେବେଳେ ସେଇ ମନକଥା ଭାବେ । ମୋ ମନ ଆଉ ୟାଙ୍କ ମନର ତଫାତ ଦେଖେ । ମୋ ମନ ମୋତେ ଜଳାଉଛି । ୟାଙ୍କ ମନ ୟାଙ୍କୁ ଏମିତି କରିଛି, ହିମଶୀତଳ କରି ତୋଳିଛି ।

 

ସବୁଠାରୁ ଆକସ୍ମିକ ଭାବରେ ଦିନେ ଦିନେ ସେ ମନର କଥା, ମନସ୍ତତ୍ତ୍ଵର କଥା ଗପି ବସନ୍ତି । ମୋ ମନକୁ ବିଶ୍ଳେଷଣ କରନ୍ତି । ନିଜ ମନ ବିଶ୍ଳେଷଣ କରନ୍ତି । ଆଉ ସଠିକ ଭାବରେ ଏଇ ସବୁ କଥା, ମୋର ଭାବଧାରା–ତାଙ୍କ ବିଷୟରେ ମୁଁ କ’ଣ ଭାବୁଚି, ମୁଁ ଯେ ତାଙ୍କୁ ଭଲ ନ ପାଇ କେବଳ ଶ୍ରଦ୍ଧା କରୁଛି, ଆଉ ସେ ମୋତେ ଅତି ନିବିଡ଼ ଭାବରେ ଭଲ ପାଇଲେ ମଧ୍ୟ, ତାଙ୍କ ଭଲପାଇବାର ବହିଃପ୍ରକାଶ ନାହିଁ–ଭଲ ପାଇବାଟାକୁ କୌଣସି ଉପାୟରେ ଆଉ ଲୋକଙ୍କ ଭଳି ପ୍ରକାଶ କରିପାରୁ–ନାହାନ୍ତି–ପାରିବେ ନାହିଁ । ସେଇସବୁ କଥା, କହିଯାଆନ୍ତି ।

 

ଯେମିତି ମୁଁ ତାଙ୍କର ବାଧ୍ୟ ଛାତ୍ରୀଟିଏ, ଆଉ ସେ ଜଣେ ପ୍ରବୀଣ ଶିକ୍ଷକ । ଅଥଚ ଆମେ ଏକା ବିଛଣାରେ ଲଗାଲଗି ହୋଇ ଶୋଇଥିବା ସ୍ଵାମୀସ୍ତ୍ରୀ ! ଆଉ କିଛି ନୁହ !

 

ଶବ ନୁହ; କାରଣ ତାତି ଅଛି । ଛୁଇଁଲେ ଜାଣିହଉଛି । ଚିମୁଟିଲେ କାଟୁଛି । ଆମେମାନେ ମଣିଷ ! ଆଉ, ଅତିମାତ୍ରାରେ ମଣିଷ । କାରଣ, ମଣିଷ ନ ହୋଇଥିଲେ ଏମିତି ଘଟନ୍ତା ନାହିଁ ବା ଘଟିବା ସମ୍ଭବ ହୁଅନ୍ତା ନାହିଁ ! ମଣିଷହିଁ କେବଳ ଏମିତି ଦିନ ପରେ ଦିନ ଜଣକୁ ସହିପାରେ, ଗ୍ରହଣ କରି ନେଇପାରେ । ସବୁ କରିପାରେ ମଣିଷ । ଆଉ ଆମେ ସେଇ ମଣିଷ ଭିତରୁ ଦୁଇଜଣ ।

 

ଦିନେ ଦିନେ କଥା କହୁ କହୁ ହଠାତ ସେ ସଚେତନ ହୋଇଯାଆନ୍ତି ଯେ, ମୁଁ ତାଙ୍କୁ କେବଳ ଚାହିଁ ରହିଛି ଏବଂ କିଛି ଶୁଣୁ ନାହିଁ ବା ବୁଝୁ ନାହିଁ ! ବରଂ ବିପରୀତ ପକ୍ଷରେ ଭୟଙ୍କର ବୋରିଂ ଲାଗୁଛି ମୋତେ କଥାଗୁଡ଼ାକ । ହସିଦିଅନ୍ତି ଫିକ୍‌କିନା ।

 

କହନ୍ତି–ତମକୁ ବୋଧହୁଏ ମୋ କଥା ଖରାପ ଲାଗୁଥିବ ! ମୁଁ ଜାଣେ ତମେ ଏ ସବୁଥିରେ ଆଗ୍ରହୀ ନୁହ–କିନ୍ତୁ କ’ଣ କରିବି କହିଲ ? ଆଉ କାହା ଆଗରେ କହିବି ଏସବୁ କଥା ? ତମେ ତ ମୋର ସବୁଠାରୁ ଆପଣାର !

 

ତା’ପରେ ପୁଣି ଆରମ୍ଭ କରନ୍ତି ତାଙ୍କ କଥା । ଆଉ ମଝିରେ ଥରେ ଥରେ କହନ୍ତି ମୋ ଗାଲରେ ହାତ ମାରିଦେଇ, ମୋତେ କୋଳକୁ ଭିଡ଼ି ନେଇ ବା ଚୁମାଟାଏ ଦେଇ ଦେଇ........ଆଉ ଟିକେ...ଟିକେ ରୁହ କି...ମୋ କଥାଟା ସରିଯିବ ଯେ !

 

ମୁଁ କୁଆଡ଼େ ଯିବାକୁ ଚାହୁଁଚି କି ? ଅବା ପଳେଇବେ ସେ ?

 

ଏ ଅପେକ୍ଷା କରିବାକୁ ଇଙ୍ଗିତ କ’ଣ ପାଇଁ ? ମୁଁ ନିର୍ଲଜ୍ଜ ହୋଇ ହସିଦିଏ ଟିକେ । ସତେ ଯେମିତି ଉଦଗ ଆବେଗ ନେଇ ! ମୁଁ କେବଳ ଏଇଥିପାଇଁ ରାତି ରାତି ଧରି ଜାଗି ଜାଗି ଅଛି-!

 

କାମନା ଯେମିତି ମୋର ଅସମ୍ଭବ, ପ୍ରବଳ । ମୁଁ ଯେମିତି ଗୋଟାଏ ଯୌନ ଆବେଦନର ମୂର୍ତ୍ତ ପ୍ରତୀକ ! ତଥାପି ହସିଦିଏ ! କାରଣ, ସତରେ ବେଳେବେଳେ ଦେହ କ’ଣ ଚାହୁଁଥାଏ ! ଅବଶ ଲାଗୁଥାଏ !

 

ମଦୁଆକୁ ମଦ ନ ପିଇଲା ଯାଏଁ ଯେମିତି ଲାଗେ ହୁଏତ !

 

ତା’ପରେ... ।

 

ତା’ପରେ ସେ ତାଙ୍କ କର୍ତ୍ତବ୍ୟ ସମାପନ କରନ୍ତି... !

 

ନିତ୍ୟନୈମିତ୍ତିକ କର୍ତ୍ତବ୍ୟ ! ଦାୟିତ୍ଵବୋଧ ଅଛି ତ ! ତା’ ପୁଣି ଅତି ନିଷ୍ଠାପର ଉପାୟରେ ! ଏ ବ୍ୟବହାରଗୁଡ଼ାକ କେଉଁ ବହିରୁ ପଢ଼ିଥାଆନ୍ତି କି କ’ଣ କେଜାଣି ? ବୋଧହୁଏ ପଢ଼ିଥାଆନ୍ତି !

 

ବେଶ୍‌ ଭଲ ଲାଗେ । ଶୋଇପଡ଼େ–

 

ଜୀବନ ଦେଇ ଜଣକୁ ସହିଯିବାକୁ ଭକ୍ତି, କରିବାକୁ ଶିଖିଯାଏ–ଇସ, ଆଉ ଟୋପାଏବି ଚା’ ନାହିଁ–କେଟଲିଟା ଶୂନ । ଫ୍ଳାସ୍କଟରେ ଢାଳି ରଖିଥିଲି ସେଇଟା ବା ଫାଙ୍କା । ଦୁଇ ତିନି ଟୋପା ମାତ୍ର ଗଳିପଡ଼ିଲା ସେଥିରୁ । ନା, ଆଉ ଚାହା କରିବି ନାହିଁ । ଅନେକ ଚା’ ପିଇଲିଣି ଏଇଠି ଏମିତି ବସି ବସି । କେତେବେଳେ ଯେ ଏସବୁଗୁଡ଼ାକ ପିଇଯାଇଛି ଖିଆଲ ନାହିଁ ।

 

ସଞ୍ଜ ବୁଡ଼ିଗଲାଣି । ଢେର୍‌ ବେଳୁ । ମୁହଁ ଅନ୍ଧାର ଭିତରେ ନିଜ ହାତଟା, ଦେହଟା ଝାପ୍‌ସା ଦିଶିଲାଣି ।

 

ରାସ୍ତା ସେକଡ଼ ବତିଖୁଣ୍ଟଟାରେ ଆଲୁଅଟା ଜଳିଲାଣି । କେତେବେଳୁ ଜଳିଲାଣି କେଜାଣି ? ଘର ଭିତରଟା କିଟିକିଟି ଅନ୍ଧାର ଦିଶୁଛି । ଆକାଶଟା ପୁଣି କଳା ଛାଇଗଲାଣି । ଅଳ୍ପ କେତେଟା ତାରା ମିଟିମିଟି କଲେଣି ଆସି ।

 

ଆଜି ବୋଧହୁଏ ଜହ୍ନ ନାହିଁ । କି ପଛେ ଉଠିବ ! ଆଉ ଟିକେ ଗଲେ ବାକି ତାରାଗୁଡ଼ାକ ସବୁ ଆକାଶଟାସାରା ଛାଇ ହୋଇଯିବେ ଅଗଣିତ, ଅଗଣନ ଟିକିଟିକି ମିଟିମିଟି ତାରା ! ଭରିଯିବ ଆକାଶ ଅଗଣା । ଜହ୍ନିଫୁଲଗୁଡ଼ାକରେ ଯେମିତି ନୀଳଗଛଟା ଛାଇ ହୋଇଯାଇଥାଏ !

 

ଜହ୍ନିଫୁଲ ଠୋଠା !

 

ଆହା ! ପିଲାଦିନଗୁଡ଼ିକ ! ଆଉଥରେ ଫେରିଆସନ୍ତା କି ? ରୁପା ଥାଳିପଟ ପରି ଜହ୍ନ ! ଚହଟ ଚାନ୍ଦିନୀ ରାତି । ଆମ୍ବ, ନଡ଼ିଆ ଗଛର ପତରର ଫାଙ୍କରେ ଫାଙ୍କରେ ଜହ୍ନ ଆଲୁଅର ଲୁଚକାଳି ଖେଳା ମଉଛବ ।

 

ତୋଟାରେ ତୋଟାରେ ଫେରନ୍ତି ମହୁମାଛିଙ୍କର ଗୁଞ୍ଜନ ! କୁଆଁର ପୁନେଇଁର ସେ ମଧୁର ଜହ୍ନ । ପିଲାଦିନର ଜହ୍ନମାମୁ ! ଆ’ ଜହ୍ନମାମୁ ସରଗଶଶୀ ।

 

ନା, ସେ ଜହ୍ନମାମୁଟା କୁଆଡ଼େ ମରି ହଜିଗଲାଣି ଏ କଳା ଅନ୍ଧାର ରାତି ଭିତରେ । ଏଯାଏଁ ତ କାହିଁ ଖସିପଡ଼ିଲା ନାହିଁ ! କେତେ ଲୋଭ ! ଅସୀମ ଆକାଂକ୍ଷା–ସବୁ ପୋଡ଼ି ପାଉଁଶ ହୋଇଗଲା !

 

ଫୁଲ ବଉଳବେଣୀ । କୁଆଁର ପୁନେଇଁ ଜହ୍ନଲୋ–

 

ଚାରୁ ଲବଙ୍ଗଲତା ।

 

ଛୋଟ ଛୋଟ ଝିଅପିଲାଙ୍କ ମେଳ । ବଡ଼ବଡ଼ ବଢ଼ିଲା ଝିଅଙ୍କ ମେଳ ଅଲଗା । ନୂଆ ନୂଆ ବୋହୂଙ୍କର ଦଳ ଅଲଗା । ଗୋଲ ଜହ୍ନମାମୁ ତାକୁ ଚାହିଁ ଚାହିଁ ସବୁ ଭୁଲି ହୋଇଯାଉଥିଲା ।

 

ସିଏବି ଏମିତି ଏକ ସନ୍ଧ୍ୟା ! ଜହ୍ନମାମୁ ଆଉ ଆସିବ ନାହିଁ । ଜହ୍ନ ଆଜି ଉଇଁବ ନାହିଁ ! ନିଷ୍ଫଳ ଏ ସନ୍ଧ୍ୟା । ଆଉ ଟିକକରେ କଳାରାତିର ପଣତ ଭିତରେ ମିଳେଇଯିବ ଏ ସଞ୍ଜର ସରାଗ । ମୁହଁସଞ୍ଜ ସନ୍ଧ୍ୟାରେ ପରିଣତ ହେଲାଣି । ସନ୍ଧ୍ୟା ରାତ୍ରିରେ ବିଲୀନ ହୋଇଯିବ । ରାତି ଗୁମୁରି ଗୁମୁରି ବଢ଼ିଚାଲିବ ସକାଳ...ଆଗାମୀ ସକାଳକୁ ଭେଟିବାକୁ ।

 

ମୁଁ ଏଇଠି ଏମିତି ବସିଛି । କାହିଁକି ଉଠିବି ? ହେଇ ସେକଡ଼ରେ ଅଯତ୍ନରକ୍ଷିତ ତୁଳସୀଚଉରା ଦେଖାଯାଉଛି । ତୁଳସୀ ଗଛଟା ମରି ମରି ବଞ୍ଚି ରହିଛି ଅକାଳରେ । ଏଇ ମାର୍ଚ୍ଚରେ ମରିଯିବ ପାଣି ନ ପାଇ । ପବିତ୍ର ବୃନ୍ଦାବତୀ ନାରୀଙ୍କର ସୌଭାଗ୍ୟର ଅଧିଷ୍ଠାତ୍ରୀ ଦେବୀ ! ଏବେ ଲକ୍ଷ କୋଟି ନାରୀ ତୁଳସୀଚଉରାମୂଳେ ବୃନ୍ଦାବତୀଙ୍କ ନିକଟରେ ପ୍ରଣତି ଢାଳି ଦେଉଥିବେ ପତି, ସନ୍ତାନର ଶୁଭକାମନା କରି ।

 

ହେ ମା’ ବୃନ୍ଦାବତୀ–ତାଙ୍କର ମଙ୍ଗଳ କର । ସନ୍ତାନକୁ ମୋର ଶୁଭରେ ରଖ । ମନୋବାଞ୍ଛା ପୂର୍ଣ୍ଣ କର । ଅହିସୁଲକ୍ଷଣୀ କର ! କାଚ ବଜ୍ର ହେଉ । କାହାପାଇଁ ବାଢ଼ିବି ପ୍ରଣତି ? କାହାପାଇଁ ସଞ୍ଚିତ ଆବେଗ ନେଇ ଏ ସଞ୍ଜରେ ବେକରେ ଲୁଗାକାନି ଗୁଡ଼ାଇ ସଞ୍ଜସଳିତା ଘିଅରେ ଜାଳି, ଧୀର ପଦକ୍ଷେପରେ ଯାଇ ତୁଳସୀଚଉରାମୂଳରେ ମୁଣ୍ଡିଆ ମାରିବି ? କରିବି କାହାର ଶୁଭକାମନା ?

 

ବିଦେଶାଗତ କାହାପାଇଁ ଭରି ଉଠିବ ମୋର ସଜଳ ଆଖିପତା–ଥରି ଉଠିବ ଓଠ ? କାହାର...କାହାର କଲ୍ୟାଣ କାମନାରେ ?

 

ସୀମନ୍ତର ସିନ୍ଦୂରକୁ ଉଜ୍ଜ୍ୱଳ କରି ରଖିବାର କାମନାରେ ? –ସୀମନ୍ତରେ ମୋର ସିନ୍ଦୂରରେଖା ନାହିଁ । କପାଳରେ ମୋର କୁଙ୍କୁମ ବିନ୍ଦୁ । ମୁଁ ସୀମନ୍ତିନୀ ନୁହେଁ । ଅବା ବିଧବା ମଧ୍ୟ ନୁହେଁ । ମୁଁ...ମୁଁ ଜଣେ ନାରୀ । କେବଳ ଜଣେ ନାରୀ...ଆଉ ଅତିମାତ୍ରାରେ ନାରୀ ।

 

ବେଦନାବିଧୁର ପ୍ରଣୟିନୀ ନୁହେଁ । ପ୍ରଣୟବିହ୍ଵଳା କାମିନୀ ନୁହେଁ । ବାରାଙ୍ଗନା ନୁହେଁ, କିଛି ନୁହେଁ । ବଞ୍ଚି ରହିବାର, ନିଜକୁ ବଞ୍ଚାଇ ରଖିବାର ଅଦମ୍ୟ କାମନା ନେଇ, ଆଉ ହସିଖୁସି ମଉଜରେ ବଞ୍ଚିବାର ବାସନା ନେଇ ସାଧାରଣ ନାରୀଟିଏ । ଯୁବତୀ ହୋଇପାରେ । ଏଣୁ ସଞ୍ଜସଳିତା ମୁଁ ଜାଳୁ ନାହିଁ । ମୁଣ୍ଡିଆ ମୁଁ ମାରୁନାହିଁ । ଅବା, କରୁନାହିଁ କାହାର କଲ୍ୟାଣ କାମନା !

 

ପତି ଅଦର୍ଶନରେ ବିଧୁରା, ଗ୍ରାମ୍ୟ ସୀମନ୍ତିନୀ ନୁହେଁ ମୁଁ । କର୍ତ୍ତବ୍ୟହୀନ, ଅବସରମୟ, ଅବସାଦଗ୍ରସ୍ତ ସନ୍ଧ୍ୟା ବିତାଇବା ପାଇଁ । ଏଣୁ ମୁଁ ଏଠି ଏମିତି ବସି ବସି ରହିବି ! ସନ୍ଧ୍ୟା ବିତିଯିବା ପର୍ଯ୍ୟନ୍ତ !

 

ତୁଳସୀଚଉରା କଳା ଅନ୍ଧାରରେ ଲୁଚିଗଲା ପର୍ଯ୍ୟନ୍ତ !

 

ତୁଳସୀଚଉରଟା ଲୁଚିଗଲାଣି କେତେବେଳୁ । ସଞ୍ଜ ବିତିଗଲାଣି ।

 

କଳା ଅନ୍ଧାରର ବନ୍ୟାରେ ଆକାଶଟା ବୁଡ଼ିଗଲାଣି । ଗଛଲତା, ସେ ଅଶ୍ୱତ୍‌ଥ ଗଛଟା, ଡାଆଣୀ ବୁଢ଼ୀର ଟିଣ ଘରଟା, ପାଖ ପୋଖରୀର ନୀଳ ଜଳ ଆସ୍ତରଣ ସବୁ କଳା ବନ୍ୟାରେ ବୁଡ଼ିଗଲାଣି !

 

ଅନ୍ଧାର ! କଳା ମଚମଚ, କିଟିକିଟି ଅନ୍ଧାର ରାତି !

 

ଟିକକ ଆଗରୁ ପୁଣି ଅସରାଏ ବର୍ଷା ଏବେବି ବର୍ଷାର ଶେଷ କେଇବିନ୍ଦୁ ଝରି ଝରି ପଡ଼ୁଛି ଅନ୍ଧାର ଭିତରେ ।

 

ଆହୁରି ଅସରାଏ ବର୍ଷା ହୁଏତ ହୋଇପାରେ । କାରଣ ଆକାଶଟାସାରା ବର୍ଷାର ସେଇ ଥମ ଥମ ଭାବ ରହିଛି । ବିଷଣ୍ଣ ଏ ସନ୍ଧ୍ୟାରେ, ବଡ଼ ଉଦାସ ଲାଗୁଥିଲା–ବର୍ଷା ଫାଙ୍କା ଫାଙ୍କା ଲାଗୁଥିଲା–ଲାଗୁଛି ମଧ୍ୟ । କ’ଣ ଯେମିତି ହଜାଇ ଦେଇଛି–ଉଜାଡ଼ି ଦେଇଛି !

 

ହଜି ଯାଇଥିବା ସେ ଜିନିଷଟି ଆଉ ଅବା ପାଇବି ନାହିଁ–ମିଳବ ନାହିଁ ! ବଡ଼ ଉଦାସ ଉଦାସ–ହତାଶ ଲାଗୁଛି । କେବେ ଏମିତି ତ ଲାଗେନା ! କାହିଁକି କେଜାଣି ?

 

ଅକସ୍ମାତ୍‌ ମନଟା ହେଉଛି ବଡ଼ ଦାର୍ଶନିକ, ଦାର୍ଶନିକ କଥା, ସବୁ ବଡ଼ବଡ଼ ଚିନ୍ତାଧାରା ଆଉଡ଼େଇ ଯିବାକୁ ଅଚାନକ ଭାବରେ ।

 

ପବନରେ ପବନରେ, ଫୁଟନ୍ତା ରଜନୀଗନ୍ଧାର ମହକ । ଓଦା ଓଦା ଘାସଫୁଲର ଜଙ୍ଗଲ ସୌରଭ– ।

 

କିଛି...କିଛି କିନ୍ତୁ ଭଲ ଲାଗୁ ନାହିଁ ! କିଛି ଭଲ ଲାଗୁ ନାହିଁ ଆଦୌ ।

 

ସନ୍ଧ୍ୟା ଆଗରୁ ଦୂରରୁ ପାଉଁଶିଆ ପାହାଡ଼ଟା କିଛି ସମୟପାଇଁ ଖୋଲା ଅଗଣା ଆଉ ପାଚେରି ଦେଇ ମୁଣ୍ଡ ଟେକିଥିଲା । ଆଖିଟା ଆଗେଇ ଯାଉଥିଲା ତା’ର ଉଚ୍ଚତାକୁ ସ୍ପର୍ଶ କରିବାପାଇଁ ବିରାଟତା ଆଡ଼କୁ ।

 

ଉପରେ ତା’ର ବଡ଼ବଡ଼ ଟିକ୍‌ ଗଛର ପ୍ଳାଣ୍ଟେସନ୍‌ । ଦେଖାଯାଉଥିଲା ଯେମିତି ଧାଡ଼ି ବାନ୍ଧି ଛିଡ଼ା ହୋଇଛନ୍ତି ସଶସ୍ତ୍ର ସୈନିକମାନେ । ଅବା ମାର୍ଚ୍ଚିଂ କରି ଆଗେଇ ଯାଉଛନ୍ତି ।

 

ନା–ଆଉ ଦେଖାଯାଉ ନାହିଁ, ପାହାଡ଼ର ସେ ଚୂଡ଼ା–ଖୋଲା ସେ ନୀଳ ଆକାଶର ପଟ୍ଟଭୂମିରେ । ମେଘଚରା ସେ ପାହାଡ଼ଟାର ପାଉଁଶିଆ ଦେହ ।

 

ବୋଳି ହୋଇଗଲାଣି କଳା... ।

 

ପାଉଁଶିଆ ବର୍ଣ୍ଣଟା ତା’ର ଧୀରେ ଧୀରେ ଧୀରେ ଫିକା ହୋଇଆସିଲା । କୁହୁଡ଼ି ଘେରା ଭଳି ଦେଖାଗଲା– ଧୂଆଁଟିଆ...ଧୂଆଁଟିଆ–

 

ତା’ପରେ ଆସ୍ତେ ଆସ୍ତେ ତା’ର ଚତୁଃସୀମା ଆଉ ଦିଶିଲା ନାହିଁ ।

 

ନିତି ନିତି ଏମିତି ହଜିଯାଏ ସେ ପାହାଡ଼ଟା । ଆଉ, ଏମିତି ଏଇଠି ବସି ବସି ଚାହିଁ ରହେ । ବେଳେବେଳେ କେବେ କେମିତି କୋଠା ଉପରକୁ ଧୀର ପଦକ୍ଷେପରେ ଉଠିଯାଏ । ସେଇଠାରୁ ଚାହିଁ ରହେ । ସବୁ ଖୋଲା–ସବୁ ଫାଙ୍କା ଭିତରେ ।

 

ଚାହିଁ ଚାହିଁ ଦେଖୁଥାଏ ସିନା ! ଅବଚେତନ ମନରେ କିନ୍ତୁ ଆଉ ସବୁ କ’ଣ ଗୁଡ଼େଇତୁଡ଼େଇ ହେଉଥାଏ । ଆଜେବାଜେ ସବୁ ଅନେକ...ଅନେକ କଥା । ବୁଲୁଥାଏ–ଦେଖୁଥାଏ–ଭାବୁଥାଏ... ।

ଏଣୁ ସବୁ ଦେଖେ–ପୁଣି କିଛି ଦେଖେ ନାହିଁ ।

ହେଇ, ଡାଆଣୀ ବୁଢ଼ୀ ଖଁ ଖଁ କାଶିଲାଣି ପୁଣି । ଟିକେ ଥଣ୍ଡା ପଡ଼ିଲେ ଏମିତି ସେ କାଶେ, କାଶୁଥାଏ । ସେଇହିଁ ତ ମୋର ପରମବାନ୍ଧବୀ ଆଉ ଶତ୍ରୁ–ସବୁ କିଛି ।

ରାତି ଧୀରେ...ଧୀରେ...ଧୀରେ...ଗଭୀର ହେଉଛି । ବଢ଼ି ଚାଲୁଛି । ବନ୍ୟା ମାଡ଼ିଲେ ଆଉ ଯେମିତି କିଛି ବାକି ରୁହେ ନାହିଁ, ପାଣି ନ ଛାଡ଼ିଲା ପର୍ଯ୍ୟନ୍ତ ସେମିତି ସବୁ ବୁଡ଼ିଗଲାଣି । ଦୂର–ଅଦୂରର କେତେଟା ଲାଇଟ୍‌ପୋଷ୍ଟ୍‍ର ନିଷ୍ପ୍ରଭ, ପାଣ୍ଡୁର ଆଲୋକ ଛଡ଼ା । ତା’ ଚାରିପଟେ ଅଜସ୍ର ପତଙ୍ଗର ଭିଡ଼ ।

ରାତିରେ ମୋତେ ଟିକେ ଭୟ ଲାଗନ୍ତା କି ! ପିଲାକାଳରେ ସେ ପଲ ପଲ ଭୂତ, ଚିରଗୁଣୀ, ପିତାଶୁଣିଙ୍କର ଭୟ ! ଭଗବାନ୍‍ଙ୍କର ଭୟ !

ଛି, ସେ ଭୟ, ଭୂତ, ଭଗବାନ୍ ସବୁ ମୋ ନିକଟରେ ଅସତ୍ୟ ! ମିଥ୍ୟା । ଭଣ୍ଡାମି । ଚେଷ୍ଟା କଲେବି ଆଉ ସେ ସବୁ ମୁଁ ବିଶ୍ଵାସ କରିପାରୁ ନାହିଁ !

କେବଳ ମୁଁ କାହିଁକି, ଅନେକେ ଆଜିକାଲି ଆଉ ଭୟ କରନ୍ତି ନାହିଁ । ଭୟଫୟ ଭଳି ଗ୍ରାମୀଣ, ଅଦରକାରୀ କଥାକୁ ବିଶ୍ଵାସ କରିବାକୁ ଆଉ ଅବସର ବା ଅବକାଶ କାହାର ନାହିଁ । ବହୁ ବାନ୍ଧବୀଙ୍କୁ ମୋର ପଚାରିଛି–ଉଷା ମାଲହୋତ୍ରା । ରମଣୀ ଦାସ, ଉଷସୀ ମହାପାତ୍ର, ତମସା ଅମୃତାକୋର...କେହି ଏମାନେ ଭୟ କରନ୍ତି ନାହିଁ । ଅଧିକାଂଶ ରାତିରେ ଏମାନଙ୍କୁ ଶୋଇବାପାଇଁ ଚେଷ୍ଟା କରିବାକୁ ପଡ଼େ, ଅସମ୍ଭବ ଶାରୀରିକ କ୍ଳାନ୍ତି, ଅବସାଦ ସତ୍ତ୍ୱେ ମଧ୍ୟ । ଇନ୍‌ସୋମନିଆ ବା ନିଦ୍ରାହୀନତାରେ ଭୋଗନ୍ତି ଏମାନେ ସମସ୍ତେ । ପ୍ରତ୍ୟେକଙ୍କର ହାତବ୍ୟାଗରେ ନିଦ ବଟିକା କିଛି ନା କିଛି ଥାଏ ।

ସେଇ ଏମାନଙ୍କର ମା’–ଯିଏ ମୁଣ୍ଡ ଥାପୁଡ଼େଇ ଥାପୁଡ଼େଇ ନିଦମାଉସୀକୁ ଡାକିଆଣେ ୟାଙ୍କପାଇଁ ସବୁ । ଗୁଲୁଗୁଲୁ, ଭେଲଭେଟ୍‌ ଭଳି ନରମ ନିଦମାଉସୀର ଡେଣା । ନୀଳ କପୋତୀଟି ନରମ-ନଧର ।

ଏମାନେ ସମସ୍ତେ ମୋ ଭଳି ନିଜ ମନ ଭିତରେ ଗୋଟାଏ ଭୂତ ପୋଷି ରଖିଛନ୍ତି ଏବଂ ସେ ଭୂତଟା ବେଳେବେଳେ ଆମମାନଙ୍କ ଉପରେ ସବାର ହୋଇଯାଏ । ସେ ଆମ ବୋଲ କରୁଥାଏ–କିନ୍ତୁ ସବାର ହୋଇଥିଲାବେଳେ ଆମେମାନେ ତା’ ବୋଲ କରୁ । ସିଏ ଯାହା ଯାହା ଚାହେଁ, ଯାହା ଆମଦ୍ଵାରା କରାଇବାକୁ ଇଚ୍ଛା କରେ, ସବୁ କରେଇ ନେଇପାରେ ସେତେବେଳେ ।

ଆଉ, ଆମେ ସେଇ ଭୂତକୁହିଁ ଭୟ କରୁ ।

ଯିଏ, ଆମ ଭିତରେ ବସା ବାନ୍ଧିଥାଏ–ରହିଥାଏ ।

ବାହାରର ସେ କଳା ଅନ୍ଧାର ଭିତରେ ଧଳା ଛାଇପରି, କାନ୍ଥପରି, କଅଁଳା ବାଛୁରୀର ରୂପ ନେଇ ଅବା ଧଳା ଶାଢ଼ିପିନ୍ଧା ନାରୀଟିର ରୂପ ନେଇ ପିଲାଦିନେ ଆଈ ମା’ଠାରୁ ଶୁଣିଥିବା ସେ ଭୂତ କି ପ୍ରେତ ଭଲା ଆସନ୍ତା !

 

ଅନ୍ତତଃ ତା’ର ବିଶ୍ୱାସ ଭଲ ଆସନ୍ତା !

 

ତା’ର ରୋମାଞ୍ଚକର ଅନୁଭୂତିରେ ଜୀବନର ବିସ୍ଵାଦକର ଏ ତିକ୍ତ ଅଭିଜ୍ଞତା କ୍ଷଣକପାଇଁ ପାସୋର ଯାଆନ୍ତା !

 

ସିକ୍ଵିଲ, ଲାର୍‌ଗାଟିଲ୍‌ କିମ୍ବା ଆସ୍‍ପିରିନ୍‌ ବଟିକାଠାରୁ ତ ସିଏ ଅଧିକ ରୋମାଞ୍ଚକର ହୋଇଥାଆନ୍ତା ! ବେଶି ଭୟଙ୍କର ହୋଇପାରନ୍ତା !

 

ନା, ସେ ଭୂତ ଆଉ ଆସିବ ନାହିଁ–

 

ସେ ଭୟବି ଅପସରି ଯାଇଛି କାହିଁ କୁଆଡ଼େ—

 

କାରଣ, ଆମେ ରାତି ଅନ୍ଧାରକୁ ଭଲ ପାଉ, ଅସମ୍ଭବ ଭାବରେ । କଳା ରାତିର ମୋହରେ ମୁଁ ଅଧୀରା ହୋଇଉଠେ ବେଳେବେଳେ । ମାୟାବିନୀ ଏ ରାତି ମୋତେ ଉନ୍ମାଦ କରାଏ–ଅତିଷ୍ଠ କରେ ।

 

କଳା କଳା ବାହା ମେଲି ମୋତେ ନିଷ୍ପେଷିତ କରେ । ନିପୀଡ଼ିତ କରେ । ଆଉ ସେଇ ନିପୀଡ଼ନ ଭିତରେ, ନିଷ୍ପେଷଣ ଭିତରେ ମୁଁ ନିଜକୁ ଖୋଜି ପାଏ । ଖୋଜି ପାଏ ଚମତ୍କାର ଭାବରେ-

 

ସକାଳର ଆଲୋକକୁ ଆମେ ଘୃଣା କରୁ । ଚାହିଁ, ଦେଖିପାରୁନା । ଆଖି ବୁଜି ହୋଇ ଆସେ ଦିନର ଆଲୋକରେ । ଦେହମୁଣ୍ଡ ଜର୍ଜରିତ ହୋଇଯାଏ ତା’ର ପ୍ରାବଲ୍ୟରେ–କାରଣ, ମୁଁ ଓ ଆମେମାନେ ସମସ୍ତେ ଜୀବନ ଭରି କେବଳ ଅସୀମ, ଦୁର୍ଲଙ୍ଘ୍ୟ ଔଦ୍ଧତ୍ୟକୁହିଁ ନେଇ ବଞ୍ଚୁ !

 

ଔଦ୍ଧତ୍ୟହିଁ ଆମର ଜୀବନର ଏକମାତ୍ର ସମ୍ବଳ ଆଉ ପାଥେୟ । ନାରୀତ୍ଵର, ସତୀତ୍ଵର ଔଦ୍ଧତ୍ୟ ତାହା ହୁଏତ ନୁହେଁ । ଜୀବନର ଔଦ୍ଧତ୍ୟ ! ବଞ୍ଚି ରହିବାର ଔଦ୍ଧତ୍ୟ !

 

ସେହି ଔଦ୍ଧତ୍ୟହିଁ ଆମକୁ ପରିଚାଳିତ କରେ । ଆଗେଇ ନିଏ । ବୁଡ଼େଇ ମାରେ–ଅବା ପଛକୁ ଠେଲି ନେଇ ନିଃଶେଷ କରେ । ଜୀବନରେ ଆଉ କ’ଣ ବା ପ୍ରତ୍ୟାବୃତ୍ତ ଅଛି, ଯାହାକୁ ନେଇ ମୁଁ ବଞ୍ଚି ରହିବି ? ଅବା ଆମେମାନେ ବଞ୍ଚି ରହିବୁ ?

 

ନାଲି ଗୁଲୁଗୁଲୁ ଅଳତାବୋଳା ପାଦରେ ନଇଁ ନଇଁ ଯିବାପାଇଁ ଲାଲ ସିନ୍ଦୂର ବଡ଼ ଥୋପାଟାଏ ମୁଣ୍ଡରେ ମାରି, କବାଟ କଣରେ ଭୁଆସୁଣୀ ହୋଇ ବସି, କେହି ଦେଖିବାକୁ ଆସିଲେ ଓଢ଼ଣା ଟେକିଦେଲେ, ଧୀରେ ସଜଫୁଟା କଇଁଫୁଲ ଭଳି, ଆଖିପତା ଈଷତ୍‌ ଖୋଲି ପୁଣି ବନ୍ଦ କରିଦେଇ, ଛୋଟ ନାଲି ହାତଟିରେ ପାନଥାଳିଆ ବଢ଼ାଇ ଦେବାର ଅଦମ୍ୟ କାମନା ନେଇ ମୁଁ ନାରୀ ପାଲଟିଯାଇଛି– ।

 

ଜୀବନର ସମସ୍ତ ଜଟିଳତା ନେଇ ବଞ୍ଚି ରହିବାର ହଳାହଳ ପିଇଛି । ଭୁଆସୁଣୀ ନ ହୋଇ, ପ୍ରେମିକା ହେବାକୁ ଚେଷ୍ଟା କରି ନାରୀ ହୋଇଛି–ଫେରିଯାଇ ପାରିବି ନାହିଁ । ଆଗେଇ ଯିବାକୁହିଁ ହେବ ।

 

ହେଇ, ସେ ରାତି ମୋତେ ଆଲିଙ୍ଗନ କରି ନେବାପାଇଁ ତା’ର ବାହୁ ବିସ୍ତାର କଲାଣି ସଂତର୍ପଣରେ । ଆଉ କେହି ଆସିବେ ନାହିଁ ! କେବଳ ଏଇ ରାତି ଛଡ଼ା ! ରାତି ମୋତେ ତୋଳିନେବ । ମୁଁ ରାତିକୁ ଭଲ ପାଏ ନିବିଡ଼ ଭାବରେ !

 

ଯାଦୁକରୀ, ମୋହକରୀ, ଉନ୍ମାଦିନୀ ରାତି ! ରାତି ଆସିଲେ ସେମିତି ବହୁ କାହାଣୀ ଗୋଟି ଗୋଟି କରି ଆସନ୍ତି । ଚିତ୍ରପଟ ପରି ଗୋଟିକ ପରେ ଗୋଟିଏ ଆସି ଉଭେଇ ଯାଆନ୍ତି, ସେଇ ଅନ୍ଧାର ଭିତରେ । ଅସଂଖ୍ୟ, ଅଜସ୍ର ପାସୋରା, ଅପାସୋରା କାହାଣୀ । ସବୁ ମନେପଡ଼େ । ଆଖିରେ ଲୁହ ଦକାଏ । ମୁହଁରେ ହସ ଫୁଟି ଉଠେ ମନକୁମନ । ମନ ପୁଣି ତିକ୍ତ ହୋଇ ଉଠେ ।

 

ରାତି ଜୀବନ୍ତ ହୋଇଉଠେ । ମୂର୍ତ୍ତ ହୋଇଉଠେ, ଏଇସବୁ ମଝିରେ ମଝିରେ । ଆଜିବି ରାତି ଆସିଲା । ଗୁମୁରି ଗୁମୁରି ବଢ଼ୁଛି ସେଇଟା । ପୁଣି ଅସରାଏ ବର୍ଷା ହୋଇଗଲା–ଏ ପର୍ଯ୍ୟନ୍ତ ଝିପିଝିପି ବର୍ଷା ଲାଗି ରହିଛି । ବେଶ୍ କାଲୁଆ ଲାଗୁଛି ।

 

ଜମା ମନେ ହେଉ ନାହିଁ ଯେ, ଗ୍ରୀଷ୍ମର ଆରମ୍ଭ ଏଇଟା–ବରଂ ବର୍ଷାର ଆରମ୍ଭ ବୋଲି ଭ୍ରମ ହେବା ସ୍ଵାଭାବିକ । ବର୍ଷଣମୁଖର, ପହିଲ ପହର ରାତିର ଆମେଜ ଭିତରେ ଦୂର ଦୂରାନ୍ତର ବତିଗୁଡ଼ାକ ବଡ଼ ନିଷ୍ପ୍ରଭ, ପାଉଁଶିଆ ଦେଖାଯାଉଛନ୍ତି ।

 

ପତଙ୍ଗଗୁଡ଼ାକ ମରିଗଲେଣି ବା ଚାଲିଗଲେଣି । ଏମିତି ସଞ୍ଜ ଅନ୍ଧାରରେ ଓଳିରୁ ଟପ୍‌ଟପ୍‌ ପାଣି ଝରୁଥିଲାବେଳେ ଗାଁ ଦାଣ୍ଡପିଣ୍ଡାରେ ଯାକିଯୁକି ହୋଇ ବସି ରହିବାକୁ ଭଲ ଲାଗେ । ଆହୁରି ଭଲ ଲାଗେ ଯଦି ବୋଉ କୋଳରେ ପୁଷି ବିଲେଇଟିଏ ଭଳି ଗୁଞ୍ଜି ହୋଇ ବସି ଉଷୁମ ଟାଣିବାକୁ ସୁଯୋଗ ମିଳେ । ଆଉ ବୋଉ ଯଦି ଦାଣ୍ଡ ବାରଣ୍ଡାରେ ବସି ଆଗରେ ବାରଣ୍ଡାରେ ବସିଥିବା କାହା ସାଙ୍ଗେ ଜମି କଥାସବୁ ଗପୁ ଗପୁ ମୁଣ୍ଡବାଳ ଭିତରେ ଆଙ୍ଗୁଠି ଚଳାଇ ଚଳାଇ ସାଉଁଳାଇ ଦେଉଥାଏ ବାଳଗୁଡ଼ାକ ।

 

ସାମନା ବାରଣ୍ଡାରେ ଜେନାବୁଢ଼ା ବସି ପିକା ଟାଣୁଥାଏ । ପିକା ନିଆଁ ତା’ର ଅନ୍ଧାର ଭିତରେ ମଝିରେ ମଝିରେ ଦପ୍‌ କରି ଜଳି ଉଠେ, ପୁଣି କମିଯାଏ । ଥରେ ଥରେ କାଶ ଶୁଭିଯାଏ–ଆଉ ବାରଣ୍ଡାମାନଙ୍କରେ ମଧ୍ୟ ବସିଥାଆନ୍ତି ବୁଢ଼ାବୁଢ଼ୀମାନେ । କାମଦାମ କିଛି ନ ଥାଏ । ବର୍ଷାର ଝପର ଝପର ସ୍ଵର । ପିକା ନିଆଁ । ବୋଉ କୋଳର ଉଷୁମର ଆମେଜ । ଖୁଁ ଖୁଁ କାଶ । କାଲୁଆ କାଲୁଆ ଲାଗୁଥିବା ଶୀତଳ ପବନ ! ସେମିତି ଅନ୍ଧାର ଘୋଟି ଆସିଲାଣି !

 

ମୁଁ ଉଠିଲି । ବର୍ଷା ପାଣିରେ ଅନ୍ଧାରରେ ଛିଡ଼ା ହୋଇ ଭିଜିଗଲି । ଗୋଟିପଣେ ତିନ୍ତିଲି ! ମୁଣ୍ଡରୁ, ଓଠରୁ, ନାକରୁ ପାଣି ଝରୁଛି । ଦେହରେ ମୁଣ୍ଡରେ ଛାତିରେ ଲୁଗା ଓଦା ହୋଇ ଜଡ଼ିଯାଇଛି-

 

ଆଃ...... ।

 

ସବୁ ଗ୍ଳାନି, ସବୁ ବିସ୍ଵାଦ ଯେମିତି ଧୋଇ ହୋଇଗଲା–! ଭାରି ଭଲ ଲାଗୁଛି । ଦେହଟା ଓଦା ହୋଇ ଶାଢ଼ି ବ୍ଲାଉଜ୍‌ ସବୁ ଜଡ଼ିଯାଇଥିବା ଯୋଗୁଁ, କେମିତି କେମିତି ଲାଗୁଛି । କାହାର ହାତ ଦେହରେ ଗୁଡ଼ାଇ ହେଲା ଭଳି । କେହି କିନ୍ତୁ ଦେଖିବାକୁ ନାହାନ୍ତି ।

 

ପୂରାପୂରି ଉଲଗ୍ନ ହୋଇଗଲେବି ମୋତେ ଲାଜ ଲାଗନ୍ତା ନାହିଁ ! କିନ୍ତୁ ବେଳେବେଳେ, ନିଜ ଦେହ ନିଜକୁ ନ ଦେଖାଗଲେବି, ଆଉ କେହି ଜଣେ ହେଲେ ଦେଖିବାକୁ ନଥିଲେ ସୁଦ୍ଧା ଲାଗେ ଯେମିତି କେହି ଦେଖୁଛି । ଶିର୍‌ଶିରେଇ ଉଠେ ଦେହଟା । ଲାଜ ଭଳି ଗୋଟିଏ ଅନୁଭୂତି ଆସେ ।

 

ରାତିର ଯେମିତି ଆଖି ଅଛି, ଶୂନ୍ୟତାରବି ଯେମିତି ଆଖି ଅଛି । ଆଉ, ସେହି ଶୂନ୍ୟତା ବା ରାତି ଭିତରୁ କିଏ ଯେମିତି ଆଖିଫାଡ଼ି ଚାହିଁ ରହିଛି, ସେମିତି ଲାଗେ ।

 

ନା–ଉଲଗ୍ନ ହୋଇ ହେଲା ନାହିଁ ! ଲୁଗା ବଦଳି ମୁଁ ପୁଣି ଆସି ବସିଛି ! ଦେହଟା ଏଥର ଉଷୁମ ଲାଗୁଛି । ଥଣ୍ଡା ଲାଗୁ ନାହିଁ ବିଶେଷ । ଯଦିଓ ଏଇ ବର୍ଷାପାଣିରେ ତିନ୍ତିବାଫଳରେ ଥଣ୍ଡା ଲାଗିବା କଥା–ସର୍ଦ୍ଦି ଲାଗିପାରେ । ଜ୍ଵର ଟିକେବି ହୋଇପାରେ ।

 

ଅନ୍ତତଃ ପିଲାଦିନୁହିଁ ତ ସେଇଆ ଶୁଣି ଆସିଛି । ବର୍ଷାରେ ଓଦାହୋ ନାହିଁ ! ଜର ହବ, ଥଣ୍ଡା ଧରିବ । ମୁଁ କିନ୍ତୁ ଅମାନିଆ ହୋଇ ଓଦା ହୋଇଛି । ଗୋଟିପଣେ ତିନ୍ତିଛି ! ଓଦା ଜୁଡ଼ବୁଡ଼ ହୋଇ ବର୍ଷା ପାଣିଗୁଡ଼ାକ ଫୁ’ ଫୁ’ କରି ଫୁକାରରେ ଛାଡ଼ି ଛାଡ଼ି ଦୌଡ଼ି ଦୌଡ଼ି ଫେରିଛି ଘରକୁ । ବହି, ଖାତାପତ୍ର ତିନ୍ତେଇଛି ।

 

ଗାଳି ଖାଇଛି, ମାଡ଼ବି ଖାଇଛି । ମୁଁ କାହିଁକି, ସମସ୍ତେ ଏମିତି ଓଦା ହୁଅନ୍ତି । ତିନ୍ତନ୍ତି ବର୍ଷା ପାଣିରେ । ଗାଳି ଖାଆନ୍ତି, ମାଡ଼ ଖାଆନ୍ତି; ତଥାପି ତିନ୍ତନ୍ତି ।

 

ପ୍ରକୃତି ସହିତ ଏକାକାର ହୋଇଯିବାକୁ, ଏଇ ଗୋଟିଏ ତ ସମୟ । ମେଘକନ୍ୟାର ସେ କେରି କେରି କୁନ୍ତଳର ଭୟଙ୍କର ଓ ଆକର୍ଷଣ ଅଛି ! ବଡ଼ ହୋଇଗଲା ପରେବି ଜାଣିଶୁଣି ଅନେକ ଥର ଛାତି ଉପରେ, ବାହାରେ, ବର୍ଷାପାଣିରେ ଭିଜିଛି । କିଏ ପଚାରିଲେ କହିଛି ଆସୁ ଆସୁ ଡେରି ହୋଇଗଲା–ବର୍ଷା ହେଲା ଅଚାନକ ଭାବରେ–ତିନ୍ତିଗଲି ।

 

କାରଣ, ଏ ବୟସରେ ସତ କହିବାକୁ ଲାଜ ଲାଗେ–ଡର ମାଡ଼େ । କେହି ସତକଥା ରୋକ୍‌ଠୋକ୍‌ କହନ୍ତି ନାହିଁ । କହିଲେ ଲୋକେ ହସିବେ ଅବା ଅବିଶ୍ଵାସ କରିବେ । ମୁଁ କିନ୍ତୁ ସତରେ ଜାଣି ଜାଣି ବର୍ଷାରେ ତିନ୍ତିବାପାଇଁହିଁ ଡେରି କରିଥାଏ । ଆଉ ବର୍ଷା ପଡ଼ିଲେ ଧୀରେ ଧୀରେ ତିନ୍ତି ତିନ୍ତି ଫେରେ ! ମଜା ଲାଗେ !

 

ବଡ଼ମଣିଷ ହୋଇଗଲା ପରେ ହେଇ ଆଜିବି ତିନ୍ତିଲି । ପିଲାକାଳର ସେଇ ଅନୁଭୂତି ଓଲଟି ପାଲଟି ଫେରିଆସିଲା । କିଛି ସମୟପାଇଁ ଅନ୍ତତଃ ମନରୁ ଅଶେଷ ଗ୍ଳାନି ଧୋଇ ହୋଇଗଲା । ଇସ, ଯେଉଁ ଟିକକ ଆଲୋକ ଦିଶୁଥିଲା; ତା’ବି ଲିଭିଗଲା ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଯୋଗୁଁ–ମୁଁ ଆଲୁଅ ଲଗାଇ ନାହିଁ । ଲଗାଇ ନଥିଲି ବର୍ତ୍ତମାନ ପର୍ଯ୍ୟନ୍ତ ।

 

ବାହାରର ସେ ବତିଟାର ଗୋଟାଏ କ୍ଷୀଣରେଖା ଈଷତ୍ ଆଲୋକିତ କରୁଥିଲା ଏ ଅଙ୍ଗନକୁ । ତା’ବି ରହିଲା ନାହିଁ, ଭଲ ହେଲା । ନିଶୂନ ଅନ୍ଧକାର ଭିତରେ ମୋତେ ମୁଁ ଦେଖାଯାଉ ନାହିଁ । ରାତି ବଢ଼ିଯାଉଛି ।

 

ତମର ମନେ ଅଛି କି ନାହିଁ ଜାଣେନା, ଗତ ରାତିରେ ଏ ସମୟରୁ ଅନେକ ସମୟ ଅତୀତ ହେଲାପରେ ତମେ ଆସିଥିଲ–ଆଉ ଆସିଥିଲା ଏମିତି ଅନ୍ଧକାରରେ–ଏମିତି ବର୍ଷାସିକ୍ତ ଅପସୃୟମାନ ସଞ୍ଜର ପରେ ପରେ–ସେ ସମୟରେବି ଆଦୌ ଆଲୋକ ନଥିଲା ।

 

କିମ୍ବା, ତମେ ନିଜେ ଲିଭାଇ ଦେଇଥିଲ ଜାଣେନା । ତେବେ ଏ କଥା ସତ୍ୟ, ଆଲୋକ ନ ଥିବାଟାକୁହିଁ ମୁଁ ଚାହୁଁଥିଲି । ଆଉ ପୁରୁଷ ଭଳି ତମେ ସେ କଥା ବୁଝିପାରି ହୁଏତ ନିଷ୍ପ୍ରଦୀପ କରିଥିଲ ଘରଟାକୁ–ସେଇ ଗାଢ଼ କଳା ଅନ୍ଧାରରେ ତମେ ମୋତେ ନିରିଖି ନିରିଖି ଦେଖୁଥିଲ । ଆଉ ମୁଁ ତମକୁ–ସ୍ପଷ୍ଟ ଭାବରେ ତମର କଳାଡ଼ୋଳା ଚାରିକଡ଼େ ଥିବା ଆଖିର ଧଳାଅଂଶ ମୋତେ କାଳିମା ଭେଦ କରି ମଧ୍ୟ ଦେଖାଯାଉଥିଲା । ହୁଏତ, ଆଉ ସାମାନ୍ୟ ପ୍ରଚେଷ୍ଟାରେ ତା’ ଭିତରେ ମୁଁ ନିଜକୁ ଦେଖି ପାରିଥାଆନ୍ତି । ମୋ ଆଖି ତମେ ଦେଖିପାରି ନ ଥିବ । ଦେଖିପାରି ନ ଥିବ ନୁହେଁ–ଦେଖିନ ନିଶ୍ଚୟ ।

କାରଣ, ନାରୀ ଭୟଙ୍କର ଚତୁରୀ ଆଉ ପ୍ରଗଳ୍‌ଭ । ମୁଁ ଅତି ଚତୁରତାର ସହକାରେ ତଳକୁ ଆଖି ଅବନତ କରୁଥିଲି ଓ ଆବଶ୍ୟକ ସମୟରେ ଉପରକୁ ତୋଳି ତମ ଆଖିକୁ ଦେଖି ନେଉଥିଲି । ସଚରାଚର ନାରୀ ତାହାହିଁ କରନ୍ତି ।

ନିଜକୁ ଯଥାସମ୍ଭବ ଗୋପନ ରଖନ୍ତି । କାରଣ ନାରୀମାତ୍ରେହିଁ ଅନ୍ତଃସଲିଳା । ଇଂରାଜୀରେ ଇନ୍‌ଟ୍ରୋଉରଟ୍‌ । ଅକାଳେ ସକାଳେ, କ୍ଵଚିତ୍‌ ୟା’ର ବ୍ୟତିକ୍ରମ ହୁଏତ ଅଛି ।

କ’ଣ ସେମାନେ ଚାହାନ୍ତି, ସେ କଥା ଜଣାଇ ଦିଅନ୍ତି ନାହିଁ । ଯାହା ଚାହାନ୍ତି, ତାହା ପ୍ରକାଶ କରନ୍ତି ନାହିଁ । ପ୍ରକାଶିତ ହେଲେ ମଧ୍ୟ ସ୍ଵୀକାର କରନ୍ତି ନାହିଁ । ଚତୁରତାର ସହିତ ଏଡ଼ାଇ ଯାଆନ୍ତି । କାରଣ, ମୋର ଔଦ୍ଧତ୍ୟରେ ବାଧା ପହଞ୍ଚନ୍ତା । ସେମାନଙ୍କର ଔଦ୍ଧତ୍ୟରେ ବାଧା ଉପୁଜେ । ଆଉ, ତମେ ଜାଣିଯାଆନ୍ତ ମୁଁ କ’ଣ ଚାହୁଁଛି । ଛି...କି ଲାଜ ଲାଗନ୍ତା... ? ତମକୁ କ’ଣ ଦେଲି ମୁଁ ଜାଣେନା ।

କ’ଣ ତମେ ନେଇଚ ମୋଠାରୁ, ତମେହିଁ କେବଳ ଜାଣ । ମାତ୍ର ମୋର ଅଦେୟ କିଛି ନଥିଲା । ଆଉ, ସତରେ ଅନେକ ଅନେକ କିଛି ଦେବାପାଇଁ ଇଚ୍ଛା ପୋଷଣ କରିଥିଲି ମୁଁ । ଭାବୁଛି ତମେ ହୁଏତ ଅତୃପ୍ତ ହୋଇଛ । ତମେ ମୋତେ ସତରେ ଘୋରି ବାଟି ପିଇଦେଇ ପାରିବ ନାହିଁ ? ନିଃଶେଷ କରି ଦେଇ ପାରିବ ନାହିଁ । ସର୍ବସ୍ଵାନ୍ତ କରି ଉଜାଡ଼ି ଦେଇପାରିବ ନାହିଁ ?

ଭୟଙ୍କର...ଭୟଙ୍କର ଭାବରେ ଅସ୍ଥିର ଆଉ ବିଚଳିତ ଲାଗୁଛି ମୋତେ ! ଏ ଶୀତାର୍ତ୍ତ ରାତିରେ ମୁଁ ତମର ନିବିଡ଼ତମ ସାନ୍ନିଧ୍ୟ କାମନା କରୁଛି ! ଆଉ କାମନା କରୁଛି ତମକୁ–ତମର ଭଲ ପାଇବାକୁ, ତମର ପୁରୁଷକାରକୁ । ତମେ ମୋତେ ଭଲପାଅ କି ନାହିଁ ଜାଣେନା–ଭଲପାଇବ କି ନାହିଁ ତାହାବି ଅଜ୍ଞାତ !

ହୁଏତ...ହୁଏତ ଆଦୌ ଭଲ ପାଇପାରିବ ନାହିଁ । କିନ୍ତୁ, ଗୋଟିଏ କଥା ସତ୍ୟ ବୋଲି ଜାଣିବ–ତମେ ଯେଉଁଠି ଥାଅ…ଆଉ, ତମ ସହିତ ମୋର ସାକ୍ଷାତ ହେଉବା ନ ହେଉ–ଜାଣିଥାଅ ଯେ ମୁଁ ତମକୁ ଅତି ବେଶି ଭଲପାଏ । ପ୍ରାଣ ଦେଇ ଭଲପାଏ–କାରଣ, ପ୍ରଥମ କରି ମୁଁ ତମକୁ ଭଲ ପାଇବାକୁ ଶିଖିଲି ।

ପ୍ରଥମ କରି ଭଲ ପାଇବାର ଏ ଅନାସ୍ଵାଦିତ ପୁଲକ ଅନୁଭୋଗ କଲି । ଅନେକ...ଅନେକ ଦିନ...ବର୍ଷ...ମାସ ପରେ–ନଈଟାଏ ଶୁଖି ଆସିଲାବେଳକୁ ଅକସ୍ମାତ୍‌ ବନ୍ୟା ଆସିଗଲା । ଆଉ ମୁଁ ଅଚାନକ ଭାବରେ, ବଡ଼ ଆକସ୍ମିକ ଭାବରେ ହଠାତ ଭଲପାଇ ବସିଲି–ଭଲ ପାଇବା କ’ଣ ଜାଣିଲି–ଆଉ ଭଲ ପାଇଲି । କହିବାକୁ ଲାଜ ନାହିଁ ମୋର ।

 

କାରଣ, ତମେ ଶୁଣିବାକୁ ନାହଁ କି, ଆଉ କେହିବି ନାହାନ୍ତି ! ଭଲ ପାଇବା ଏତେ ମଧୁର ପୁଣି ଏତେ ଜ୍ଵାଳାମୟ ।

 

ମଧୁରତାରେ ବୁଡ଼ି ବୁଡ଼ି ମୁଁ ଏଇ ବର୍ତ୍ତମାନ ଜଳିପୋଡ଼ି ମରୁଛି । ପ୍ରତିଟି ଲୋମ-ଅନୁଲୋମରେ ସେଇ ନିଆଁ । ସେଇ ଦହନ, ସେଇ ଜ୍ଵାଳା । ଯେଉଁ ଜ୍ଵାଳା ମୋ ଜୀବନରେ ପ୍ରଥମ–ହୁଏତ ଶେଷ ମଧ୍ୟ । ଏବଂ ଏବେ ଜାଣୁଛି, ବିବାହ ଭଲ ପାଇବାର ପରିଣତି ନୁହେଁ–ସଖ୍ୟ, ବନ୍ଧୁତ୍ୱ, ଦେହ, କୌଣସିଟି ତା’ର ଉପସର୍ଗବି ନୁହେଁ ।

 

ଏହା ଏକ ସ୍ଵୟଂସମ୍ପୂର୍ଣ୍ଣ ଜୀବନ ! ରୋମାଞ୍ଚକର, ପୁଲକମୟ, ଜ୍ଵଳନଶୀଳ । ପୁଣି ଭୟଙ୍କର, ମଧୁର । ତମକୁ ଭଲ ପାଇ ବସିଛି ବୋଲି ମୁଁ ବୁଝିପାରୁଛି । ୟାଙ୍କର ପ୍ରେମ ମୋ ପ୍ରତି କେତେ ଗଭୀର, କେତେ ପ୍ରଗାଢ଼ ! ଇଏ ମୋ ସ୍ଵାମୀ ! ତମେ ମୋର ଜୀବନର ପ୍ରଥମ ପ୍ରେମିକ । ଏମିତି ଅସମ୍ଭବ ଘଟନା ଘଣେ ଜୀବନରେ ।

 

ଜଣେ ଜଣକୁ ଭଲପାଏ ପ୍ରାଣଭରି ଏବଂ ପ୍ରେମାସ୍ପଦ ବା ପ୍ରେମାସ୍ପଦାଟି ଜୀବନ ଦେଇ ଆଉ ଜଣଙ୍କର–କାୟମନୋବାକ୍ୟରେ ! ତମେ କୁହତ ମୁଁ କ’ଣ ଭୁଲ୍‍ କରୁଛି ? ସମସ୍ତେ କହିବେ ସେଇଆ । ନିନ୍ଦା କରିବେ । ଛି ଛି କରିବେ ଜାଣିଲେ ।

 

ପାପ କରିଛି ବୋଲି ବା କରୁଛି ବୋଲି ମୋର ନିଜ ମନ ଭୟ ଦେଖାଇବ । ପରକୀୟା ପ୍ରୀତି ନା କ’ଣ କୁହନ୍ତି ୟାକୁ କାଳେ ! ମୁଁ କିନ୍ତୁ ଏ ନିନ୍ଦା, ପ୍ରଶଂସା, ପରକୀୟା, ପାପ ସବୁଥିରୁ ଦୂରରେ । କାରଣ ମୁଁ ଆଉ କିଛି କରୁ ନାହିଁ, କରି ନାହିଁ, କରିବି ନାହିଁ । କେବଳ ହଠାତ ଭଲ ପାଉଛି, ଭଲ ପାଉଛି ତମକୁ ।

କାରଣ, ଆଗରୁ ମୁଁ ଆଉ କାହାକୁ ଭଲ ପାଉ ନଥିଲି । ସେ ବସ୍ତୁଟା କ’ଣ ଜାଣି ନଥିଲି-। ବୁଝି ନଥିଲି ସ୍ପଷ୍ଟ ଭାବରେ । ଯାହା କେବଳ ମାତ୍ର ଗୋଟାଏ ଅନୁଭୂତି । ଅନ୍ତତଃ ମୋତେ ତ ତାହାହିଁ ଲାଗୁଛି ! ଦେହ ଭଲ ପାଇବାର ପ୍ରତୀକ ନୁହେଁ ବୋଲି ବିଚାର କରୁଛି । ଦେହ ଦେଇ ମୁଁ ଭଲ ପାଇପାରି ନାହିଁ । ଅବା ଆଦୌ ଭଲ ନ ପାଇ ଦୈହିକ, ଜୈବିକ ମିଳନକୁ ସମ୍ଭବ କରିଛି ଅତିମାତ୍ରାରେ ।

ଭଲ ପାଇବାଟାକୁ ଦେହଠାରୁ ବିଚ୍ଛିନ୍ନ କରି ରଖୁଛି । ଯଦିଓ, ବେଳେବେଳେ ଧାରଣା ମୋରବି ହୁଏ ଯେ, ଭଲ ପାଇବାର ଏକାନ୍ତ ନିଶ୍ଚିତ ପରିଣତିହିଁ ଦେହର ମିଳନ ! କିନ୍ତୁ କେବଳ ଦେହ ଦେବା ଭଲ ପାଇବାର ପ୍ରାରମ୍ଭିକ ବା ସାମାନ୍ୟତମ ପ୍ରକାଶ ମଧ୍ୟ ନୁହେଁ । ତତ୍ତ୍ଵ ନୁହେଁ, ମୋର ଜୀବନର ଅଭିଜ୍ଞତାର କଥା ଇଏ । ଜୀବନ ଦେଇ ରାଧା ହେବାକୁ ଚାହେଁନା ମୁଁ କିନ୍ତୁ । ଦ୍ରୌପଦୀ... । ଦ୍ରୌପଦୀହିଁ ମୋର ମାନସ ଆଦର୍ଶ ।

ତାହା କ’ଣ ସମ୍ଭବ ନୁହେଁ... ?

ତମକୁ ବା ୟାଙ୍କୁ ପଚାରି ପାରୁ ନାହିଁ ବୋଲି ଏ ନିରଳସ ରାତ୍ରିର ପ୍ରଥମ ପ୍ରହରରେ ବସି ବସି ମନକୁମନ ପ୍ରଶ୍ନ କରୁଛି, ତଉଲି ତଉଲି ଦେଖୁଛି । ତମେ କ’ଣ କହିବ ମୁଁ ଜାଣେନି, ଜାଣିବାକୁ ମଧ୍ୟ ଚାହୁଁ ନାହିଁ । କାରଣ, ତମେ ଯୁକ୍ତିର ବାହାରେ ମୋର ଏକ ଅନୁଭୂତି...... ।

ତେବେ, ଇଏ ଯେ ମୋ କଥା ସମର୍ଥନ କରିବେ, ମୋତେ ରାତି ରାତି ଧରି ପୁରାଣର ଅସଂଖ୍ୟ କାହାଣୀ, ପାଶ୍ଚାତ୍ୟ ଦେଶର ଅଗଣିତ ଚରିତ୍ରର ଉଦାହରଣ ଦେଇ ତାହାହିଁ ବୁଝାଇବେ, ଆଉ ବୁଝାଇଛନ୍ତି । ବ୍ୟକ୍ତିଗତ ଜୀବନରେ ଈର୍ଷା ହୁଏତ କରିପାରନ୍ତି । ମାତ୍ର ମୁଁ ତାଙ୍କୁ ପ୍ରତାରଣା କରୁନାହିଁ; ଅନୁଗତହିଁ ରହିବି । ଅବଶ୍ୟ ଯଦି ପାଏ ତାଙ୍କୁ ।

କହିବାକୁ, ପଚାରିବାକୁ ସୁଯୋଗ ପାଏ କେବେ !

ଆଚ୍ଛା, ତମେ କ’ଣ କହିଲ... ?

ତମେ କ’ଣ ଜାଣିଥିଲ, ମୁଁ ତମକୁ ଭଲପାଏ ବୋଲି ? ବୁଝିପାରିଥିଲ ମୋର କୌଣସି ବ୍ୟବହାରରୁ ? ମୋର ତ ଧାରଣା, ମୁଁ ଏପରି କୌଣସି ବ୍ୟବହାର କରି ନାହିଁ ବା କହି ନାହିଁ, ଯାହା ତମକୁ ଏତେ ସ୍ପଷ୍ଟ କରି ମୋର ମନକଥା ବୁଝାଇ ଦେଇପାରିବ !

ମୁଁ ନିଜେ ତ ମୋ ନିଜ ନିକଟରେ ଦୁର୍ବୋଧ୍ୟ, ଅଜ୍ଞେୟ ଥିଲି ! ତମକୁ ଜଣାଇଥାଆନ୍ତି କ’ଣ, ଆଉ କିମିତି ? ତମେ ହଠାତ ଏମିତି ବ୍ୟବହାର କଲ ଯେ ?

ଛି, ଭାବିଲାବେଳକୁ ଏକାଟିଆ ଏ ଅନ୍ଧାର ଭିତରେବି ନିଜକୁ ଏକ ନବୋଢ଼ା ତରୁଣୀ ଭଳି ଲାଜ ଲାଜ ଲାଗୁଛି ! ଦେହ ଶିତେଇ ଉଠୁଛି ! ଛୋଟ ସ୍କୁଲପିଲା, ଯୌନ ଜୀବନର ଅଭିଜ୍ଞତା ନ ଥାଇ ହଠାତ ଚୁମା ଖାଇଲେ ବା ଆଲିଙ୍ଗିତ ହେଲେ ଯେମିତି ଲାଜେଇ ଯାଏଁ, ମୁହଁ ଗାଲ ତା’ର ଲାଲ ପଡ଼ିଯାଏ, କାନମୂଳ ଉଷୁମ ହୋଇଯାଏ, ମୋତେ ସେମିତି ଲାଗୁଛି ।

ସତେ ମ ! ଏବେବି ମୋ କାନମୂଳ ଉଷୁମ ହୋଇଉଠୁଛି ! ଦେହ ମୋର ରୋମାଞ୍ଚିତ ହୋଇ ଉଠୁଛି । ତମେ କ’ଣ ଭାବୁଥିବ କେଜାଣି ? କେଉଁଠିବି ଏଇନେ ଥିବ, ତା’ ମଧ୍ୟ ଜାଣେନା । ତଥାପି...ମୁଁ କେବଳ ତମରି କଥା ଭାବୁଛି ବସି । ୟାଙ୍କୁ ଖୋଜିବାକୁ ଆସିଥିଲ ତମେ... ?

 

ସତ କହିଲ । ସତ ତମେ କହିବ ନାହିଁ ମୁଁ ଜାଣେ । କାରଣ, ପୁରୁଷମାନେ ସତ କହନ୍ତି ନାହିଁ । ଆଉ ମିଛକୁ ଏମିତି ବନେଇଚୂନେଇ ପୁଟ ଦେଇ କହନ୍ତି ଯେ, ଅବିଶ୍ଵାସ କରି ହୁଏ ନାହିଁ ଆଦୌ ।

 

ଯେତେ ସବୁ ଆକାଶରୁ ପଡ଼ିଲା ଭଳି ମିଛକଥା ! ସତ ଭଳି ଲାଗେ । ବେଳେବେଳେ ପୁଣି ତାହା ମିଛ ଜାଣି ସୁଦ୍ଧା ବିଶ୍ଵାସ କରିବାକୁ ଭଲ ଲାଗେ । ତା’ ଛଡ଼ା ଯୁକ୍ତି କରି କ’ଣ ପ୍ରେମ କରାଯାଇପାରେ... ? ନିଜ ଜୀବନର ଅତି ବାସ୍ତବତାକୁ, ଅତି ସତ୍ୟକୁ କ’ଣ ଯୁକ୍ତିରେ କେହି ପ୍ରମାଣ କରିପାରେ ?

 

ଜୀବନ...ଜୀବନ । ଆଉ ତାହାହିଁ ସତ୍ୟ ।

 

ଜୀବନ ସମ୍ପର୍କରେ ଯେପରି କୌଣସି ଯୁକ୍ତି ନାହିଁ–ସେମିତି, ଭଲ ପାଇବାର ସପକ୍ଷରେ କୌଣସି ଯୁକ୍ତି ନାହିଁ ! ମୋତେ ତ ଅନ୍ତତଃ ତାହାହିଁ ଲାଗେ ! ଆଉ, ଏଇଥିପାଇଁ ଦୁନିଆର ବହୁ ବିଚିତ୍ର ବିସ୍ମୟକର ଭଲପାଇବାର କାହାଣୀକୁ ଯେତେ ବିଚିତ୍ର ହେଲେବି ଆପାତ ପକ୍ଷରେ ଅବିଶ୍ଵାସ୍ୟ ଭଲ ଲାଗିଲେ ମଧ୍ୟ ବିଶ୍ଵାସ କରାଯାଇପାରେ–ସତ ବୋଲି ଗ୍ରହଣ କରାଯାଇପାରେ–ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ସେଥିରେ ।

 

ଠିକ୍‌ ସେମିତି, କାହିଁକି କାହାକୁ ଭଲ ନ ଲାଗେ ବା ଭଲପାଇ ହୁଏନା । ଏପରିକି ଅସୀମ ଗୁଣର ପ୍ରଶଂସା କରୁଥିଲେ ମଧ୍ୟ, ତା’ପାଇଁବି ବୁଝାଇବାକୁ କୌଣସି ଯୁକ୍ତି ନାହିଁ !

 

ଗୁଣ, ରୂପ, ଅର୍ଥ ଦେଖି ଭଲ ପାଇ ହୁଏନା ।

ଗୁଣମୁଗ୍ଧ, ରୂପମୁଗ୍ଧ ସିନା ହୋଇ ହେବ ! ହଠାତ ଯେମିତି ଭଲ ପାଇ ବସେ ନାରୀ ବା ପୁରୁଷ, ଏପରିକି ଯାହାକୁ ଭଲ ପାଇବା ଉଚିତ ନୁହେଁ ବା ସମ୍ଭବ ନୁହେଁ ।

–ଠିକ୍‌ ସେମିତି, ଯାହାକୁ ଭଲ ପାଇବା ଆବଶ୍ୟକ, ତାକୁ ଭଲ ପାଏନା ବା ପାଇ ହୁଏନା ।

କଲେଜରେ ମୋର ଲଜିକ୍ ଥିଲା ।

ମାତ୍ର ଏଥିପାଇଁ କୌଣସି ଲଜିକ୍‌ ନାହିଁ ।

ନ ଥାଇପାରେ ।

ହେଇ ଦେଖୁନ ! ମୁଁ କ’ଣ କରି ବସିଛି ? ତମକୁ କହି ହେଉ ନାହିଁ । ତାଙ୍କୁ କହିପାରିବି ନାହିଁ । ଦୁନିଆରେ କାହାକୁ ବୋଧହୁଏ ଖୋଲି କହିହେବ ନାହିଁ । ସେ ଦୁଃସାହସ ମୋର ନାହିଁ । କିନ୍ତୁ...ସବୁ ବିପକ୍ଷ ଯୁକ୍ତିକୁ ହାର ମନାଇ, ଆଦୌ ସେ ଯୁକ୍ତିର ଗୋଲକଧନ୍ଦା ଭିତରେ ନ ପଶି, ମୁଁ ଭଲ ପାଇଛି–ପାଉଛି–

ତୁମକୁ...... ।

ନୀରବରେ ବସି ତମ ସହିତ କଥା କହୁଛି । ତା’ ପୁଣି ତମର ଅନୁପସ୍ଥିତିରେ ! ନିର୍ଜନତା ଭିତରେ–ଉପସ୍ଥିତିରେବି ଅଧିକ କିଛି ବୋଧହୁଏ ହୁଅନ୍ତା ନାହିଁ ! ମୁଁ କିଛି କହନ୍ତି ନାହିଁ, ଏମିତି ନୀରବ ରୁହନ୍ତି । ଗତ ରାତିରେ ତ ଏମିତି ମୋର ଅନେକ କଥା କହିବାର ଥିଲା–

ବିଶ୍ଵାସ କର, ସାରା ରାତି ତମକୁ ଶୁଣାଇବି–ଅଣନିଃଶ୍ଵାସୀ ହୋଇ, ବହୁତ...ବହୁତ କଥା ଶୁଣାଇଯିବି ବୋଲି ସିଦ୍ଧାନ୍ତ କରିଥିଲି ମନେ ମନେ । ଭାବିଥିଲି, ପ୍ରଗଳ୍‌ଭା ହୋଇ ଗପିଯିବି–ଅସରନ୍ତି ଗପ ।

ଇଆଡ଼ୁସିଆଡ଼ୁ ଅନେକ କଥା ।

ପଦେ ହେଲେ କଥା କହିପାରି ନାହିଁ ।

ଏପରିକି ‘ହଁ’ ‘ନାହିଁ’ ମଧ୍ୟ କହି ନାହିଁ ହୁଏତ ।

ତମେ କ୍ଷୁବ୍‌ଧ ହୋଇପାରିଥାଅ ।

କିନ୍ତୁ, କ’ଣ ମୁଁ କରିବି କହିଲ ଦେଖି ?

ସବୁ କଥାଗୁଡ଼ାକ ପରା, କଣ୍ଠତଳୁ ଆଉ ବାହାରୁ ନାହିଁ–ନଈ ଶୁଖିଗଲା ଭଳି ତାଳୁ ଶୁଖିଯାଉଛି ।

କିଛି କହିପାରୁନାହିଁ ମୁଁ !

କିନ୍ତୁ ତମେ ତ ମୋ ମୁହଁକୁ ନିରିଖି ନିରିଖି ଚାହୁଁ ଥାଅ ! ତମେ କ’ଣ ଜାଣିପାର ନାହିଁ, ନୀରବରେ କୌଣସି ଭାଷା ନ ଫୁଟାଇ ସୁଦ୍ଧା ମୁଁ ସେଇ ସମୟରେ ତମକୁ କଥା କହୁଥାଏ ? ମୋ ମନରେ କଥାର ଖଇ ଫୁଟୁଥାଏ–

 

ଆଉ, ନୀରବତା ଭିତରେ ସବୁ ବଖାଣି ଯାଏଁ ମୁଁ ତମ ଆଗରେ । ମୁଁ ତ ଭାବୁଛି, ତମେ ସେସବୁ କଥା ଶୁଣ ! ବୁଝିପାର ! ଆଉ, ସେ ବୁଝିପାରନ୍ତି ନାହିଁ ବୋଲି ତ ମୋର ଯେତେ ବେଦନା-!

 

ସତ କହିଲ, ତମେ କ’ଣ ବୁଝିପାରନା ମୋର ମୌନ ସେ କାହାଣୀ ? ଏଇନେ ତ କଥା କହୁଛି ! ତମେ କେଉଁଠି କେଜାଣି ? କ’ଣ କରୁଥିବ କେଜାଣି ? ହୁଏତ, ଆଉ କେଉଁ ନାରୀର ସାନ୍ନିଧ୍ୟ ଭିତରେ ରାତିର ଆଗାମୀ ପ୍ରହର ବିତାଇବାର ଉପକ୍ରମ କରୁଥିବ ! ଅବା, ଶୋଇ ସାରିବଣି-!

 

ବନ୍ଧୁ ଗହଣରେ ଗପ କରିପାରୁଥାଅ ମଧ୍ୟ ! ତମେ ଯେଉଁଠି ଥାଅ, ଯାହା କରୁଥାଅ ପଛେ, ମୋ କଥା କ’ଣ ଶୁଣିପାରୁନ ? ଜାଣିପାରୁନ ? ମୁଁ ତ ଭାବୁଛି......

 

ଟେଲିପାଥି–ମେଣ୍ଟାଲ୍‌ ଟେଲିପାଥି...ଯାହାପାଇଁ, ମା’ ଦୂରରେ ଥାଇ ସନ୍ତାନର ଦୁଃଖ ଜାଣିପାରେ–ବିରହ ବେଦନା ପରସ୍ପରର ବୁଝିପାରନ୍ତି । ପ୍ରେମିକ, ପ୍ରେମିକା–ତା’ରି ବଳରେ ଜାଣିପାରୁଥିବ !

 

ଛାଡ଼... ...

 

ଜାଣିପାର କି ନ ପାର, ସେଥିରେ ମୋର ଯାଏଁ ଆସେନା କିଛି । ମୋର ନିଜସ୍ଵକୁ ନେଇ, ନିଜକୁ ନେଇ ମୋର ସନ୍ତୁଷ୍ଟ ରହିବାରହିଁ ଉଚିତ ।

 

ତମେ କାଲି ଆସିଲ !

 

ରାତିର ଆକାଶରୁ ସେତେବେଳେ ତାରାଗୁଡ଼ାକ ନିଭି ନିଭି ଆସୁଥିଲେ । କାରଣ, ଏଇ ଅଦିନିଆ ମେଘରୁ ଖଣ୍ଡେ ଘୋଟାଇ ଆସୁଥିଲା । ଦମକା ଦମକା ଶୀତଳ ପବନ ପଶି ଆସୁଥିଲା, ଖୋଲା ଝରକା ବାଟେ । ପରଦାଗୁଡ଼ାକ ଜୋର୍‌ରେ ଜୋର୍‌ରେ ଉଡ଼ୁଥିଲେ ।

 

ଉଡ଼ୁଥିଲେ ସଶବ୍ଦରେ–

 

ଉଦାସ ମନରେ ମୁଁ ଚାହିଁଥିଲି ରାତିର ସେଇ ଆକାଶକୁ ! ସବୁଦିନେ ଚାହିଁରହେ ତ ! କ’ଣ ଆଉ କରିବି ? ତମେ କଲିଂବେଲ୍‌ ଚିପିଲ । ମୁଁ କବାଟ ଫିଟାଇଲି–ତମକୁ ଡ୍ରଇଂରୁମ୍‌କୁ ଆଣି ବସାଇଲି । ଏବଂ ନିଶ୍ଚିତ ଥିଲି ଯେ ତମେ ଜାଣିଚ, ତମ ବନ୍ଧୁ ନାହାନ୍ତି ବୋଲି । ତମେ ଅକାରଣରେ ମିଥ୍ୟା କହିଲ । ମୁଁ ବୁଝିପାରିଲି ।

 

ତମେ ମିଥ୍ୟା କହିବାର ମୁଁ ଜାଣିଛି ଓ ଜାଣୁଛି । ଏକଥା ବୁଝିପାରିଲେ, ଦୁଃଖ ପାଇବ, ଟିକେ ଲାଜେଇଯିବ, ଏଇଥିପାଇଁ କେବଳ ମୁଁ ଜଣାଇଦେଇନି ସେ କଥା ।

 

ମୋତେ କିନ୍ତୁ ଭଲ ଲାଗୁଥିଲା ଯେ ତମେ ଆସିଛ ! ତମକୁ ବସାଇ ଚା’ କରିବାକୁ ମୁଁ ଉଠି ଆସିଲି । ସେ କଥାବି ତମେ ଭଲ ଭାବରେ ବୁଝିଛ !

 

ଷ୍ଟୋଭ୍‌ ଆଉ ଚାହାର ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ମୁଁ ଦିନାକେତେ ହେଲା ଶୋଇବା ଘରେହିଁ ରଖିଛି । ଅଯଥା କାହିଁକି ବେଶି ବାଟ ଯିବି ? ଚାହା କେଟଲିରେ ପାଣି ଦେଇ ମୁଁ ଅପେକ୍ଷା କରିଛି । ବିଶେଷ ସମୟ ହୋଇଥିଲା ବୋଲି ତ ମୋର ଖିଆଲ ନାହିଁ । ଖିଆଲ ନାହିଁ କ’ଣ ? ସତରେ ଖୁବ୍‌ ବେଶି ସମୟ ଲାଗି ନଥିଲା–

 

ତମେ ଝଡ଼ ପରି ଶୋଇବା ଘର ଭିତରକୁ ପଶି ଆସିଲ । ତମକୁ କ୍ଷମା ମାଗି, ଅଭ୍ୟର୍ଥନା କରି ସେଇଠି ବସାଇଲି । ମୋ ଖଟ ଉପରେ ପଡ଼ିଥିବା ଆମେରିକାନ୍‌ ଉପନ୍ୟାସଟାକୁ ଗୋଟାଇ ନେଇ ପୃଷ୍ଠା ଓଲଟାଇ ଓଲଟାଇ ତମେ କ’ଣ କ’ଣ କହୁଥିଲ ।

 

ସତ କହୁଛି ମୁଁ ସେସବୁ ବିଶେଷ ଭାବରେ ଶୁଣିପାରି ନାହିଁ । କାରଣ ଚାହାଟା ଉତୁରି ପଡ଼ିବ ବୋଲି ମୁଁ ଅନ୍ୟମନସ୍କ ଥିଲି । ତା’ ଛଡ଼ା ସେତିକିବେଳେ ଆଉ କ’ଣ କ’ଣ ସବୁ କଥା ମଧ୍ୟ ମୁଁ ଭାବୁଥିଲି ।

 

ତମେ ଚା’ ଖାଇଲ । ମୁଁ ବି । ତା’ପରେ ଆମେ ଦୁହେଁ କ’ଣ ସବୁ ଗପୁଥିଲେ ନିଶ୍ଚୟ । ମୋର ସେସବୁ ମଧ୍ୟ ସ୍ପଷ୍ଟ ମନେ ନାହିଁ । କେବଳ, ମନେଅଛି ତମର ଉଜ୍ଜ୍ୱଳ କଳା ଆଖି । ଯାହା ମୋ ଦେହରେ ବିଦ୍ଧ ହୋଇଯାଉଥିଲା ।

 

ମନଦେଇ ତମେ ମୋତେ ଦେଖୁଥିଲ । ଆଉ ମୁଁ.... ?

 

ହଠାତ ତମେ ଉଠିଯାଇ ଲାଇଟ୍‍ଟା ଲିଭାଇ ଦେଲ । ଦୁଆରଟା ଆଉଜାଇ ଦେଲ । ଆଉ, ମୁଁ ସେଥିପାଇଁ ବୋଧହୁଏ ପ୍ରସ୍ତୁତ ଥିଲି । ଅନ୍ତତଃ ମନରେ–

 

ତା’ପରେ ସେ କଥା ଘଟିଲା...! ଅଥଚ, ଏ କଥା ଆଗରୁ କେବେ ମୁଁ ଭାବି ନଥିଲି । କଳ୍ପନାବି କରି ନଥିଲି । କେଉଁ ଅବଚେତନରେ କିନ୍ତୁ ଏମିତି କିଛି ନଥିଲେ ମୁଁ ରୁକ୍ଷ ହୋଇ ଉଠିଥାଆନ୍ତି, ବାଧା ଦେବାକୁ ଚେଷ୍ଟା କରିଥାଆନ୍ତି–

 

ରାତିରେ ତମେ ଏଇଠି ଶୋଇଥିଲ–ଦେହଟାର ପୂରା ତାତି ମୋ ଦେହରେ ବାଜୁଥିଲା–ସେଇ ଉଷ୍ମତା, ସେଇ ପୁଲକ, ମୁଁ ସାଉଁଟୁଛି ଆଜି ସକାଳୁ । ପୁଣି ରାତି ହେଲାଣି ଆସି ।

 

ମୁଁ...ମୁଁ ଆଦୌ ବାଧା ଦେଇପାରିଲି ନାହିଁ । କାରଣ, ବାଧା ଦେବାର ସ୍ପୃହା ନଥିଲା । ଆଉ, ଆଜି ସକାଳୁ ଜାଣିଛି, ଏଇ ଘଟନାଟା ଅନେକ ଦିନରୁ ଏକ ଧାରାରେ ପ୍ରୋସେସ୍‌ରେ ଚାଲି ଆସୁଛି–

 

ତମର ହୁଏତ ମନେ ନାହିଁ–ମନେ ନ ରହିବାହିଁ ସ୍ଵାଭାବିକ ! କାରଣ, ତମେ ପୁରୁଷ ! ଆଉ, ଏଇସବୁ କଥା କହି ଗର୍ବ କର । ଗୌରବବୋଧ ତମର ଆସେ । ମଧ୍ୟଯୁଗୀୟ ପୌରୁଷବୋଧ ପାଇଁ ଏଇସବୁ । ଏଥିରେ ଆହୁରି ପୁଟ ମିଶାଇ ଗପ–ବନ୍ଧୁ ଗହଳରେ । ଆମେ ପ୍ରକାଶ କରିପାରୁନା କିଛି ।

 

ନିଜକୁ ପ୍ରକାଶ କରିବା ଆମ ପକ୍ଷରେ ସମ୍ଭବ ନୁହେଁ । ଯେତେ କଥା ମନରେ ଉବେଇଟୁବେଇ ହେଉ ପଛକେ, ଯେତେ ଉଦ୍‌ଗିରଣର ସୂଚନା ଦେଖାଯାଉ ପଛକେ । କାରଣ କ’ଣ ଜାଣିଛ ? କାରଣ, ଆମେ ନାରୀ...ଅତିମାତ୍ରାରେ ନାରୀ ! ନିଜ କଥା କହିଲେ ଆମ ନାରୀତ୍ୱରେ ଆଞ୍ଚ ଆସେ । କ୍ଷୟ ହୁଏ ସତୀତ୍ୱ । ଗର୍ବର କାରଣ ନ ହୋଇ, ଆମ ପକ୍ଷରେ ଗଞ୍ଜଣାର କାରଣ ହୁଏ ଆମର ଅନୁଭୂତି–

 

ଆଉ, ତମମାନଙ୍କର ପୌରୁଷର ଟୋପିରେ ଏହା ନୂଆ ଏକ ପର ସଂଯୋଗ କରେ । ପୌରୁଷ ବଢ଼େ । ଆମର ଗଞ୍ଜଣାର କାରଣ ତମ ପକ୍ଷରେ ଗର୍ବ ହୁଏ । ତମେ କଥାଟା ବନେଇଚୁନେଇ କହି ଛାତି ଫୁଲେଇ ଚାଲ । ସଚରାଚର ୟା’ର ବ୍ୟତିକ୍ରମ ନାହିଁ !

 

ମଜାର କଥା ହେଉଛି, ତମେ ପୁରୁଷମାନେ ନୁହ, ନାରୀହିଁ ନାରୀର ଶତ୍ରୁ ହୁଏ । ତମେମାନେ ଯେମିତି ତମର ପୁରୁଷ ବନ୍ଧୁଙ୍କ ଆଗରେ ବଖାଣି ବସ କଥାଟା–ଆମେ ତ ସେମିତି ବାନ୍ଧବୀ, ସହଚରୀ ନାରୀଙ୍କ ଆଗରେ ମନଖୋଲି କହନ୍ତୁ ? ପୁରୁଷଙ୍କ ଆଗରେ କହିଦେଲେ ହୁଏତ ଭଲ ହୁଅନ୍ତା–ସେଭଳି ସୁଯୋଗ ୟୁରୋପରେ ମିଳିପାରେ । ଏଠିତ ସମ୍ଭବ ନୁହେଁ ଏବଂ ବାନ୍ଧବୀମାନେହିଁ ଆମର ଶତ୍ରୁ ହୁଅନ୍ତି । ସେମାନେ ନିଜର ଏକାଗ୍ରତା, ଅଧ୍ୟବସାୟ, ପତିଭକ୍ତି ବା ପ୍ରେମର ଏକନିଷ୍ଠତା ପ୍ରମାଣିତ କରିବାପାଇଁ ବାନ୍ଧବୀଙ୍କ ବିରୋଧରେ ସମ୍ପର୍କରେ ଯାହା ଜାଣନ୍ତି, ଆଉ ଦି’କଥା ମିଶାଇ କହି ବସନ୍ତି– !

 

ଏଣୁ, ମନକଥା ମନରେ ମନରେ ଗୁମୁରି ଗୁମୁରି ରୁହେ ଆମର ! ଜାଣିରଖ, ଏଇ ଚରିତ୍ର, ପ୍ରେମ ଏ ସମ୍ପର୍କରେ ନାରୀ କେବେହେଲେ କାହା ଆଗରେ ସତ୍ୟ କୁହେନା ! କହିବା ସମ୍ଭବ ନୁହେଁ ।

 

ତମେ ସବୁ ରାସ୍ତାରେ ଝିଅବୋହୂଙ୍କ ରୂପ ଦେଖି ଥଟ୍ଟା କର ନାହିଁ ? କାହାକୁ କାହାକୁ ଚାଖି, ପରଖି ଦେଖିବାପାଇଁ ମନ ବଳାଅ ନାହିଁ ? ବଳାଅ ନିଶ୍ଚେ ସନ୍ଦେହ ନାହିଁ ।

 

ଆମେବି ମଣିଷ । କେତେକ ଶାରୀରିକ ତଫାତ ଥିଲେ ମଧ୍ୟ ମନର ପରିଧି ବୋଧହୁଏ ସମାନ ! ଆମେ ମଧ୍ୟ ସେମିତି, କାହାକୁ କାହାକୁ ପାଇବାପାଇଁ, ଭୋଗିବାପାଇଁ ଚାହୁଁ ନିଶ୍ଚୟ । ରୂପ ଦେଖିଲେ ଭଲମନ୍ଦ ମନରେ ଭାବୁ । ଏଇଟାହିଁ ତ ସ୍ଵାଭାବିକ ! ତମେମାନେ, ସେ କଥା ବଡ଼ପାଟିରେ ଘୋଷଣା କରି ସେଇଟା କହିପାର ! ଏପରିକି, ଈପ୍ସିତ ବସ୍ତୁଟିକୁ ତାହା ଶୁଣାଇ ଦେଇପାର, ତା’ର ବିରକ୍ତିଭାଜନ ହେଲେ ସୁଦ୍ଧା–

 

ଆମେ କିନ୍ତୁ ନୀରବରେ ନୀରବରେ ତଳକୁ ମୁହଁ ପୋତି ଆଗେଇ ଯାଉ । ଛାତି ଭିତରର ସମସ୍ତ କମ୍ପନକୁ, ଶିହରଣକୁ, ତରଙ୍ଗକୁ ରୋଧ କରି–

 

ନା....... ?

 

ତମେ କୁଆଡ଼େ ଲେଖାଲେଖି କର । ତା’ ପୁଣି କବିତା । କବିମାନେ, ସମସ୍ତେ କହନ୍ତି କାଳେ ମନକଥା ସବୁ ଜାଣିପାରନ୍ତି ସମସ୍ତଙ୍କର । ତମେ ମୋ କଥା ତ ଜାଣିପାରୁଥିବ ? ଆଉ ମାନଙ୍କ କଥା ମଧ୍ୟ । କହିବ, ମୁଁ କ’ଣ ମିଛ କହୁଛି... ?

 

ତମ ସପକ୍ଷରେ, ଅନେକ କଥା ଯୁକ୍ତିଛଳରେ କହିପାର ତମେ । କହିପାରିବ ନିଶ୍ଚୟ । ମୋତେ ଜଳଜଳ ଦେଖାଯାଉଛି । କିନ୍ତୁ ଥରେ ତମର ସେ କବିତ୍ଵର ଇଗୋର ତଳକୁ ଓହ୍ଲାଇ ଆସି, ଯୁକ୍ତିଗୁଡ଼ାକ ମନରୁ କାଢ଼ିଦେଇ କହିବ ଦେଖି ମୋ କଥା ସତ କି ନାହିଁ !

 

କେବେ ଯଦି ସୁବିଧା ମିଳେ, ତମକୁ ମୁଁ ନିଶ୍ଚୟ ପଚାରିବି ଏ କଥା । ଆଉ, ଉତ୍ତର ଦେବାକୁ ତମକୁ ବାଧ୍ୟ କରିବି । ଲୋକେବି କହନ୍ତି, କବିମାନେ ଚରିତ୍ରହୀନ । ଅବଶ୍ୟ ଚରିତ୍ରର ସଂଜ୍ଞା ତାଙ୍କର ନିଜସ୍ଵ । ଆଉ, ସେ ସଂଜ୍ଞାକୁ ମାନିନେଲେ, ସତରେ ତମେ ମୁଁ ଆମ ଭଲ ଆଉ ଲକ୍ଷେ, ସମସ୍ତଙ୍କର ଚରିତ୍ର ବୋଲି କିଛି ନାହିଁ ହୁଏତ !

 

ତମର କବିତା ମୁଁ ଗୋଟାଏ ହେଲେ ପଢ଼ି ନାହିଁ ! ପଢ଼ିବିବି ନାହିଁ । କାରଣ, କବିତା ମୁଁ ପଢ଼େ ନାହିଁ । ମୋତେ ଭଲ ଲାଗେନା । ମନକୁମନ ଆଜେବାଜେ କଥାଗୁଡ଼ାକ ସବୁ । ମୁଣ୍ଡଗଣ୍ଡି କିଛି ନ ଥାଏ–

 

ନିଜେବି ବୁଝନ୍ତି କି ନାହିଁ ସନ୍ଦେହ । ମୋର ତ ଧାରଣା, ନିଜେ ଲେଖନ୍ତି, ନିଜେ ପଢ଼ନ୍ତି । ଆଉ, ମନକୁମନ ଖୁସି ହୁଅନ୍ତି ! କିଏ ସେ କବିତାଗୁଡ଼ାକ ପଢ଼େ ଭଲା... ? ତମେ ଜାଣିଲେ ହସିବ, ପିଲାକାଳରୁ ଏଯାଏଁ ମୋର ମାତ୍ର ଗୋଟିଏ କବିତାର ଦୁଇ ପଦ ମନେ ଅଛି । ନା...ନା ଦୁଇଟା...ଦୁଇଟା !

 

ଥରେ ୟା’ଙ୍କୁ ସେ କଥା କହିପକେଇଲି ଯେ, ଘଡ଼ିଏ ପର୍ଯ୍ୟନ୍ତ ହୋହୋ ହୋଇ ହସି ଚାଲିଲେ । ଘର ଫଟାଇ ହସିଲେ । ମୁଁ ତ ବିଲ୍‌କୁଲ୍‌ ଡରିଗଲି । ତା’ପରେ ପୁଷି ବିଲେଇକୁ । ମୁଣ୍ଡ ଆଉଁଶି ଦେଇ ଦୁଧଭାତ ଖୋଇବା ଭଙ୍ଗୀରେ ପଚାରିଲେ ମୋତେ କବିତା ଦୁଇଟା କ’ଣ ବୋଲି ।

 

ଭାବିଚିନ୍ତି କହିଲି । ଜାଣିଚ, ସେ ଦିଇଟା କ’ଣ ହୋଇଥିବ ? ରହ ରହ କ୍ଷଣେ ବାଷ୍ପୀୟଶକଟ–

 

ଆଉ, ‘ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ...’

 

ଦ୍ଵିତୀୟଟା ପୁଣି ମନେଅଛି, ପିଲାଦିନେ ହାତଗୋଡ଼ ଧୋଇ, ସଞ୍ଜ ହେଲେ ଆଖି ବୁଜି, ଧ୍ୟାନ କଲାଭଳି ପୋଜ୍‌ରେ ବସି, ଏଇ ଗୀତଟାକୁ ଓଲଟାଇ ପାଲଟାଇ, ଚଟାପଟ ବୋଲି ଦେବାକୁ ହୁଏ ବୋଲି । ନିତି ନିତି ବୋଲି ବୋଲି ମନେ ରହିଯାଇଛି ।

 

ସେଥିରେ ଗୋଟାଏ ପଦ ଅଛି, କ’ଣ କ’ଣ ଥାଇ...

 

‘ଅବୋଧ ବାଳକ’ ବୋଲି ।

 

ବାଳିକା ବୋଲି ମୁଁ ଭାରି ଖଟକା ଲାଗୁଥିଲା–ଖାଲି, ବୋଉ କାଳେ ରାଗିବ ବୋଲି ବିକଳରେ ଆଖି ବୁଜି ବୋଲି ପକାଉଥିଲି ଗଡ଼ଗଡ଼ କରି । ଏବଂ, ବୋଉ ନ ଥିବା ଦିନ ବା, ବୋଉ ରୋଷେଇଘରେ ବ୍ୟସ୍ତ ରହିଗଲେ ମୂଳଟା ଶେଷଟା ସରଳାର୍ଥ ଲେଖିବା ଢଙ୍ଗରେ ମଝିରେ ଡ୍ୟାସ୍‌ ଡ୍ୟାସ୍‌ ଦେଇ ସାରିଦିଏ ଚଞ୍ଚଳ ଚଞ୍ଚଳ । ପହିଲିଟା ରାଧାନାଥ କି ଗୋପବନ୍ଧୁଙ୍କର ବୋଧହୁଏ ଠିକ୍‌ ମନେ ନାହିଁ । ପିଲାଦିନ ବହିରେ ପଢ଼ିଥିଲି । ଆକସ୍ମିକଭାବେ ମନେ ରହିଯାଇଛି ।

 

ୟା’ଙ୍କୁ କହିଲି ରାଧାନାଥ ବୋଲି ସେ ପୁଣି ଛାତିଫଟା ହସ ହସିଲେ । ମୋ ସାହିତ୍ୟ ଜ୍ଞାନ ଦେଖି, ପରିହାସ କଲେ । ଆମେମାନେ କୁଆଡ଼େ ଓଡ଼ିଆ ସାହିତ୍ୟର ଶ୍ରାଦ୍ଧ କରିବୁ ! କିଓ ! ତମେ ସବୁ ତମର ଏବେ ଜୟନ୍ତୀ କର ! କିଏ ମନା କରୁଛି ଭଲା... ?

 

ଏ ବିଜିକିଟିଆ କବିତାଗୁଡ଼ାକ କିଏ ମନେରଖିବ... ? ପିଲାଦିନେ ତ ସାହିତ୍ୟ ପଣ୍ଡିତେ, ଚୁଟି ଟାଣି ଟାଣି ଅଧା ବାଳ ପ୍ରାୟ ଓପାଡ଼ି ଦେଇଛନ୍ତି । ପାଟିରେ ପୁଣି ଯେଉଁ ଭାଷା ପଶିଲା, ସେଥିରେ ଗାଳି ଦେଇ, ସାହିତ୍ୟ ଜ୍ଞାନ ତାଙ୍କର ଦେଖାଇଛନ୍ତି !

 

ଥାଉ, ଏ ଦିନେ କବିତା ପଢ଼ିବି କେମିତି... ?

 

ତମକୁ ପ୍ରଥମ ଦିନରୁ ଯେବେ ଦେଖିଥିଲି, ମୋର ଧାରଣା ହେଉଥିଲା ତମେ କବିଫବି କିଛି ହେବ ବୋଲି । ତମର ପତଳା ଗୋରା ଦେହ, ଟିକେ ଅଧିକ ଖେଥା ଗୋରା ବର୍ଣ୍ଣ–ମୁହଁରେ ଦୁଇ ତିନିଦିନ କି ସପ୍ତାଏ ହେବ ସଞ୍ଚିତ ଥୁଣ୍ଟା ଥୁଣ୍ଟା ଦାଢ଼ି–ଫୁର୍‍ଫୁର୍ ବାଳ, ନୁଖୁରା ତେଲହୀନ–ଆଉ ଶାଣଦିଆ ଛୁରି ଭଳି ତୀକ୍ଷ୍ଣ ଆଖି ଦୁଇଟା, ଯେଉଁଟା ପ୍ରଥମ ଦିନ ମୋର ଦେହସାରା ଚରି ବୁଲୁଥିଲା ଏପଟୁ ସେପଟ–ତମର ସିଗାରେଟ୍‌ ପରେ ସିଗାରେଟ୍‌ ଖିଆ–ମଇଳା ଟ୍ରାଉଜର ଆଉ ସଫା ପଞ୍ଜାବି–ସବୁ ମିଶାଇ ଦେଖିସାରିବା ପରେ ମୋର ଏଇ ଧାରଣା ହୋଇଥିଲା ।

 

ତମ ଆଖି ମୋତେ କ୍ଷତବିକ୍ଷତ କରୁଥିଲା– ।

 

ତମର ମନେଅଛି କି ନାହିଁ ଜାଣେନା–ମୁଁ ସଂତ୍ରସ୍ତ ହୋଇ ଉଠୁଥିଲି । ଆଉ, ତମକୁ ମୁଁ ସେତେବେଳେ ଘୃଣା କରିଥିଲି । କାରଣ, ତମର ଚାହାଣିରେ, ତମର ବସିବାର ଢଙ୍ଗରେ; ତମର କଥାବାର୍ତ୍ତାରେ, ଆଚରଣରେ ଏପରି ଅଶାଳୀନତା ଥିଲା, ଯାହା ଯେ କୌଣସି ଭଦ୍ର ମହିଳାଙ୍କୁ ତମ ବିଷୟରେ ଏକ ଖରାପ ଧାରଣା ଦେବ ।

 

ଶାଳୀନତା ତ ବଡ଼କଥା ବରଂ ମନେହେବ ତମେ ବଡ଼ ଅଶ୍ଳୀଳ, ଇତର, ଅଭଦ୍ର । ମୋର ଏଇଆହିଁ ମନେ ହୋଇଥିଲା । ତମେ ମୋର ସମସ୍ତ ସାବଧାନତା, ସଂତ୍ରସ୍ତ ଭାବ, ଲୁଗାକାନି ଦେହର ବିଭିନ୍ନ ଆଖିଦୃଶିଆ ଅଙ୍ଗପ୍ରତ୍ୟଙ୍ଗ ଉପରକୁ ଟଣାଟଣି କରିବା ସବୁକୁ ବେଖାତିର କରି, ନିର୍ଲଜ୍ଜ ବେହିଆଙ୍କ ଭଳି ନିରିଖି ନିରିଖି ମୋତେ ଚାହୁଁଥିଲ–

 

ମୋ ଗାଲ, ଓଠ, ଛାତି, ଜଙ୍ଘ, କାନ୍ଧ ପ୍ରତ୍ୟେକଟି ଅଙ୍ଗରେ ତମ ଆଖି ଦୁଇଟା ସ୍ପଟ୍‌ଲାଇଟ୍‌ ଭଳି ପଡ଼ି ପଡ଼ି ଯାଉଥିଲା–ଆଉ, ସାରା ଦେହ ମୋର ଜଳି ଜଳି ଯାଉଥିଲା ।

 

ମଜାର କଥା, ଇଏ ପୁଣି ତମକୁ ସମ୍ବୋଧନ କରି କହୁଥିଲେ, ‘କ’ଣ ଏତେ ଦେଖୁଚୁ କିରେ... ?’

 

ତଥାପି ତମର ଆଖି ଉଠୁ ନଥିଲା ମୋ ଦେହରୁ–ସେ ଚିହ୍ନାଇଦେଲେ, ଇଏ ମୋ ବନ୍ଧୁ–-। ଆଉ କହିଲେ ତମେ କୁଆଡ଼େ କେଉଁଠି ଶିକ୍ଷକତା କରୁଛ ! ଆଉ ବେଶ୍‌ ନାମଜାଦା କବି ! କବିତ୍ଵ ତମର ପେଶା–ଶିକ୍ଷକତା ତମର ଅବସର ବିନୋଦନ ।

 

ତା’ପରେ, ମୋତେ ତମ ସହିତ... ।

 

ତମେ ମୁଚୁକେଇ ହସି ହାତଯୋଡ଼ି ନମସ୍କାର କଲ ।

 

ଇଚ୍ଛା ନଥିଲେବି ମୁଁ ନମସ୍କାର କଲି ।

 

ଚାହା, ଜଳଖିଆ ଦେଲି ।

 

ଯେତେବେଳେ ସେ ବଖରାକୁ ପଶିଲି, ସେତେବେଳେ ତମର ଉଜ୍ଜ୍ୱଳ କଳାଡ଼ୋଳା ଦୁଇଟା ମୋତେ ବିଦ୍ଧ କରିବାକୁ ଲାଗିଲା ।

 

ଏଡ଼ାଇଯିବାକୁ ଚେଷ୍ଟା କରିବି ମୁଁ ବେଶି ବେଶି ଆସିବାକୁ ଲାଗିଲି ସେଠାକୁ ।

 

ଧୂର୍ତ୍ତ ତମେ, ମୋତେ ଆମନ୍ତ୍ରଣ ଜଣାଇଲ, ତମମାନଙ୍କ ସାଙ୍ଗରେ ବସି ଗପସପ କରିବାକୁ ।

 

ମୁଁ ବସିଲି ।

 

ତମର କ’ଣ କ’ଣ ସବୁ ଆଲୋଚନା ଚାଲିଥିଲା, କିଛି ଶୁଣି ନାହିଁ ।

 

ଯେତେବେଳେ ତମକୁ ଅନାଇଛି, ଦେଖିଛି ତମେ ଅନାଇଛ ମୋତେ ।

 

ତା’ପରେ ୟାଙ୍କୁ ଅନାଏ ।

 

ଇଏ ହସି ଦିଅନ୍ତି । ମୁଁ ହସିଦିଏ, ଅକାରଣରେ ।

 

ତମେବି ହସିଦିଅ, ଆହୁରି ଅକାରଣରେ ।

 

ସେଦିନ ରାତିରେ ମୋତେ ତମର ଗୁଣଗରିମା ବିଷୟରେ ଏକ ବିଶଦ ବିବରଣୀ ଦେଇ; ଇଏ କ’ଣ କହିଲେ ଜାଣ ସବାଶେଷରେ... ?

 

କହିଲେ, ପାଗଳଟାଏ–ହେଲେ ଭାରି ଭଲ ମନ ।

 

ଗୁଡ଼୍ ହାର୍ଟ… ।

 

ମୁଁ ଶୋଇ ଶୋଇ ତମକୁ ଘୃଣା କରୁଥିଲି ।

 

ଏବଂ, ତମ ପ୍ରଶଂସା ଶୁଣୁଥିଲି ୟାଙ୍କଠାରୁ ।

 

ଘୃଣା କରିବାର ଏକ ବିଶେଷ କାରଣ ଥିଲା ।

 

ସେଇଟା ତମର ସେ ଚାହାଣି ବା ଆଉ କିଛି ନୁହେଁ ।

 

ତମ ଚାହାଣିକୁ ଭୁଲିଯାଇ ତ ପାରିଥାଆନ୍ତି !

 

ତମେ କେବେ ଶୁଣିଲେ ହୁଏତ ରାଗିବ ।

 

ଅବା, ରାଗିଲେ ମଧ୍ୟ ତମର ସହଜାତ ହସ ହସି, ଉଦାରତା ଦେଖାଇବାର ସୁଯୋଗ ନେବ ।

 

ତମେ ରାଗିଲେବି କ’ଣ ହବ– ?

 

କବି, ଲେଖକଗୁଡ଼ାଙ୍କୁ ମୁଁ ରୀତିମତ ଘୃଣା କରେ ।

 

ଆଦୌ ସହ୍ୟ କରିପାରେନା ।

 

ଏତେ ଘୃଣା ଆଉ କାହା ପ୍ରତି ମୋର ନାହିଁ ।

 

ସେମାନେ ଯେଉଁ ସବ୍‍ଜାନ୍‌ତା ହସ ହସନ୍ତି, ଆଉ ତାଙ୍କର ଦୁନିଆଟାର ସମସ୍ତଙ୍କର ମନକଥା ଜାଣିଯାଆନ୍ତି ବୋଲି ଭାବି ଯେଉଁ ଗର୍ବବୋଧ, ଗାଉଁ; ତାକୁ ଦେଖିଲେ ମୋ ଦେହ ଜଳିଉଠେ ।

 

ଜଳିଉଠେ ରାଗରେ ।

 

କୁଆଡ଼େ, ଅନ୍ତର୍ଯାମୀ ପୁରୁଷଗୁଡ଼ାକ ଏମାନେ ଯେ, ସମସ୍ତଙ୍କର ସବୁ କଥା ଜାଣିଯିବେ !

 

ତୁଚ୍ଛା କଥାଗୁଡ଼ାକରୁ ବେଦନା, ଦୁଃଖ ସବୁ ଟାଣିଓଟାରି ଫର୍ମୁଲା ପକାଇ କାଢ଼ି ପକାଇବାକୁ ଚେଷ୍ଟା କରିବେ ।

 

ଦୁନିଆଟାଯାକର, ଏ କୋଟି କୋଟି ନରନାରୀ–ଏତେ ପ୍ରକାର ଜୀବନ–ଏତେ ଭାଷା–ଏତେ ବୈଚିତ୍ର୍ୟ–ଏତେ ଜଟିଳତା–ସବୁ କ’ଣ ଗୋଟାଏ ଫର୍ମୁଲାରେ, ଗୋଟାଏ ଧାରାରେ ଚାଲିଛି-?

 

ତମେ ସବୁ କେମିତି ଭାବ ଯେ, ଜଣେ ଲୋକ ଗୋଟାଏ ପ୍ରକାର ମୁହଁ କରିଚି ବୋଲି ? ସେ ଦୁଃଖ ପାଉନି କି ତା’ର କୌଣସି ଗୋଟାଏ ମାନସିକ ବେଦନା ଅଛି ବୋଲି– ?

 

ବୋକାମି ନୁହ... ?

 

ଏଇ ବୋକା ଲେଖକ, କବିଗୁଡ଼ାଙ୍କୁ ଦେଖିଲେ ମୋର କ’ଣ ଇଚ୍ଛା ହୁଏ ଜାଣ... ?

 

ଇଚ୍ଛା ହୁଏ, ତାଙ୍କୁ ସବୁ ଏକାଠି ବସାଇ, କ୍ଳାସ କରି, ଗ୍ଳୋବ ଧରି ଭୂଗୋଳ ପଢ଼ାଇବି !

 

ଜଣାଇବି ଯେ, ତାଙ୍କର କଳ୍ପନା ଅପେକ୍ଷା, ତାଙ୍କର ଦୁଇ ଆଖିରେ ଦେଖିଥିବା ଦୁନିଆ ଅପେକ୍ଷା ଦୁନିଆଟା ସତେ କେତେ ବିରାଟ୍ ! କେତେ ବ୍ୟାପ୍ତ...ଆଉ କେତେ ବୈଚିତ୍ର୍ୟମୟ !

 

ନିର୍ବୋଧଗୁଡ଼ାକ ଏମାନେ !

 

ମଣିଷକୁ ଜାଣିବେ ନା ଛେନାଗୁଡ଼... ?

 

ଆହୁରି ରାଗ ମାଡ଼େ, ଯେତେବେଳେ ଏମାନେ ବିନମ୍ରତା ପ୍ରକାଶ କରନ୍ତି । ମୁଲାଏମ ନରମ ନରମ କଥା ସବୁ; ଅଧା ଢୋକି–ଅଧା ଗିଳି; ପୁଣି ଅଧା ବାହାର କରି ଦାନ୍ତ ଚିପିଚିପି ଅଭିନୟ କରିବା ଭଙ୍ଗୀରେ କହନ୍ତି !

 

ଗୋଟିପଣେ ଯେମିତି ଜଉରେ ତିଆରି !

 

ତରଳି ଗଳିଯାଉଛନ୍ତି ବିନମ୍ରତାର ତାତିରେ... !

 

ତୀବ୍ର ଘୃଣା ଆଉ ବିଦ୍ଵେଷରେ ପୂରିଯାଏଁ ମନଟା !

 

ମୋର ତ ଧାରଣା, ସାଧାରଣ ସଚେତନଶୀଳତା ଥିବା କେହିହେଲେ ଏମାନଙ୍କୁ ସହ୍ୟ କରିପାରିବ ନାହିଁ !

 

ଆଉ, ତମର ଏ କବିତାକୁ ମଧ୍ୟ ମୋର ଅସହ୍ୟ ଘୃଣା !

 

ମୁଁ ତମକୁ ଭଲ ପାଏ । ପାଉଛି–

 

ତମର କବିତାକୁ ନୁହେଁ ।

 

ଖିଆଲକୁ ନୁହେଁ ।

 

ପୂରାପୂରି ଗୋଟା ମଣିଷଟାକୁ ।

 

ଏଣୁ, ତମେ ମୋତେ ଭୁଲ୍‍ ବୁଝିବାର କାରଣ ନାହିଁ ।

 

ବୁଝିଲେବି ମୁଁ କ୍ଷମା ମାଗିବି ନାହିଁ ।

 

କାରଣ, ତମକୁ ନେଇ ମୁଁ ତ ବଞ୍ଚିବି ନାହିଁ…!

 

ବଞ୍ଚିବି ତମର ଭଲ ପାଇବାକୁ ନେଇ– ।

 

ଏପରିକି ଉତ୍ତର ଜୀବନରେ ତମ ସହିତ ଆଦୌ ନ ଦେଖା ହେଲେ ମଧ୍ୟ ମୁଁ ଟୋପାଏବି ସୁଦ୍ଧା ଲୁହ ଢାଳିବି ନାହିଁ ।

 

କାନ୍ଦିବାକୁ ଭୟଙ୍କର ଇଚ୍ଛା ହେଲେବି ଆଜିକାଲି ଆଉ କାନ୍ଦି ହୁଏନା–! କାନ୍ଦିବା ସମ୍ଭବ ନୁହେଁ !

 

ଲୁହର ସେ ଗ୍ଳାଣ୍ଡ ବୋଧହୁଏ କଟିଯାଇଛି !

 

ସେ ଲେଖକ ଜଣକ ତମର ଜଣା କି ନାହିଁ ଜାଣେନି ।

 

ତମର ବନ୍ଧୁବି ହୋଇଯାଇ ପାରନ୍ତି...!

 

ଏକଦା, ତାଙ୍କ ସହିତ ମୋର ପରିଚିତ ଥିଲା ।

 

କିଛି କିଛି ବନ୍ଧୁତା...ଘନିଷ୍ଠତାବି ଥିଲା ।

 

ତାଙ୍କରିଠାରୁ ମୋର ଏ ଧାରଣା !

 

ବହୁଦିନ ହେଲା ତାଙ୍କ ସହିତ ମୋରବି ଦେଖା ହୋଇନାହିଁ ।

 

ଆଉ ଦେଖା ହେବ କି ନାହିଁ ଜାଣେନା ।

 

କାଗଜପତ୍ର ପୃଷ୍ଠାରେ ତାଙ୍କ ନାଁ ଦେଖିପାରନ୍ତି ! ମାତ୍ର, ମୁଁ ସେସବୁ ତ ଦେଖେନା–

 

ବୋଧହୁଏ, ତାଙ୍କରିପାଇଁ କିନ୍ତୁ ଲେଖକମାନଙ୍କ ଉପରେ ମୋର ଏ ଖରାପ ଧାରଣା ।

 

ଯେଉଁ ଘଟନାସୂତ୍ରରେ ତାଙ୍କ ସହ ପରିଚିତ, ସେ କଥା ମନେ ନ ପକାଇବାକୁହିଁ ଚେଷ୍ଟା କରୁଛି । ଏଣୁ ମନେ ନ ପଡ଼ିଲେ ଭଲ ।

 

ସୁଦୃଶ୍ୟ ଚେହେରାର, ସାଧାରଣ ଭାବରେ ଭଲଲୋକଟିଏ ।

 

ଅନ୍ତତଃ, ବାହାରକୁ ତ ତାହାହିଁ ଦେଖାଯାଆନ୍ତି !

 

ଲେଖକ, କବିଙ୍କର ସବୁ ଗୁଣ ତ ନିଶ୍ଚିତ ଭାବରେ ଅଛି !

 

ବାହାରର ପୋଷାକ, ଢଙ୍ଗଢ଼ାଙ୍ଗ, ଚାଲିଚଳନ, ବେଶ୍ କବି କବି ଲାଗେ । ସେମାନଙ୍କର ସବୁଠାରୁ ବଡ଼ ଗୁଣ ହେଲା, ନିଜକୁ ଲୁଚାଇ, ଅନ୍ୟ ଭାବରେ ପ୍ରକଟିତ, ପ୍ରକାଶିତ କରିପାରନ୍ତି ଅତି ଚମତ୍କାର ଭାବରେ ।

 

ଲେଖା ତ ଯାହା ହୁଏ ଛାଡ଼ ।

 

କେଉଁଠି ଗୋଟାଏ ପଢ଼ିଥିଲି ମନେ ନାହିଁ, ଥ୍ରୀ ଏସ୍ ହେଲା ଆଜିକାଲିର ଲେଖା–ସସ୍‌ପେନ୍‌ସ, ସେକ୍‌ସ ଆଉ ଷ୍ଟୋରୀ ।

 

ଯେତେ ନାକକାନ୍ଦୁରା ପୁଅ, ନାକକାନ୍ଦୁରୀ ଝିଅଙ୍କର ଅବାସ୍ତବ ଇମୋସନ । ଅପ୍ରାପ୍ତବୟସ୍କ ଝିଅଙ୍କର ପ୍ରେମ କାହାଣୀ–ଶେଷରେ କାନ୍ଦ, ଆତ୍ମହତ୍ୟା, ନ ହେଲେ ବିବାହ !

 

ଝିଅମାନଙ୍କର ଦୁଃଖ ଦେଖି ବିଗଳିତ ହୁଅନ୍ତି ଲେଖକମାନେ ! ଯେମିତି ଜଗତ୍‍ଯାକର ଯେତେ ବେଦନା, କରୁଣତା, ଦୁଃଖ ସବୁ ଏହି ଝିଅଙ୍କଠି ଓଜାଡ଼ି ହୋଇ ପଡ଼ିଛି ।

 

ସସାଗରା ପୃଥିବୀରେ ମଣିଷ ଏତେ କୋଟି ! ତାଙ୍କ ଭିତରେ ଏଇ ଦୁଃଖ ଛଡ଼ା ଆଉ କ’ଣ କିଛି ନାହିଁ !

 

ସେ ସବୁ ନେଇ କ’ଣ କାହାଣୀ, ଉପନ୍ୟାସ ହୋଇପାରେନା ! ଏଇତ ସେଦିନ, ଛୋଟ ଝିଅ ପିଲାଟିକୁ ତା’ ମା’ ଆଣି ବିକିଦେଲା ମାସ ପନ୍ଦରଟି ଟଙ୍କାରେ ! ପନ୍ଦର ଟଙ୍କାରେ ଯେଉଁ ଦେଶରେ ମଣିଷ ବିକ୍ରି ହୁଅନ୍ତି, ସେଠି ଆଉ କୌଣସି ମାନବିକ ସମ୍ବେଦନଶୀଳତା ଥାଇପାରେ ବୋଲି କ’ଣ ମନେହୁଏ ?

 

ଏଇ ଯେଉଁ ପାଗଳ ? ଡାଆଣୀ ବୁଢ଼ୀ ? ଏମାନେ କ’ଣ ଚରିତ୍ର ହୋଇପାରନ୍ତେ ନାହିଁ-?

 

ସେଇ ଏକା ସେକ୍‌ସ ଅବା ନାକ କାନ୍ଦଣା ଶୁଣି ଶୁଣି ଭୟଙ୍କର ଚିଡ଼ି ଲାଗିଲାଣି ।

 

ମୁଁ ତ, ଅନେକ ଦିନୁ କୌଣସି ଗଳ୍ପ ଉପନ୍ୟାସ ପଢ଼େନା.....

 

ପଢ଼େନା, ଏଇଥିପାଇଁ ଯେ ଏଥିରେ ପଢ଼ିବାକୁ କିଛି ନାହିଁ !

 

ସେ ଭଦ୍ରଲୋକ ସେଥିଭିତରୁ ଜଣେ, ଯେଉଁମାନେ ନିଜପାଇଁ ନିଜେ ଲେଖନ୍ତି । ଆତ୍ମତୃପ୍ତି ପାଇଁ ନୁହେଁ– । ଛପାହରଫରେ ନିଜ ନାଁଟାକୁ ପଢ଼ିବା ଲାଗି, ଆଉ ନିଜେ ନିଜେ ନେଇ ଅନ୍ୟାନ୍ୟ ସମସ୍ତଙ୍କୁ ଦେଖାଇବା ଲାଗି–

 

ଆଉ କେହି ନ ପଢ଼ିଲେବି ଯେଉଁମାନେ କେତେଜଣ ଲେଖନ୍ତି, ସେମାନେ ପରସ୍ପରର ଲେଖା ପଢ଼ନ୍ତୁ ନ ପଢ଼ନ୍ତୁ, ଦେଖନ୍ତି–ଟେକିଟାକି କଥା କହନ୍ତି !

 

ସବୁଠାରୁ ଆଚମ୍ବିତ ଆଉ ଆଶ୍ଚର୍ଯ୍ୟର କଥା ଯେ, ଭଦ୍ରବ୍ୟକ୍ତି ହଠାତ ମୋତେ ଭଲ ପାଇ ବସିଲେ–

 

ମନକୁମନ ଅବଶ୍ୟ ।

 

ମୋ ତରଫରୁ କିନ୍ତୁ କୌଣସି ସୂଚନା ନଥିଲା ।

 

ପ୍ରାୟ, ପ୍ରେମରେ ହାବୁଡ଼ୁବୁ ଖାଇଲେ ସେ–

 

ମଜା କଥା, କ’ଣ ଜାଣିଛ ?

 

ତମେ ତ ଜାଣିଥିବ ନିଶ୍ଚୟ–କାରଣ ତମେବି ଲେଖକ, କବି ।

 

ତମର ଲେଖକମାନଙ୍କର କୁଆଡ଼େ ଗୋଟାଏ ଥିଓରୀ ଅଛି ।

 

ଆଉ, ସେ ଥିଓରୀଟା ହେଲା, ପ୍ରେମ ନ କଲେ କେହି ଲେଖିପାରିବେ ନାହିଁ ବା ପାରନ୍ତି ନାହିଁ !

 

ଲେଖିବାପାଇଁ କଲମ, କାଗଜ, କାଳି, ଅଭିଜ୍ଞତା, ଦର୍ଶନ ଏ ସବୁଥିରୁ ବେଶି ଦରକାର କୁଆଡ଼େ ପ୍ରେମ ! ଅବା ପ୍ରେମହିଁ ତାଙ୍କର ଦର୍ଶନ–ଦର୍ଶନହିଁ ପ୍ରେମ, ଅଭିଜ୍ଞତା, ସବୁକିଛି–କି ପ୍ରେମ ସିଏ କେଜାଣି !

 

ବୈଷ୍ଣବ ଜନୋଚିତ ପ୍ରେମ ହୋଇଥିବ ପରା !

 

ବୈଷ୍ଣବମାନଙ୍କର କାଳେ, ଏଇ ଭାବ ପ୍ରେମ ସବୁ ନ ହେଲେ ନ ଚଳେ ।

 

ତମମାନଙ୍କରବି ସେମିତି ।

 

ଆଉଥରେ ଦେଖା ହେଲେ, ତମକୁ ପଚାରିବି ବୋଲି ଭାବିଛି !

 

ତୁମେ ଖରାପ ଭାବ ବା ନ ଭାବ, ପଚାରିବି ନିଶ୍ଚେ ।

 

ଆଉ କ’ଣ ପଚାରିବି ଜାଣିଚ ?

 

ପଚାରିବି, ତମେ ମୋତେ ସେଇ ରୀତିରେ ଭଲ ପାଉନ ତ ?

 

ମୁଁ ଜାଣେ, ତମେ କେମିତି, କ’ଣ, ଆଉ କି ଭଙ୍ଗୀରେ ଏ କଥାର ଉତ୍ତର ଦେବ ।

 

ଆଉ, ସେମିତି ଉତ୍ତର ଦିଅ ବୋଲି ତ ମୁଁ ତମକୁ ଏତେ ବେଶି ଭଲ ପାଏ !

 

ତମେ ହୋହୋ ହୋଇ ହସିଉଠି ଛାତି ଫଠାଇବ, ଆଗେ ମୋ ମୁହଁରୁ କଥାଟା ଶୁଣିସାରି–

 

ଆଉ, ତା’ପରେ ଭୟଙ୍କର ଇଣ୍ଟେଲିଜେଣ୍ଟ ପ୍ରଶ୍ନ ଆଉ ପ୍ରଚୁର ହ୍ୟୁମର ଅଛି ବୋଲି କହି କଥାଟାକୁ ଏଡ଼ାଇଯିବ–

 

ପରିଶେଷରେ କହିବ–“ଭଲଫଲ ପାଇବା କ’ଣ ମୁଁ ଜାଣେନା, ଆଉ ସେ ସବୁଥିରେ ମୁଁ ବିଶ୍ଵାସ କରେନା, ତମେ ଜାଣିଚ–! ଏଇ ଯାହା କରୁଛି, ସେଇଆ ଯଦି ପ୍ରେମ, ଭଲପାଇବା ଏମିତି ସବୁ କଥାର ସଂଜ୍ଞାର ପରିଧି ଭିତରକୁ ଆସୁଥାଏ, ତେବେ ଭଲ ପାଉଚି ବୋଲି କହିପାର–ନ ହେଲେ ଅନ୍ୟ କିଛି କହିପାର’–

 

ତା’ପରେ କହିବ, “ଦେଖ, ଡିକ୍‌ସନାରୀ ଦେଖି ମୁଁ ଭଲ ପାଇବା ପ୍ରାକ୍‌ଟିସ୍ କରେନା । ଏଣିକି ଚେଷ୍ଟା କରିବି, ତମ ପାଖକୁ ଆସିଲାବେଳେ କେତେଟା ଶବ୍ଦର ଅର୍ଥ ଅଭିଧାନରୁ ଦେଖିଆସିବି ! କିନ୍ତୁ, ମୁଁ ସିନା ତମ ପାଖକୁ ଆସିବାକୁ ସିଦ୍ଧାନ୍ତ ନେଇ ମାନସିକ ପ୍ରସ୍ତୁତି କରି ଆସିଲେ ହବ ?–

 

ଅଥଚ, ମୁଁ ଜାଣେ ତମେ ୟା’ର ଠିକ୍ ଓଲଟା କଥା କର । ସମ୍ପୂର୍ଣ୍ଣ ମାନସିକ ପ୍ରସ୍ତୁତି ଧରି ବୋଧହୁଏ ଆସ ତମେ–‘ବୋଧହୁଏ’ କହୁଚି ଏଇଥିପାଇଁ ଯେ, କେତେ ଟିକେ ମୁଁ ଆଉ ଜାଣିଲି ତମକୁ ?

 

ଏଇଥିରେ ସବୁ ଜାଣିବା କ’ଣ ସମ୍ଭବ ?

 

ହୁଏତ ସବୁ ସବୁ ମୁଁ ଜାଣିଛି !

 

କିମ୍ବା, କିଛି ହୁଏତ ଜାଣି ନାହିଁ ବା ଯାହା ଜାଣିଚି, ସବୁ ଭୁଲ୍ । ଏଇ ସନ୍ଦେହ, ଦ୍ଵିଧା ନଥିଲେ ଭଲ ପାଇବାର ସ୍ଵାଦ ବୋଧହୁଏ କିଛି ନ ଥାନ୍ତା ! ବର୍ଣ୍ଣହୀନ, ସ୍ଵାଦହୀନ ହୋଇଯାଆନ୍ତା ସବୁ !

 

ନା… ?

 

ଭଲ ପାଇଲେ ପୂରା ମୂକ ବାଚାଳ ହୋଇଯାଆନ୍ତି ?

 

ରାତି ରାତି ବିତାଇ ବାଚାଳତା ପ୍ରକାଶ କରନ୍ତି ?

 

କିନ୍ତୁ, କି ଆଶ୍ଚର୍ଯ୍ୟ !

 

ପିଲାଦିନେ ମୋତେ ବାପା, ମା’ ଡବଡ଼ବୀ ବୋଲି କହୁଥିଲେ ।

 

ମାନେ, ବାଚାଳ ମୁଁ ସତରେ–

 

ଅଥଚ, ମୂକ ହୋଇଯାଉଚି କେମିତି ?

 

କଥା ମୁଁ କହୁଥାଏ–କିନ୍ତୁ, ମୋଟେ ପାଟି ଖୋଲି ପାରେନା–

 

ତମକୁ କେବଳ ଚାହିଁ ରହେ–ଶୁଣେ ।

 

ତମେ କ’ଣ ସବୁ ବକର ବକର ହୋଇ କହିଯାଅ–

 

ବେଳେବେଳେ ହୁଏତ ବିରକ୍ତ ହୁଅ–ମୋତେ ବାରମ୍ବାର ‘କୁହ’, ‘କୁହ’ ବୋଲି କହୁଥାଅ-

 

କିନ୍ତୁ କ’ଣ ମୁଁ କରିବି କହିଲ ?

 

ଅନେକ ଚେଷ୍ଟା କରିଛି– । ଚେଷ୍ଟା କରିଛି ପ୍ରସ୍ତୁତ କରିଛି ନିଜକୁ ଯେ ଏଇଥର ସବୁ କଥା କହିବି–

 

କିନ୍ତୁ କେମିତି କେଜାଣି, ମୌନତା ମୋତେ ଗ୍ରାସ କରିଯାଏ । କେଉଁଠି ଏତେ ମୌନତା, ନୀରବତା ସବୁ ସଞ୍ଚିତ ହୋଇଥାଏ କେଜାଣି !

 

ସବୁ ଏକତ୍ରିତ ହୋଇ, ଠୁଳ ହୋଇ ମୋତେ ସମ୍ପୂର୍ଣ୍ଣ ଭାବରେ ଗ୍ରାସି ପକାନ୍ତି । ଠିକ୍ ତମରି ଭଳି !

 

ତମେବି ମୋତେ ଗ୍ରାସ କରିଛ !

 

ଗ୍ରାସ କରିଛି ପରିପୂର୍ଣ୍ଣ ଭାବରେ । ପୂରାପୂରି ! ଗୋଟିପଣେ ।

 

କ’ଣ କରିବି କହିଲ ?

 

ଭୁଲ୍ କରୁଛି କି ଠିକ୍ କରୁଛି ମୁଁ ଜାଣେନା–

 

ପାପ କି ପୁଣ୍ୟ ବୁଝି ନାହିଁ ।

 

କିଛି କିଛି ଦ୍ଵନ୍ଦ୍ୱ–କିଛି ଦ୍ଵିଧା–ଅନେକ ଶଙ୍କା, ସବୁ ଛପି ଛପି ଆସନ୍ତି, ପୁଣି ଅପସରି ଯାଆନ୍ତି ।

 

ମୁଁ ଯାହା କରିବାର କରିଯାଏ–

 

ସେମାନେ ହଜି ହଜିଯାଆନ୍ତି ।

 

ମୁଁ ତମକୁ ଭଲପାଏ–ସେଇ ଶଙ୍କା ଭିତରେ–ସେଇ ଦ୍ଵିଧା ଭିତରେ ।

 

ତମେ କ’ଣ ଏ କଥା ବୁଝିପାର ?

 

ମୋତେ ତ ସେଦିନ ପଚାରୁଥିଲ ?

 

ହେବ…...

 

ଦେଖୁନ– ?

 

ମୁଁ ସେ ବର୍ଣ୍ଣଚୋରା ଲେଖକଟାର କଥା କହୁଥିଲି ପରା !

 

ସିଏ କାହିଁ କୁଆଡ଼େ ହଜିଗଲାଣି–

 

ମୁଁ ଏବେ ସେଇ ତମ କଥା ଭାବି ଚାଲିଛି–ଗୁରେଇତୁରେଇ ।

 

ବର୍ଷା ଆଉ ନାହିଁ–

 

କାହିଁ କେତେବେଳୁ ଥମିଗଲାଣି ।

 

ସୁ ସୁ ପବନ ପିଟୁଛି । ଦମକାଏ ଦମକାଏ ପବନ ପଶି ଆସୁଛି ।

 

ଗଛପତ୍ର ସବୁ ସୁ ସୁ ହୋଇ ଉଠୁଛନ୍ତି ପବନର ବେଗରେ–

 

ଜଣାପଡ଼ୁଛି ଯେମିତି ବହୁଦିନରୁ ବର୍ଷା ହୋଇ ନାହିଁ–ହୋଇ ନଥିଲା ।

 

ମୁଁ ତ ଭୁଲିଗଲିଣି ଯେ ସତରେ ବର୍ଷା ହେଉଥିଲା ବୋଲି ।

 

ପବନରୁ ଆର୍ଦ୍ରତା ଧୀରେ ଧୀରେ କମି କମି ଆସୁଛି ।

 

ରାତି ପାହିଲା ପରେ, ଆଗାମୀ ସକାଳରେ ହୁଏତ ପୂରାପୂରି ଶୁଖିଯିବ ସବୁ ।

 

ରାତି ଏଇ ପ୍ରହରରେ କୋଳାହଳ ବଢ଼ି ଉଠେ ।

 

ପିମ୍ପୁଡ଼ି ମନ୍ଦାରେ ଗୋଡ଼ ପଡ଼ିଗଲେ ଯେମିତି ମେଞ୍ଚା ମେଞ୍ଚା ହୋଇ ବାହାରକୁ ବାହାରି ଆସନ୍ତି, ସେମିତି ଏବେ ଅଗଣିତ ଲୋକ ରାଜରାସ୍ତାରେ ଭିଡ଼ ଜମାଇଥିବେ ହୁଏତ । ଦୋକାନବଜାର ସବୁ ଆଲୋକିତ ହୋଇଥିବ । ଶୋଭିତା ଏକ ତରୁଣୀର ରୂପ ନେଇଥିବ ସାରା ସହର–ବହୁ ରଙ୍ଗ, ବହୁ ଜୀବନମୁଖର ହୋଇ ଉଠୁଥିବ ଏ ପ୍ରହରରେ–

 

ଖିଏ ହସ, ଟିକେ ମିଠାକଥା, ଦିହକୁଦିହ ଲଗାଲଗି, ଆଖିର ଇଶାରା ସବୁ ଏବେ ରାଜରାସ୍ତାରେ ଭିଡ଼ ଜମାଇଥିବେ । ମୁଁ ତ ଦେଖିପାରୁ ନାହିଁ–

 

ଏଇଠି ଏମିତି ବସି ବସି ଭାବୁଛି । ଅନୁମାନ କରୁଛି ।

 

କଳନା କରୁଛି । ସେ ବର୍ଣ୍ଣାଢ଼୍ୟ ଜୀବନର ରଙ୍ଗକୁ–

 

ଆଉ, ଚାହିଁଛି ରାତିର ଆକାଶର ଗୋଟିକ ପରେ ଗୋଟିଏ ହୋଇ ଫୁଟି ଫୁଟି ଆସୁଥିବା ତାରା ଫୁଲଗୁଡ଼ାକୁ–

 

ହଁ, ତାରାଗୁଡ଼ାକ ମୁହଁ ଦେଖାଇଲେଣି, ଆକାଶର କଳା ପଣତ ତଳୁ ।

 

ସତେକି ଆକାଶଟା ଗୋଟାଏ ସଚିତ୍ର କଳାଶାଢ଼ି–

 

ଅବା, କଳା ମଚମଚ ଓଢ଼ଣୀର ଛୋଟଛୋଟ ରୁପାଫୁଲ !

 

ମିଟିମିଟି କରୁଛନ୍ତି ଆକାଶଟାସାରା ଛାଇ ହୋଇଯାଇ–

 

ତମେ ତାରାଫୁଲର ଏ ମଉଛବ ଦେଖିଛ ?

 

ଓଦା ନଈବାଲିରେ, ଚୂନା ଚୂନା ବାଲିର ଶେଯ ଉପରେ ଶୋଇରହି ଆକାଶକୁ ଚାହିଁ ରହିଛ କେବେ ?

 

ଅଦୂରରୁ ଶୁଭୁଥିବ ନଈର କ୍ଷୀଣଧାରଟିର ବହିଯାଉଥିବା ପାଣିର କଳକଳ ରବ ।

 

ସାହିତ୍ୟିକ ଭାଷାରେ ତମର କୁଳୁକୁଳୁ ତଟିନୀର ଧାର–

 

ଆକାଶ ଛାତିରୁ ଝରିଝରି ହୋଇ, ବରଫ ଗୁଣ୍ଡ ଭଳି କାକର ବିନ୍ଦୁ ସବୁ ଝରିଝରି ପଡ଼ୁଥିବ, ଓଠରେ, କପାଳରେ, କପୋଳରେ, ଛାତିରେ–ସାରା ଦେହରେ ।

 

ଭିଜି ଯାଉଥିବ ଦେହସାରା–

 

ଆଉ, ଦୂରରୁ ମିଞ୍ଜିମିଞ୍ଜି ଦିଶୁଥିବ ସହରର କୁନି କୁନି ଆଲୁଅ ସବୁ । ହାତରେ ଥିବ ସେଇ ଓଦା ବାଲିରୁ ମୁଠାଏ, ମୁଠାଏ ବାଲି । ସତେ ମ !

 

ଭାରି ମଜା ଲାଗେନା ଏମିତି ଶୋଇ ରହି ରହି ତାରାଭରା ଆକାଶଟାକୁ ଚାହିଁବାକୁ ?

 

ନା, ନା, ମୁଁ ସେଣ୍ଟିମେଣ୍ଟାଲ, ଇମୋସନାଲ୍ ହେଉ ନାହିଁ ।

 

କିଛି କିଛି ରୋମାଣ୍ଟିସିଜିମ୍ ଅବଶ୍ୟ ଅଛି ।

 

କିନ୍ତୁ କହିଲ ଦେଖି, ରୋମାଣ୍ଟିସିଜିମ୍ ନ ରହିଲେ ଜୀବନଟା କେମିତି ବିତାଇବ ମଣିଷ ? ଜୀବନର କୌଣସି ମୂଲ୍ୟବୋଧ କ’ଣ ରହିବ ଆଉ ?

 

ବାସ୍ତବତାଟା ନିଶ୍ଚିତ ଭାବରେ ସତ୍ୟ ।

 

କିନ୍ତୁ ଏଇଟା କ’ଣ ଅବାସ୍ତବ ? ସମ୍ପୂର୍ଣ୍ଣ ଭାବରେ ରଙ୍ଗିନ କଳ୍ପନା ?

 

ଜୀବନକୁ ନୂଆ ଭାବରେ ଟିକିଏ ଖାପଛଡ଼ା କରି, ସଞ୍ଚିତ ଅବସର ଟିକକ ବ୍ୟୟ କରି; ଅଲଗା କରି ଦେଖିବା କଥା ଇଏ !

 

ଜୀବନକୁ ଉପଭୋଗ କରିବାକୁ ହେବ ସମସ୍ତ ହଳାହଳ ଭିତରେ, କୋଳାହଳ ଭିତରେ-

 

ତମେ ହସ ପଛେ ।

 

ଏତକ ଭାବପ୍ରବଣତା ନ ରହିଲେ କିନ୍ତୁ ମଣିଷର ବଞ୍ଚିବାର କୌଣସି ଅର୍ଥ ନାହିଁ ।

 

ଅଥଚ ତମେ ବିଶ୍ଵାସ କର, ମୁଁ କଳ୍ପନାପ୍ରବଣ ନୁହେଁ ।

 

ଆଉ ଦଶ ଜଣ ନାରୀଙ୍କ ଭଳି ସହଜ ଭାବପ୍ରବଣତା ମୋ’ଠାରେ ନାହିଁ । ନ ହେଲେ...-। ନ ହେଲେ କ’ଣ ମୁଁ ଏଠି ଏମିତି ତାହା ଗଣୁଥାନ୍ତି ବସି :–

 

ରାତି ଏବେ ଯୁବତୀ ।

 

ଯୌବନରେ ଭରପୂର–ତାରୁଣ୍ୟରେ ଚଞ୍ଚଳମୁଖର ଏକ ତରୁଣୀ ।

 

ଆଉ, ଏଇ ରାତି ବୁଢ଼ୀ ହୋଇଯିବ !

 

ପ୍ରତି ପଦକ୍ଷେପରେ ରାତି ଆଗଉଛି । ଆଉ, ଆଗଉଛି ଧୀରେ ଧୀରେ ବୁଢ଼ୀ ହେବାକୁ ।

 

ସାରା ରାତି ବସି ବସି, ଚେଇଁ ରହି ମୁଁ ଦେଖିବି, ରାତି କେମିତି ବୁଢ଼ୀ ହୋଇଯାଉଛି ।

 

ଚିତ୍ ହୋଇ ଶୋଇ ରହି, ଓଠରେ ମୋର କାକରର ଚୁମ୍ବନ ନେବି ।

 

ନିଃଶେଷ କରି, ଆକାଶକୁ ଆଲିଙ୍ଗନ କରିବାକୁ ହାତପାତିବି ।

 

ଏବେବି ଦେହରେ ମୋର ଅନାସ୍ଵାଦିତ ସେ ପୁଲକ ।

 

ଇଏ ଦୁର୍ଘଟନା ହୋଇପାରେ । କିନ୍ତୁ ଦୁର୍ଘଟନାବି ସତ୍ୟ ହୁଏ ।

 

ସତ୍ୟବି ଦୁର୍ଘଟନାରେ ପରିଣତ ହୁଏ ।

 

ରାତିର ଏଇ ପ୍ରହରରେ ଲେଖକଗୁଡ଼ାକ ପ୍ରତି ମୋର ଘୃଣା ଅଧିକ ହୁଏ, ପ୍ରବଳ ହୁଏ ।

 

କାରଣ, ଭାବପ୍ରବଣତା ବୋଧହୁଏ, ଯୁବତୀ–ରାତିରେ ଅଧିକ ଆସେ ଏବଂ ମନେପଡ଼େ ମୋର ତାରୁଣ୍ୟର ସେ ଲେଖକ ବନ୍ଧୁଙ୍କ କଥା । ସେ ସମୟ ଏବେ ସରି ସରି ଆସୁଛି ।

 

କାହିଁକି କେଜାଣି, ହଠାତ ତାଙ୍କର ଧାରଣା ହେଲା ଯେ, ମନରେ ମୋର ବେଦନାର ସାଗରର ଉତ୍ତାଳ ତରଙ୍ଗ–ଆଉ, ସେଇଥିରେ ଉବେଇଟୁବେଇ ହୋଇ ମୁଁ ଶେଷ ହୋଇଯାଉଛି ।

 

ତଳିତଳାନ୍ତ ହୋଇଯାଉଛି, ଦୁଃଖର ଅତଳାନ୍ତ ଗଭୀରତାରେ ।

 

ମୋ ଦୁଃଖକୁ ମାପି ବସିଲେ ସେ ।

 

ମୋତେ ଏଇ ଅଶାନ୍ତ ନିଃସୀମ ଗଭୀରତା ଭିତରକୁ, ଉପରକୁ ଟାଣି ଆଣିବାକୁ ଚେଷ୍ଟା କରୁଥିଲେ କୁଆଡ଼େ !

 

ସାରା ଦୁନିଆର ମଣିଷ ଭିତରେ ଏତେ ଦୁଃଖ, ଏତେ ବେଦନା, ଏତେ ଅବସାଦ ସବୁ କୁଆଡ଼େ ତାଙ୍କରି ମନ ଉପକୂଳରେ ଧକା ଖାଏ !

 

ମଣିଷର ଦୁଃଖରେ, ହତାଶାରେ ଜର୍ଜରିତ ସେ । ଅନ୍ତତଃ, ଏମିତି ସେ କହନ୍ତି ।

 

ଏବେ ସିନା ମୁଁ ପରିହାସ କଲାଭଳି କଥାଟାକୁ ହସରେ ଉଡ଼େଇ ଦେଉଛି । ସେତେବେଳେ କିନ୍ତୁ ସତରେ ତାଙ୍କ କଥାରେ ମଜି ଯାଇଥିଲି ମୁଁ ।

 

ବିଶ୍ଵାସ କରିଥିଲି, ଭଦ୍ରଲୋକଙ୍କର ବିଶ୍ଵସ୍ତତାରେ–

 

ସିଏ କୁଆଡ଼େ ଚରିତ୍ର ଖୋଜୁଥିଲେ–

 

ମଣିଷ ଖୋଜୁଥିଲେ–

 

ନିତି ନିତି ତାଙ୍କ କଥା ଶୁଣେ । ମନ ଦେଇ ହେଉ ଅବା ନ ଦେଇ ହେଉ–

 

ବେଳେବେଳେ ଭଲବି ଲାଗୁଥିଲା ଲୋକଟିର ବାଚାଳତା । ବାଚାଳତା କହୁଛି ଏଇଥିପାଇଁ ଯେ, ସମୟ ସମୟରେ ଅସମ୍ଭବ ଅସମ୍ଭବ କଥା ସବୁ କହିବାକୁ ଆରମ୍ଭ କରି ଅଯଥା ଗପନ୍ତି ସେ–ବେଳେବେଳେ ମୋର ଧୈର୍ଯ୍ୟର ପରୀକ୍ଷାବି ହୁଏ ।

 

ଜୀବନରେ ଦୁଃଖ, ବେଦନା, ହତାଶା ଯେ ମୋର ନଥିଲା;

 

ନୁହେଁ–

 

ଅଛି ତ ନିଶ୍ଚୟ ।

 

ବେଳେବେଳେ ପୁଣି ଅକାରଣରେ, ନିଜ ଅଲକ୍ଷ୍ୟରେ ମନଟା ଭାରାକ୍ରାନ୍ତ ହୋଇଉଠେ-

 

ଛାତି ଫଟେଇ, କୋହ ଉଠାଇ କାନ୍ଦିବାକୁବି ଇଚ୍ଛା ହୁଏ ।

 

ମୋର ଦୁଃଖ ଅପେକ୍ଷା ତାଙ୍କ କଥାରେ ଦୁଃଖ ଆସେ ମୋର ବେଶି ।

 

ଅକାରଣ ଗାମ୍ଭୀର୍ଯ୍ୟ ପ୍ରକାଶ କରେ ମୁଁ ତାଙ୍କ କଥାକୁ ଅନୁସରଣ କରି ।

 

କେବଳ ଚାହିଁ ରହେ, ଶୁଣେ ।

 

ଜବାବ ଦିଏନା, କଥାବି କହେନା ।

 

କହନ୍ତିବି କ’ଣ ?

 

ସିଏ ମୋତେ ପଚାରନ୍ତି ନାହିଁ ତ କିଛି !

 

କହିଯାଆନ୍ତି, ଆଉ ଉତ୍ତର ଦିଅନ୍ତି ନିଜେ ନିଜେ ।

 

ମୋ ତରଫରୁ ଉତ୍ତର ଏଇଆ ହେବ ବୋଲି କହି ।

 

ଶେଷରେ କହନ୍ତି, ‘ଏଇଆ ନା ?’

 

ମୁଁ ମୁଣ୍ଡ ମଧ୍ୟ ଟୁଙ୍ଗାରେ ନାହିଁ ।

 

କେବେ କେମିତି ଅନ୍ୟ କୁଆଡ଼େ ଚାହିଁଦେଲେ ସିଏ ଭାବନ୍ତି, ତାଙ୍କ କଥାର ସମ୍ମତି ବା ଅସମ୍ମତି ବୋଲି । ଏବେ, ଏହି ମୁହୂର୍ତ୍ତରେ ଭାବୁଛି, ମୋର ପୋଷା ଶୁଆ ଭଳି କଣ୍ଠରେ କଟର କଟର କରନ୍ତି ସେ–

 

ମାତ୍ର ସେତେବେଳେ ଭାବୁଥିଲି, ସତରେ ମଣିଷ ମନ ଜାଣିବାରେ, ଲୋକଟିର କି ଅସୀମ ଆଗ୍ରହ ! କି ଶକ୍ତି ପୁଣି ?

 

ରାସ୍ତାକଡ଼ରେ ପସରା ମେଲି ବସିଥିବା ଜ୍ୟୋତିଷମାନେ ସାମୁଦ୍ରିକ ଜ୍ୟୋତିର୍ବିଦ୍ୟାର ପଦେ କିଛି ନ ଜାଣିଲେବି, ଅଭ୍ୟାସବଶତଃ, ନିତି ନିତି ଅଗଣିତ ଲୋକଙ୍କର ହାତ ଦେଖି ଦେଖି, ଯେମିତି ବେଳେବେଳେ ଏମିତି ଗୋଟାଏ ଗୋଟାଏ କଥା କୁହନ୍ତି; ଯେଉଁଟା ସତ ବୋଲି ବାଜିଯାଏ, ସେମିତି ତାଙ୍କର ଗୋଟାଏ ଗୋଟାଏ କଥାବି ମନକୁ ଘେନେ, ସତ ହୋଇଥାଏ ।

 

ଏତେ କଥା ଗପିଲେ କ’ଣ ଗୋଟାଏ ସତ ହବ ନାହିଁ ?

 

ହବାକୁ ତ ବାଧ୍ୟ !

 

ମୁଁ, ଯେମିତି ଗୋଟାଏ ଖୋଲା ବହି–

 

ଆଉ, ସିଏ ମୋତେ ଦୈନିକ ପୃଷ୍ଠାଏ ପୃଷ୍ଠାଏ ପଢ଼ୁଛନ୍ତି !

 

ସେମିତି ଲାଗେ ମୋତେ ।

 

ଅନେକ ଦିନ ଜଣକ ସହିତ ଏକାଠି ଗପିସାରିଲା ପରେ, ବସିଲା ପରେ ସହଜରେ କିଛି ବାରଣ କରି ହୁଏନାହିଁ–ନା ?

 

ତା’ଛଡ଼ା । କିଛିଟା ସହୃଦୟତା ଆସେ ମଧ୍ୟ ।

 

ମଣିଷ, ମଣିଷ ପାଖରେ ସହଜ ହୋଇଯାଏ ।

 

ମୁଁ ମଧ୍ୟ କ୍ରମଶଃ ସହଜ ହୋଇଉଠିଲି ।

 

ତାଙ୍କୁ ଦେଖିଲେ ହସିଲି ।

 

ତାଙ୍କ କଥାର ଆମୋଦ ଗ୍ରହଣ କଲି ।

 

ଖୁସି ବା ଦୁଃଖର ଭାବ, ସରଳ ଭାବରେ ତାଙ୍କ ନିକଟରେ ପ୍ରକଟିତ ହେଲା ।

 

ଦିନେ, ହଠାତ ସେ ପଚାରିଲେ, ମୁଁ କାହାକୁ ଭଲ ପାଏ କି ନାହିଁ ବୋଲି ।

 

ଅତି ମାମୁଲି ପ୍ରଶ୍ନଟା–

 

କିନ୍ତୁ ସହଜରେ କ’ଣ ୟା’ର ଉତ୍ତର ଦେଇ ହୁଏ ?

 

ପୁଣି ଆଉ ଜଣକୁ ?

 

ମୁଁ ତଳକୁ ମୁହଁ ପୋତିଲି, ହସିଲି ।

 

ସେମିତି ହସୁଥାଏ, ପୁଣି ତାଙ୍କ ମୁହଁକୁ ଚାହିଁଲି ।

 

ସେ ବାରମ୍ବାର, ମୋତେ ସେଇ ଏକା ପ୍ରଶ୍ନ ପଚାରି ବ୍ୟତିବ୍ୟସ୍ତ କରିପକାନ୍ତି–

 

ବିବ୍ରତ ହୋଇଯାଏ ମୁଁ–

 

ମାତ୍ର ଉତ୍ତର ଦେଇପାରେ ନାହିଁ ।

 

ଦେଇପାରେ ନାହିଁ ନୁହେଁ, ଦିଏ ନାହିଁ ।

 

ପ୍ରଥମେ ଭାବୁଥିଲି, ହଠାତ ଭଦ୍ରଲୋକ ପ୍ରଶ୍ନଟା ପଚାରି ଦେଇଛନ୍ତି ।

 

ବଳେ ବଳେ ବନ୍ଦ ହୋଇଯିବ ତାଙ୍କ ପ୍ରଶ୍ନର ଧାରା–

 

କିନ୍ତୁ ସେ ନିତି ନିତି ସେଇ ଏକା ପ୍ରଶ୍ନହିଁ ପଚାରନ୍ତି–

 

ଆଉ ମୁଁ ହସେ, ହସୁଥାଏ । ତଳକୁ ମୁହଁ ପୋତି ନୀରବ ରହେ ।

 

ପଚାରିବାଟା ତାଙ୍କର କ୍ରମଶଃ ଅଭ୍ୟାସରେ ପରିଣତ ହେଲା–

 

ଉତ୍ତର ନ ଦେଇ ତୁନି ହୋଇ ରହି ହସିବାଟା ଅଭ୍ୟାସ ହେଲା ।

 

ଅଭ୍ୟାସ ନୁହେଁ, ବରଂ ଜିଦ୍‌ରେ ପରିଣତ ହେଲା ।

 

ଆଶ୍ଚର୍ଯ୍ୟ ! ଭଦ୍ରଲୋକ ଏଥର ଆଉ କିଛି ନ ପଚାରି, ଆଉ କୌଣସି କଥା ନ କହି, କେବଳ ଏଇ କଥାହିଁ ପଚାରି ଲାଗିଲେ–

 

ତାଙ୍କ ଧୈର୍ଯ୍ୟବି ଅସୀମ ସତେ !

 

ଟେପ୍ ରେକର୍ଡ଼ରବି ତାଙ୍କ ସହିତ ଏକା କଥା ବାରମ୍ବାର କହିବାରେ ହାର ମାନିଯିବ ।

 

ଓଃ, ଭୟଙ୍କର ବିବ୍ରତବୋଧ କରେ ମୁଁ–

 

କିନ୍ତୁ କିଛି କୁହେନା ।

 

ସତେ ଯେମିତି ମୁଁ ପ୍ରତିଜ୍ଞାବଦ୍ଧ କିଛି ନ କହିବାକୁ !

 

କାହିଁକି ବା କହନ୍ତି,ଏ ଲୋକଟା ଆଗରେ ?

 

କେବେ କିଏ କହିଥିଲେ, କେଉଁଠି ଲେଖାଥିଲା ପଢ଼ିଥିଲି, ଭଲ ପାଇବା କଥା ପାଟି କରି କୁହାଯାଏ ନାହିଁ !

 

ଭଲ ପାଇବା ଧରା ଦେଲେ ତାକୁ ସଯତ୍ନରେ ଲୁଚାଇ ରଖ, ଆଢ଼ୁଆଳ କରି, ଛାତି ଉପରେ ଗୋପନ କରି !

 

ଭଲ ପାଇବାରେ ଧନ୍ୟ କେହି, କୌଣସିଠାରେ ହୁଏତ ଛାତି ଖୋଲି ଜାହିର କରିଥିଲା ନିଜକୁ । ଆଉ, ଆଖି ମେଲାଇ ଦେଖିଲା ଯେ, ଭଲ ପାଇବା ତା’ର ନିଃଶବ୍ଦରେ, ଅଗୋଚରରେ କେତେବେଳେ କେଉଁଠି ଝରିଯାଇଛି–ନିଃଶେଷିତ ହୋଇଯାଇଛି ଅଲକ୍ଷ୍ୟରେ ।

 

ସେ କଥା ପୁଣି କହିଥାଆନ୍ତି ?

 

ଧେତ୍... !

 

ଅନେକ ସମୟରେ ବିରକ୍ତ ହେଲେ ମଧ୍ୟ, ବିରକ୍ତି ପ୍ରକାଶ କରାଯାଇପାରେନା । ସେଇଆ ହେଉଥିଲା ମୋର ।

 

ନୀରବରେ, ତାଙ୍କ କଥା ସହି ଯାଉଥିଲି ।

 

ଏବଂ ହସୁଥିଲି । କାରଣ ତାଙ୍କ ଆଗରେ କାନ୍ଦିବାର କୌଣସି କାରଣ ନାହିଁ–

 

ଆଉ, ହସିବାଟା, ଆଧୁନିକ ଯୁଗରେ ସଭ୍ୟତା, ଭବ୍ୟତା ପ୍ରଦର୍ଶନର ଗୋଟାଏ ମାର୍ଗ, ଉପାୟ ।

 

ପଥରେ ମୁହଁଚିହ୍ନା । ପଥଚାରୀକୁ ଦେଖି, ମଣିଷ ଟିକେ ହସ ଫୋପାଡ଼ି ଆଗେଇଯାଏ-

 

ସେଇ ହସରୁ ସବୁ କୁଶଳଜିଜ୍ଞାସା, ଭଲମନ୍ଦ ଜଣାପଡ଼େ । ମୁହଁ ଖୋଲିବା ଦରକାର ପଡ଼େ ନାହିଁ ।

 

ଦାନ୍ତହିଁ ଯଥେଷ୍ଟ । ଆହୁରି ସଂକ୍ଷିପ୍ତରେ ଓଠର ବକ୍ରତାହିଁ ହସ ସୂଚାଏ ।

 

ତଳକୁ ମୁହଁ ପୋତୁଥିଲି, ଝିଅ ବୋଲି ।

 

ସ୍ପଷ୍ଟଭାବରେ ମୋତେ ଟିକେ ଟିକେ ଲାଜ ମଧ୍ୟ ଲାଗୁଥିଲା ।

 

ମୋର ସହଜାତ ଧର୍ମ ଲାଜ ନ ହୋଇପାରେ;–ମାତ୍ର ନାରୀର । ଏବଂ ମୁଁ ମଧ୍ୟ ସାଧାରଣ ଭାବରେ, ସମସ୍ତ ଦୈହିକ ବିଭାବ ଧରି ଗୋଟିଏ ନାରୀ ।

 

ପରେ ପରେ, ଏକ ଭଙ୍ଗୀ ବହୁବାର ପ୍ରଦର୍ଶନଫଳରେ ଅଭ୍ୟସ୍ତ ହୋଇପଡ଼ି ମୁଁ ତାହାହିଁ କରୁଥିଲି ।

 

ତା’ଛଡ଼ା ଆଉ କ’ଣ ଭଲା କରନ୍ତି ?

 

ଏଇ ଯେଉଁ ସମୟ ସରି ସରି ଆସୁଛି, ସେଦିନ ଏମିତି ଏକ ସମୟରେ–

 

କି ଅସମ୍ଭବ ସାହସ ଆଉ ଅଭଦ୍ରତା ଲୋକଟାର ?

 

ହଠାତ ମୋତେ କହିଲା, ‘‘ମୁଁ ଜାଣେ ତମେ ଯାହାକୁ ଭଲପାଅ !’’

 

ହସ ଶେଷ ହୋଇଗଲା ।

 

ବିସ୍ମିତ ହୋଇ ତାକୁ ଚାହିଁଲି ।

 

ଆଖିରେ ମୋର ଜିଜ୍ଞାସା ।

 

ମନରେ ଉଦ୍‌ବେଗ, କ’ଣ ସେ କହିବେ ବୋଲି !

 

କି ନା ? କେତେ ଦୂର ଜାଣନ୍ତି, କ’ଣ ଜାଣନ୍ତି, ଏମିତି ସବୁ ଜାଣିବାକୁ ।

 

ପରେ ପରେ ଜାଣିଲି, ଏତେଦିନ ଧରି କ’ଣ ସେ ମୋ’ଠାରୁ ଶୁଣିବାକୁ ଚାହୁଁଥିଲେ ।

 

ବହିପଢ଼ା ଫର୍ମୁଲା ତ !

 

ଏମିତି ଅନେକ ଦିନ ଧରି ପଚାରିଲା ପରେ, କେଉଁ ଉପନ୍ୟାସରେ କୌଣସି ନାୟିକା ହୁଏତ କହିଛି, ‘‘ଏତେଦିନ ଧରି କ’ଣ କିଛି ଜାଣିପାରିଲ ନାହିଁ ? ମୁହଁ ନ ଖୋଲିଲେ କ’ଣ କିଛି ବୁଝାପଡ଼େ ନାହିଁ ?’’

 

ନାୟକ ହୁଏତ କହିଛି, ‘ନା’–

 

ନାୟିକା ହସିଛି–ଉଜ୍ଜ୍ୱଳ ଚକ୍ଷୁତାରକା ତା’ର ଆହୁରି ଉଜ୍ଜ୍ୱଳ ହୋଇ ଉଠିଛି ଏବଂ ଭାଷାହୀନ ଆବେଗପୂର୍ଣ୍ଣ ହୋଇଉଠଛି ତା’ର ଚାହାଣି–

 

ନାୟକ, ଧୀରେ ଧୀରେ ଉଠି, ନାୟିକାର ଚିବୁକକୁ ତୋଳି ଧରିଛି–

 

ନାୟିକାର ଗଣ୍ଡଦେଶ ଆରକ୍ତିମ ହୋଇ ଉଠିଛି । ଆଖି ଅବନତ କରିଛି ସେ ବ୍ରୀଡ଼ାଭାରରେ–

 

ନାୟକ ଆହୁରି ପାଖକୁ ମୁହଁ ନେଇ, ମୁଲାଏମ ଭାବରେ କହିଛି, ‘କୁହ–କାହାକୁ ଭଲ ପାଅ ।’

 

ନାୟିକା, ଆଖିପତା ତୋଳି ନାୟକ ମୁହଁକୁ ଚାହିଁ ଦେଇ ତଳକୁ ପୋତିଛି ପୁଣି ।

 

ନାୟକ ଚୁମା ଦେଇଛି । ପଚାରିଛି, ‘ଏଥର କୁହ ।’

 

ତୁନି କରି, ଫିସ୍ ଫିସ୍ କରି ନାୟିକା କହିଛି–ତ-ମ-କୁ ।

 

ଇସ...ମୁଁ ପୁଣି ଉପନ୍ୟାସର ବର୍ଣ୍ଣନା ଦେଲିଣି । ନାଟକ ଭଳି ଦୃଶ୍ୟ ସଂଯୋଜନା କଲିଣି-

 

ଏଇ ବହିପଢ଼ା ଫର୍ମୁଲା ଘୋଷି, ଭଦ୍ରଲୋକ ହଠାତ ଉଠି ପଡ଼ିଲେ । କହିଲେ, ‘କହିବି-?’

 

ମୁଁ ମୁଣ୍ଡ ହଲାଇ ସମ୍ମତି ଜଣାଇଲି, ହସିଲି ।

 

ଖୁବ୍ ପାଖକୁ ଲାଗିଆସିଲେ ସେ !

 

ମୁଁ ସେତେବେଳ ଯାଏଁ ଭାବୁଥିଲି, ବୋଧହୁଏ ଅତି ସଂତର୍ପଣରେ ଗୋପନୀୟ କଥାଟିଏ କହିବେ ସେ !

 

ମୁହଁକୁ ତାଙ୍କର ଆବେଗ ନୁହେଁ, ଉତ୍କଣ୍ଠା ନେଇ ଚାହିଁ ରହିଥିଲି ମୁଁ ।

 

ସେ ଉପନ୍ୟାସ ବର୍ଣ୍ଣନାର ପୁନରାବୃତ୍ତି କଲେ ।

 

ମୁଁ, ଆଦୌ ଏ ଧରଣର ରକ୍ଷଣଶୀଳା ନୁହ, ଯିଏ ଗୋଟିଏ ଚୁମାରେ ସର୍ବସ୍ଵ ସଁପି ଦେଲି ବୋଲି ଭାବନ୍ତି ।

 

ମାତ୍ର ଲୋକଟାର ଧୃଷ୍ଟତା ମୋତେ ଉତ୍ତେଜିତ କଲା ।

 

ସେ ଫିସ୍ ଫିସ୍ କରି ବୋଧହୁଏ କାନ ପାଖରେ କହୁଥିଲା, ‘ମୋତେ’...‘ମୋତେ ଭଲ ପାଅ’–

 

ତା’ର ଉପନ୍ୟାସର ନାୟିକା ଭାବି, ଆଉ ଆଶା କରିଥିଲା, ନାୟିକା ସେଇ ମୁହୂର୍ତ୍ତରେ ତା’ର ଛାତିରେ ଢଳିପଡ଼ିବ । ବୋକା...!

 

ତା’ ପରଠାରୁ ଭଦ୍ରଲୋକଙ୍କୁ ଆଉ ମୁଁ ଦେଖି ନାହିଁ । ଦେଖିବାର ଅବକାଶ ପାଇ ନାହିଁ ।

 

କାରଣ, ସେ ଆଉ ଆସି ନାହାନ୍ତି ।

 

ଇସ, କି ଗ୍ଳାନି ନେଇ ଯେ ଯାଇଛନ୍ତି, ଭଦ୍ରଲୋକ ?

 

ସତ କହୁଛି, ଏ ଧରଣର ଲେଖକଙ୍କୁ ମୋର ଭୟାନକ ଘୃଣା–ମଣିଷକୁ ନୁହ ।

 

ମୁଁ ଖୁସି ହୋଇଥାନ୍ତି, ଯଦି ସେ ସହଜ ଭାବରେ, ମୋତେ ପ୍ରେମ ବା ଯୌନ ନିବେଦନ କରିଥାଆନ୍ତେ–

 

ଯେ କୌଣସି ପୁରୁଷ, ଯେ କୌଣସି ନାରୀକୁ ଏ ଆବେଦନ କରିପାରେ–

 

ଅନ୍ତତଃ ସେ କ୍ଷମତା ତା’ର ଅଛି ବୋଲି ମୋର ବିଶ୍ଵାସ ।

 

ସଫଳ ବା ବିଫଳ ହେଉ ।

 

ଏଥିରେ ଚରିତ୍ରର କ୍ଷୟ ହୁଏ ବୋଲି ମଧ୍ୟ ମୁଁ ବିଶ୍ଵାସ କରେନା । ବରଂ, ଚରିତ୍ରକୁ ଲୁକ୍କାୟିତ କରିବାରେ ଗୋପନୀୟତାରେ ଚରିତ୍ରର କଦର୍ଯ୍ୟତା ଅଧିକ ପ୍ରକଟିତ ହୁଏ ।

 

ଏ ନ୍ୟୂନତମ ପୌରୁଷ ଯାହାର ନାହିଁ, ସେ ନିଜର କ୍ଷୁଧାକୁ, ନିଜର ପାଶବିକତାକୁ, ନିଜର ଯୌନ ଆବେଦନକୁ ଗୋପନ କରିବାର ଅଭିପ୍ରାୟରେ ବହି ଲେଖେ ।

 

ଏବଂ ତା’ର ଲେଖାରେ, ବହିରେ, ଏଇ କ୍ଷୁଧାହିଁ ପ୍ରକାଶିତ ହୁଏ ବେଶି ।

 

କ୍ଷୁଧାର ପ୍ରକାଶରେ ନୁହେଁ, ତା’ର ଗୋପନୀୟତାରେ, କ୍ଷୁଧାର ଗ୍ଳାନି ଅଧିକ ଥାଏ ।

 

କ୍ଷୁଧା ସତ୍ୟ !

 

ଆଉ ସତ୍ୟ, କୌଣସି କାଳରେ, କୌଣସି ଯୁଗରେ, କାହା ନିକଟରେ ମଧ୍ୟ ଏକ ଗୋପନୀୟ ବସ୍ତୁ ହୋଇ ନ ପାରେ !

 

ଯାହା ସତ୍ୟ–ତାହା ପ୍ରକାଶ୍ୟ ।

 

ପ୍ରକାଶ ତା’ର ଯେତେ ନଗ୍ନ ହେଉ ନା କାହିଁକି ।

 

କୁକୁରର କ୍ଷୁଧା ଅଛି ।

 

ପେଟର ଦେହର ଏଇ ସତ୍ୟ ଲୁଚାଇବା ପାଇଁ ସେ ବହି ଲେଖେନା–

 

ଛି !

 

ଦେହ ଉଲୁସି ଉଠୁଛି, କଥାଟା ଭାବିଲାବେଳକୁ ।

 

ଭୟାନକ ଲାଜ ଲାଗୁଛି ।

 

ନିଜପାଇଁ ନୁହେଁ–ଭଦ୍ରଲୋକଙ୍କ ପାଇଁ ।

 

ପରେ ସେ ମୋର କୁତ୍ସା ରଟନା କଲେ । ଶୁଣିଲି ।

 

ଅନେକ କହନ୍ତି–ଇଏ ମଧ୍ୟ କଲେ । ଦୁଃଖିତ ହେବାର କାରଣ ନଥିଲା । କେବଳ ଜାଣିଲି ।

 

ଇଏ ମଧ୍ୟ, ସତ୍ୟକୁ ଲୁଚାଇବାର ସେହି ଲଜ୍ଜାକର ପ୍ରକାଶ ।

 

ଲୋକଟାର କଥା ଭାବି ଭାବି ମୋତେ ଶୋଷ ହେଲାଣି ।

 

ଇସ, କି ଭୟାନକ ଶୋଷ !

 

ଇଚ୍ଛା ହେଉଛି ମାଠିଆଏ ପାଣି ପିଇ ଯାଆନ୍ତି ଢକଢ଼କ କରି ।

 

ପାଣିଗୁଡ଼ାକ, ମୋ ଉପରେ ଢାଳି ଯାଉଥାଆନ୍ତା !

 

ଚାତକ ଭଳି ମୁଁ ପିଇଯାଆନ୍ତି !

 

ମାଠିଆଟା କେଉଁଠି ଥିବ କେଜାଣି ?

 

ଗିଲାସ ମଧ୍ୟ କେଉଁଠି ରଖିଛି ? କିଛି ମନେ ପଡ଼ୁନି ।

 

ଆଲୁଅ ଜାଳିବାକୁ ମଧ୍ୟ ଇଚ୍ଛା ହେଉ ନାହିଁ ।

 

ରାସ୍ତାର ଆଲୁଅଟାର ଯେଉଁ ଅଂଶ ଏ ଘରର ବାରଣ୍ଡାକୁ ଆଲୋକିତ କରେ, ସେଥିରେ ଏସବୁ ଖୋଜି ପାଇବି ନାହିଁ ।

 

ଅନ୍ଧ ଭଳି ଦରାଣ୍ଡି ଦରାଣ୍ଡି ଯିବାକୁ ମନ ହେଉଛି ।

 

ଅନ୍ଧାରକୁ ଉପଲବ୍‌ଧି କରି ହେବ !

 

ଅନୁଭବ କରିହେବ ଅନ୍ଧକାରର ନିରନ୍ଧ୍ରତାକୁ !

 

ଓଃ !

 

ଆଉ ଶୋଷ ନାହିଁ ।

 

ପାଣି ପିଇ ଆସିଲି । ଆଞ୍ଜୁଳାରେ ଆଞ୍ଜୁଳାରେ ପାଣି ନେଇ, ଚଳଚଳ କରି ପିଇଲି ।

 

ଜୀବନକୁ ଏମିତି ପାନ କରି ହୁଅନ୍ତା କି ?

 

ଜୀବନର ନିଶା ଆଚ୍ଛନ୍ନ କରି ରଖିଛି । ପିଇ ହେଲେ ସେ ନିଶା ଆହୁରି ତୀବ୍ର ଭାବରେ, ପ୍ରବଳ ଭାବରେ ଆଚ୍ଛନ୍ନ କରନ୍ତା ।

 

ଭୁଲିଯାଆନ୍ତି ସବୁ ।

 

ଭୁଲି ହୁଅନ୍ତା ଏ ନିଃସଙ୍ଗତାର ସଙ୍ଗୀତ । ଭୁଲିହୁଅନ୍ତା ଜଗତ୍‍ର କୋଳାହଳ । ଭୁଲିହୁଅନ୍ତା ସବୁକିଛିକୁ !

 

କିନ୍ତୁ ଜୀବନ କ’ଣ ସତରେ ମିଳିବ ?

 

ପାଖ ପିଜୁଳି ଗଛଟାରେ ଅସଂଖ୍ୟ ବାଦୁଡ଼ି ଫଡ଼୍ ଫଡ଼୍ ହେଉଛନ୍ତି ।

 

ରାତିସାରା ଏଗୁଡ଼ାକ ଏମିତି ହେବେ ।

 

ଭୋର ହେଲା ପର୍ଯ୍ୟନ୍ତ ଲଟକିଥିବେ ଗଛଟାରେ । ନ ଜାଣିଥିଲେ, ସତରେ ଡର ମାଡ଼ିବ ଏ ଶବ୍ଦରେ ।

 

ରାତି କେତେ ହେଲାଣି କେଜାଣି... ?

 

ତାରାଗୁଡ଼ାକ ଆହୁରି ସ୍ପଷ୍ଟ, ଆହୁରି ଉଜ୍ଜ୍ୱଳ ଦିଶିଲେଣି ।

 

ଏଇଟା କି ତଥ୍ୟ ମୁଁ ଜାଣେ ନାହିଁ । କାରଣ ତିଥି, ବାର, ନକ୍ଷତ୍ର ଜାଣିବାର ଅବକାଶ ଥିଲେ ମଧ୍ୟ ସ୍ପୃହା ମୋର ନାହିଁ ।

 

ଜାଣି ବା କ’ଣ ଲାଭ ହେବ ?

 

ଅଷ୍ଟମୀ ନ ହୋଇ ଦଶମୀ ହୋଇଥିଲେ, କିମ୍ବା ପୂର୍ଣ୍ଣମୀ ନ ହୋଇ ଅମାବାସ୍ୟା ହୋଇଥିଲେ, କ’ଣ ଯାଏଁ ଆସେ ସେଥିରେ ?

 

କିଛି ତ ଅଲଗା ଲାଗେ ନାହିଁ କାହିଁକି... ?

Unknown

 

ଅନେକ ଦିନୁ ମୁଁ କ୍ୟାଲେଣ୍ଡର ଦେଖି ନାହିଁ ।

 

ତମର ମନେଅଛି କି ନାହିଁ ଜାଣେନି । କାଲି ତମକୁ ମୁଁ କି ବାର ଆଉ କେତେ ତାରିଖ ବୋଲି ପଚାରିଥିଲି । ଆଉ, ତମେ ଜଳକାଙ୍କ ଭଳି ଜଳଜଳ ଚାହିଁ ରହିଲ ମୋ ମୁହଁକୁ କିଛି ସମୟ ।

 

ତା’ପରେ ଫିକ୍‌କିନା ହସିଦେଲ ।

 

କ’ଣ ଭାବିଲ କେଜାଣି ! କିଛି କିନ୍ତୁ କହିଲ ନାହିଁ । ତମକୁ ବୋଧହୁଏ ସେଥିରୁ କୌଣସିଟା ଜଣା ନଥିଲା ।

 

ତା’ପରେ ଦୁହେଁ, ନିଜ ନିଜ ଅଲକ୍ଷ୍ୟରେ, କାନ୍ଥରେ ଟଙ୍ଗା ହୋଇଥିବା କ୍ୟାଲେଣ୍ଡରଟାକୁ ଚାହିଁଲେ–

 

ଦୁହେଁ କ୍ୟାଲେଣ୍ଡରରୁ ବୋକାଙ୍କ ଭଳି ଆଖି ଫେରାଇ ଆଣି ପରସ୍ପରକୁ ଚାହିଁ ହସିଲେ ।

 

କିଛି ଜାଣିପାରିଲେ ନାହିଁ ଆମେ ।

 

ବାର ବା ତାରିଖ, କୌଣସି ଗୋଟିକ ଜାଣିଲେ ସିନା କ୍ୟାଲେଣ୍ଡରରୁ ଜାଣିହେବ ! ନ ହେଲେ ଲାଭ କ’ଣ ? ଅନ୍ଧବି ସେପରି ଦେଖିପାରେ ।

 

କେହି କାହାକୁ କିଛି କହିଲେ ନାହିଁ ଏ ବିଷୟରେ । କେବଳ ମୁରୁକି ମୁରୁକି ହସିଲେ ।

 

ତିଥିଟା କ’ଣ ଜଣା ନଥିଲେବି ଏଇଟା କୃଷ୍ଣପକ୍ଷ ନୁହ ।

 

କାରଣ, କାଲିକାର ସେ ଚାନ୍ଦଟା । ଆଉ ଟିକିଏ ସ୍ପୀତ ହୋଇ ଏଇ ଟିକକ ଆଗରୁ ଦେଖା ଦେଲା ।

 

ଓଃ, ବୋଧହୁଏ କୃଷ୍ଣପକ୍ଷ । ସେଇଥିପାଇଁ ଡେରିରେ ଆସିଲା ।

 

କାଲିବି ସେଇଠି ଥିଲା ।

 

ଆଜିବି ସେଇଠି ଅଛି । ଆକାଶଟାସାରା କିଏ ଯେମିତି ବିଭୂତି ବୋଳି ଦେଇ, ପାଉଁଶିଆ କରିଦେଇଛି ।

 

ରୁପାର ଖଣ୍ଡେ ପାତିଆ ଭଳି ଜହ୍ନଟାକୁ କିଏ ବିରାଟ୍ ଅଗଣାର ଗୋଟାଏ କୋଣରେ ଫୋପାଡ଼ି ଦେଇ ଯାଇଛି–ଗୋଟାଇ ନେବାକୁ ମନେ ନାହିଁ ।

 

ସେମିତି ଧୂଳି ଭିତରେ ପଡ଼ି ରହି ଚକ୍‍ଚକ୍ କରୁଛି ସେଇଟା–

 

ପାଣି ପିଇସାରି, ଏଇ ଟିକକ ଆଗରୁ ମୁଁ ଉଠିଆସିଛି ଘର ଭିତରକୁ ।

 

ବିଛଣା ଉପରେ ଅଳସ ଭାବରେ ପଡ଼ିଛି ।

 

ଆଉ, ଝରକାଟା ପୂରାପୂରି ଖୋଲି ଦେଇଛି ।

 

ଝରକା ବାଟେ, ରାତିରେ ପବନ ଶିର୍ ଶିର୍ ହୋଇ ପଶି ଆସୁଛି । ମୋର ଦେହ, ମୁଣ୍ଡ, କପାଳ, କପୋଳ, ସବୁକୁ ଛୁଇଁ ଛୁଇଁ ଯାଉଛି । ନରମ ନରମ ହାତ ପାପୁଲି ବୁଲାଇ ଦେଇ ଯାଉଛି ସାରା ଦେହ । ସାଉଁଳେଇ ଦେଉଛି ।

 

ଗହଳ କେଶରାଶିକୁ, ଅସ୍ତବ୍ୟସ୍ତ କରିଦେଇ ଯାଉଛି । ଅଲରା ବଲରା କରିଦେଉଛି ।

 

ଏଇ, ଦମକାଏ ଜୋର୍ ପବନ ପଶି ଆସିଲା ।

 

ମୁହଁସାରା ମୋର ଗହଳିଆ କେଶରାଶି ଛାଇ ହୋଇଗଲା ।

 

କଳା ଅନ୍ଧାରଠାରୁ ଆହୁରି କଳା ।

 

ପିନ୍ଧା ଲୁଗାର ପଣତ ଛାତି ଉପରୁ ଖସିଗଲା ।

 

ଅନ୍ଧାର ଘରଟା ଭିତରେ, ପଣତଟା ବୋଧହୁଏ ଉଡ଼ୁଛି ।

 

ଖଟତଳକୁ ଓଲଟି ପଡ଼ିଛି ।

 

ଝରକାର ଏଇ ଅଂଶଟିରେ, ମେଞ୍ଚାଏ ଚନ୍ଦ୍ରକିରଣ ଆସି ଘର ଭିତରେ ପଡ଼ୁଛି ।

 

ଚନ୍ଦ୍ର ଦେଖାଯାଉଛି ଗୋଟାଏ ବିବର୍ଣ୍ଣ, ରାସ୍ତାକଡ଼ର କିରାସିନି ବତି ଭଳି ।

 

ଆକାଶର ଏଇ କଣଟାରେ ଲଟକି ଲଟକି ଝୁଲୁଛି ।

 

ଆଉ କିଛି ସମୟ ପରେ ଲିଭିଯିବ ପୂରାପୂରି ।

 

ଦୂରରୁ ସହରର ଯେଉଁ ଶେଷ କୋଳାହଳର କ୍ଷୀଣ ଆଲୋକ ଟିକକ ଶୁଭୁଥିଲା, ତାହା କ୍ଷୀଣତର ହୋଇ ଆସିଲାଣି ।

 

ପ୍ରାୟ ଶୁଭୁ ନାହିଁ ।

 

କଦବା କେମିତି, ଦୁରାଗତ ପଥଚାରୀର ଖଁ ଖଁ କାଶ, ରାତି ରିକ୍‌ସାର ଘଣ୍ଟିର ଟିଣ୍ ଟିଣ୍ ଶବ୍ଦ, ଟ୍ରକ୍‌ର ଘର୍ଘର, କାର୍ ଅବା ଟାକ୍‌ସିର ହର୍ଣ୍ଣ ମଝିରେ ମଝିରେ ଶୁଭିଯାଉଛି ।

 

ଏ ରାତିମାନଙ୍କରେ ଅନେକ ସମୟ ପର୍ଯ୍ୟନ୍ତ ଲୋକ ଚଳପ୍ରଚଳ ହୁଅନ୍ତି । ପାଖ ପୋଖରୀଟାକୁ କେହି ଦୁରାଗତ ପଥିକ କିମ୍ବା ବ୍ୟବସାୟୀ ରାତିରେ ଦୋକାନ ବନ୍ଦ କରିସାରିଲା ପରେ ଗାଧୋଇବାକୁ ଆସିଛନ୍ତି । ମଝିରେ ମଝିରେ ପବନରେ ସେମାନଙ୍କର ଟୁପୁର୍‌ଟାପର୍ ଶବ୍ଦ ଶୁଭିଯାଉଛି ।

 

ଗୋଟାଏ ଗୋଟାଏ ସିନେମା ଗୀତର ଅସଂଲଗ୍ନ ସ୍ୱର ବହି ଆଣୁଛି ପବନ ।

 

ସିନେମାର ସେକେଣ୍ଡ ସୋ ବୋଧହୁଏ ଭାଙ୍ଗି ନାହିଁ । ବେଳେବେଳେ ସିନେମାର କଥା କେତେଟା ମଧ୍ୟ ଚାଲିଆସୁଛି ।

 

ମାନେ, ଏବେବି ଆଗାମୀ କାଲି ଆରମ୍ଭ ହୋଇ ନାହିଁ ।

 

ରାତି ବାରଟା ଶୂନ୍ୟ ସମୟ ହୋଇ ନାହିଁ ।

 

ଓଃ......

 

ପବନରେ ଓଠଟା ମୋର ଶୁଖି ଶୁଖି ଆସୁଛି ।

 

ଓଠଟା କେହି ଓଦା କରିଦେଇ ଯାଆନ୍ତା କି... ?

 

ରାମଲୀଳା ଆସର ଚାରିକଡ଼େ ଲୋକେ ଜମିଯିବେଣି ।

 

କନସଟ ଶୁଭିଲାଣି । ବାଜୁଥିବା ମାଇକ୍ ବନ୍ଦ ହୋଇଗଲାଣି ।

 

ଆଉ ଟିକେ ପରେ, ମେଘନାଦ କି ରାବଣ ବାହାରିବେ । ରାମଚନ୍ଦ୍ର ଲକ୍ଷ୍ମଣବି ବାହାରିବେ । କ୍ରନ୍ଦନରତା ସୀତା ଠାକୁରାଣୀ ବାହାରି ଲୁହ ଗଡ଼ାଇ ଗଡ଼ାଇ ଯିବେ ।

ତା’ପରେ ମେଘନାଦ, କୁମ୍ଭକର୍ଣ୍ଣ ଅବା ରାବଣ ବଧ ହେବ ।

ବାଜାଗୁଡ଼ାକ ଜୋର୍‌ରେ ବାଜିଉଠିବ ।

ଥମିଯିବ ।

ଲୋକଙ୍କର ଉଚ୍ଛଳ କରରୋଳ ଭିତରେ, ଦଶାନନ ବିଚରା ଭୂତଳଶାୟୀ ହେବ । ତା’ର ବନ୍ଧୁ ରାମଚନ୍ଦ୍ର ବିଜୟ ଉଲ୍ଲାସରେ, ଧନୁଘୋଷ କରିବେ ।

ହନୁମାନର ମୁହଁ ମୁଖା ଭିତରେ ଗରମରେ କୁଣ୍ଡାଇ ହେଉଥିବ । ଟିକେ ମୁହଁରୁ ମୁଖାଟା କାଢ଼ି ପବନ ନେଇଯିବାକୁ ସେ ବ୍ୟତିବ୍ୟସ୍ତ ହେଉଥିବ !

ପିଲାଦିନେ ଗାଁ ଦାଣ୍ଡରେ ବସି ଅନେକ ରାମଲୀଳା ଦେଖିଛି । ସୀତା ଠାକୁରାଣୀଙ୍କ ଦୁଃଖକୁ ନିଜର କରିନେବା ପାଇଁ ମନ ବଳେଇଛି । ତାଙ୍କର ଅସୁରପୁରରେ କରୁଣ ବାହୁନା ସୁର । ଉଠିଲାବେଳେ ଝରଝର ହୋଇ କାନ୍ଦିଛି ।

ଅଥଚ, ଆଶ୍ଚର୍ଯ୍ୟ ! ମୁଁ ଜାଣିଥାଏ ଯେ, ଆମ କୋଠିଆ ଉତ୍ତମ ବାଉରିହିଁ ସୀତା ପାର୍ଟ ନିଏ । ଆଉ ସୀତାଙ୍କ ରୂପରେ ଉତ୍ତମ କାନ୍ଦୁଛି ।

ଚଟକଣି ଖାଇ ଉତ୍ତମ ବାଉରି ଘରେ କାନ୍ଦିଲାବେଳେ, ମୋ ମନ ଟିକେବି ଦୁଃଖିତ ହୁଏ ନାହିଁ । ବରଂ, ମୁଁ ଖୁସି ହୁଏ । ଆହୁରି…ଆହୁରି ମାଡ଼ ସେ ଖାଉ ବୋଲି ମନେ ମନେ ଭଗବାନ୍‍ଙ୍କୁ ଡାକେ ।

କିନ୍ତୁ, ଆହା ବିଚାରୀ ସୀତା !

ତାଙ୍କ ରୂପ ପିନ୍ଧିଥିଲାବେଳେ ଉତ୍ତମଟା ଭାରି ସୁନ୍ଦର ଦିଶେ !

ବିଗଳିତ ହୋଇଯାଉଥିଲି ମୁଁ ।

ଉତ୍ତମ ବାଉରିର, ସୀତା ରୂପରେ କାନ୍ଦୁଥିବା ସେଇ ମୁଁ ଏବେ ମଣିଷରେ ମରଣରେବି ଟୋପାଏ ଲୁହ ଗଡ଼ାଇ ପାରୁନାହିଁ ।

କାନ୍ଦ ମୋଟେ ମାଡ଼ୁ ନାହିଁ ।

ଭିତରଟା କାନ୍ଦ ବାହାରକୁ ଦିଶୁ ନାହିଁ !

ସେବେ, ବାହାରର ଲୁହ ଭିତରେ ପ୍ରକଟିତ ହେଉ ନଥିଲା !

ଆହା, ସେ ସୁନ୍ଦର ଦିନଗୁଡ଼ିକ !

ସୀତା, ମୁଁ ହୋଇପାରିଲି ନାହିଁ !

ସୀତା ହେବାର ସମସ୍ତ ଆତ୍ମିକ କାମନାର ଅନ୍ତର୍ଜ୍ୱାଳା ମୋତେ ‘ମୁଁ’ରେ ପରିଣତ କରିଛନ୍ତି । ସେଇ ଅନ୍ତର୍ଦାହ ମୋର ଅଗ୍ନି ପରୀକ୍ଷା ହୋଇଛି । ମୁଁ, ମୋତେହିଁ ସୀତା ରୂପରେ ଦେଖିଛି ।

 

ଆଉ, ଏଇଭଳି ବହୁ ବିନିଦ୍ର ରାତି ବିତାଇ ଭାବିଛି, ସୀତା ଫେରିଆସିଲେ ମୋ ଛଡ଼ା ଆଉ କିଛି ହୋଇପାରନ୍ତେ ନାହିଁ !

 

ଚାରିତ୍ରିକ ସମସ୍ତ ବୁଭୁକ୍ଷା ନେଇ, ମୁଁ ସୀତା !

 

ଆଜିର, ରାତିରେ ଏ ତମସାଚ୍ଛନ୍ନ ଜୀବନ ଉପରେ ମୁଁ ଶୋଇରହି, ନିଜକୁନିଜେ ଉପଭୋଗ କରୁଛି–ଅନୁଭୋଗ କରୁଛି !

 

ତମେ କେହି ମୋତେ ଆଖି ପୂରାଇ ଦେଖିଯାଅ !

 

ଦେଖିଯାଅ... ।

 

ହେଇ, ଡାଆଣୀ ବୁଢ଼ୀ ଖୁଁ ଖୁଁ ହେଲାଣି । ଏମିତି ସେ ରାତିସାରା ଏଥର ହେବ । କୁକୁରଟା ତା’ର ଚେକା ମାରି ଶୋଇଯିବଣି ଛିଣ୍ଡା ଅଖାଟା ଉପରେ ।

 

ଜହ୍ନଟା ଲିଭିଗଲା ପରେ ରାତି ଗୁମୁରି ଗୁମୁରି, ବାହୁନି ବାହୁନି କାନ୍ଦିବ ।

 

ସେମିତି କାନ୍ଦି ଚାଲିବ ସେ । ଅବିରାମ ଭାବରେ ।

 

ସାରା ରାତି ମୁଁ ରାତିର ଏ ବିକଳ କାନ୍ଦଣାକୁ କାନ ପାତି ରହି ଶୁଣିବି ।

 

ତମେ କେବେ ରାତିର ଏ କାନ୍ଦ ଶୁଣିଚ... ?

 

ଛାତିକୁ ମୋର ପବନ ଛୁଇଁ ଛୁଇଁ ଯାଉଛି । ଦେହଟା ଶିର୍‌ଶିରେଇ ଉଠୁଛି ।

 

ଜହ୍ନ ନଇଁ ଯାଉଛି ।

 

ତମେ ଏବେ କେଉଁଠି ଥିବ କେଜାଣି ?

 

କାଲି, ଠିକ୍ ଏତିକିବେଳେ ତମେ ଏଇଠି ଥିଲ ।

 

ଏଇ ପାଖରେ ଥିଲ, ଅତି ପାଖରେ ।

 

କ’ଣ କରୁଥିଲ ଜାଣ... ?

 

ମୋ ଗହଳ କେଶରେ ଆଙ୍ଗୁଠି ବୁଲାଇ ଦେଉଥିଲ ।

 

ଆଉ, ସେମିତି ଆଙ୍ଗୁଠି ବୁଲାଇ ଦେଉ ଦେଉ, ମୋ ଛାତି ଉପରେ ମଥା ରଖିଲ, ମୁହଁ ରଖିଲ, ମୁହଁ ଚାପିଦେଇ କହିଲ–

 

ଛାତରେ ତମର ପ୍ରଶାନ୍ତ ଗଭୀରତା...

 

ତା’...ପରେ । ତା’ପରେ ଛୋଟ ଛୁଆଭଳି, ମୁକୁଳା ଛାତି ଉପରେ ମୁହଁ ରଖି, କାହିଁକି କେଜାଣି କାନ୍ଦିଲ !

 

କାନ୍ଦିଲ ବେଶ୍ ଶବ୍ଦ କରି, କଇଁ ଉଠାଇ ।

 

ମୁହଁ ତୋଳି ମୁଁ ଚାହିଁଲି । ଛାତି ମୋର ତମ ଲୁହରେ ଭିଜିଗଲା ।

 

ମାତୃତ୍ଵର ନିଷ୍ଠା ନେଇ, ତମ କପାଳରେ ହାତ ବୁଲାଇ, ତମର ଟାଆଁସା ବାଳଗୁଡ଼ାକୁ ସାଉଁଳାଇ ଦେଇ ବୁଝାଇ ଦେଉଥିଲି ।

 

ତମେ ମୋର ବକ୍ଷ ଚୁମ୍ବନ କଲ !

 

ହୁଏତ ବିଶ୍ଵାସ କରିବ ନାହିଁ ! ତମ ଭିତରେ, ତମକୁ ମୋର ଖୋଲା ଛାତି ଉପରେ ଥାପି ରଖି, ତମର ଦେହର ସମସ୍ତ ଉତ୍ତାପ ମୋର କରି, ମୁଁ ସେଇ ମୁହୂର୍ତ୍ତରେ ତାଙ୍କୁ ଉପଲବ୍‌ଧି କରୁଥିଲି ତମ ଭିତରେ ।

 

ତମର ପ୍ରତିଟି କାର୍ଯ୍ୟକଳାପ ଭିତରେ !

 

ମୋତେ ଭୟଙ୍କର ଭାବରେ ଭଲ ଲାଗୁଥିଲା । ଆଉ, ମୁଁ ତମ ଭିତରେ ତାଙ୍କୁ ଖୋଜୁଥିଲି ।

 

ପାଉଥିଲି... ।

 

ଗତ ରାତି ସେହି ମୁହୂର୍ତ୍ତରେ, ଅତି ଅସମ୍ଭବ ଭାବରେ, ଆଶ୍ଚର୍ଯ୍ୟଜନକ ଭାବରେ, ମୋର ବିକ୍ଷୁବ୍ଧ ମୁକ୍ତ ବକ୍ଷ ଉପରେ ତମ ମୁହଁ, ତାଙ୍କ ମୁହଁରେ ପରିଣତ ହୋଇଗଲା ମୋ ଆଖିରେ !

 

ତମେ, ‘ସେ’ରେ ପରିଣତ ହେଲ !

 

ଆଉ ସେ, ତମ ଭିତରେ ଆତ୍ମପ୍ରକାଶ କଲେ ।

 

ସେଇ ଅନ୍ଧାର ଭିତରେ ଆଖି ଫିଟାଇ, ମୋ ମୁହଁକୁ ନିରିଖି ନିରିଖି ଚାହିଁ, ତମେ କହିଲ ମୋତେ ଅତି କରୁଣତା ଫୁଟାଇ–

 

ହେଃ, କ’ଣ କରିବି କହିଲ ?

 

ମୁଁ ନୀରବ ରହିଲି । ତମ ମୁହଁରେ ଚେନାଏ ଚନ୍ଦ୍ରକିରଣ ବୋଳି ହୋଇଯାଇଥିଲା । ମୁଁ ତମକୁ ଭଲ ଭାବରେ ଦେଖି ପାରୁଥିଲି ।

 

ତମେବି ବୋଧହୁଏ ମୋତେ ।

 

‘ମୁଁ ତମକୁ ଏତେ ବେଶି ଭଲ ପାଇଗଲିଣି ? ମୁଁ କ’ଣ ପାପ କରୁଚି ?

 

ମୁଁ ମୁଣ୍ଡ ହଲାଇ ନାହିଁ କଲି ।

 

‘ବିଶ୍ଵାସ କର, ତମ ଦେହ ମୋର ଲୋଡ଼ା ନାହିଁ–ନଥିଲା କିନ୍ତୁ, କାହିଁକି କେଜାଣି ଏମିତି ହେଲା ?’ ତମେ କହୁଥିଲ । ମୁଁ ଜାଣିଥିଲି, ଭଲ ପାଇବାର ପରିପୂର୍ଣ୍ଣତା ଭିତରେ, ଦେହ ସହଜ ହୋଇଯାଏ ପରସ୍ପର ନିକଟରେ ।

 

ଆହୁରି ଜାଣୁଥିଲି, ପରମୁହୂର୍ତ୍ତରେ ତମେ ମୋତେ ଓ ମୁଁ ତମକୁ ଘୃଣା କରିବା ।

 

ତଥାପି ମୁଁ ତମକୁ ବାରଣ କରି ନାହିଁ, କଲି ନାହିଁ ।

 

ଇଚ୍ଛା ନଥିଲା... ।

 

ରାତିହିଁ ମୋତେ ଜଣାଇଥିଲା ଭଲ ପାଇବା ମାନସିକ ହୋଇପାରେ । ମାତ୍ର ତା’ର ପରିଣତି ଦେହ !

 

ଅବଶ୍ୟ, ଦେହ ନ ଦେଇବି ମଣିଷ ଭଲ ପାଇପାରେ !

 

ଭଲ ନ ପାଇବି ଦେହ ଦେଇପାରେ !

 

ସତରେ; ମୁଁ କ’ଣ କରିବି କହିଲ ?

 

ଅତି ନିଦାରୁଣ ଭାବରେ, ଭୟଙ୍କର ଭାବରେ ମୁଁ ତମକୁ ଭଲ ପାଉଛି ।

 

କିନ୍ତୁ କାହିଁକି ?

 

ମୁଁ କ’ଣ ପାପ କରୁଛି ?

 

ପାପପୁଣ୍ୟର ବିଚାର ମୋର କେବେହେଲେ ନଥିଲେ ମଧ୍ୟ, ଅବା ସେଥିରେ କେବେ ମୁଣ୍ଡ ନ ଖେଳାଇଲେ ମଧ୍ୟ, ମୋର ସମୟ ସମୟରେ ହଠାତ ମନେ ହେଉଛି, ନ ହୋଇଥିଲେ ଭଲ ହୋଇଥାନ୍ତା କି ?

 

ବେଳେବେଳେ ମନେ ହେଉଛି, ଏହାହିଁ ସବୁଠାରୁ ବଡ଼ ସତ୍ୟ, ଧ୍ରୁବ ।

 

କାଲି, ଏ କଥା ତୁମକୁ ପଚାରିବାର ଥିଲା, ତମେ ମୋତେ ପଚାରିଲାବେଳେ ।

 

ପଚାରିପାରିଲି ନାହିଁ ।

 

ନିଶା ତୁଟିଯିବ ବୋଲି ।

 

ଏକ ଅପୂର୍ବ ମାଦକତା ଭିତରେ ମୁଁ ବୁଡ଼ି ରହିଥିଲି । ତାହା ଶେଷ ହୋଇଯିବ ବୋଲି, ତାଳ କଟିଯିବ ବୋଲି ମୁଁ ନୀରବ ରହିଲି ।

 

ରାତିର ଏ ମଧ୍ୟପ୍ରହରରେ, ମନରେ ପଡ଼ୁଛି ଆଉ ଜଣକ କଥା ।

 

ମନର କେଉଁ ଏକ ନିଭୃତ କୋଣରେ, କେଉଁଠି ଏତେ ଟିକେ ବେଦନା, ଟିକେ ଦୁଃଖ, କୋହ, ସଞ୍ଚିତ ହୋଇଯାଇଛି ଜଣକପାଇଁ ।

 

ମୋର ଅଲକ୍ଷ୍ୟରେ ହୁଏତ ।

 

ଭଲ ପାଇବାର କଥା ମନେପଡ଼ିଲେ, ତାଙ୍କୁ ମନେ ପଡ଼େ । ଆଉ ମନେପଡ଼େ ଯେ ଭଲ ପାଇବା ଅଚାନକ ଭାବରେ ଯେମିତି ହୋଇପାରେ, ବର୍ଷ ବର୍ଷ ଧରି ଲାଗି ସେମିତି ନ ହୋଇ ମଧ୍ୟ ପାରେ ।

 

ଏବଂ ଜଣେ ଜଣକୁ ଭଲ ପାଇଲେ ଯେ ଅପର ଜଣକ ନିଶ୍ଚୟ ଭଲ ପାଇବ, ତା’ର ଅର୍ଥ କିଛି ନାହିଁ । ବରଂ ଘୃଣା କରିପାରେ । ଭଲ ପାଇବା ତ ଦୂରର କଥା !

 

ମନେପଡ଼ୁଛି ତାଙ୍କ କଥା; କାରଣ ତାଙ୍କର ବଂଶର ଧାରା ହୁଏତ ବିଲୁପ୍ତ ହେଲା ମୋପାଇଁ–ମୋତେ ଭଲ ପାଇ ।

 

ଜୀବନର ସମସ୍ତ ଆବେଗ ଅଜାଡ଼ି ଦେଇ ସେ ମୋତେ ଭଲପାଉଥିଲେ ।

 

ମୁଁ କିନ୍ତୁ ତାଙ୍କୁ; ଆଦୌ ଭଲ ପାଉ ନଥିଲି–

 

ଭଲ ପାଇପାରିଲି ନାହିଁ ।

 

ଚେଷ୍ଟା କରି ମଧ୍ୟ; ଭଲ ପାଇପାରିଲି ନାହିଁ ।

 

କ’ଣ କରିବି କହିଲ ?

 

ମୋତେ ଯିଏ ଭଲ ପାଇବ, ମୁଁ କ’ଣ ତାକୁ ଭଲ ପାଇବାକୁ ବାଧ୍ୟ ?

 

ଅବା, ନିଶ୍ଚିତ ଭାବରେ ଭଲ ପାଇପାରେ ?

 

ହେଲା ନାହିଁ ତ... ?

 

ଅନେକ ଚେଷ୍ଟା କଲି ସେଥିପାଇଁ, ସବୁଥିରେ କିନ୍ତୁ ବ୍ୟର୍ଥ ହେଲି ।

 

–ବିଫଳ ହେଲି ।

 

ଭଲ ପାଇବା ସମ୍ଭବ ହେଲା ନାହିଁ ।

 

ବର୍ତ୍ତମାନ ସେ କେଉଁଠି ଥିବେ, କିପରି ଥିବେ, କ’ଣ କରୁଥିବେ, କିଛି ମୋତେ ଜଣା ନାହିଁ ।

 

କିନ୍ତୁ, ସେ ଯେଉଁଠି, ଯେପରି ଅବସ୍ଥାରେ ଥାଆନ୍ତୁନା କାହିଁକି, ରାତ୍ରିର ଏଇ ମୁହୂର୍ତ୍ତରେ, ଏଇ ପ୍ରହରରେ ବିନିଦ୍ର ରହି, ଶଯ୍ୟାପାର୍ଶ୍ଵରେ ଅତି ସଯତ୍ନରେ ରଖିଥିବା ମୋର ଆଜିଠାରୁ ଅନେକ ଦିନ ତଳର ଏକ ଫଟୋକୁ ଚାହିଁ ଲୁହ ଗଡ଼ାଉଥିବେ ।

 

ଦୀର୍ଘଶ୍ଵାସ ପକାଉଥିବେ, ସମସ୍ତ ହତାଶାକୁ ପୁଞ୍ଜୀଭୂତ କରି । ରାତିର ଏ ଶୀତାର୍ତ୍ତ ପବନ ତାଙ୍କର ହତାଶାର ଉଷ୍ମ ଦୀର୍ଘଶ୍ଵାସରେ ଉତ୍ତପ୍ତ ହୋଇଯାଉଥିବ ।

 

ମୁଁ ଜାଣେ, ସେ କେବେହେଲେ ଶୋଇପାରିବେ ନାହିଁ ।

 

ମୁଁ ବି ଶୋଇ ନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ !

 

ସିଏ ମୋପାଇଁ, ରାତି ଉଜାଗରରେ ବିତାଉଥିବେ–

 

ଆଉ, ମୁଁ ଆଉ କାହାପାଇଁ–

 

ବହୁ ବର୍ଷ ପରେ, ବହୁ ମାସ ପରେ, ଅକସ୍ମାତ୍ ଅଚାନକ ଭାବରେ, ଆଜି ଏଇ ରାତିରେ; ସେ ମୋର ମନେ ପଡ଼ୁଛନ୍ତି । ମନେ ପଡ଼ୁଛନ୍ତି ଏଇଥିପାଇଁ ଯେ, ମୋତେ ଆଜି ଅନେକ କଥା ଭାବିବାକୁ–ପୁରୁଣା କଥା, ମଣିଷ, ରୂପ, ଘଟନା ସବୁକୁ ଓଲଟାଇ ପାଲଟେଇ, ଦୋହରାଇବାକୁ ଭଲ ଲାଗୁଛି ବୋଲି–

 

ସେଇଥିପାଇଁ ତାଙ୍କ କଥା ଭାବୁଛି ।

 

ସେ ମୋତେ ଭଲ ଲାଗନ୍ତି ନିଶ୍ଚୟ । କିନ୍ତୁ, ମୁଁ ତାଙ୍କୁ ଭଲପାଏନା । ଭଲ ଲାଗିବା, ଆଉ ଭଲ ପାଇବା ଦୁଇଟାଯାକ ଏକା କଥା ନୁହ ।

 

ଗ୍ରୀଷ୍ମର ଏଇ ଅର୍ଦ୍ଧରାତ୍ର ପାର ହେବାକୁ ଯାଉଥିଲାବେଳେ, ଆଖି ଆଗରେ ଭାସିଯାଉଛି ତାଙ୍କର କରୁଣ ମୁହଁ । ସକରୁଣ ଆବେଦନ । ଛୋଟ ଗଳାରେ, ଧୀର ସ୍ୱରରେ, ଅତି ସଂତର୍ପଣରେ କହୁଥିବା ନରମ ନରମ କଥା । ମୋତେ ଗୋଟିପଣେ ପାଇବାପାଇଁ, ବିବାହ କରିବାପାଇଁ ତାଙ୍କର ଆବେଦନ–ସବୁ କିଛି ।

 

ମନେବି ପଡ଼ୁଛି ମୋର ପ୍ରତ୍ୟାଖ୍ୟାନ ।

 

ଥରେ ନୁହେଁ; ବହୁବାର, ବାରମ୍ବାର ।

 

ଏବଂ, ପ୍ରତ୍ୟେକ ଥର ପ୍ରତ୍ୟାଖ୍ୟାନ ପରେ, ତାଙ୍କ ଶିଶୁଭଳି ସରଳ ମୁହଁରେ କରୁଣତାର ଯେଉଁ ବହଳ ଛାପ ବସିଯାଏ, ତା’ର ଛବି । ସବୁ କାହିଁକି କେଜାଣି ମନେପଡ଼ି, ମନଟାକୁ ଭାରାକ୍ରାନ୍ତ କରିଦେଉଛି ।

 

ସାଧାରଣ ଯେ କୌଣସି ମଣିଷର ଦୁଃଖରେ, ଅନ୍ୟ ଜଣେ ଯେମିତି ଦୁଃଖ ପାଏ, କାନ୍ଦରେ କାନ୍ଦେ, ସେମିତି ତାଙ୍କର ଦୁଃଖରେ ମୋତେ ଦୁଃଖ ଲାଗେ । ଲାଗୁଛି ମଧ୍ୟ ।

 

ମର୍ମାହତ ହୁଏ ମୁଁ ତାଙ୍କର ମୁହଁର, ସେ ବେଦନାର ଛାଇ ଦେଖି ।

 

ଏବେବି ମନ ଭିତରେ ମୋର, ତାଙ୍କପାଇଁ, ଗଭୀର ମମତାବୋଧ, ଆଉ ପ୍ରଚୁର ସହାନୁଭୂତି ରହିଛି ।

 

ମୁଁ ତାଙ୍କପାଇଁ ଦୁଃଖ ପାଉଛି ନିଶ୍ଚୟ ।

 

ଦୁର୍ଭାଗ୍ୟ, ସେ ମୋପାଇଁ ଏ ବେଦନାକୁ ଏ ଦୁଃଖକୁ ଆପଣାର କରିଛନ୍ତି, ଆଉ ମୋତେ ଆପଣାର କରିବେ ବୋଲି ।

 

କିନ୍ତୁ କ’ଣ କରିବି କହିଲ ?

 

ସହାନୁଭୂତି ସଞ୍ଚିତ କରି ରଖିଛି ବୋଲି, ମାନବିକତାବୋଧ ଯୋଗୁଁ, ଜଣକର ଦୁଃଖରେ ଆତ୍ମହରା ହୋଇପାରିଛି ବୋଲି, ତାକୁ ଆପଣାର କ’ଣ କରିବା ସମ୍ଭବ ?

 

ତାହାହେଲେ, ବୋଧହୁଏ ଜଗତ୍‍ର ସମସ୍ତଙ୍କୁ ନିଜର କରିବାକୁ ହେବ ।

 

ବିବାହ କରିବାକୁ ହେବ ।

 

ମିଛରେ ହେଉ, ସତରେ ହେଉ, ଅନେକେ ଏମିତି ଦୁଃଖ ପାଇବେ ।

 

ଏ ଦୁଃଖ ନ ପାଇବାର ଦୁଃଖ ।

 

ସିଏ କିନ୍ତୁ ସତରେ ମୋତେ ଅତିମାତ୍ରାରେ ଭଲପାଆନ୍ତି ।

 

ମୁଁ ସ୍ପଷ୍ଟଭାବରେ ଏ କଥା ଜାଣେ ।

 

ସାଦାସିଧା ମଣିଷଟିଏ । ଆଉ ଲକ୍ଷ କିରାଣିଙ୍କ ଭଳି, ଜୀବନର ପ୍ରାଣପ୍ରାଚୁର୍ଯ୍ୟ, ଶୁଖି ଶୁଖି ଯାଉଛି ଫାଇଲର ଶୁଖିଲା କାଗଜଗୁଡ଼ାକ ଭିତରେ ।

 

ବୈଚିତ୍ର୍ୟ କିଛି ନାହିଁ ।

 

ବୈଶିଷ୍ଟ୍ୟବି କିଛି ନାହିଁ । କିଛି ବୋଲି କିଛି ନାହିଁ, ଯାହା କହି ତାଙ୍କର ଚରିତ୍ରକୁ ବୁଝାଇ ହେବ ।

 

ଏତେ ବେଶି ସାଧାରଣ, ନିଦାରୁଣ ଭାବରେ ମଣିଷଟିଏ ।

 

ଗୋରା । କଳା । ଦୁର୍ବଳ । ସଫା ସଫା ଦାନ୍ତ । ଛୋଟ ଛୋଟ ନିଶ ।

 

ସଫା ଧୋତି, ପୂରାହାତ କାମିଜ ପିନ୍ଧନ୍ତି, ଆଉମାନଙ୍କ ଭଳି ।

 

କଥାବାର୍ତ୍ତା, ଚାଲିଚଳନି, ବ୍ୟବହାରରେ ରକ୍ଷଣଶୀଳତା ଯେମିତି ଖୁବ୍ ବେଶି ପ୍ରକଟିତ ।

 

ଭୟଙ୍କର ଭାବରେ ସଂକୁଚିତ ସଂକୁଚିତ ଭାବ ପ୍ରକାଶ କରନ୍ତି ।

 

କିରାଣି ଜୀବନର ରୁଟିନ୍‌କୁ ମାନି ନେଇଛନ୍ତି ସହଜ ଭାବରେ । ଦଶଟାରେ ଖିଆ, ଅଫିସ ଯାତ୍ରା, ପାଞ୍ଚଟାରେ ଫେରା, ତା’ପରେ ଘର ଭିତରେ ବସି ରହିବାକୁ ହେବ, ଆଗାମୀ କାଲିଯାଏଁ ।

 

କଦବା କେମିତି ଟିକେ ବାହାରକୁ । ତାହା ପୁଣି, ସାପ୍ତାହିକ ହାଟ ପାଳିରେ ବା କୌଣସି ଦରକାରୀ ଜିନିଷଟିଏ କିଣିବାକୁ ହେଲେ ।

 

ଅବିବାହିତ ।

 

କାରଣ, ମୁଁ ।

 

ଇଏବି ଏକ ଦୁର୍ଘଟନା ।

 

ଅନେକ ପରେ ଅବଶ୍ୟ କଥାଟା ମୁଁ ଜାଣିଲି । ଜାଣିଲି ତାଙ୍କରିଠାରୁ ।

 

ତାଙ୍କର ଏକ ଚିଠିରୁ ।

 

ପ୍ରେମ କରିବାରେ ଦରୋଟି ଭାଷାରେ ଚିଠି ଲେଖା । ଯେ କୌଣସି ଲୋକ ଦେଖିଲେ ଜାଣିବ, ଚିଠିର ଲେଖକ, ଅନଭିଜ୍ଞ ଗୋଷ୍ଠୀର ଲୋକ ।

 

ସିଧାସଳଖ ଭାବରେ ପ୍ରସ୍ତାବ ବାଢ଼ିଛନ୍ତି, ବିବାହପାଇଁ । ଚିଠିଟା ପଢ଼ି, ପ୍ରଥମେ ତାଙ୍କ ପ୍ରତି ଘୃଣା ଆଉ ବିରକ୍ତିରେ ମନଟା ଭରିଗଲା ମୋର ।

 

କି ଅସମ୍ଭବ ଲୋକ ?

 

ଯେ କୌଣସି ମହିଳା ପ୍ରତି ଏଇ ଧରଣର ପ୍ରସ୍ତାବ ତ ସିଏ ଦେଇପାରନ୍ତି ଚିଠିରେ... !

 

ଚିଠିଟିରେ, ଜୀବନର ସମସ୍ତ ଆବେଗ, ଅନୁରାଗ, ସଞ୍ଚିତ ଭଲ ପାଇବା ସବୁକୁ ଯଥାର୍ଥ ଭାବରେ ପ୍ରକାଶ କରିବାପାଇଁ, ଯତ୍‍ପରୋନାସ୍ତି ଚେଷ୍ଟା ସେ କରିଥିଲେ ।

 

କୌଣସି ଏକ୍‌ସରସାଇଜ ଖାତାର ମଝିପୃଷ୍ଠାରୁ ଚିରା ଚାରିପୃଷ୍ଠା କାଗଜ !

 

ସେଥିରେ ସେ ତାଙ୍କର ଦରମା, ଅଫିସରେ ବର୍ତ୍ତମାନ ପାଉଣା, ଭବିଷ୍ୟତ୍‍ରେ କ’ଣ ହୋଇପାରିବେ, ପ୍ରଭିଡ଼େଣ୍ଡ ଫଣ୍ଡରେ କେତେ ଜମା, ପେନସନ କେତେ ପାଇବେ, ଏପରିକି ସଂକ୍ଷିପ୍ତ ଭାବରେ, କାହାକୁ କେତେ ଧାର ଦେଇଛନ୍ତି, ସବୁକଥା ଲେଖିଥିଲେ–

 

ତା’ ଛଡ଼ା ଲେଖିଥିଲେ, ଗତ କେତେ ବର୍ଷ ଧରି, ସିଏ କାଳେ ମୋତେ ନିତି ନିତି ସ୍ଵପ୍ନରେ ବୋହୂ ବେଶରେ ଦେଖନ୍ତି–

 

ଦେଖନ୍ତି, ମୁଁ ତାଙ୍କର ଗୃହ ଅଙ୍ଗନକୁ ସୌରଭିତ କରୁଛି ବୋଲି–ତାଙ୍କୁ ହସି ହସି ବିଦାୟ ଦେଉଛି ବୋଲି–

 

ଏବଂ, ତାଙ୍କର ସନ୍ତାନମାନଙ୍କର ଜନନୀ ହୋଇ, ତାଙ୍କ ଘରକୁ ପରିପୂର୍ଣ୍ଣତା ଆଣିଦେଉଛି ବୋଲି ।

 

ବଡ଼ ଅସମ୍ଭାବୀ ସ୍ଵପ୍ନ ତାଙ୍କର ସତେ !

 

ସନ୍ତାନମାନେ ତାଙ୍କର ହସି ଖେଳି ବୁଲିଲେ, ଏକ ଛୋଟ ଆଉ ସୁଖୀ ପରିବାର (ପରିବାର ନିୟନ୍ତ୍ରଣ ରୀତିରେ ହୁଏତ) ଗଢ଼ି ଉଠିବ । କେଡ଼େ ସୁନ୍ଦର ହେବ !

 

ଏ କାମନା ତାଙ୍କର ଅନେକ ଦିନର !

 

ଯୁଗ ଯୁଗାନ୍ତରର !

 

ଜନ୍ମ ଜନ୍ମାନ୍ତରର ! –ଏମିତି କେତେ କ’ଣ ସେ ଚିଠିରେ ଥିଲା ! ଶେଷ କଥାଗୁଡ଼ାକ, କେଉଁ ଉପନ୍ୟାସରୁ ଅକସ୍ମାତ୍ ପଢ଼ି ଦେଇପାରିଥାନ୍ତି ହୁଏତ ! କାରଣ, ପଢ଼ାପଢ଼ି ସେ କେବେ କରିବାର ମୋତେ ଜଣା ନାହିଁ ! ଚାକିରିହିଁ ତାଙ୍କର ଜୀବନର ପରିପୂର୍ଣ୍ଣତା !

 

ଆଉ, ବିବାହ ତା’ର ପରିପୋଷକ ହେବ !

 

ମୋର ସେତେବେଳେ, ଭୟଙ୍କର ସନ୍ଦେହ ଥିଲା, ଚାକିରିଆମାନେ କ’ଣ ପ୍ରେମ କରିପାରନ୍ତି ?

 

ଫାଇଲ ଅବା ସଉଦା ହିସାବ କି ଧୋବା ହିସାବ ଛଡ଼ା ଆଉ କିଛି ଲେଖିପାରନ୍ତି ?

 

ଏମିତି କେତେ କ’ଣ ?

 

ତା’ଛଡ଼ା ତାଙ୍କ ଭଳି ଜଣକଠାରୁ ଏଭଳି ଏକ ପତ୍ର ମୁଁ ଆଶା କରୁ ନଥିଲି !

 

ଅନେକ ପୁରୁଷଙ୍କୁ ମୁଁ ଜାଣେ !

 

ଜାଣିଛି ଘଟନା ସୂତ୍ରରେ । ବିଭିନ୍ନ ପରିବେଶରେ । ସେମାନଙ୍କ ମଧ୍ୟରୁ ଅନ୍ୟ ଯାହାଠାରୁ ଏଭଳି ପତ୍ର ପାଇଥିଲେ, ମୁଁ ଆଦୌ ବିସ୍ମିତ ହୋଇ ନ ଥାନ୍ତି !

 

ବରଂ, ହସି ଉଡ଼ାଇ ଦେଇଥାଆନ୍ତି ।

 

ମାତ୍ର ତାଙ୍କ କଥା ସ୍ଵତନ୍ତ୍ର ! କାରଣ, ତାଙ୍କୁ ମୁଁ ଅନେକ ଦିନରୁ ଜାଣେ । ଆଉ ପ୍ରାୟ ପିଲାଦିନୁ ।

 

ଏ ଆଖି ନେଇ କେବେ ତାଙ୍କୁ ଦେଖି ନାହିଁ–ଦେଖି ନଥିଲି ।

 

ଦେଖିବା ସମ୍ଭବ ନଥିଲା ।

 

ଏପରି ଅନେକ ଲୋକ ଅଛନ୍ତି, ଯାହାଙ୍କୁ ଭକ୍ତି କରାଯାଇପାରେ, ଶ୍ରଦ୍ଧା କରାଯାଇପାରେ–ମାତ୍ର ପ୍ରେମ କରାଯାଇପାରେନା–! ସେମିତି ଅନେକ ଅଛନ୍ତି, ଯାହାଙ୍କୁ ସହାନୁଭୂତି ଦେଖାଯାଇପାରେ ସିନା !

 

ତାଙ୍କୁ ମୁଁ ସେହି ସହାନୁଭୂତିର ଆଖି ନେଇ ଦେଖି ଆସିଥିଲି ଆବାଲ୍ୟରୁ ।

 

କାହିଁକି କେଜାଣି ତାଙ୍କର ସେ ଦୟନୀୟ, ଦୁର୍ବଳ ଚେହେରାଟା ମୋ ଆଖି ଆଗରେ, ଭୟଙ୍କର ବୀଭତ୍ସ ହୋଇଉଠିଲା, ଘୃଣ୍ୟ ହୋଇଉଠିଲା ।

 

କେମିତି ଗୋଟାଏ ବିଚିତ୍ର ବିରକ୍ତିରେ ବିଷେଇ ଉଠିଲା ମୋ ମନ ।

 

ଲଜ୍ଜା, ଘୃଣା, ଅପମାନ, ବିରକ୍ତି, ବିଦ୍ଵେଷରେ, ଚିଠିଟାକୁ ଟିକିଟିକି କରି ଚିରି ଫିଙ୍ଗି ଦେଲି ପରମୁହୂର୍ତ୍ତରେ–

 

ମୋର ‘ଇଗୋ’, ପ୍ରୌଢ଼ି, ଆତ୍ମସମ୍ମାନ ଉପରେ ଧିକ୍‌କାର ଆସିଲା ।

 

ଇଗୋ ମୋର ଆତ୍ମପ୍ରକାଶ କଲା–

 

ଲାଗିଲା, ଏଇଟା ତାଙ୍କର ଦୁଃସାହସ ।

 

ମୁଁ ବଞ୍ଚେ ମୋର ଏଇ ଆତ୍ମବଡ଼ିମାକୁ ନେଇ । ଇଗୋକୁ ନେଇ ।

 

ସବୁଠାରୁ ବେଶି ମୁଁ ଭଲପାଏ ନିଜକୁ, ଯେତେବେଳେ ମୁଁ ବୁଝିପାରେ ଯେ, ମୋର ସମସ୍ତ ସତ୍ତା ଦେଇ ମୁଁ ନିଜକୁ ଏକ ଅମଡ଼ାବାଟ ଉପରେ, ବଙ୍କା ରାସ୍ତାରେ ଚଳାଇ ପାରିଛି !

 

ସମସ୍ତେ ତ ସଳଖରେ ଯାଉଛନ୍ତି ।

 

ଗୋଟିଏ ଦିଗରେ–ଗୋଟିଏ ଲକ୍ଷ୍ୟରେ । ଜାଣତରେ ହେଉ, ଅବା ଅଜାଣତରେ ହେଉ-

 

ସେଇଥିପାଇଁ ଇଚ୍ଛା ହୁଏ ବଙ୍କା ରାସ୍ତାରେ ଜୀବନ ବିତାଇଦେବାକୁ ।

 

ହେଉ ପଛେ ସେ ଜୀବନ କଣ୍ଟକାକୀର୍ଣ୍ଣ, ଦୁର୍ବହ, ଭାରାକ୍ରାନ୍ତ ! ବେଳେବେଳେ ଦୁଃଖ ଭାରି ମୁଲାଏମ ଲାଗେ ।

 

ଭଲ ଲାଗେ ।

 

ପୁଣି ତାହା ନିଜ ମନକୁମନ ଗ୍ରହଣ କଲେ । ସ୍ଵୀକାର କରିନେଲେ, ବରଣ କରିନେଲେ-!

 

ପାଗଳାମି ହୋଇପାରେ !

 

ମନୋବିଜ୍ଞାନର ଅଧ୍ୟାପକ ପ୍ରବଳ ପ୍ରଜ୍ଞା ବା ଇଣ୍ଟେଲେକ୍ଟ ଅଛି ବୋଲି କହିପାରନ୍ତି !

 

କହିପାରନ୍ତି ନୁହେଁ–କହୁଥିଲେ ସେ ପଢ଼ିଲାବେଳେ ।

 

ଅଧିକ ଇଣ୍ଟେଲେକ୍ଟ ସମ୍ପନ୍ନ ବ୍ୟକ୍ତି, ଏମିତି ଖାପଛଡ଼ା ।

 

ସମାଜକୁ ବେଖାତିର କରିବାର ଖିଆଲ ତାଙ୍କର ହୁଏ । ବେଳେବେଳେ ସେମାନେ ଏମିତି ବିପଥରେବି ଯାଆନ୍ତି !

 

ହେଉ ପଛେ ବିପଥ ! ଅଲଗା ତ ?

 

ସାଧାରଣଙ୍କଠାରୁ ଟିକେ ଭିନ୍ନ ତ !

 

କାହିଁକି କେଜାଣି ? ପିଲାଟି ଦିନରୁ, ଯେବେଠାରୁ ମୁଁ ନିଜେ ନିଜେ ଭାବି ଶିଖିଲିଣି, ନିଜକୁନିଜେ ଜାଣି ଶିଖିଲିଣି, ସେବେଠାରୁ ବଡ଼ ନିଦାରୁଣ ଭାବରେ ଏକାକୀତ୍ୱ ଅନୁଭୋଗ କରିଛି ନିଜ ଭିତରେ !

 

ଚାରିପାଖରେ ସମସ୍ତେ ଥାଇ ସୁଦ୍ଧା କେହି ନାହାନ୍ତି ।

 

ଖାଁ, ଖାଁ–ଶୂନ୍‌ଶାନ୍ ଲାଗେ ସବୁ ।

 

ମୋତେ ଯେମିତି କେହି ବୁଝିପାରୁ ନାହାନ୍ତି !

 

ମୋ କଥା କିଛି ଜାଣିପାରୁ ନାହାନ୍ତି ! ସେମିତି ଲାଗେ ।

 

ଏବଂ, ସେଇଦିନଠାରୁ ମୋର ଅଦମ୍ୟ ଇଚ୍ଛା, ପ୍ରାୟ ପ୍ରତିଜ୍ଞା ଯେ, ସମସ୍ତଙ୍କ ପାଇଁ ଚଲାପଥ, ମୋର ନୁହେଁ !

 

ବଙ୍କା ରାସ୍ତାରେ ମୁଁ ଯିବି ।

 

ଅସାଧାରଣ ହେବାପାଇଁ !

 

କିଛି ନ ହେଲେବି, ସାଧାରଣଠାରୁ ବ୍ୟତିକ୍ରମ ହେବାପାଇଁ ।

 

ଦିଅଁ ନ ଗଢ଼ି ହୁଏତ ମାଙ୍କଡ଼ ଗଢ଼ି ପାରିଥାଏ–ମାତ୍ର, ସଳଖ ରାସ୍ତା କେବେ ମାନି ନେଇ ନାହିଁ ।

 

ପ୍ରାଣ ଦେଇ ତାକୁ ଏଡ଼ାଇ ଯାଇଛି, ଗ୍ରହଣ କରି ନାହିଁ । ଫଳରେ କ୍ରମେ କ୍ରମେ ଆତ୍ମବଡ଼ିମା ମୋର ବଢ଼ିଛି ସିନା !

 

କମି ନାହିଁ !

 

ଆଉ, ସେଇ ଆତ୍ମବଡ଼ିମା ଉପରେ ମୋର ଭୟଙ୍କର ଆଘାତ ଆଣିଲା, ତାଙ୍କର ସେ ଚିଠିଟା !

 

ଚିରି ଦେଇ ସାରିଲା ପରେବି ସ୍ୱସ୍ତି ପାଇପାରିଲି ନାହିଁ । ରାଗରେ, ଅପମାନରେ ଫୁଲି ଫୁଲି, ଉତ୍ତର ଲେଖି ବସିଲି ।

 

କ’ଣ ମୁଁ ଲେଖିଥିଲି, ଏବେ ଠିକ୍ ମନେ ନାହିଁ । କେମିତି ଲେଖିଥିଲି, ତା’ ମଧ୍ୟ ଭାବିପାରୁ ନାହିଁ !

 

ତେବେ ମୋର ସେହି ସମୟର ମାନସିକ ଅବସ୍ଥା ଯାହା ଥିଲା, ସଠିକ ଭାବରେ, ସେତକ ପ୍ରକାଶିତ କରିପାରି ନଥିଲି ବୋଲି ମୋର ଗ୍ଳାନି ଆସିଥିଲା ।

 

କାରଣ, ଉତ୍ତର ଲେଖିବାକୁ ବସିଲାବେଳେ ତାଙ୍କର ଦୟନୀୟ ରୂପ ମୋର ମନେପଡ଼ିଲା ।

 

ହତାଶା ତାଙ୍କର ମୋର କଲମ ମୁନ ରୁଦ୍ଧ କଲା ।

 

ସହଜ, ସରଳ ଭାଷାରେ ପ୍ରତ୍ୟାଖ୍ୟାନ କଲେ ମଧ୍ୟ ରୁକ୍ଷ ମୁଁ ହୋଇପାରିଲି ନାହିଁ ।

 

ମନର କେଉଁ କୋଣରେ କେଜାଣି ସମବେଦନା ଉଙ୍କିମାରିଲା !

 

ଆହା ବିଚାରୀ !

 

କିନ୍ତୁ, ଜଣାଇଲି ଏହା ସମ୍ଭବ ହୋଇପାରେନା ।

 

ଆପଣ ଅନ୍ୟତ୍ର ମନଲାଖି ଝିଅ ଖୋଜନ୍ତୁ ।

 

ଏ ଧରଣରେ ଆଶା ଆପଣଙ୍କର ବୃଥା !

 

ଆହୁରି କ’ଣ କ’ଣ ସବୁ ଲେଖିଥିଲି । ଭାବିଥିଲି, ଗୋଟିଏ ତରୁଣୀଠାରୁ ଏ ଧରଣର ପ୍ରତ୍ୟକ୍ଷ ପ୍ରତ୍ୟାଖ୍ୟାନ ପାଇଲେ ସେ ଆଘାତ ତ ନିଶ୍ଚୟ ପାଇବେ ।

 

ଭବିଷ୍ୟତ୍‍ରେ ଏ ପ୍ରଶ୍ନ ଆଉ ଉଠିବ ନାହିଁ ।

 

ସବୁ କଥା, ସେ ଦିନଠାରୁ, ଅନେକ ବର୍ଷ ପରେ ଆଜି କ’ଣ ଆଉ ମନେପଡ଼ୁଛି ?

 

ନା, ଆଜି ଏ ରାତ୍ରିର ଶୀତଳ ପବନ ଭିତରେ ସେଦିନର ମନର ତାତି କ’ଣ ଫେରାଇ ଆଣିହୁଏ ?

 

ସବୁ ମନେ ପଡ଼ୁ ନାହିଁ ।

 

ଜୀବନର ଏକ ତୃତୀୟାଂଶ ବିତାଇ ଆସିସାରିଲା ପରେ, ପଛକୁ ଫେରି ଚାହିଁଲେ ସବୁ ତ ଝାପ୍‌ସା ଦିଶୁଛି । ଏ କଥାବି ।

 

ଏବେ, ଆଜି ଯଦି ଏ ଧରଣର କୌଣସି ପତ୍ର ମୋ ନିକଟରେ ପହଞ୍ଚନ୍ତା, ମୁଁ ବିରକ୍ତ ବା ବ୍ୟଥିତ ହୁଅନ୍ତି ନାହିଁ !

 

ଅତି ନିର୍ଲିପ୍ତ ଭାବରେ ଆଖି ମେଲାଇ ଚିଠିଟିକୁ ପଢ଼ନ୍ତି, ଆଉ ତା’ଠାରୁ ଅଧିକ ନିର୍ଲିପ୍ତତା ସହକାରେ ସେଇଟିକୁ କେଉଁଠି ଗୁଞ୍ଜିଦିଅନ୍ତି–

 

ପରବର୍ତ୍ତୀ କାଳରେ, ଆବଶ୍ୟକ ହେଲେ, ଚୁଲିଲଗା ହେବାପାଇଁ ।

 

ମନର ସେ କମ୍ପନ ମରିଗଲାଣି ।

 

ସେ ତାତି ହଜିଗଲାଣି ।

 

ମନ ଉପକୂଳରେ ଜୁଆର ଆଉ ଆଜିକାଲି ଆସୁ ନାହିଁ ।

 

ଆସୁଛି ସ୍ଥିର, ଅଚଞ୍ଚଳ ଜଳରାଶିରେ ତରଙ୍ଗ ।

 

ଯାହା ଥରାଇ ଦେଇଯାଉଛି । ଅନୁରଣିତ ହେଉଛି, ପ୍ରତି କନ୍ଦିବିକନ୍ଦିରେ ।

 

ମାତ୍ର, ଭସାଇ ନେଇଯାଉ ନାହିଁ ।

 

ଯିବ ନାହିଁ–

 

ମୋ ଜୀବନ ବିଷୟରେ କ’ଣ ସେ ଜାଣନ୍ତି, କେତେଦୂର ଜାଣନ୍ତି, ବା ଆଦୌ ଜାଣିଛନ୍ତି ନା ନାହିଁ, କିଛି ମୁଁ ଜାଣେ ନାହିଁ–

 

ବଡ଼ ଅଦ୍ଭୁତ ଜୀବ ସେ !

 

ଜୀବନକୁ ସେ ଦେଖିଛନ୍ତି ବୋଧହୁଏ, ତାଙ୍କ ଅଫିସର ଫାଇଲ୍ ରୂପରେ ।

 

ଫାଇଲ୍‌କୁ ଆଗେଇ ନେବାକୁ କୌଣସି ଫାଇଲର କାମକୁ ତ୍ଵରାନ୍ଵିତ କରାଇବା ପାଇଁ, ଫାଇଲ ପଛରେ ଲଗାତର ଭାବରେ ଅନୁଧାବନ କରିବାକୁ ହୁଏ ।

 

ଇଂରାଜୀରେ ପର୍‌ସୁ କରିବାକୁ ପଡ଼େ ।

 

ଥରେ କେଉଁଠି ଅଟକିଗଲେ, ତୁନି ହୋଇ ରହିଲେ ଚଳିବ ନାହିଁ–

 

ତା’ ପଛରେ ଅନୁଧାବନ, କରିବାକୁ ପଡ଼ିବ, ଅନୁସରଣ କରିବାକୁ ହେବ !

 

କାମ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ !

 

ଫାଇଲ୍ କାହିଁକି ଅଗ୍ରଗତି କରୁ ନାହିଁ ବୋଲି, ଅବା କେଉଁଠି ଅଟକିଯାଇଛି ବୋଲି ଭାବପ୍ରବଣ ହୋଇ ବସିରହିଲେ ଚଳେନା–

 

ନାଲିଫିତାର ଏ ଯୁଗରେ, ଧାଇଁବାକୁ ହୁଏ ତା’ ପଛରେ ।

 

ଥରକୁଥର । ବାରମ୍ବାର ।

 

ଜୀବନଟାକୁ ହୁଏତ ସେ, ସେଇ ରୂପରେ ଦେଖିଛନ୍ତି ।

 

ସେଇଥିପାଇଁ ତାଙ୍କ ଫାଇଲ୍ ବୁଜି ହୋଇଗଲା ନାହିଁ ।

 

କିଛିଦିନ ଅବଶ୍ୟ ତୁନି ରହିଗଲେ ।

 

ମୁଁ ଆଶ୍ଵସ୍ତ ହୋଇଯାଇଥିଲି ।

 

ଆସି ପହଞ୍ଚିଲେ ।

 

ଅନେକ ଦିନରୁ ଜଣା ସେ ମୋର । ଆସିବାର ଅଧିକାର ତାଙ୍କୁ ମୁଁ ଦେଇଛି । ଭାଇ ବୋଲି ସମ୍ବୋଧନ କରିଆସିଛି ।

 

ସାଧାରଣ ଅଭ୍ୟର୍ଥନା ଜଣାଇଲି ହସି ହସି, ଚିଠିର କୌଣସି କଥା ଉଲ୍ଲେଖ ନ କରି ।

 

ଆଶା କରିଥିଲି, ସେ ଲଜ୍ଜିତ ହୋଇ କ୍ଷମା ମାଗିବାକୁ ଆସିଛନ୍ତି ।

 

ପାରିବାରିକ, ଶାରୀରିକ କୁଶଳ ଜିଜ୍ଞାସା ପରେ, ସେ ହଠାତ ପୁଣି ଆରମ୍ଭ କଲେ ସେଇ ଏକା କଥା–

 

ଚିଠିର କଥା କ’ଣ ଭାବି ଦେଖିଲ... ? ସେ କଥା ଆହୁରି ଗମ୍ଭୀର ଭାବରେ ଚିନ୍ତା କରି ଦେଖ ।

 

ତା’ପରେ ଜୀବନ ସମ୍ପର୍କରେ ଉପଦେଶ ।

 

ଏବଂ, ତାଙ୍କର ଅପେକ୍ଷମାଣ ଜୀବନର କଥା !

 

ବିସ୍ମିତ ହେଲି ମୁଁ ।

 

କିନ୍ତୁ ରୁକ୍ଷ ନ ହୋଇ, ହସି ହସି ସେମିତି କହିଲି–ଆପଣ ମୋତେ ଭୁଲ୍‍ ଭାବୁଛନ୍ତି ବୋଧହୁଏ । ମୋତେ ଆଦୌ ଅପେକ୍ଷା ନ କରି ନିଜ କଥା ଚିନ୍ତା କରନ୍ତୁ । ମୁଁ ମୋ କଥା ଚଳାଇ ନେଇପାରିବି ।

 

ଏବଂ, ମୁଁ ଅତି ଗମ୍ଭୀର ଭାବରେ ଆଲୋଚନା କରି ତଉଲି ଦେଖି, ଉତ୍ତର ଲେଖିଛି ଆପଣଙ୍କ ପାଖକୁ ।

 

ଭାବିଥିଲି ସେତିକିରେ ଶେଷ ।

 

ମାତ୍ର ନା–

 

ଅସୀମ ତାଙ୍କର ଧୈର୍ଯ୍ୟ ।

 

ସତେ ଯେମିତି ଏକାଗ୍ର ସାଧନା କରୁଛନ୍ତି ନିଷ୍ଠାପର ଭାବରେ ।

 

ତା’ପରେ ଅନେକ ଚିଠି ଲେଖିଛନ୍ତି–ଲେଖୁଛନ୍ତି ।

 

ତାଙ୍କ ଦେହ ଖବର, ଅଫିସ କଥା, ଏପରି କି କ’ଣ ଖାଇଲେ, କିମିତି ଶୋଉଛନ୍ତି, କେଉଁଠି ରହୁଛନ୍ତି, ବସା କେଉଁଠିକି ବଦଳାଇଲେ, କାହାକୁ ଧାର ଦେଲେ, ସାଇକେଲ କିଣିଲେ, ଏମିତି ଅନେକ କଥା–

 

ଯାହା, ତାଙ୍କର ମୋତେ ଲେଖିବା ଆବଶ୍ୟକ ତ ଆଦୌ ନୁହ–ବରଂ ଉଚିତ ନୁହ ।

 

କେବେ କେବେ ଜଣାନ୍ତି ମାନସିକ ଅବସ୍ଥା ଖରାପ ହୋଇଗଲାଣି ବୋଲି–

ଅପେକ୍ଷା ଭୟାନକ ଦୁର୍ବିଷହ ହେଲାଣି–

ବୟସ ବିତିଗଲାଣି–

ମକଦ୍ଦମାରେ ଜିତିଲି–

ବେଳେ, ଅବେଳେ ଆସନ୍ତି ।

ମନ ଖୁସି ହୋଇଗଲା, ଚାଲିଆସିଲି–କହନ୍ତି ।

ବୁଝେ, ମନ ଖୁସିର କାରଣ ମୁଁ–ଅବା, ଖୁସି ଥିବାରୁ ସର୍ବଶ୍ରେଷ୍ଠ ପ୍ରକାଶର ସ୍ଥଳୀ ମୁଁ–ସେଇଥିପାଇଁ ସେ ଆସିଛନ୍ତି !

କଥାଟା ଅଶୋଭନୀୟ ହୋଇପାରେ–

କିନ୍ତୁ କାଳକ୍ରମେ ମୋର ଦେହସୁହା ହୋଇଯାଇଥିଲା–

କିଛି ନ ଭାବି, ହସି ହସି ତାଙ୍କୁ ସ୍ଵାଗତ ଜଣାଏ ।

ଅଭ୍ୟର୍ଥନା କରେ–

ଖାଇବାକୁ ଦିଏ ।

ସେତିକିରେ ଭଦ୍ରଲୋକ ସନ୍ତୁଷ୍ଟହିଁ ରହନ୍ତି ।

ମଝିରେ ମଝିରେ ପୁରୁଣା ପ୍ରଶ୍ନ ଉଠାଇଲେ, କିଛି ଉତ୍ତର ଦିଏନା–ନୀରବ ରହିଯାଏ ।

ପଚାରି ପଚାରି ସିଏ ମଧ୍ୟ ଥକ୍କିଯାଇ ତୁନି ରୁହନ୍ତି ।

ଜଣେ ଲୋକ, ଯିଏ ଏତିକି ସାମାନ୍ୟରେ ସନ୍ତୁଷ୍ଟ, ତାକୁ ସେତିକି ଦେବାରେ ମୋର ଭଣ୍ଡାର କ’ଣ ଶୂନ୍ୟ ହୋଇଯିବ ?

ପଦେ କଥା–ଟିକେ ହସ–କୁଶଳ ଜିଜ୍ଞାସା–

ପ୍ରାୟ ଆହା ବାଣୀ ପର୍ଯ୍ୟାୟର–

ଏତିକିରେ ସେ ଖୁସି ।

ଫେରିଲାବେଳେ ଦେଖେ, ମନ ତାଙ୍କର ପ୍ରଫୁଲ୍ଲ ହୋଇଛି ।

ମୁହଁରେ ପ୍ରସନ୍ନ, ପ୍ରଶାନ୍ତିର ହସ ।

ଆଘାତ ଦେବାକୁ ଇଚ୍ଛା ହୁଏନା–

ବିଚରା– !

ଅକାରଣରେ, ଅଜାଗାରେ, ଜୀବନର ସମସ୍ତ ସଞ୍ଚିତ ଭଲ ପାଇବା ଅଜାଡ଼ିଦେଇ, କେବଳ ପ୍ରତ୍ୟାଖ୍ୟାନହିଁ ପାଇଯାଉଛି ! ପାଗଳ ଭଳି ସେତିକିରେ ତୁଷ୍ଟ ହୋଇ ଫେରୁଛି ।

 

ତା’ ଉପରେ, ଆହୁରି ଆଘାତ ମୁଁ କେମିତି ଦିଅନ୍ତି ?

 

ଯାହାର ପୁଣି ପ୍ରତି-ଆଘାତ ଦେବାର ଶକ୍ତି ନାହିଁ ?

 

ଆଘାତ କ’ଣ ଯେ ବୁଝେନା !

 

କେବେ କେମିତି କଡ଼ା କଥା ପଦେ କହିଦେଲେ, ମୋ ନିଜ ମନଟା ବିଷଣ୍ଣ ହୋଇଉଠେ ।

 

ନିଜେ ନିଜେ ଆଘାତ ପାଏ, ଦୁଃଖ ପାଏ ।

 

ସିଏ କିନ୍ତୁ ହୁଏତ ଭାବନ୍ତି, ଏଇଟା ପାରିବାରିକ ସୌଖ୍ୟ !

 

ଏଇଟା ତାଙ୍କର ପରିବାର !

 

ବଂଶର ଧାରାକୁ ବିଲୁପ୍ତ କରି, ଆଜୀବନ ଟିକେ ଭଲ ପାଇବାର ପ୍ରତିଦାନ ନ ପାଇ, ଯିଏ ଅଯାଚିତ ଭାବରେ, କେବଳ ନିଜର ଭଣ୍ଡାର ନିଃଶେଷ କରି ଭଲ ପାଇବା ଦେଇଯାଉଛି, ସତରେ ବେଳେବେଳେ ଇଚ୍ଛା ହୁଏ, ତାଙ୍କୁ ଭଲ ପାଇବାକୁ–

 

ଶେଷରେ, ଆପଣାର କରିନେବାକୁ ।

 

କଳ୍ପନାର ତାଙ୍କର ଛୋଟ ଛୋଟ ଶିଶୁ, ସୁଖୀ ପରିବାର, ଚେନାଏ ଫୁଲବଗିଚା, ଛୋଟ ଗୋଟିଏ ଘର, ଏ ସମସ୍ତକୁ ବାସ୍ତବରେ ପରିଣତ କରାଇବାକୁ !

 

ପରିଷ୍କାର ଶାଢ଼ିଟିଏ ପିନ୍ଧି, ଗାଧୋଇପାଧୋଇ, ଟିକେ କ’ଣ ଜଳଖିଆ କରି, ଶ୍ରାନ୍ତ-କ୍ଳାନ୍ତ-ଘର୍ମାକ୍ତ ଅଫିସ ପ୍ରତ୍ୟାଗତ ଏ ପୁରୁଷପାଇଁ ପ୍ରତୀକ୍ଷମାଣ ହୋଇ କବାଟ ଧରି ଛିଡ଼ା ହୋଇ ରହିବାକୁ–

 

ଗୋଧୂଳି ମ୍ଳାନ ହୋଇଗଲା ପରେ ବେକରେ କାନି ଗୁଡ଼ାଇ, ତୁଳସୀଚଉରାମୂଳେ ସଞ୍ଜବତି ଜାଳି ୟାଙ୍କର ଶୁଭକାମନା କରିବାପାଇଁ–

 

ସତରେ ! ଅନେକ ଥର ଏମିତି ଭାବିଛି !

 

ଏଥର ଆସିଲେ ହଁ କହିବି !

 

ହଠାତ ତାଙ୍କୁ ପ୍ରଣାମ କରିବି, ବେକରେ ଲୁଗା ଦେଇ ସିଏ ମୋ ସୀମନ୍ତରେ ସିନ୍ଦୂରଗାରେ ପିନ୍ଧାଇ ଦେବେ !

 

ଦୂରରୁ, ସଞ୍ଜପହରର ଶଙ୍ଖ ବାଜି ଉଠିବ ! ଆଳତିର ଘଣ୍ଟା ରବ ଶୁଭିବ ।

 

ଶୁଖିଲା ଫୁଲ କେଇଟା ପାଖ ଗଛରୁ ଝଡ଼ିପଡ଼ିବ ।

 

ସଞ୍ଜର ମୁହଁ ଅନ୍ଧାରରେ, ଟିକେ ଲାଜେଇଯିବି ।

 

ସେ ହସିବେ ।

 

ଏତେ ଦିନର କାମନା, ବାସନା ତାଙ୍କର ପରିପୂର୍ଣ୍ଣତା ଲାଭ କରିବ ।

 

ଅନେକ...ଅନେକ ଥର ।

 

ତଣ୍ଟିରେ କଥା ଅଟକି ଯାଇଛି ।

 

ଜୀବନର ଗତିପଥ ତାହାହେଲେ ହୁଏତ ପରିବର୍ତ୍ତିତ ହୋଇ ଯାଇଥାଆନ୍ତା ! ସିଧା, ସଳଖ, ସହଜ-ସୁନ୍ଦର ଆଉ ଶହେଙ୍କର ପରମ କାମ୍ୟ ଜୀବନଟିଏ ପାଇଥାଆନ୍ତି !

 

ଆଉ ଯାହା ହେଉନା କାହିଁକି; ପ୍ରବଞ୍ଚନା, ପ୍ରତ୍ୟାଖ୍ୟାନର ତିକ୍ତ ଅନୁଭୂତି ଅନ୍ତତଃ ଜୀବନରେ କେବେହେଲେ ଅନୁଭୋଗ କରିପାରି ନ ଥାନ୍ତି ! ଧୋକା ସେ ଦେଇପାରନ୍ତେ ନାହିଁ– ! ପାରିବେ ନାହିଁ ।

 

କେବଳ ଭଲ ପାଇଯିବେ ପ୍ରାଣ ଦେଇ, ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ !

 

ଆଉ କିଛି ଜଣା ନାହିଁ ତାଙ୍କୁ ।

 

ମହତ୍ ମଣିଷଟିଏ ।

 

କେବେ ଠକିବେ ନାହିଁ ।

 

ଠକିଗଲେ ମଧ୍ୟ–

 

ରାତି ଧୀରେ ଧୀରେ ବଢ଼ିଯାଉଛି–

 

ଜହ୍ନଟା ଢଳି ପଡ଼ିଲାଣି ।

 

ଆଉ ଅଳ୍ପ ସମୟ ପରେ ଲିଭିଯିବ ।

 

ତମେ କହିଲ ଦେଖି, ଜ୍ଵଳନ ଯାହାର କାମ୍ୟ, ଜଳ ତା’ ନିକଟରେ କ’ଣ ଆବଶ୍ୟକ ହୁଏ-?

 

ନିଆଁ ସହିତ ଖେଳିବାକୁ ଯାହାକୁ ଭଲଲାଗେ, ପାଣିରେ ସେ କେବେ ବଞ୍ଚିପାରିବ ?

 

ମୁହୂର୍ତ୍ତକରେ ଅଣନିଃଶ୍ଵାସୀ ହୋଇଯିବ ହୁଏତ ।

 

ଉବେଇଟୁବେଇ ହୋଇ ମରିବ ସିନା !

 

ସେଇ ଦାହନ ତ ମୋର କାମ୍ୟ ।

 

ନିଜେ ଜଳିପୋଡ଼ି, ଅପରକୁ ଜାଳିବାକୁ ମୋର ଇଚ୍ଛା–

 

ପାଣି ପାଖକୁ ଯାଇଥାଆନ୍ତି କିମିତି ?

 

ପ୍ରବଞ୍ଚନା ନଥିଲେ, ପ୍ରଣୟର ମୂଲ୍ୟ କିଛି ଥାଏ ?

 

ସମସ୍ତେ ପ୍ରଣୟ କାମନା କରନ୍ତି ।

 

ପ୍ରବଞ୍ଚନା ଲୋଡ଼େ କିଏ ?

 

ଆପେ ଆପେ ଆସିଲେବି, ପ୍ରବଞ୍ଚନା ନଥିଲେ, ଧୋକା ନଥିଲେ, ଘୃଣା ନଥିଲେ, ଭଲ ପାଇବାର ଅର୍ଥ ବୋଧହୁଏ କିଛି ନ ଥାନ୍ତା !

 

ନା, ବହୁ ଚେଷ୍ଟା ମୋର ବ୍ୟର୍ଥ ହେଲା–

 

ତାଙ୍କୁ ମୁଁ ଭଲ ପାଇପାରିଲି ନାହିଁ, ସର୍ବଶେଷରେ–

 

ଭଲ ପାଇଲି ନାହିଁ କହିଲେ ଭୁଲ୍‍ ହେବ ।

 

ତାହା ତାଙ୍କ ନିକଟରେ ପ୍ରକାଶ କରିବାକୁ ଚାହିଁଲି ନାହିଁ ।

 

ଇଚ୍ଛା ହେଲା ନାହିଁ !

 

ଇଚ୍ଛା ହେଲା ନାହିଁ, ମୋ ଦାହନରେ ତାଙ୍କୁ ଜାଳିବାକୁ !

 

ମୋର ଶୂନ୍ୟତାରେ ତାଙ୍କୁ ନିଃଶେଷିତ କରିବାପାଇଁ । ତାଙ୍କର ପୂର୍ଣ୍ଣତା ଲୋଡ଼ା ।

 

ଅଥଚ, ମୁଁ ଶୂନ୍ୟତା ଛଡ଼ା ଆଉ କିଛି ଦେଇପାରନ୍ତି ନାହିଁ !

 

ତାଙ୍କର ମହାର୍ଘ ଭଲ ପାଇବା ହୁଏତ ଛାରଖାର ହୋଇଯାଇଥାଆନ୍ତା !

 

କାରଣ, ମୁଁ ତାଙ୍କୁ ପ୍ରବଞ୍ଚିତ କରିଥାଆନ୍ତି–

 

ଥରେ ହେଲେ ସୁଦ୍ଧା କହିଥାଆନ୍ତି ଯେ, ମୁଁ ତମକୁ...

 

କେବଳ ମାତ୍ର ତମକୁ ଭଲପାଏ–ଆଉ କାହାକୁ ନୁହ ସେ ସେକଥା ଅତି ସ୍ପଷ୍ଟଭାବରେ କହିପାରନ୍ତେ !

 

ମୁଁ ଛେପ ଢୋକି, ଥରଥର ଗଳାରେ, ମନ୍ତ୍ର ଆଉଡ଼େଇଲା ଭଳି, ଆଉଡ଼େଇ ଯାଆନ୍ତି କଥାଟା–ଯାହା, ନିରାଟ ମିଥ୍ୟା ।

 

ଅବାସ୍ତବ ।

 

କଳ୍ପନାବିଳାସୀ ମୁଁ ନୁହେଁ, ଭାବପ୍ରବଣବି ନୁହେଁ ।

 

ସାରା ଜୀବନ ବରଂ ସୁବିଧାବାଦୀ ରହିଆସିଛି–

 

କିନ୍ତୁ, ଜୀବନରେ ସେଇ ଥରଟିଏ ପାଇଁ ଅକସ୍ମାତ୍ ମୁଁ ଭାବପ୍ରବଣ ହୋଇ ଉଠିଥିଲି, କଳ୍ପନାବିଳାସୀ ହୋଇ ପଡ଼ିଥିଲି ।

 

ତାଙ୍କୁ ଠକିବାକୁ, ପ୍ରବଞ୍ଚିତ କରିବାକୁ ଅବା ଧୋକା ଦେବାକୁ ମନ ବଳିଲା ନାହିଁ–

 

ତାଙ୍କୁ ଗଭୀର ଦୁଃଖ ଦେଇ ସୁଦ୍ଧା, ଏଇ ମିଥ୍ୟା କଥାଟା କହିପାରିଲି ନାହିଁ !

 

ଅଥଚ ଜାଣୁଥିଲି, ମୋର ମୁହଁର ଏଇ ପଦଟିଏ ମିଥ୍ୟାକୁ ସେ ବହୁମୂଲ୍ୟ ଦେଇ ସାରା ଜୀବନ ଉଜାଡ଼ି ଦେଇ ଶୁଣିବାକୁ ଚାହୁଁଛନ୍ତି ।

 

ସେତିକିରେ ତାଙ୍କ ଶୋଷ ମେଣ୍ଟିଯିବ ।

 

ଯୁଗଯୁଗାନ୍ତରର ଅତୃପ୍ତ କାମନା, ଶୋଷ ଶେଷ ହୋଇଯିବ ।

 

ତଥାପି–କହିପାରିଲି ନାହିଁ ।

 

ସତ କହିଲି ।

 

କାରଣ, ଏଇଟା ତାଙ୍କ ପକ୍ଷରେ ବିଷପାନ ହୋଇଥାଆନ୍ତା !

 

ପ୍ରାଣପ୍ରାଚୁର୍ଯ୍ୟ ତାଙ୍କର ନିଃଶେଷ ହୋଇଯାଇଥାଆନ୍ତା !

 

ଆଜି ରାତିର ଏ ମଧ୍ୟଯାମରେ ନିଜର ଉଦ୍‌ଗତ ଅଶ୍ରୁକୁ ଚାପି ରଖି, ଉଠି ଆସୁଥିବା କୋହକୁ ରୁଦ୍ଧ କରି, ସେ ହୁଏତ ବିନିଦ୍ର ରହି ରହି ମୋର ମଙ୍ଗଳ ମନାସୁ ଥିବେ, ଶୁଭକାମନା କରୁଥିବେ । ଆଉ ଭଲ ପାଇଯାଉଥିବେ–

 

ଅକାତରରେ–

 

ଅଯାଚିତ ଭାବରେ ।

 

କୌଣସି ପ୍ରତିଦାନର ପ୍ରତ୍ୟାଶା ନ ରଖି ।

 

ମୁଁ ଜାଣେ, ମୋ ଠାରୁ ଆଉ କିଛି ପ୍ରତ୍ୟାଶା ସେ କରନ୍ତି ନାହିଁ, କରୁ ନାହାନ୍ତି ।

 

କାରଣ, ଶେଷଥର ଯେବେ ଦେଖା ହୋଇଥିଲା, ତାଙ୍କୁ କହିଥିଲି, ଏକ ମ୍ଳାନ ଗୋଧୂଳିରେ–

 

ମୋତେ ଯଦି ସତରେ ଭଲପାଆନ୍ତି, ଆପଣ ମୋଠାରୁ କିଛି ଆଶା ନ କରି ବିବାହ କରନ୍ତୁ–ମୁଁ ସୁଖୀ ହେବି । ଭଲ ପାଇବାର ମହତ୍ତ୍ଵ ଦେଖାଇ ଏତିକି ସ୍ଵାର୍ଥତ୍ୟାଗ କରନ୍ତୁ !

 

ମୁଁ ଭଲଭାବରେ ଜାଣେ, ସେ ବିବାହ କରି ନାହାନ୍ତି !

 

ବିବାହ କରିବେ ନାହିଁ !

 

ଭଲ ପାଇଯିବେ, ଜୀବନର ଶେଷ ନିଃଶ୍ୱାସଟି ତ୍ୟାଗ କଲା ପର୍ଯ୍ୟନ୍ତ !

 

ମୁଁ ଯେଉଁଠି ଥାଏ, ଯେପରି ଭାବରେ ଥାଏ, ଯେଉଁ ଅବସ୍ଥାରେ ଥାଏ ନା କାହିଁକି, ତାଙ୍କର ଭଲପାଇବା ମୋ ପଛରେ ଛାଇ ଭଳି ଗୋଡ଼ାଉଥିବ, ଅନୁସରଣ କରୁଥିବ ।

 

–ସନ୍ଧ୍ୟାର ସେହି ପ୍ରାୟାନ୍ଧକାର ଭିତରେ, ଆକାଶରେ ଯେତେବେଳେ ଗୋଟି ଗୋଟିକିଆ ତାରା ଉଠିଆସୁଥିଲେ, ଲକ୍ଷ୍ୟ କରିଥିଲି, ତାଙ୍କର ଆଖି କୋଣରେ ଢଳଢ଼ଳ କରୁଛି ଦୁଇବିନ୍ଦୁ ଲୁହ–

 

ଗଡ଼ିଆସୁଥିବା ସେ ଲୁହ ଦୁଇ ବିନ୍ଦୁକୁ, ହାତ ପାପୁଲିରେ ପୋଛି ନେଇ, କମ୍ପିତ ଥରଥର ଗଳାରେ କହିଥିଲେ :

 

ମନେ ରଖିଥିବ, ଶେଷଦିନ ପର୍ଯ୍ୟନ୍ତ ଭଲପାଏ–ଅତିମାତ୍ରାରେ ଭଲପାଏ । ମୁଁ ତମକୁ ଆଉ ବିବ୍ରତ କରିବାପାଇଁ ଆସିବି ନାହିଁ । ଯେବେ କୌଣସି ଅସୁବିଧା ପଡ଼େ, ଦରକାର ପଡ଼େ, ଜଣାଇବାକୁ ଦ୍ଵିଧାବୋଧ କରିବ ନାହିଁ ।

 

ସିଏ ଏକ ବିଚିତ୍ର ଯନ୍ତ୍ରଣା !

 

ମୁଁ ବୁଝାଇ ପାରିବି ନାହିଁ ।

 

ନ କାନ୍ଦିବାକୁ ଚେଷ୍ଟା କରି, ସେଦିନ ସେ ଗଲାପରେ ଅନେକ କାନ୍ଦିଛି । ଲୁହ ଗାଳି ଗାଳି ମନଖୋଲି କାନ୍ଦିଛି–

 

ମୋର ପ୍ରତ୍ୟେକଟି ଟିକିନିଖି ଖବର ରଖିଲେ ମଧ୍ୟ, ସେ ଆଉ ଆସି ନାହାନ୍ତି–

 

ଆସିବେ ନାହିଁ ।

 

କେବଳ ଠିକଣା ବଦଳାଇଲେ କାର୍ଡ଼ ଖଣ୍ଡକରେ ତାହା ଜଣାଇ ଦିଅନ୍ତି– ।

 

ମୋର କୌଣସି ଦୁର୍ଯୋଗର ଖବର ଦେବାରେ ସୁବିଧା ହେବ ବୋଲି ।

 

ତମେ କହିଲ, ମୁଁ କ’ଣ ଭୁଲ୍‍ କରିଛି ?

 

କ’ଣ ଆଉ କରିପାରିଥାଆନ୍ତି ମୁଁ ?

 

ନୀରବରେ ଲୁହ ଗଡ଼ାଇବା ଛଡ଼ା ?

 

ଜହ୍ନ ଲୁଚିଗଲାଣି ।

 

କେବଳ ଅଗଣନ ତାରା କଳା ଆକାଶଟାର ଛାତିରେ ମିଟିମିଟି କରୁଛନ୍ତି, ଖେଳି ବୁଲୁଛନ୍ତି । ତାରାଫୁଲର ମହୋତ୍ସବରେ, ଆକାଶ-ଅଗଣା ସଜେଇ ହୋଇଯାଇଛି !

 

ତମେ କାଲି ଏମିତି ସମୟରେ, ଆଖି ବୁଜି ବୁଜି କ’ଣ ଗୋଟାଏ କବିତା ଆବୃତ୍ତି କରୁଥିଲ–

 

ଅସ୍ତଲୋକ ତାରାରୁ ତମର ଡକରା ଆସିଲେ, ମୋର (କି ଆଉ କାହାର ?) ମୁଖ ମଳିନ ହେବ କି ନାହିଁ ବୋଲି ?

 

ନା ? ମୋର ଯଦି ଠିକ୍ ମନେଥାଏ, ତେବେ ଏଇଟା ରବୀନ୍ଦ୍ରନାଥଙ୍କର ବୋଧହୁଏ ।

 

ତମେ ଆଖି ବୁଜିଦେଇ, ଗୁଣୁଗୁଣୁ କରି ଗାଉଥିଲ ।

 

ସାରା ଦେହରେ ମୋର ହାତବୁଲାଇ ଆଣୁଥିଲ, ଦେହରେ ମୋର ଶୀତ୍କାର ଆଣି–

 

ବେପଥୁ ଆଣି–

 

ଭାରି ଫାଜିଲ ତମେ । ଯାହା ଚାହଁ, ତାହା ଆଦୌ ତମର ଦରକାର ନାହିଁ ବୋଲି କୁହ ।

 

ଯେମିତି ସବୁ ଅକସ୍ମାତ୍ ଘଟିଯାଉଛି !

 

ଭାଗ୍ୟଦୋଷରୁ କି ?

 

ମୋତେ ହସ ମାଡ଼ୁଛିମ ଏଇନେ–ତମର ସେ କଥାଗୁଡ଼ାକ ମନେପକାଇ ।

 

କି ଗମ୍ଭୀର ଭାବରେ ତମେ କୁହ, ଦର୍ଶନତତ୍ତ୍ଵ ଭଳି !

 

ପୁଣି ଛୁଆଟିଏ ଭଳି କୋଳରେ ପଶ ।

 

ମୁହଁ ଲୁଚାଅ ଛାତିରେ !

 

ବେଳେବେଳେ ତ ମୋର ମନେହୁଏ, ତମର ଦେହଟା ଭିତରେ, କୁନିପିଲାଟାର (ଖୁବ୍ ବୁଦ୍ଧିଆ ପିଲା ଅବଶ୍ୟ) ମନଟା ନ ବଢ଼ି ସେମିତି ରହିଯାଇଛି ।

 

ସେଇଟା ଛଟପଟ କରୁଛି ।

 

ଦୁଷ୍ଟାମି କରୁଛି ।

 

ତମେ ଛୁଆଙ୍କ ଭଳି ଭୟଙ୍କର ଦୁଷ୍ଟାମି କର ।

 

ତମେ ହୁଏତ ଭାବୁଥିବ, ତମକୁ ନେଇ ନିଆଁ ସାଙ୍ଗରେ ଖେଳୁଛି !

 

ଆଉ, ତାଙ୍କ ଆଗରେ ମିଛ କହି ନ ପାରି, ତମରି ଆଗରେ ସେ ମଧୁର, ଲୋଭନୀୟ ମିଛଟିକୁ ପ୍ରକାଶ କରିଛି !

 

ଅବା, ବିଷପାତ୍ରଟିକୁ ତମ ହାତକୁ ବଢ଼ାଇ ଦେଇଛି !

 

ନା ?

 

ତମେ ଏଇନେ କେଉଁଠି ଅଛ, ଜାଣେନା–

 

କିପରି ଭାବରେ, କ’ଣ କରୁଛ, ତା’ ମଧ୍ୟ ଜାଣି ନାହିଁ ।

 

ହୁଏତ ଏଇ ମୁହୂର୍ତ୍ତରେ, ଆଉ କେଉଁ ନାରୀର ଉଷ୍ଣତା ଶତକଡ଼ା ଶହେ ଉପଭୋଗ କରୁଥିବ ତମେ !

 

କିମ୍ବା, ରେଳଷ୍ଟେସନ୍‌ର ପ୍ଲାଟଫର୍ମ ଉପରେ ଖବରକାଗଜ ପାରି ଶୋଇଯାଇଥିବ, କୌଣସି ରାତ୍ରିଟ୍ରେନକୁ ଅପେକ୍ଷା କରି । ରାତିର ଜନପଥରେ, ଚଟି ଘୋଷାରି ଘୋଷାରି, ନୁଖୁରା ବାଳ ଉଡ଼ାଇ ଉଡ଼ାଇ, ଫଟ୍ ଫଟ୍ ଶବ୍ଦ କରି ଚାଲି ମଧ୍ୟ ପାରୁଥାଅ । ତମେ ସବୁ କରିପାର !

 

ମୋ ମୁହଁରୁ ପ୍ରଶ୍ନଟା ଶୁଣିସାରିଲା ପରେ; ତମେ ଉତ୍ତରକୁ ଅତିମାତ୍ରାରେ ଅପେକ୍ଷା କଲେ ମଧ୍ୟ, ଟିକେ ହସିଦେଇ କହିଥାଆନ୍ତି, ଧେତ୍, କାହିଁକି ବାଜେ କଥା ଗପୁଛ ? ମୋତେ ବିଷ ଭଲ ଲାଗେ ।

 

ଅମୃତ ମୋତେ ପାଣିଚିଆ ଲାଗେ !

 

ଏମିତି କେତେ କଥା !

 

ଅଥଚ କାନେଇ ଥାଆନ୍ତ, କ’ଣ ମୁଁ କହୁଚି ବୋଲି–

 

ନୁହ ?

 

ତମକୁ ମୁଁ ହାଡ଼େ ହାଡ଼େ ଚିହ୍ନିଛି ପରା ?

 

ମୁଁ ନିଆଁ ହୋଇପାରେ !

 

କିନ୍ତୁ ଜାଣେ, ତମେ ନିଆଁରେ ପୋଡ଼ିବ ନାହିଁ !

 

କାରଣ ନିଆଁ ନେଇ ତମେ ଖେଳ ଖେଳିପାର ।

 

ହସି ହସି ହାତପାପୁଲିରେ ରଡ଼ ନିଆଁ ରଖିପାର, ଆଚମ୍ବିତ ହେଲେ ସୁଦ୍ଧା !

 

ଠିକ୍ ସେମିତି ନୀଳକଣ୍ଠ ଭଳି, ଆକଣ୍ଠ ବିଷପାନ କରି ତମେ ପବିତ୍ର ହୋଇପାର !

 

ସେଇଥିପାଇଁ, ତମକୁ ନିଆଁ ପାଖକୁ ଡାକି ଆଣିଛି ।

 

ପତଙ୍ଗ ଭଳି ଝାସ ଦେବାକୁ ନୁହେଁ ।

 

ପୋଖତ ଖେଳାଳି ଭଳି, ନିଆଁରେ ଡେଇଁ, ହସି ହସି ସମସ୍ତଙ୍କର ବାହାବା ପାଇବାପାଇଁ-

 

ନିଶାଖୋର ପାଖରେ, ନିଶାର କୌଣସି ଦୁର୍ଗୁଣ ନ ଥାଇପାରେ !

 

ନିଶା ନ ହେଲେ ସେ ବଞ୍ଚିବ ନାହିଁ !

 

ଜୀବନରେ ଥରେବି ସୁଦ୍ଧା ଯିଏ ନିଶା ସ୍ପର୍ଶ କରିନାହିଁ, ତାକୁ ମୁଁ ନିଶା ଖୁଆଇ ଥାଆନ୍ତି କେମିତି, ଆଉ କାହିଁକି କହିଲ ?

 

ଆଉ, ତମକୁ ମୁଁ ପ୍ରବଞ୍ଚନା କରିପାରିବି ନାହିଁ ।

 

ତମେବି ମୋତେ ନୁହ ।

 

କାରଣ, ମୁଁ ଜାଣିଛି, ତମେ ମୋପାଇଁ, ଯେଉଁ ନିର୍ଦ୍ଦିଷ୍ଟ ମୁହୂର୍ତ୍ତ ମୋ ପାଖରେ ଥାଅ, ସେଇ ମୁହୂର୍ତ୍ତକର ସତ୍ୟ । ସେଥିରେ ଆଦୌ ଭେଜାଲ, ଧୋକା ବା ପ୍ରବଞ୍ଚନା ନ ଥାଏ !

 

ସାରା ଜୀବନଟାର ବହୁ ମୁହୂର୍ତ୍ତ, ବହୁ ଘଡ଼ି, ବହୁ ଦିନ, ସପ୍ତାହ, ମାସ, ବର୍ଷ–ପୁଣି ବର୍ଷ ପରେ ବର୍ଷ ଅତିକ୍ରମ କରିଲା ପରେ ମଧ୍ୟ ଯଦି ଏଭଳି ଗୋଟିଏ ମୁହୂର୍ତ୍ତହିଁ ସତ୍ୟ ହୁଏ, ଗୋଟିଏ ଦଣ୍ଡପାଇଁ ତମେ ମୋର ହୁଅ–ସେଇହିଁ ମୋର କାମ୍ୟ !

 

ଆଉ କିଛି ବୋଲି କିଛି ମୋର ଲୋଡ଼ା ନାହିଁ ।

 

ସେଇ ମୁହୂର୍ତ୍ତ ସତ୍ୟକୁ, ନିଜର କରି ମୁଁ ବର୍ଷ ବର୍ଷ ବିତାଇ ପାରିବି–ଆଜୀବନ ବିତାଇ ପାରିବି ।

 

କହିଛି ପରା, ଏପରିକି ପରବର୍ତ୍ତୀ କାଳରେ, ତମ ସହିତ ମୋର ଥରଟିଏ ସୁଦ୍ଧା ଦେଖା ନ ହେଲେବି–କୌଣସି ପରିବର୍ତ୍ତନ ଆସିବ ନାହିଁ ! କିଛି ବ୍ୟତିକ୍ରମ ଘଟିବ ନାହିଁ ।

 

ଜୀବନର ଶେଷ ଘଡ଼ି ପର୍ଯ୍ୟନ୍ତ ସିଏ ଯେମିତି ମୋତେ ଭଲ ପାଇଯିବେ, ମୁଁ ସେମିତି ତମକୁ ଭଲ ହୁଏତ ପାଇଯିବି ନାହିଁ ।

 

କାରଣ ତାଙ୍କର କିଛି ପ୍ରତ୍ୟାଶା ନାହିଁ ।

 

କିଛି ଲୋଡ଼ା ନାହିଁ ।

 

ମୋର କିନ୍ତୁ ପୁଞ୍ଜୀଭୂତ ଆଶା ଅଛି ।

 

ଅଛି ନୁହେଁ, ଥିଲା ।

 

ଏବଂ, ସେ ଆଶା ମୋର ଚରିତାର୍ଥ ହୋଇଛି ।

 

ଏଣୁ, ମୁଁ ବଞ୍ଚିପାରିବି ଅମ୍ଳାନ ବଦନରେ, ହସି ହସି ।

 

ଏତେଟିକେବି ସୁଦ୍ଧା ଦୁଃଖିତା ନ ହୋଇ ।

 

ତମେ ଭାବୁଥିବ ଦେହର କଥା ।

 

ସେ କଥା ମୁଁ କହୁ ନାହିଁ ।

 

ଏବଂ ତାହା ତମେ ଭଲକରି ଜାଣ !

 

ମୋ ଭିତରେ ରହିଛି ଏକ ଅଖଣ୍ଡ ହତାଶା–

 

ଆଉ ତାଙ୍କ ଭିତରେ ଆଶା ।

 

ହତାଶା ଦେଇ କ’ଣ ମୁଁ ତାଙ୍କ ଆଶାରେ ପରିପୂର୍ଣ୍ଣତା ଆଣିପାରିବି !

 

ତାଙ୍କୁ ସେଇଥିପାଇଁ ଇଚ୍ଛା କରି ଏଡ଼ାଇ ଯାଇଛି, ଯାଉଛି ।

 

ବେଳେବେଳେ ଲାଗେ, ସବୁ ଯେମିତି ମିଛ, ଛଳନା ।

 

କିଛି ନାହିଁ ଏସବୁରେ । ଏପରିକି ତମକୁ–ସମସ୍ତଙ୍କୁ ଲାଗେ ସେଇ ଛଳନାର ମୂର୍ତ୍ତି ବୋଲି ।

 

ନିଜ ଭିତରେ ନିଜେଇ ବଞ୍ଚି ରହିବାକୁ ଇଚ୍ଛା ହୁଏ ।

 

ଆଉ ଇଚ୍ଛା ହୁଏ, କୁଆଡ଼େ ହଜିଯିବାକୁ ।

 

ବିଲୀନ ହୋଇଯିବାକୁ–ଏଇ ଟିକିଟିକି ତାରାଗୁଡ଼ାକ ଭିତରେ–

 

ଆକାଶ ଭିତରେ ।

 

ଲକ୍ଷ ଯୋଜନ ଦୂରକୁ ଦୂରକୁ ଅପସରି ଯିବାକୁ–ଯେଉଁଠି କିଛି ନ ଥିବ, କେହି ନଥିବେ-

 

ସବୁ ନିଶୂନ–ନିକାଞ୍ଚନ ହୋଇଥିବ, ନିସ୍ତବ୍ଧ ହୋଇଥିବ ।

 

ଆଜିକାର ଏଇ ରାତି ଭଳି ।

 

ଭାରାକ୍ରାନ୍ତ ଏ ମନ ନ ଥିବ । ଚିନ୍ତା କି ଦୁଶ୍ଚିନ୍ତା କିଛି ନ ଥିବ ।

 

ମୁଁ ଏକାକୀ ଶୋଇ ଶୋଇ ସ୍ଵପ୍ନ ଦେଖୁଥିବି ।

 

ଅଗଣିତ ସ୍ୱପ୍ନ ।

 

ମୋ ନିଜ ସ୍ଵପ୍ନରେ ବିଭୋଳ ରହି ସବୁକିଛି ଭୁଲିଯିବି ମୁଁ ।

 

କାହିଁକି ଏମିତି ହୁଏ ? ତମେ କହିପାରିବ ?

 

ତମରବି ଏମିତି ମନେହୁଏ ନିଶ୍ଚୟ ।

 

ହଠାତ ଛାଟିପିଟି ହୋଇ ପଳାଅ ନ ହେଲେ କାହିଁକି ? ଯେମିତି ତମକୁ କିଏ ଅନେକ ସମୟପାଇଁ ଆକଟ କରି ଅବା ବାନ୍ଧି ରଖିଥିଲା, ଆଉ ତମେ ଆପ୍ରାଣ ଚେଷ୍ଟା କରୁଥିଲ ମୁକ୍ତି ଲଭିବାକୁ ?

 

ମୁଁ ଜାଣିପାରେ ।

 

କାରଣ, ମୋତେବି ଠିକ୍ ଏମିତି ଲାଗେ ।

 

ରାତି ସରିଆସିବ ଏଥର ।

 

ତଥାପି, ମୋ ଆଖିପତାରେ ବିନ୍ଦୁଏବି ସୁଦ୍ଧା ନିଦ ନାହିଁ ।

 

କିଏ ଚୋରାଇ ନେଇଛି ।

 

ଆଖି କଷା ହେଉ ନାହିଁ ।

 

ପବନ ଆହୁରି ହେମାଳ ହେଲାଣି ।

 

ଏଥର ଆଉ ଘଡ଼ିଏ କି ଦୁଇଘଡ଼ି ପରେ ଶୀତୁଳିଆ ପବନ ବହିବ, ଆଗାମୀ ସକାଳର ସୂଚନା ଦେଇ ।

 

ତା’ପରେ ସାରା ଆକାଶଟାରେ ଛେନା ଛିଡ଼ିଯିବ ।

 

କୁହୁଡ଼ି ଘେରି ଆସିବ ।

 

ଜାଙ୍ଗୁଲୁ ଜାଙ୍ଗୁଲୁ ରାତି ପାହିଯିବ ।

 

ଚଢ଼େଇ ରାବିବେ କିଚିରି ମିଚିରି କରି । କୁମ୍ଭାଟୁଆ ଡାକିବ । ଡାହୁକ ବୋବେଇବ । କୋଇଲି କୁହୁ କରିବ । ଏବେ ତା’ରି ବେଳ ।

 

ସକାଳ ହୋଇଯିବ ତା’ପରେ ।

 

ଛୋଟପିଲାଏ ଥିଲାବେଳେ, ସାଙ୍ଗସୁଙ୍ଗା ହୋଇ ରାତି ଜାଗୁ–

 

ଜାଙ୍ଗୁଲୁ ଜାଙ୍ଗୁଲୁ ପହରରେ ଉଠି ଫୁଲ ତୋଳିବାକୁ ଯିବାପାଇଁ ।

 

ଭାଲୁକୁଣୀ ପାଳିମାନଙ୍କରେ ।

 

ନଗି, ଚାଙ୍ଗୁଡ଼ି ସବୁ ଥୁଆ ହୋଇଥାଏ ।

 

ବୁଢ଼ାବୁଢ଼ୀମାନେ କହିଥାଆନ୍ତି ଭୂତ ଉଠାଇବ ବୋଲି ।

 

ପାହାନ୍ତା ପହରରେ, ସପନ ଦେଖି ଚାଉଁକିନା ନିଦଟା ଭଙ୍ଗିଯାଏ । ଫୁଲଗୁଡ଼ାକ ଆଖିଆଗରେ ନାଚିଉଠେ ।

 

ଛପି ଛପି ଯାଇ, ଆଉ ସାଙ୍ଗସାଥୀମାନଙ୍କୁ କେଞ୍ଚି ଉଠାଇ, ଧୀରେ ଧୀରେ, ସଂତର୍ପଣରେ ବାହାରିଯାଉ ପାଦ ଚିପି ଚିପି ।

 

କନିଅର, କାଠଚମ୍ପା, ଚମ୍ପା, ନାନା ଜାତିକା ଫୁଲ ତୋଳି ଚାଙ୍ଗୁଡ଼ିରେ ପୂର୍ଣ୍ଣ କରି ଘରକୁ ଫେରିଲାବେଳକୁ, ପାହାନ୍ତା କାହିଁ କେତେବେଳୁ ବିତି ଯାଇ ଖରା ପଡ଼ିଯାଇଥାଏ–

 

ଖୁଦୁରୁକୁଣି ପାଳି କଥା ମନେପଡ଼ୁ ନାହିଁ ।

 

ସାନ ସାନ ସେ ପିଲାଙ୍କ କଥାବି ଭୁଲିଗଲିଣି ।

 

ସେମିତି ରାତି ଜାଗୁଛି କି ବୋଲି ମନେହେଉଛି କେବଳ ।

 

ଟିକେ ନିଦ ଲାଗି ଆସୁଥିଲା–

 

ଭାଙ୍ଗିଗଲା ।

 

ଅନେକ ଥର, ତାଙ୍କ କୋଳରେ ଶୋଇଥିଲାବେଳେ ମୋ ନିଦ ଏମିତି ଚାଉଁକିନା ଭାଙ୍ଗିଯାଏ ।

 

ଚମକି ଉଠେ, ଦେହସାରା ଥରିଯାଏ ।

 

ତାଙ୍କ ପାଖରୁ ଉଠିଆସେ ତଳକୁ ।

 

ଭାବିଥାଏ, ସିଏ ଶୋଇପଡ଼ିଛନ୍ତି । କିନ୍ତୁ ତଳେ ଆସି ଅନାଏଁ ସେ ହସହସ ମୁହଁରେ ଚାହିଁଛନ୍ତି ମୋତେ ।

 

ଦୋଷୀ ଭଳି ଧୀରେ ଧୀରେ ଉଠି, ପୁଣି ତାଙ୍କ ପାଖକୁ ଯାଏଁ ।

 

ସତେ ଅସମ୍ଭବ ଲୋକ ସିଏ !

 

ଠିକ୍ ତମରି ଭଳି ମୋ ଛାତିରେ ମୁହଁ ଗୁଞ୍ଜନ୍ତି ।

 

ଲୁଗାଗୁଡ଼ାକ ଆଡ଼େଇ ଦିଅନ୍ତି ।

 

ଛୋଟପିଲାଭଳି, କଅଁଳା ବାଛୁରୀ ଭଳି ମୁହଁ ଗୁଞ୍ଜି ଗୁଞ୍ଜି, ହସହସ ମୁହଁରେ ମୋତେ ଚାହିଁ ଦେଖନ୍ତି–

 

ଲକ୍ଷ୍ୟ କରନ୍ତି, ମୋର କି ଭାବାନ୍ତର ହେଉଛି ବୋଲି । ମୁଁ ସେମିତି ଶୋଇଥାଏ ।

 

କିଛି କୁହେ ନାହିଁ ?

 

ସିଏ କିନ୍ତୁ ମୋତେ ବହିଭଳି ପଢ଼ିଯାଆନ୍ତି ଯେମିତି ! ମୋ କଥା ବିଶ୍ଳେଷଣ କରି, ମୋତେଇ କହନ୍ତି !

 

କହନ୍ତି, ମନ ବଡ଼ ବିଚିତ୍ର ଜିନିଷ !

 

ଆଉ ନିଜ ମନକୁ କେହି ବୁଝିପାରନ୍ତି ନାହିଁ ।

 

କାରଣ ମନ ନିଜକୁ ଧୋକା ଦିଏ । କ’ଣ ଚାହୁଁଛ ? ସେ କଥା ! ଯଦି ତମେ ଜାଣିପାରନ୍ତ ନିଜେ ନିଜେ ନିଜ ମନକୁ ତଉଲି, ବା ଆଉ କେହି ନିଜ ମନକୁ ଜାଣିପାରନ୍ତା, ତେବେ ତ ସିଏ ସେଇ କଥାଟି ପାଇବାକୁ ଚେଷ୍ଟା କରନ୍ତା ! ପାଇଲେ ସବୁ ସୁଧୁରି ଯାଆନ୍ତା !

 

ତମେ ଯାହା ଚାହଁ, ମନ ଆଉ କିଛି ଜଣାଏ–

 

ଅଲଗା ରାସ୍ତା ଦେଖାଏ, ପଥ ହୁଡ଼ିଯାଏ ମଣିଷ ।

 

ଅମଡ଼ାରେ ପଶେ । ଫେରିବାକୁ ପଡ଼େ । ହତାଶ ହୁଏ ।

 

ବ୍ୟର୍ଥତାର ହା-ହୁତାଶରେ ଜୀବନ ଭରିଯାଏ ।

 

ପାପପୁଣ୍ୟ, ଭଲମନ୍ଦ, ଏସବୁର ଧାରଣା ମଣିଷ ପାଏ ତା’ର ପରିବେଶରୁ, ତା’ର ଚାରିକଡ଼ରୁ ।

 

ଏବେର ଦୁନିଆରେ ସେସବୁ ଏତେ ଜଟିଳ, ଏତେ ବିଚିତ୍ର ଯେ, ନିଜେ ସେ କେଉଁଟା ଠିକ୍ କେଉଁଟା ବା ଭୁଲ୍‍, ଏକଥା ତଉଲି ଦେଖିପାରେନା ।

 

ଦେହ ଗଢ଼ା ହୋଇଥାଏ ଗୋଟାଏ ସଂସ୍କୃତିର ଅବବୋଧ ଉପରେ । ସାମାଜିକ ନୂଆ ଚେତନା ଆଉ ଏକ ପନ୍ଥା ଦେଖାଏ ।

 

ଦୁଇଟାଯାକ ମଣିଷ ମନ ଭିତରେ ଠୋକର ଖାଏ ।

 

ଆଧୁନିକ ମଣିଷ, ଦୁଇଟିରୁ କିଛି ଭଲ କିଛି ମନ୍ଦ ଗ୍ରହଣ କରେ । କୌଣସି ଗୋଟିକୁ ଠିକ୍ ବୋଲି ମାନିପାରେନା ।

 

ଗୋଟିକୁ ମାନିନେଲେ ତ ଛିଡ଼ିଯାଆନ୍ତା !

 

ହସି ହସି କହନ୍ତି, ନୂଆ ପଇସା, ପୁରୁଣା ପଇସା ଏକାଠି ଚଳିବା ଭଲ କଥାଟା–

 

ନୂଆ ପଇସାରେ କେବଳ ଚଳିଲେ ଚଳିହେବ । ଭୁଲ୍‍ ହେବ ନାହିଁ ହିସାବରେ । କିମ୍ବା, ପୁରୁଣାରେ କେବଳ ହିସାବ କଲେବି ହିସାବ ଭୁଲ୍‍ ହେବ ନାହିଁ । କିନ୍ତୁ ପୁରୁଣା ପଇସାରେ କିଣି, ନୂଆରେ ମୂଲ୍ୟ କଷିଲେ କିମ୍ବା ନୂଆରେ କିଣି ପୁରୁଣାରେ ହିସାବ କଲେ, ହିସାବ ତ ମିଳିବ ନାହିଁ । ମୁଣ୍ଡ ଗୋଳମାଳ ହୋଇଯାଏ !

 

ଦେଖିନ, ବୁଢ଼ା ବୁଢ଼ା ପୋଖତ ବେପାରୀ କେମିତି ଠକି ଯାଆନ୍ତି ! ଏକ ପୁରୁଣା ପଇସା ସମାନ ଦୁଇ ନୂଆ ପଇସା !

 

ପୁଣି ଏକ ଟଙ୍କା ସମାନ ଏକ ଶହ ପଇସା !

 

ଅଠେଇଶ ପଇସା ଗୋଳମାଳ !

 

ମଣିଷର ମନ ଭିତରେ ଆଜିକାଲି ସେଇ ଅସୁବିଧା ଘଟୁଛି ।

 

ତମ ଭିତରେ, ମୋ ଭିତରେ, ସମସ୍ତଙ୍କ ଭିତରେ ।

 

ଆମେ ପୁରୁଣା ଚିନ୍ତାକୁ ଛାଡ଼ନ୍ତୁ–ନୂଆ ଚିନ୍ତା ପଶିସାରିଲାଣି । ନୂଆକୁ ମାନିନେଇଛୁ । ପୁରୁଣାକୁ ମିଳେଇ ଦେଖୁଛୁ ।

 

ଗର୍‌ମିଳ ହେବ ତ ! ହେବାକୁ ବାଧ୍ୟ ।

 

ଏସବୁ କାହିଁକି କହନ୍ତି ସେ, ସେତେବେଳେ ବୁଝି ନଥିଲି ।

 

ଏବେ ବୁଝିପାରୁଛି ଏତେ ଦିନ ପରେ !

 

ଅଙ୍କଟା ବହୁତ ଦିନ ପରେ କଷି ହେଉଛି !

 

ପରୀକ୍ଷାର ଫଳ କିନ୍ତୁ ବାହାରିସାରିଲାଣି ।

 

ମୋତେ ସେ ବୁଝାଉଥିଲେ, ଏମିତି ଗୋଟାଏ ରାତିର ଶେଷ ପ୍ରହରରେ ।

 

ମୋତେ ଥାପୁଡ଼େଇ ଦେଉଥିଲେ ।

 

ମୋ ଛାତି ଉପରେ ମୁଣ୍ଡ ରଖି ।

 

ସେଇଟା ତାଙ୍କୁ କୁଆଡ଼େ ଭାରି ଭଲ ଲାଗେ ।

 

ତାଙ୍କ ମା’ଙ୍କୁ ସେ ଉପଲବ୍‌ଧି କରିପାରନ୍ତି !

 

ଘରର ବତିଟା ବଡ଼ ନିଷ୍ପ୍ରଭ ହୋଇ ଜଳୁଥିଲା, ଯେମିତି ଇଚ୍ଛା କରୁଥିଲା ଆଉ ନ ଜଳିବାକୁ । ବା କେହି ଆସି ଲିଭାଇ ଦେଇ ଯାଉ ନାହିଁ– ?

 

ମୋତେ ଚୁମା ଦେଲେ ।

 

ଚୁମା ମାଗିଲେ ।

 

ତା’ପରେ ମୋ ମୁହଁକୁ ତୋଳି ଧରି କହିଲେ–

 

ତମେ ମୋତେ ଭଲ ପାଅ ନିଶ୍ଚିନ୍ତ ଭାବରେ ।

 

କିନ୍ତୁ ବେଳେବେଳେ ତମ ନିଜ ମନ ଭିତରେ ନିଜକୁ ନେଇ ସଂଶୟ ଆସେ । ଯାହା କରୁଛ, ସେଇଟା ସତରେ ଭଲ ପାଇବା କି ନାହିଁ, ପ୍ରଶ୍ନ ଉଠେ ।

 

ହଁ, ନାହିଁ–ଦୁଇଟାଯାକ ଉତ୍ତର ତମେ ପାଅ ।

 

ଭଲପାଇବାଟାକୁ ବିବାହର ପରିଣତି ବୋଲି ମୁଁ ମାନେନା–

 

ସେମିତି ବିବାହଟା ଭଲପାଇବାର ପରିଣତି ବୋଲି ମଧ୍ୟ ସ୍ୱୀକାର କରେନା–

 

ଜୀବନ ରାତିଯୁଗର କାବ୍ୟ ନୁହ ଯେ, ଗୋଟିଏ ରାତିରେ ଶେଷ ହୋଇ, ମଧୁଶଯ୍ୟାରେହିଁ ଇତି ହେବ !

 

ବହୁମୂଲ୍ୟ ଦେଇ ଜୀବନକୁ ଜାଣିବାକୁ ହୁଏ !

 

କାରଣ, ଜୀବନ ବହୁ ମୂଲ୍ୟବାନ୍ ।

 

ହେଇ, ଦେଖ ନା, ଆମେ ଦୁହେଁ, ବିବାହିତ ସ୍ଵାମୀସ୍ତ୍ରୀ !

 

କୁଆଡ଼େ ସାତ ଜନ୍ମପାଇଁ, ଜନ୍ମଜନ୍ମାନ୍ତର ପରର ଏ ବନ୍ଧନ ।

 

ତମ କୋଳରେ ମୁଁ ମୁଣ୍ଡ ରଖି ଶୋଇଛି ।

 

ତମ ଦେହର ପ୍ରତ୍ୟେକଟି ଭାଗ, ପ୍ରତିଟି କନ୍ଦିବିକନ୍ଦି ମୋର ପରିଚିତ । ତଥାପି, ଆମେ ଦୁହେଁ ଏମିତି ବନ୍ଧୁଭଳି କଥା କହିପାରୁ । ସହଜ ଭାବରେ ଦ୍ଵୈତ ଜୀବନକୁ ସ୍ଵୀକାର କରିବାକୁ ଚାହୁଁନା ।

 

ପୁଣି, ଆମେ ପରସ୍ପରକୁ ଆଗରୁ ଜାଣିଛେ–

 

ଭଲ ପାଇବାର ଅଭିନୟ କରିଛେ ।

 

ବିବାହ କରିଛେ !

 

ଏଇଟା ଅସମ୍ଭବ କଥା ନୁହେଁ–

 

ଏହା ନ ଘଟିବାଟା ଅସମ୍ଭବ ।

 

ତମେ ମୋତେ ଭଲପାଇ, ଆସିଲାପରେ, ଆମ ଘରର ପ୍ରତ୍ୟେକ ମଣିଷଙ୍କୁ ଜାଣିସାରିବା ପରେ, ତାଙ୍କ ମଧ୍ୟରେ ସଂଯୁକ୍ତ କରି ମୋତେ ଦେଖିସାରିଲା ପରେ, ହୁଏତ ତମର ଧାରଣା ହେଲା ଯେ, ତମେ ମୋତେ ଯେଉଁ ବୀର ରୂପରେ ଦେଖିଥିଲ, ମୁଁ ଯାହା ନୁହେଁ ! ପରିବାରର ପ୍ରତ୍ୟେକଙ୍କର ବଚସ୍କର ।

 

କାହା କଥା ଏଡ଼ିଯିବା ମୋ ପକ୍ଷରେ ସମ୍ଭବ ନୁହେଁ ।

 

ମୋର ଯେଉଁ ରୂପକୁ ତମେ ବାହାରେ ଭଲ ପାଉଥିଲ, ବିରାଟ୍‍ ବୋଲି ଭାବୁଥିଲ, ସେ ମୂର୍ତ୍ତିଟା ଭାଙ୍ଗିପଡ଼ିଲା ।

 

ଏବଂ, ତମେ କିଛିଦିନ କେବଳ ମୋତେ ସହିଗଲ ।

 

ସହିଚାଲିଛ–ଯେ ପର୍ଯ୍ୟନ୍ତ ତମର ଧୈର୍ଯ୍ୟର ସୀମା ଲଙ୍ଘି ନାହିଁ କିମ୍ବା ଆଉ କିଛି ଘଟି ନାହିଁ !

 

ତା’ପରେ କ’ଣ ହବ, ତମେ ନିଜେବି କହିପାରିବ ନାହିଁ ହୁଏତ ।

 

ବହୁ ଆୟାସରେ ତମେ ମୋତେ ପାଇଛ, ପାଇଥିଲ ।

 

ଏବେ ଭାବୁଛ ଯେ ସେ ଆୟାସ, ଯତ୍ନ ତମର ବୃଥା, ଅର୍ଥହୀନ, ଅତିମାତ୍ରାରେ ମୂଲ୍ୟହୀନ !

 

ବେଳେବେଳେ ମୋ ମୁହଁକୁ ଚାହିଁ, ମୋ ପାଖରେ ଶୋଇ ଶୋଇ ତମେ ଆଉ କାହା କଥା ଭାବ–

 

କୁଆଡ଼େ ଅପସରି ଯିବାକୁ ଭାବ ।

 

ମୁଁ ଜାଣେ ।

 

ସତରେ ମୁଁ ସେମିତି ଭାବୁଥାଏ ବେଳେବେଳେ ।

 

ସିଏ ଏସବୁ କହିଲାବେଳେ, ମଝିରେ ମଝିରେ ଅନ୍ୟମନସ୍କ ହୋଇ ପଢ଼ୁଥିଲି–

 

କାରଣ, ଦିନସାରା ଅକ୍ଳାନ୍ତ ପରିଶ୍ରମ ପରେ, ତାଙ୍କର ଶୁଖିଲା ଏ ଦର୍ଶନ ତତ୍ତ୍ଵ କି ମନସ୍ତତ୍ତ୍ଵ ସବୁ ଶୁଣିବାକୁ ଆଦୌ ଭଲ ଲାଗୁ ନଥିଲା–

 

ସେତେବେଳେ ମୁଁ ରୀତିମତ ବୋହୂ ଥିଲି ତ !

 

ଶାଶୂ, ଶ୍ୱଶୁର, ଦିଅର, ନଣନ୍ଦ ପରିବେଷ୍ଟିତ ହୋଇ ବୋହୂଟିଏ !

 

ସେ ରୂପରେ କେବେ ତମେ ମୋତେ ଦେଖିନ !

 

ଆଉ ମଧ୍ୟ ଦେଖିପାରିବ ନାହିଁ ।

 

ଚୁଲି ପାଖରେ ବସି, ନିଆଁ ଜାଳି ଜାଳି, ଏତେ ଲୋକଙ୍କ ପାଇଁ ରାନ୍ଧିବାଢ଼ି, ଦିନଯାକର ଫାଇ ଫରମାସ ସବୁ ଖଟି ଖଟି, ତାଙ୍କର ଏକଥା କେତେ ଶୁଣନ୍ତି ଆଉ ?

 

ନିତି ନିତି ଶୁଣେ !

 

ଏବେ ଶୁଣାଇଲେ ଭଲ ଲାଗନ୍ତା ବୋଧହୁଏ ।

 

ଅନେକ ଦିନ, ଅନେକ ରାତି ତାଙ୍କୁ ବନ୍ଧୁ ଭାବରେ ପାଇବାପାଇଁ, ଏକାନ୍ତରେ ବିଜନରେ ପାଇବାପାଇଁ ସତରେ ବ୍ୟାକୁଳ ହୋଇଛି !

 

କବାଟ ଖଡ଼୍ କରିହେଲେ, ସିଏ ଆସିଲେ କି ବୋଲି ବିଚାରିଛି !

 

ରାତି ରାତି ବିନିଦ୍ର ବିତାଇଛି, ତାଙ୍କର ସେ ବୋଲିଗୁଡ଼ାକ ଆଉଡ଼ାଇ ଆଉଡ଼ାଇ–

 

ବର୍ଷାରେ, ଶୀତରେ କାତର ହେଲାବେଳେ, ତାଙ୍କ କୋଳ କାମନା କରିଛି ସତରେ ।

 

ନିର୍ଲଜ୍ଜ ଭାବରେ ଏକଥା ପ୍ରକାଶ କରିବାରେ ମୋର ଲାଜ ନାହିଁ !

 

ଦ୍ଵିଧା ବା ସଙ୍କୋଚ ମଧ୍ୟ ନାହିଁ !

 

ତାଙ୍କୁ ଜଡ଼ାଇ ଧରି, ଭୁଲ୍‍ ମାଗିବାକୁ ଇଚ୍ଛା କରିଛି ।

 

ସିଏ କିନ୍ତୁ ଆସି ନାହାନ୍ତି ।

 

ଆସିବେ ନାହିଁ ।

 

ମୋତେ କହିଯାଇଛନ୍ତି, ଯେବେ ତମେ ମୋତେ ଲୋଡ଼ିଲ, ଭାବିବ ଯେ ତମ ଜୀବନରେ ମୋର ଆବଶ୍ୟକତା ଅଛି ବୋଲି, ସେତେବେଳେ ମୋ ପାଖରେ ଯାଇ ପହଞ୍ଚିବ ।

 

ଫେରିଆସିବ ନାହିଁ ।

 

ମୁଁ ତମକୁ ପରିତ୍ୟାଗ କରୁ ନାହିଁ ।

 

କାରଣ, ସେ ଅଧିକାର ବା ଇଚ୍ଛା ମୋର ନାହିଁ ।

 

କେବଳ ସ୍ଵତନ୍ତ୍ର ଭାବରେ, ସ୍ଵାଧୀନ ଭାବରେ ତମକୁ ନିଜକୁ ଚିହ୍ନିବାରେ ସ୍ଵାଧୀନତା ଦେଇଯାଉଛି ।

 

ନିଜକୁ ଜାଣିବାକୁ ଚେଷ୍ଟା କର !

 

ନିଜକୁ ଜାଣିସାରିଲା ପରେବି ଯଦି ମୋତେ ଲୋଡ଼, ଯିବ ।

 

ଛଳନାରେ ନୁହେଁ !

 

ସାମୟିକବି ନୁହେଁ !

 

ମୁଁ ପ୍ରତୀକ୍ଷାରେ ଥିବି ।

 

ଦିନକପାଇଁ ନୁହ, ଅନନ୍ତକାଳ !

 

ଆଉ କ’ଣ କହୁଥିଲେ ଜାଣିଚ ?

 

ଆଜିକି ପନ୍ଦର କୋଡ଼ିଏବର୍ଷ ପରେ, ତମେ ଏମିତି ଭାବିବାର ଭୁଲି ଯାଇଥିବ, ଆଖିରେ ମୋଟା ରିମର ଚଶମା ଲଗାଉଥିବ । ମେଦ ବହୁଳ ଶରୀର ହୋଇଯାଇଥିବ ହୁଏତ ।

 

ତମର ଏଇ ଘନକୃଷ୍ଣ କେଶରାଶିରୁ ତିନି ଚତୁର୍ଥାଂଶ ତୁଷାର ଶୁଭ୍ରରେ ପରିଣତ ହୋଇ ଯାଇଥିବ, ପତଳା ହୋଇ ଆସିଥିବ । ମୋର ଏ ଗହଳ ବାଳ ଉପୁଡ଼ି ପଡ଼ିଥିବ ।

 

ଚମରେ ଫାଟ ପଡ଼ିଥିବ, ଲୋଳିତ କୁଞ୍ଚିତ ହୋଇଯାଇଥିବ ।

 

ଆମେ ବର୍ତ୍ତମାନ ଭଳି ଚିନ୍ତା କରିପାରୁ ନ ଥିବା !

 

ସେତେବେଳେ ତମର ଅବଲମ୍ବନ ଲୋଡ଼ା ! ମୋର ମଧ୍ୟ !

 

ତମର ଏ ଦାହନ, ଏ ଜ୍ଵଳନ ଶୀତଳ ହୋଇଯାଇଥିବ !

 

ଜଳି ଜଳି ଅଙ୍ଗାର ହୋଇଯାଇଥିବ !

 

ସେତିକିବେଳକୁ ମୁଁ ଅପେକ୍ଷା କରିଛି ।

 

ଏବଂ ଆଶା କରୁଛି, ନିଜକୁ ସେତେବେଳେ ସୁଦ୍ଧା ତମେ ଜାଣି ସାରିଥିବ !

 

ଅକସ୍ମାତ୍ ଶରତର ଏକ ଅପରାହ୍ନରେ, ଏକାକୀ ମୁଁ ମୋ ପ୍ରକୋଷ୍ଠରେ ବସିଥିଲାବେଳେ ତମେ ଦ୍ଵାରଦେଶରେ କରାଘାତ କରିବ !

 

ପରସ୍ପରକୁ କ୍ଷଣକପାଇଁ ହୁଏତ ଚିହ୍ନିପାରିବା ନାହିଁ ।

 

ତମେ ଅସୀମ ଅବେଗ ନେଇ ଯାଇଥିବ ।

 

ସେ ଆବେଗ କିନ୍ତୁ ଆଜି ଭଳି ଉଦଗ୍ର ନୁହ–

 

ବହ୍ନିମାନ ନୁହେଁ ।

 

ଶୀତଳ, ହେମାଳ, ବରଫ ଭଳି ଥଣ୍ଡା ।

 

ହାତରେ ଛୋଟ ସୁଟ୍‌କେଶ୍‌ଟିରେ ଥିବ, ତମର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ।

 

ତମେ ମୋତେ ପ୍ରଣାମ କରିବ ।

 

ମୁଁ ତମର କପାଳ ଚୁମ୍ବନ କରିବି ।

 

ହାତ ଧରି ଭିତରକୁ ଡାକି ନେବି ।

 

ଦୀର୍ଘଦିନର ବ୍ୟବଧାନ ପରେ– ।

 

ମୁଁ ଜାଣେ ସେଇଦିନ ତମେ ଆସିବ । ନିଶ୍ଚୟ ଆସିବ !

 

ସତରେ, ମୁଁ ଯିବି ।

 

ଜୀବନର ସେଇ ବରଫ ଭଳି ଥଣ୍ଡା ଦିନଗୁଡ଼ିକରେ, ମୋତେ ତାଙ୍କୁ ଲୋଡ଼ା ।

 

ଗୋଟିକ ପରେ ଗୋଟିଏ ଦିନର ପାହାଚ ଉପରେ ଚଢ଼ି ଚଢ଼ି ମୁଁ ସେଇ ଦୀର୍ଘ ବ୍ୟବଧାନକୁ ଅତିକ୍ରମ କରିବି !

 

ଝୋଟ ଭଳି ଧଳା ମୋର କେଶଗୁଚ୍ଛ ତାଙ୍କୁ ଉପହାର ଦେବି !

 

ପ୍ରଣାମ କରିବି ।

 

ଦୁହେଁ ହସିବୁ–

 

ମୁଁ ଟିକେ ଲାଜରେ, ସେ ଗର୍ବରେ ।

 

ସେଇ ଅନାଗତ ଶୁଭଦିନର ଅପେକ୍ଷାରେ ମୁଁ ଅଛି ।

 

ସେଇଥିପାଇଁ ସମସ୍ତ କାମନାଗ୍ନିକୁ ନିର୍ବାପିତ କରି ମୁଁ ତାଙ୍କ ପାଖକୁ ଯାଇନାହିଁ ।

 

ଯିବି ନାହିଁ ଏବେ ।

 

ମୁଁ ଜାଣେ ସେ ଦିନ ଆସିବ ।

 

ଆଲିଙ୍ଗନ ଲୋଡ଼ା ନ ଥିବ ।

 

ଦେହ ଲୋଡ଼ା ନ ଥିବ ।

 

ଛାତିରେ ମୋର ମୁଣ୍ଡ ଗୁଞ୍ଜି ଶୋଇବାପାଇଁ ତାଙ୍କର କାମନା ମଧ୍ୟ ସରିଯାଇଥିବ ।

 

ସେଇଦିନ ତାଙ୍କୁ ଆଖି ପୂରାଇ ଦେଖିବି ।

 

ଆଉ, ସେ ବି ମୋତେ ।

 

ଅନେକ କଥା ଶୁଣିବାକୁ ଅଛି !

 

ବାକି କଥା ସବୁ ।

 

କାନକୁ ଭଲ କରି ଶୁଭିବ କି ନାହିଁ ଜାଣେନା–

 

ତଥାପି ଶୁଣିବି, କାନେଇ କାନେଇ, ଅନ୍ୟମନସ୍କ ନ ହୋଇ ।

 

ଆମେ ଦୁହେଁ ବୁଢ଼ାବୁଢ଼ୀ ହୋଇଯାଇଥିବୁ.......

 

ତମେ ଜାଣିନ ମୁଁ ତାଙ୍କୁ କେତେ ଭଲପାଏ ।

 

ପ୍ରାଣ ଦେଇ ଭଲପାଏ ।

 

ଆଉ, ତାଙ୍କୁ ଭଲ ପାଇଛି ବୋଲି; ତମକୁ ଭଲ ପାଉଛି ।

 

ତମକୁ କାମନା କରୁଛି ।

 

ନିଜକୁ ଏଥିଭିତରେ ଢେର୍ ତଉଲି ଦେଖିଛି ।

 

କଳନା କରିଛି ।

 

ଯେ କୌଣସି ମୁହୂର୍ତ୍ତରେ ମୁଁ ତାଙ୍କ ପାଖକୁ ଯାଇପାରନ୍ତି ।

 

କିନ୍ତୁ ଯିବି ନାହିଁ ।

 

କାରଣ, ଏବେ ମୁଁ ତାଙ୍କୁ ଭଲ ପାଇପାରିବି ନାହିଁ ।

 

ପୁଣି ମନ ଭିତରେ ଉଙ୍କିମାରିବ ସେଇ ପୁରୁଣା ଦ୍ଵିଧା ।

 

ତାଙ୍କୁ ପୁଣି ହରାଇବି, ସବୁଦିନ ପାଇଁ ପାଇ ମଧ୍ୟ ।

 

ଆଉ ଯେପରି କୌଣସି ଦିନ ତାଙ୍କୁ ନ ହରାଏ, ସେଇଦିନର ପଦଧ୍ଵନି ଶୁଣିବାପାଇଁ ମୁଁ ପ୍ରତୀକ୍ଷମାଣ ।

 

ସେ ପଦଧ୍ୱନି ଅତି କ୍ଷୀଣ ଭାବରେ ଶୁଭିଲାଣି ।

 

ଏଥର ଦ୍ରୁତତର ହେବ । ତୀବ୍ର ହେବ, ତୀବ୍ରତର ହେବ ।

 

ତାଙ୍କରି କୋଳରେ ମଥା ଥାପି ଶୋଇବି ।

 

ଶୋଇବି, ପ୍ରଶାନ୍ତ ଆତ୍ମବିଶ୍ଵାସରେ, ଗଭୀର ଆସକ୍ତିରେ ।

 

ସେଇଦିନ ପର୍ଯ୍ୟନ୍ତ ମୁଁ ବିନିଦ୍ର ରାତି ଯାପୁଛି ।

 

ନିଆଁରେ ନିଜକୁ ଜାଳିପୋଡ଼ି ଅଙ୍ଗାର କରୁଛି ।

 

ହତାଶା ଭିତରେ ବଞ୍ଚୁଛି, ଆଶାର ଆଲୋକ ହେବାପାଇଁ ।

 

ହେବ–

 

ଭାରି ନିଦ ଲାଗିଲାଣି ଏଥର ।

 

ଡାଆଣୀ ବୁଢ଼ୀଟା କାଶି କାଶି ଥକ୍କି ଯାଉଛି ।

 

ଏଥିଭିତରେ ପୁଣି ଅସରାଏ ବର୍ଷା ହୋଇଯାଇଛି କ’ଣ ?

 

ମୋର ଖିଆଲ ନାହିଁ ।

 

ହୁଏତ ହୋଇଥିବ ।

 

ମୁଁ ମୋ ନିଜ ଭିତରେ ଏତେ ନିମଗ୍ନ ଥିଲି ଯେ, ଖିଆଲ କରିପାରି ନାହିଁ, ବର୍ଷାର ସେ ଝର୍ଝର ଧ୍ୱନିକୁ କି ହେମାଳ ପବନକୁ ।

 

ପବନଟା ଏବେବି ହେମାଳ ଅଛି ।

 

ଦେହଟା ଶୀତେଇ ଉଠୁଛି ।

 

ସେଇଥିପାଇଁ ଭାବୁଛି ବର୍ଷା ହେଲା ବୋଲି !

 

ଟିଣ ଘରଟା ଉପରେ ଟପ୍‍ଟପ୍ ହୋଇ ପାଣି କିମ୍ବା କାକର ପଡ଼ୁଛି ।

 

ବରଫଳବି ହୋଇପାରେ ।

 

ସକାଳେ ଦେଖିଥିଲି, ଦୂରର ଗଛଟାରେ ଲାଲ ଲାଲ ପୋହଳା ଭଳି ଫଳଗୁଡ଼ାକ ଛାଇ ହୋଇଯାଇଥିଲା–

 

ପହରିକିଆ ବିଲୁଆ ରାବି ଦେଇଗଲା–

 

ଅନ୍ୟଗୁଡ଼ାକ ଅନୁସରଣ କଲେଣି ।

 

କେଇ ପହର ବିତିଲା କେଜାଣି ?

 

ହେଇ, ବିଟ୍ କନେଷ୍ଟବଳର ଭାରି ବୁଟ୍ ଜୋତାର ମଚ୍ ମଚ୍ ଶବ୍ଦ ଶୁଭୁଛି, ରାତ୍ରିର ଏ ନିର୍ଜନତାକୁ ଭେଦ କରି ।

 

ଗୋଟାଏ ଦିଇଟା ବୁଲା କୁକୁର, ପଡ଼ିଶାଘରର ପୋଷା କୁକୁର ଭୋ ଭୋ ଭୁକିବା ଆରମ୍ଭ କରିଦେଇଛନ୍ତି ।

 

ଡାଆଣୀ ବୁଢ଼ୀର କୁକୁରଟାବି ତା’ ମାଲିକାଣୀ ପାଖରୁ ଖସିଯାଇ ଭୁକିବାକୁ ଆରମ୍ଭ କଲାଣି ।

 

କନେଷ୍ଟବଳ ଦୁଇଟାଯାକ ଫେରିଲା ପର୍ଯ୍ୟନ୍ତ ଏମାନେ ଭୁକିବେ, ଏମିତି ଚିତ୍କାର କରି ।

 

ଜଣେ ଦୁଇଜଣ ଅକସ୍ମାତ୍ ପଥଚାରୀ କିମ୍ବା ଗରମ ସହିପାରୁ ନ ଥିବା ଲୋକ ଭୁଟୁରୁ ଭୁଟୁରୁ ହୋଇ ଗପୁଛନ୍ତି ।

 

ଶୁଭିଯାଉଛି ।

 

ବୁଢ଼ାବୁଢ଼ୀମାନେ ଭାରି ବ୍ୟସ୍ତ ହେଉଥିବେ ।

 

ବିଛଣାରେ ଏକଡ଼ସେକଡ଼ ହେଉଥିବେ ହୁଏତ ।

 

ନୀରବରେ, ନିର୍ଜନରେ, ନିଶ୍ଚୁପ ହୋଇ ରାତି ବଢ଼ିବାରେ ଲାଗିଛି ।

 

ମେଞ୍ଚା ମେଞ୍ଚା କଳା କଳା ରାତି ।

 

ନିଝୁମ୍ ନିଶୂନ ରାତି ।

 

ଦୂର ପିଟାଘଣ୍ଟାରେ ଦୁଇଟା ବାଜିଲା ।

 

ରାତିର ଠିକ୍ ମଝିଆମଝି ସମୟ ଏଇଟା–

 

କ’ଣ କରିବି କହିଲ ତମେ ?

 

ମୋ କାନରେ, ମୁଁ ଶୋଇପଡ଼ିଲା ପରେ ତୁନି ତୁନି କହିଯାଅ ମୁଁ କ’ଣ ଭୁଲ୍‍ କରୁଛି ? କରିଛି ?

 

କିଛି ଠିକ୍ କରିପାରୁ ନାହିଁ ।

 

ଅଫୁରନ୍ତ ଏ ଭଲପାଇବାର ଭଣ୍ଡାରକୁ ନିଃଶେଷ କରିଦେବା ପାଇଁ ଇଚ୍ଛା ହେଉଛି । ଆଉ ଯେମିତି ଏତେ ଟିକେବି ସୁଦ୍ଧା ଅବଶେଷ ରହିବ ନାହିଁ ।

 

ପ୍ରତ୍ୟାବୃତ୍ତ ଆଉ କିଛି ପୁଞ୍ଜି ରହିବ ନାହିଁ ।

 

ଦେଉଳିଆ ହୋଇଯିବି ମୁଁ ।

 

ହରଣର ଭାଗଶେଷ ରହିଲେ, ଛିଡ଼େ ନାହିଁ ।

 

ଅଛିଣ୍ଡା ରହିଲେ, ଅଙ୍କ ସରେ ନାହିଁ । ଭଗ୍ନାଂଶ ବସେ ।

 

ସବୁବେଳେ ସେଇ ଭାଗଶେଷ ! କାହିଁକି କେଜାଣି ଆଉ ଜମା ଭଲ ଲାଗୁ ନାହିଁ !

 

ସବୁବେଳେ ସେଇଆ !

 

ଅଙ୍କ ମୋର ଶେଷ କରିଦିଅ !!

 

ଭାଗଶେଷ ନ ବଳାଇ ଶେଷ କରିଦିଅ !

 

ଛିଡ଼ିଯାଉ......

 

ତମେ କାଲି ଏତେବେଳେ ଏଇଠି ଥିଲ.......

 

ମୋରି କଡ଼ରେ ।

 

ଅନ୍ଧାରରେ ଦରାଣ୍ଡି ଦରାଣ୍ଡି ମୋତେ ସାଉଁଳୁଥିଲ ।

 

ମନେ ଅଛି ନା ?

 

ସେ ତାତି ଏଥର ସରି ସରି ଆସୁଛି ।

 

ଆଉଟିକେ ପରେ ପୂରାପୂରି ସରିଯିବ ।

 

ଲିଭିଯିବ ।

 

ଭାରି ନିଦ ଲାଗିଲାଣି ।

 

ଆଖି ପଡ଼ି ପଡ଼ି ଆସିଲାଣି ।

 

ଏ ଥଣ୍ଡା ପବନରେ, କଷା ହୋଇଗଲାଣି ।

 

ମୁଁ ଆଖିଫାଡ଼ି ଅନ୍ଧାର ଭିତରେ ଚାହିଁ ରହିଛି ।

 

ତମେ ନାହିଁ ।

 

ଅନେକ ସମୟରୁ ।

 

ସକାଳପହରୁ ଗଲାଣି । ଭୋରବେଳେ ।

 

ବୋଧହୁଏ ବର୍ତ୍ତମାନ ତମେ ଯିବାର କୋଡ଼ିଏ ଘଣ୍ଟା ବିତିଗଲାଣି ।

 

ଆଉ ଦି’ଘଣ୍ଟା ପରେ ପୂରା ଦିନେ !

 

ମୁଁ ସେମିତି ରହି, ତମରି ସାଙ୍ଗେ ଗପୁଛି ।

 

ଏ ବିସ୍ତୀର୍ଣ୍ଣ ନିର୍ଜନତାରେ ।

 

ତମକୁ କହିଚାଲିଛି, ଆଈମା’ କାହାଣୀ ଭଳି ଅସରନ୍ତି କାହାଣୀ ।

 

ନିଦ ଆଉ ରୋକି ହେଉ ନାହିଁ ।

 

କେତେବେଳେ ଯେ ଆଖିପତା ପୂରା ପଡ଼ିଯିବ, ଜାଣେନା ।

 

ଏବେ ମୋ ଶେଷକଥା କହିଯାଏ ?

 

ମୋ କଥାଟି ସରିଲା । ଫୁଲଗଛଟି ମଲା ?

 

ନା ନା–ଧେତ୍, ନିଦରେ ଏଥର ବାଉଳିଚାଉଳି ବକୁଛି ।

 

କେଉଁଠୁ କ’ଣ କହିଯାଉଛି ।

 

ତମେ କ’ଣ ଭାବିବସିଲଣି କି, ମୁଁ ତମକୁ ଭଲପାଉନି ବୋଲି ? ଏସବୁ ସେଇଥିପାଇଁ ତମକୁ କହିଯାଉଛି ?

 

ନା ନା–

 

ତମେ ନ ଶୁଣିଲେବି, ମୁଁ ଭାବୁଛି ତମକୁହିଁ କହୁଛି ।

 

ତମେ ଶୁଣୁଛ ବୋଲି ଧରିନେଉଛି ।

 

କହିଯାଉଛି–

 

ଶେଷକଥାଟି ଶୁଣ !

 

ମୁଁ ତମକୁ ଭଲପାଏ ।

 

ଭଲପାଏ ଅତିମାତ୍ରାରେ–

 

ଆଉ ଶହେ ନାରୀ ତମକୁ ଯେମିତି କହନ୍ତି, ମୁଁ ସେମିତି କହୁନି–

 

କାରଣ ମୁଁ ସେ ନାରୀ ନୁହେଁ । ତମେ ଜାଣିଚ ।

 

ମୁଁ ତମକୁ ଭଲପାଏ ଏଇଥିପାଇଁ ଯେ, ମୁଁ ଜାଣେ ତମ ଭିତରେବି ଅପୂରଣୀୟ କ୍ଷୁଧା ଅଛି, ଭୋକ ଅଛି, ହତାଶା ଅଛି ।

 

ତମେ ପରିପୂର୍ଣ୍ଣ ନୁହ–

 

ତମେବି ହତାଶାରେ ଜଳିପୋଡ଼ି ମରୁଛ ।

 

ସେଇଥିପାଇଁ ଖୋଜିବୁଲୁଚି କେଉଁଠୁ ପୂର୍ଣ୍ଣତା ପାଇବ ।

 

ଆଉ, ମୁଁ ବି....

 

ତମର ଯାହା ନାହିଁ, ମୁଁ ତାହା ପୂରଣ କରିବି ।

 

ମୋର ଯାହା ନାହିଁ, ତାହା ତମେ ମୋତେ ଦବ ।

 

ଦେଇପାରିବି ମୁଁ ।

 

ଦେଇପାରିବ ତମେ ।

 

ଆମେ ଦୁହେଁ ପରସ୍ପରର ପରିପୂରକ ହୋଇପାରିବା ।

 

ତା’ଠାରୁ ଅଧିକ କିଛି ନୁହ ।

 

ଏଇ ଚେଷ୍ଟାରେହିଁ, ଆମେ ରେଖାରୁ ବିନ୍ଦୁ ହୋଇପାରିବା !

 

ଏକ ବିନ୍ଦୁରେ ମିଳିତ ହୋଇପାରିବା !

 

ଏତିକିହିଁ ହେଉ ଆମ ଜୀବନରେ ସତ୍ୟ–...

 

ନା, କ’ଣ କହୁଚ.... ?

 

ଏ ସତ୍ୟ ତମେ ହସି ହସି ମାନିନେବ ।

 

ମୁଁ ବି ସ୍ଵୀକାର କରିବି ।

 

ଗ୍ଳାନି ରହିବ ନାହିଁ ।

 

ମୁହୂର୍ତ୍ତକର ଏ ସତ୍ୟ କ’ଣ ସତ୍ୟ ନୁହ ?

 

ରେଖା କ’ଣ ବିନ୍ଦୁ ନୁହ ?

 

ସେ ବିନ୍ଦୁକୁହିଁ ଆମେ କାମନା କରିବା ।

 

ବିନ୍ଦୁ ହୋଇଯିବା । ଏଁ... ?

 

ଶୋଉଛି... ।

 

ଆଉ ଚେଇଁ ପାରିବି ନାହିଁ–

 

କାଲି ରାତିର ଜାଗରଣ...ଆଜି ଏତେବେଳ ହେଲାଣି ।

 

ଆସନ୍ତା କାଲି ପୁଣି, ଅଫିସ୍‌କୁ ଯିବାକୁ ହବ ।

 

ଶୋଉଛି...ଏଁ ?

 

ରାଗିବ ନାହିଁ– ।

 

ଆଃ, ନିଦମାଉସୀ ଥାପୁଡ଼େଇ ଦେଇ ଯାଉଛି ତା’ର କଅଁଳ ଡେଣାର ପାପୁଲିରେ–

 

ନିଦ ଝରି ପଡ଼ୁଛି ।

 

ଗ୍ଳାନି ଧୋଇଯାଉଛି ।

 

ଆଃ.......ନିଦ... ।

 

ରାତି ସରିଯାଉ ଏଥର.....

 

ଲୋଡ଼ା ନାହିଁ...ମୋର ଏ ରାତି ।

 

ରାତିର ଏ ଗ୍ଳାନି ଧୋଇଯିବ ସକାଳର ଆଲୋକରେ ।

 

ଭୟଙ୍କର ନିଦ ।

 

ଏଥର ସ୍ଵପ୍ନ ଦେଖିବି–

 

ରାତି ସରି ସରି ଆସୁଛି... ।

Image